କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାରେ ଥିବା ବାନ୍ଦିପୁର ଜାତୀୟ ଉଦ୍ୟାନ ନିକଟ ମଙ୍ଗଳା ଗାଁର ଏମ୍. ଇନ୍ଦ୍ର କୁମାର । ବହୁ ବର୍ଷ ତଳେ ତାଙ୍କ ପରିବାରର ଜମିବାଡ଼ି ଥିଲା । କିନ୍ତୁ ଏବେ ତାଙ୍କର କିଛି ହେଲେ ଜମି ନାହିଁ । ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ରହନ୍ତି ୩୮ ବର୍ଷୀୟ ଇନ୍ଦ୍ର କୁମାର । ପିଲା ଦୁହେଁ ୧୯ କିଲୋମିଟର ଦୂର ଗୁଣ୍ଡୁଲୁପେଟ୍ରେ ଥିବା ସ୍କୁଲ୍କୁ ବସ୍ରେ ଯାଆନ୍ତି ।
ଇନ୍ଦ୍ର ତାଙ୍କ ଗାଁରେ ଥିବା ଏକ ବନ୍ୟଜୀବ ସ୍ମାରକୀ ବିକ୍ରୟ କେନ୍ଦ୍ରର ପରିଚାଳକ। ଏହି କେନ୍ଦ୍ର ମାରିଆମ୍ମା ଚାରିଟେବ୍ଲ ଟ୍ରଷ୍ଟର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରେ। ଗୃହପାଳିତ ପଶୁଙ୍କ ଉପରେ ବଣୁଆ ଜୀବଜନ୍ତୁଙ୍କ ଆକ୍ରମଣ ଘଟଣାକୁ ତଥ୍ୟଭୁକ୍ତ କରି ସେ ମଧ୍ୟ ଟ୍ରଷ୍ଟର ସହାୟତା କରନ୍ତି । ଟ୍ରଷ୍ଟର ବିଭିନ୍ନ କାର୍ଯ୍ୟ ମଧ୍ୟରୁ ଗୋଟିଏ ହେଲା, ବାଘ, ଚିତାବାଘ ଓ ବଣୁଆ କୁକୁରଙ୍କ ଶିକାର ଯୋଗୁଁ ସେମାନଙ୍କ ଗୃହପାଳିତ ପଶୁଙ୍କୁ ହରାଉଥିବା ସଂରକ୍ଷଣ ପ୍ରକଳ୍ପ ଆଖପାଖ ଗାଁର ଲୋକମାନଙ୍କୁ ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବା ।












