ଫେବୃଆରୀ ୨୦୨୫ରେ ଗୋଟିଏ ଦିନ, ରୋଶନ ସଦାଶିବ କୁଲେଙ୍କୁ ତାଙ୍କର ଜଣେ ବନ୍ଧୁ ଫୋନ୍ କଲେ, ପଚାରିଲେ ଯେ ସେ ଜଣେ କମ୍ପ୍ୟୁଟର ଅପରେଟର ଭାବେ କାମ କରିବାକୁ ଲାଓସ୍ ଆସିବାକୁ ଚାହିଁବେ କି? ଦରମା ଭଲ ଥିଲା- ମାସିକ ଟ. ୯୦,୦୦୦ରୁ ୧ ଲକ୍ଷ – ଏବଂ କମ୍ପାନୀ ଯାତାୟତ ଏବଂ ରହିବା ବ୍ୟୟ ବହନ କରିବ।
ସେହି ସାଙ୍ଗ ଥିଲେ ଜମ୍ମୁ ଓ କାଶ୍ମୀରର ଜଣେ ବ୍ୟକ୍ତି ଯିଏକି ରୋଶନଙ୍କ ପରି ସେହି ଦଳର ଅଂଶ ଭାବରେ ପୂର୍ବ ବର୍ଷ କାମ୍ବୋଡ଼ିଆରେ ନିଜର କିଡ୍ନୀ ବିକ୍ରି କରିସାରିଛନ୍ତି, ସେତେବେଳେ ସେ ସେଠାରେ କାମ କରିବା ପାଇଁ ଯୋଗ ଦେଇଥିଲେ।
ରୋଶନ ଗ୍ରାଜୁଏସନ୍ ପରେ କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଏକ କୋର୍ସ କରିଥିଲେ ଏବଂ ଗୋଟିଏ ଅଫିସ୍ରେ କାମ କରିବାର ଭାବନା ବେଶ୍ ଆକର୍ଷଣୀୟ ଥିଲା। ସେ କହନ୍ତି, ‘‘ସେହି ସାଙ୍ଗ ମୋତେ କହିଥିଲେ ଏହି କାମ ଶାରୀରିକ ପରିଶ୍ରମ ନାହିଁ, ତେଣୁ ମୁଁ ଏ ବିଷୟରେ ଚିନ୍ତା କରିବା ଆରମ୍ଭ କଲି।’’
ଋଣ ପରିଶୋଧ କରିବା ପାଇଁ ନିଜ କିଡ୍ନୀ ବିକ୍ରି କରିବା ପରେ ଏବଂ ଅସ୍ତ୍ରୋପଚାରରୁ ସୁସ୍ଥ ହେଉଥିବା ସମୟରେ ମଧ୍ୟ ବ୍ରହ୍ମପୁରୀର ଛଅ ଜଣ ଅଭିଯୁକ୍ତ ସାହୁକାରଙ୍କ ଦ୍ୱାରା ରୋଶନ ଉତ୍ପୀଡ଼ିତ ହେଉଥିଲେ।
ପରିବାରର ଘରଟି ଚାରୋଟି ଭିନ୍ନ ଭିନ୍ନ ବିତ୍ତୀୟ ଅନୁଷ୍ଠାନ ପାଖରେ ବନ୍ଧା ପଡ଼ିଥିଲା, ତାଙ୍କ ବାପାଙ୍କ ସାରା ଜୀବନର ସଞ୍ଚୟ ଅର୍ଥରେ କିଣାଯାଇଥିବା ଜମି ଛଅ ଜଣ ସାହୁକାରଙ୍କ ମଧ୍ୟରୁ ଜଣେ ନେଇଯାଇଥିଲେ, ଅନ୍ୟାନ୍ୟ ସମ୍ପତ୍ତି ବିକ୍ରି ହୋଇଯାଇଥିଲା, ତଥାପି ୧୦ ଲକ୍ଷରୁ ଅଧିକ ଟଙ୍କାର ଋଣ ବାକି ରହିଥିଲା।
ତାଙ୍କ ବାପାଙ୍କ ପେନ୍ସନ୍, ତାଙ୍କ ପତ୍ନୀଙ୍କ ଅଙ୍ଗନବାଡ଼ି ଦରମା ଏବଂ ତାଙ୍କ ଭାଇର ଦିନ ମଜୁରୀ କିମ୍ବା କୃଷି ଶ୍ରମିକ ଆୟ ଯଥେଷ୍ଟ ନଥିଲା। ମହାମାରୀ ସମୟରେ ନିଜର ଚାକିରି ହରାଇବା ପୂର୍ବରୁ ରୋଶନ କିଛି ଦିନ ପର୍ଯ୍ୟନ୍ତ ଜଣେ ବ୍ୟାଙ୍କ୍ ପ୍ରତିନିଧି ଭାବରେ ନିଯୁକ୍ତି ପାଇଥିଲେ, ସେବେଠାରୁ ସେ କାମ ପାଇବାକୁ ସକ୍ଷମ ହୋଇନଥିଲେ।
ସେ ଏହି ଚାକିରି ପ୍ରସ୍ତାବଟି ଗ୍ରହଣ କରିନେଲେ।














