ଭଗତ ରାମ ଯାଦବ ଯେତେବେଳେ ହରିଆଣାର ସରକାରୀ ସଡ଼କ ପରିବହନ ସଂସ୍ଥା, ହରିଆଣା ରୋଡୱେଜରୁ ଅବସର ନେଲେ, ସେ ଚାହିଁଥିଲେ ଆରାମରେ ଅବସରକାଳୀନ ଜୀବନ ବିତାଇ ପାରିଥାଆନ୍ତେ । “କିନ୍ତୁ ମୋ ଭିତରେ ମୁଁ ଏକ ଜୁନୁନ୍ (ଆବେଗ) ଅନୁଭବ କଲି,” ଚାକିରି ଜୀବନରେ ଜଣେ ଆଦର୍ଶ ଓ ସମ୍ମାନିତ କର୍ମଚାରୀର ଗୌରବ ବହନ କରିଥିବା ଏହି ୭୩ ବର୍ଷୀୟ ବ୍ୟକ୍ତି ଜଣକ କହନ୍ତି।
ତାଙ୍କର ଏହି ଆବେଗ ହିଁ ତାଙ୍କୁ ଟାଣି ନେଇଥିଲା ପିଲାଦିନେ ବାପା ଗୁଗନ ରାମ ଯାଦବଙ୍କ ପାଖରୁ ସେ ଶିଖିଥିବା ଏକ କାରିଗରୀ ଆଡ଼କୁ – ଯାହା ହେଉଛି ଚାରପାଇ (ଦଉଡ଼ିଆ ଖଟ) ଏବଂ ପିଦ୍ଦା (ଦଉଡ଼ିର ଷ୍ଟୁଲ) ଗଢ଼ିବା ।
ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ପୂର୍ବରୁ, ତାଙ୍କୁ ଠିକ୍ ୧୫ ବର୍ଷ ବୟସ ହୋଇଥିବା ସମୟରେ, ତାଙ୍କର ଏହି ଶିକ୍ଷା ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ କି ସେ ତାଙ୍କ ତିନି ଭାଇଙ୍କ ସହ ବସି ସେମାନଙ୍କ ଘରେ ବ୍ୟବହାର ପାଇଁ ଚାରପାଇ ବୁଣୁଥିବା ତାଙ୍କ ବାପାଙ୍କ କଳା କୌଶଳକୁ ଲକ୍ଷ୍ୟ କରୁଥିଲେ । ତାଙ୍କ ବାପା ୧୨୫ ଏକର ଜମିର ମାଲିକ ଥିଲେ ଏବଂ ଗହମ ଅମଳ ପରେ ପରେ, ଏମିତିକା ମଜଭୁତ ଖଟ ସବୁ ତିଆରି କରି ଗ୍ରୀଷ୍ମ ମାସତକ ବିତାଇ ଦେଉଥିଲେ । ଏଥିପାଇଁ ସେ ହାତତିଆରି ସନ୍ ସପ (Crotalaria juncea) ଦଉଡ଼ି, ସୂତ୍ (ସୂତାରେ ତିଆରି ଦଉଡ଼ି) ଏବଂ ଶାଳ (Shorea robusta) ଏବଂ ଶିଶମ୍ (North Indian rosewood) ବା ଶିଶୁ ଗଛର କାଠ ବ୍ୟବହାର କରୁଥିଲେ । ତାଙ୍କ କାର୍ଯ୍ୟସ୍ଥଳ ଥିଲା ସେମାନଙ୍କ ଘରର ବୈଠକ, ଯାହା କି ଏକ ଖୋଲା କୋଠରି ଏବଂ ଯେଉଁଠାରେ ଉଭୟ ଲୋକ ଓ ଗୃହପାଳିତ ପ୍ରାଣୀମାନେ ଦିନର ଅଧିକାଂଶ ସମୟ ବିତାଇ ଦିଅନ୍ତି ।
ତାଙ୍କ ବାପାଙ୍କୁ ଜଣେ “ଏକ୍ ନମ୍ବର କା ଆରି”- ଜଣେ ମହାନ କାରିଗର ଭାବରେ ମନେ ରଖିଛନ୍ତି ଭଗତ ରାମ । ନିଜର ସାଜ ସରଞ୍ଜାମ ବିଷୟରେ ବେଶ୍ ସଜାଗ ରହୁଥିଲେ ତାଙ୍କ ବାପା। ପୁରୁଣା ଦିନର କଥା ମନେ ପକାଇ ଭଗତ ରାମ କହନ୍ତି, “ମୋ ବାପାଚାରପାଇ ତିଆରି କରିବାର କୌଶଳ ଶିଖିବା ଲାଗି ଆମକୁ ଉତ୍ସାହିତ କରୁଥିଲେ । ସେ କହନ୍ତି, “ଆସ, ଏଇଟା ଶିଖ; ପରେ ଏହା ତୁମ କାମରେ ଲାଗିବ ।”
ହେଲେ, ବିରକ୍ତିକର ମନେ ହେଉଥିବା ଏହି କାମକୁ ଏଡ଼ାଇ ଯାଇ ପିଲାମାନେ ଫୁଟବଲ୍ ହକି କି କବାଡ଼ି ଖେଳିବାକୁ ପଳାଇ ଯାଆନ୍ତି । “ଆମ ବାପା ଆମକୁ ଗାଳି ଦେଉଥିଲେ, ଏମିତି କି ଚାପୁଡ଼ା ମାରୁଥିଲେ, କିନ୍ତୁ ଆମେ ଖାତିର କରୁ ନଥିଲୁ,” ସେ କହନ୍ତି । “ଆମେ ଚାକିରିଟିଏ ପାଇବା ପାଇଁ ଅଧିକ ଆଗ୍ରହୀ ଥିଲୁ । କେବଳ ବାପାଙ୍କ ଭୟରେ ଆମେ ଏହି କାରିଗରୀ ଶିଖିଲୁ, ଅନେକ ସମୟରେ କୌଣସି ଡିଜାଇନ ବୁଣିବା ସମୟରେ ଅସୁବିଧା ଯୋଗୁଁ ଅଟକି ଗଲେ, ଏଥିରୁ କେମିତି ମୁକୁଳିବାକୁ ହେବ ବୋଲି ଆମେ ତାଙ୍କୁ ପଚାରୁଥିଲୁ।”
























