‘‘ସ୍କୁଲରେ ଦ୍ୱିତୀୟ ଥର ଖାଇବାକୁ ମିଳନ୍ତା କି ବୋଲି ମୁଁ ଭାବୁଛି।’’
ସାତ ବର୍ଷ ବୟସ୍କ ସ୍ୱରାଜୁ ତେଲଙ୍ଗାନାସ୍ଥିତ ସେରିଲିଙ୍ଗମପଲ୍ଲୀ ମଣ୍ଡଳ ରେ ଥିବା ମଣ୍ଡଳ ପରିଷଦ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ରାଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏହି ବିଦ୍ୟାଳୟଟି ହେଉଛି ଦେଶର ୧୧.୨ ଲକ୍ଷ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ଯେଉଁଠି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଗରମ ରନ୍ଧା ଖାଦ୍ୟ ଦିଆଯାଏ। ସ୍ୱରାଜୁଙ୍କ ବିଦ୍ୟାଳୟ ସହପାଠୀ ୧୦ ବର୍ଷ ବୟସର ଅମ୍ବିକା ସ୍କୁଲ ଯିବା ପୂର୍ବରୁ କେବଳ ଗୋଟିଏ ଗ୍ଲାସ ଗାଞ୍ଜି (ରନ୍ଧା ହୋଇଥିବା ଭାତ ପାଣି) ପିଇଥାନ୍ତି, ତେଣୁ ମଧ୍ୟାହ୍ନ ଭୋଜନ ହିଁ ତାଙ୍କ ପାଇଁ ଦିନର ପ୍ରଥମ ଖାଦ୍ୟ ହୋଇଥାଏ।
ଭାରତର ମଧ୍ୟାହ୍ନ ଭୋଜନ ଯୋଜନା ଦେଶର ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ସର୍ବ ଶିକ୍ଷା ଅଭିଯାନ ସହାୟତାରେ ଚାଲିଥିବା ରାଜ୍ୟ ସରକାରଙ୍କ ପରିଚାଳିତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହୋଇଥାଏ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦେଶର ୧୧୮ ନିୟୁତ ପିଲାଙ୍କୁ ସବୁ କାର୍ଯ୍ୟ ଦିବସରେ ସମ୍ପୂର୍ଣ୍ଣ ମାଗଣାରେ ମଧ୍ୟାହ୍ନ ଭୋଜନ ମିଳିଥାଏ। କୌଣସି ବ୍ୟକ୍ତି ଏହି ଯୁକ୍ତି ଦର୍ଶାଇ ପାରିବେ ନାହିଁ ଯେ ପେଟପୂରା ଖାଦ୍ୟ ଜଟିଳ ଗଣିତ ସମାଧାନ କରିବା ଏବଂ ବନାନ ମନେ ରଖିବାରେ ସହାୟକ ହୋଇଥାଏ, କିନ୍ତୁ ଏହା ମଧ୍ୟ ସତ୍ୟ ଯେ ମଧ୍ୟାହ୍ନ ଭୋଜନ ମୁଖ୍ୟତଃ ପିଲାମାନଙ୍କୁ ସ୍କୁଲ ଆସିବାକୁ ଆକୃଷ୍ଟ କରିଥାଏ। (ଭାରତରେ ଅତିକମ୍ରେ ୧୫ କୋଟି ଶିଶୁ ଏବଂ ଯୁବବର୍ଗ ଔପଚାରିକ ଶିକ୍ଷା ପ୍ରଣାଳୀରୁ ବଞ୍ଚିତ ହୋଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି)
ରାଜସ୍ଥାନର ଭିଲୱାରା ଜିଲ୍ଲା ଅନ୍ତର୍ଗତ ଯୋଦ୍ଧଗଡ଼ ଗ୍ରାମରେ ଥିବା ରାଜକୀୟ ପ୍ରାଥମିଲ ବିଦ୍ୟାଳୟରେ ପଢ଼ୁଥିବା ୧୦ ବର୍ଷ ବୟସ୍କ ଦକ୍ଷ ଭଟ୍ଟଙ୍କୁ ଆମେ ଯେତେବେଳେ ଭେଟିଥିଲୁ ସେ ସ୍କୁଲ ଆସିବା ପୂର୍ବରୁ କେବଳ କେତୋଟି ବିସ୍କୁଟ ଖାଇଥିଲେ। ଏଠାରୁ ହଜାର ହଜାର କିଲୋମିଟର ଦୂର ଆସାମର ନାଲବାଡ଼ି ଜିଲ୍ଲାର ନିଜଖାଘାଟା ଏଲପି ସ୍କୁଲ ସଂଖ୍ୟା ୮୫୮ରେ ପଢ଼ୁଥିବା ଆଲିଶା ବେଗମ କହିଥିଲେ ଯେ, ସେ କେବଳ ଗୋଟିଏ ରୁଟି ଏବଂ ନାଲି ଚା’ ପିଇ ସ୍କୁଲକୁ ଆସିଥିଲେ। ତାଙ୍କ ବାପା ଜଣେ ରାସ୍ତାକଡ଼ ଉଠାଦୋକାନୀ ଏବଂ ମା’ ଜଣେ ଗୃହିଣୀ।
![Basavaraju](/media/images/02a-IMG_20221031_122756.max-1400x1120.jpg)
![Ambica](/media/images/02b-IMG_20221031_122608.max-1400x1120.jpg)
![Daksh Bhatt](/media/images/02c-IMG20221110133303.max-1400x1120.jpg)
ବିଶେଷ କରି ଅଣ୍ଡା ମିଳୁଥିବା ଦିନରେ ସ୍ୱରାଜୁ ( ବାମ ) ଏବଂ ଅମ୍ବିକା ( ମଝି ) ସେମାନଙ୍କ ମଧ୍ୟାହ୍ନ ଭୋଜନକୁ ଉପଭୋଗ କରିଥାନ୍ତି । ଦକ୍ଷ ଭଟ୍ଟ ( ଡାହାଣ ) ଦିନର ପ୍ରଥମ ଭୋଜନ ଗ୍ରହଣ କରୁଛନ୍ତି ; ଜଳଖିଆରେ ସେ ମାତ୍ର କେତୋଟି ବିସ୍କୁଟ ଖାଇଥିଲେ
ବିଦ୍ୟାଳୟର ଭୋଜନରେ- ପ୍ରାଥମିକ ବିଦ୍ୟାଳୟ ପାଇଁ (ପ୍ରଥମରୁ ପଞ୍ଚମ) ପର୍ଯ୍ୟନ୍ତ ୪୮୦ କ୍ୟାଲୋରୀ ଏବଂ ୧୨ ଗ୍ରାମ ପ୍ରୋଟିନ୍ ରହିଥାଏ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଷଷ୍ଠରୁ ଅଷ୍ଟମ) ପର୍ଯ୍ୟନ୍ତ ୭୨୦ କ୍ୟାଲୋରୀ ଏବଂ ୨୦ ଗ୍ରାମ ପ୍ରୋଟିନ୍ ରହିଥାଏ। ପୁଷ୍ଟିସାର ଖାଦ୍ୟରୁ ବଞ୍ଚିତ ହେଉଥିବା ଗରିବ ଏବଂ ବଞ୍ଚିତ ସମୁଦାୟର ପିଲାଙ୍କ ପାଇଁ ଏହା ଜରୁରୀ ହୋଇଥାଏ।
ବେଙ୍ଗାଲୁରୁ ସହରର ପାଟ୍ଟନାଗେରେସ୍ଥିତ ନମ୍ମୁରା ସରକାରୀ ନିମ୍ନ ପ୍ରାଥମିକ ବିଦ୍ୟାଳୟର ଅଧ୍ୟକ୍ଷ ଏନ. ସୁଗୁଣା କୁହନ୍ତି, ‘‘ବିଦ୍ୟାଳୟର ଜଣେ କିମ୍ବା ଦୁଇ ଜଣ ପିଲାଙ୍କୁ ଛାଡ଼ି ଦେଲେ ସବୁ ପିଲା ବିଦ୍ୟାଳୟରେ ସେମାନଙ୍କର ମଧ୍ୟାହ୍ନ ଭୋଜନ ଖାଇଥାନ୍ତି।’’ ଏମାନେ ହେଉଛନ୍ତି ଉତ୍ତର କର୍ଣ୍ଣାଟକର ୟାଦଗିର (ୟାଦଗିରି ନାମରେ ମଧ୍ୟ ପରିଚିତ) ଜିଲ୍ଲାରୁ ଆସି ବେଙ୍ଗାଲୁରୁ ସହରର ବିଭିନ୍ନ ନିର୍ମାଣସ୍ଥଳୀରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ସନ୍ତାନ।
୨୦୨୧ରେ ମଧ୍ୟାହ୍ନ ଭୋଜନ ଯୋଜନାର ନାମ ପରିବର୍ତ୍ତନ କରାଯାଇ ‘ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ’ ବା ‘ ପିଏମ ପୋଷଣ’ ରଖାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ‘‘ଅଧିକ ସଂଖ୍ୟାରେ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା, ସେମାନଙ୍କ ପାଠପଢ଼ା ଜାରି ରଖିବା ଏବଂ ପ୍ରତିଦିନ ସ୍କୁଲ ଆସିବା ଲାଗି ସେମାନଙ୍କୁ ଆକୃଷ୍ଟ କରିବା ସହିତ ସମାନ୍ତରାଳ ଭାବେ ପିଲାମାନଙ୍କ ମଧ୍ୟରେ ପୋଷଣ ସ୍ତର ବୃଦ୍ଧି କରିବା।’’ ୧୯୯୫ ମସିହାଠାରୁ ଏକ କେନ୍ଦ୍ର ପ୍ରାୟୋଜିତ ଜାତୀୟ କାର୍ଯ୍ୟକ୍ରମ ଭାବେ ଏହା ଭାରତର ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ କାର୍ଯ୍ୟକାରୀ ହୋଇ ଆସୁଛି। ଛତିଶଗଡ଼ ରାୟପୁର ଜିଲ୍ଲାର ମାଟିଆ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁନମ ଯାଦବ ତାଙ୍କ ବିଦ୍ୟାଳୟର ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ସେବନ କରୁଥିବା ଦେଖି ବେଶ ଆନନ୍ଦିତ ହୋଇଥାନ୍ତି। ସେ କୁହନ୍ତି, ‘‘ଖୁବ୍ କମ୍ ମାତାପିତା ସେମାନଙ୍କ ପିଲାଙ୍କ ପାଇଁ ଏଭଳି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିପାରିବେ। ମଧ୍ୟାହ୍ନ ଭୋଜନର ସବୁଠୁ ଭଲ ଦିଗ ହେଉଛି ପିଲାମାନେ ଏକାଠି ବସି ଖାଇପାରିବେ, ପିଲାମାନେ ଏହାକୁ ସବୁଠୁ ଅଧିକ ଭଲ ପାଆନ୍ତି।’’
୨୦୧୫ରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ମୂଳ ଭୋଜନରେ ଖାଦ୍ୟଶସ୍ୟ, ଡାଲି ଏବଂ ପନିପରିବା ରହିଥାଏ ଯାହାକୁ ତେଲ, ଲୁଣ ଓ ମସଲା ଦେଇ ରନ୍ଧା ଯାଇଥାଏ। ତେବେ କେତେକ ରାଜ୍ୟ ଏଥିରେ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ସାମିଲ କରିଛନ୍ତି। ଝାଡ଼ଖଣ୍ଡ, ତାମିଲନାଡ଼ୁ ଏବଂ କେରଳରେ ଅଣ୍ଡା ଓ କଦଳୀ ଦିଆଯାଉଛି। ଅନ୍ୟପଟେ କର୍ଣ୍ଣାଟକରେ ଗୋଟିଏ ଗ୍ଲାସ କ୍ଷୀର (ଏବଂ ଚଳିତ ବର୍ଷ ଠାରୁ ଅଣ୍ଡା) ଦିଆଯାଉଛି। ଛତିଶଗଡ଼, ଆସାମ ଏବଂ ଅରୁଣାଚଳ ପ୍ରଦେଶ ଆଦି ରାଜ୍ୟ ରୋଷେଇ ବଗିଚା ଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଉଛନ୍ତି ଯାହାଫଳରେ ଏଥିରୁ ଉତ୍ପାଦିତ ପନିପରିବା ମଧ୍ୟାହ୍ନ ଭୋଜନରେ ସାମିଲ କରାଯାଇପାରିବ। ଗୋଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟାହ୍ନ ଭୋଜନ ବିତରଣ କରୁଛନ୍ତି। ମଣିପୁର ଓ ଉତ୍ତରାଖଣ୍ଡରେ ଅଭିଭାବକଙ୍କ ସହାୟତା ନିଆଯାଉଛି। ଗୁଜରାଟ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ସ୍ଥାନୀୟ ସମୁଦାୟ ସ୍ୱେଚ୍ଛାକୃତ ଭାବେ ମଧ୍ୟାହ୍ନ ଭୋଜନ ପାଇଁ ପୁଷ୍ଟିକର ଖାଦ୍ୟସାମଗ୍ରୀ ଯୋଗାଇ ଦେଉଛନ୍ତି।
![Children from Kamar community at the Government Primary School in Footahamuda village, Chhattisgarh.](/media/images/03a-20221110_132222.max-1400x1120.jpg)
![Their mid-day meal of rice, dal and vegetable](/media/images/03b-20221110_132732.max-1400x1120.jpg)
ବାମ : ଛତିଶଗଡ଼ର ଫୁଟହାମୁଣ୍ଡା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କମାର ସମୁଦାୟର ପିଲାମାନେ । ଡାହାଣ : ସେମାନଙ୍କ ମଧ୍ୟାହ୍ନ ଭୋଜନରେ ଭାତ , ଡାଲି ଓ ତରକାରୀ ରହିଛି
![Kirti (in the foreground) is a student of Class 3 at the government school in Footahamuda.](/media/images/4a-20221110_132742.max-1400x1120.jpg)
![The school's kitchen garden is a source of vegetables](/media/images/04b-20221110_140042.max-1400x1120.jpg)
ବାମ : କିର୍ତ୍ତୀ ( ଚଟାଣରେ ବସିଥିବା ) ହାମୁଡ଼ା ସରକାରୀ ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ। ଡାହାଣ : ବିଦ୍ୟାଳୟର ରୋଷେଇ ବଗିଚା ପନିପରିବାର ଏକ ଉତ୍ସ
ଛତିଶଗଡ଼ର ହାମୁଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ୧୦ ଜଣ ଛାତ୍ର କମାର ସମ୍ପ୍ରଦାୟର, ଯାହାକି ରାଜ୍ୟରେ ପିଭିଟିଜି (ବିଶେଷ ଦୁର୍ବଳ ଜନଜାତି ସମ୍ପ୍ରଦାୟ) ଭାବେ ତାଲିକାଭୁକ୍ତ ହୋଇଛି। ‘‘କମାର ଲୋକମାନେ ସବୁ ଦିନ ଜଙ୍ଗଲଜାତ ସାମଗ୍ରୀ ଓ ଜାଳେଣି କାଠ ଆଣିବାକୁ ଜଙ୍ଗଲକୁ ଯାଇଥାନ୍ତି। ସେମାନଙ୍କ ପିଲାମାନେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ଏବଂ ପାଠ ପଢ଼ିବା ନେଇ ସେମାନେ ନିଶ୍ଚିତ ଥାଆନ୍ତି,’’ ଧମତରୀ ଜିଲ୍ଲାର ନାଗରୀ ବ୍ଲକରେ ଥିବା ଏହି ଛୋଟ ବିଦ୍ୟାଳୟ ଦାୟିତ୍ୱରେ ଥିବା ଏକମାତ୍ର ଶିକ୍ଷୟିତ୍ରୀ ରୁବିନା ଅଲି କୁହନ୍ତି।
ସେମିତି ଆଉ ଏକ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହେଉଛି ତାମିଲନାଡ଼ୁର ସତ୍ୟମଙ୍ଗଲମ। ଏରୋଡ଼ ଜିଲ୍ଲାର ଗୋବିଚେଟ୍ଟୀପଲୟମ ତାଲୁକାରେ ଥିବା ତାଲାଇମଲାଇ ଗ୍ରାମରେ ଏକ ସରକାରୀ ଜନଜାତି ଆବାସିକ ବିଦ୍ୟାଳୟରେ ୧୬୦ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି, ଏମାନଙ୍କ ମଧ୍ୟରୁ ଅଧିକାଂଶ ସୋଲିଗା ଏବଂ ଇରୁଲା ସମୁଦାୟର (ଉଭୟ ଅନୁସୂଚିତ ଜନଜାତି), ଏମାନଙ୍କୁ ସାଧାରଣତଃ ଭାତ ଓ ସମ୍ବର ଖାଇବାକୁ ମିଳିଥାଏ ଏବଂ ସପ୍ତାହକୁ କିଛି ଦିନ ଅଣ୍ଡା ତରକାରୀ ଖାଇବାକୁ ଦିଆଯାଏ।
୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ପିଏମ-ପୋଷଣ ଅଭିଯାନ ପାଇଁ ମୋଟ ୧୩୦,୭୯୪ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଥିବା ବେଳେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ମିଳିତ ଭାବେ ବହନ କରିବେ। ପାଣ୍ଠି ବିତରଣ ଏବଂ ଛଅ ଲକ୍ଷ ମେଟ୍ରିକ ଟନରୁ ଅଧିକ ଖାଦ୍ୟ ସାମଗ୍ରୀ ହସ୍ତାନ୍ତର ବେଳେ ବେଳେ ବିଳମ୍ବ ହୋଇଥାଏ ଏବଂ ଶିକ୍ଷକ ଓ ପାଚିକାମାନେ ବାଧ୍ୟ ହୋଇ ଖୋଲା ବଜାରରୁ ଖାଦ୍ୟ ସାମଗ୍ରୀ କିଣିଥାନ୍ତି। ହରିୟାଣାର ଇଗ୍ରାହ ଗ୍ରାମରେ ଥିବା ଶହୀଦ ହୱଲଦାର ରାଜକୁମାର ଆରଭିଏମ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକ ପରୀକୁ କହିଥାନ୍ତି ଯେ, ଯେତେବେଳେ ଏମିତି ଘଟଣା ଘଟେ, ‘‘ଆମେ ଶିକ୍ଷକମାନେ ଯୋଗଦାନ ଦେଇଥାଉ ଯାହାଫଳରେ ପିଲାମାନେ ଯେମିତି ଭୋକରେ ରହିବେ ନାହିଁ।’’ ହରିୟାଣାର ଜିନ୍ଦ ଜିଲ୍ଲାରେ ଥିବା ଏହି ବିଦ୍ୟାଳୟରେ କାଠକଟାଳୀ, ଦିନ ମଜୁରିଆ, ଇଟାଭାଟି ଶ୍ରମିକ ଓ ଅନ୍ୟମାନଙ୍କ ପିଲାମାନେ ପଢ଼ିଥାନ୍ତି, ସେମାନଙ୍କୁ ଭୋଜନରେ ପଲାଉ, ଡାଲି ଏବଂ ଏବଂ ରାଜମା ଭାତ ମିଳିଥାଏ।
ଭାରତରେ ଗରିବ ପିଲାମାନଙ୍କୁ ଖାଦ୍ୟ ଯୋଗାଇ ଦେବାର ଆବଶ୍ୟକତା ଏମିତି ସହଜରେ ଆସିନାହିଁ। ୨୦୧୯-୨୧ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ( ଏନଏଫଏଚଏସ-୫ )ରେ ୫ ବର୍ଷରୁ କମ୍ ବୟସ୍କ ୩୨ ପ୍ରତିଶତ ଶିଶୁ କମ୍ ଓଜନ ବିଶିଷ୍ଟ ହୋଇଥିବା ଭଳି ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଅପପୁଷ୍ଟି କାରଣରୁ ଦେଶରେ ୫ ବର୍ଷରୁ କମ୍ ୬୯ ପ୍ରତିଶତ ଶିଶୁ ପ୍ରାଣ ହରାଇଥାନ୍ତି ବୋଲି ୨୦୧୯ରେ ପ୍ରକାଶିତ ୟୁନିସେଫ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।
![](/media/images/05a-_AMI3226.max-1400x1120.jpg)
![](/media/images/05b-_AMI3233.max-1400x1120.jpg)
ଏପରିକି ଦୀପାବଳି ଛୁଟି ସମୟରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବସିରହାଟ ୨ ବ୍ଲକରେ ଥିବା ଧୁପବେରିଆ ଶିଶୁ ଶିକ୍ଷା କେନ୍ଦ୍ରକୁ ଅନ୍ଦୁଲ ପୋଟା ଗ୍ରାମର ପିଲାମାନେ (ବାମ) ସେମାନଙ୍କର ମଧ୍ୟାହ୍ନ ଭୋଜନ ନେବାକୁ ଆସିଥାନ୍ତି। ରୋନୀ ସିଂଘ (ଡାହାଣ) ନିଜର ଖିଚଡ଼ି ସହିତ
ପଶ୍ଚିମବଙ୍ଗର ଅନ୍ଦୁଲ ପୋଟା ଗ୍ରାମରେ ଥିବା ଧୁପବେରିଆ ଶିଶୁ ଶିକ୍ଷା କେନ୍ଦ୍ରକୁ ନିଜ ଭାଗର ଖିଚଡ଼ି ନେବା ପାଇଁ ଆଠ ବର୍ଷ ବୟସ୍କ ରୋନୀ ସିଂଘ କାହିଁକି ଏକ ଛୁଟି ଦିନରେ ମଧ୍ୟ ଆସିଛନ୍ତି ତା’ ପଛରେ ଏକ ଚିନ୍ତାଜନକ କାରଣ ରହିଛି। ସ୍ଥାନୀୟ ଲୋକମାନେ ଏହାକୁ ‘ ଖିଚଡ଼ି ସ୍କୁଲ’ ବୋଲି କହିଥାନ୍ତି ଏବଂ ଏଠାରେ ୭୦ ଜଣ ପିଲା ପଢ଼ୁଛନ୍ତି। ଅକ୍ଟୋବର ଶେଷ ଭାଗରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଥିବା ଏହି ବିଦ୍ୟାଳୟକୁ ପରୀ ଯାଇଥିବା ସମୟରେ ଦୀପାବଳି ଛୁଟି କାରଣରୁ ସ୍କୁଲ ବନ୍ଦ ଥିଲା – କିନ୍ତୁ ପିଲାମାନେ ସେମାନଙ୍କର ଦୈନିକ ମଧ୍ୟାହ୍ନ ଭୋଜନ ନେବା ଲାଗି ଏଠାକୁ ଆସିଥିଲେ।
ଅଧିକାଂଶ ପିଲାମାନେ ଗରିବ ପୃଷ୍ଠଭୂମିରୁ ଆସିଛନ୍ତି ଏବଂ ସେମାନଙ୍କର ମାତାପିତା ସ୍ଥାନୀୟ ମତ୍ସ୍ୟ ଉତ୍ପାଦନ କେନ୍ଦ୍ରରେ କାର୍ଯ୍ୟ କରିଥାନ୍ତି। ରୋନୀଙ୍କ ମା’ (ଯିଏକି ନିଜ ନାମ ପ୍ରକାଶ କରିବାକୁ ଚାହିଁନଥିଲେ) ମଧ୍ୟ କହିଥିଲେ, ‘‘ନିୟମିତ ଭାବେ ରନ୍ଧା ଖାଦ୍ୟ ଯୋଗାଇ ଦେଉଥିବାରୁ ମହାମାରୀ (କୋଭିଡ-୧୯) ସମୟରେ ଏହି ବିଦ୍ୟାଳୟ ବିଶେଷ ସହାୟକ ହୋଇଥିଲା।’’
ମାର୍ଚ୍ଚ ୨୦୨୦ରେ ଯେତେବେଳେ କୋଭିଡ-୧୯ ସଂକ୍ରମଣ ଆରମ୍ଭ ହେଲା ବିଭିନ୍ନ ରାଜ୍ୟରେ ମଧ୍ୟାହ୍ନ ଭୋଜନ ଯୋଜନା ବାଧାପ୍ରାପ୍ତ ହୋଇଥିଲା। ବିଦ୍ୟାଳୟ ବନ୍ଦ ହୋଇଯିବା କାରଣରୁ ଲକ୍ଷାଧିକ ପିଲା ପ୍ରଭାବିତ ହେଲେ; କର୍ଣ୍ଣାଟକ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ମଧ୍ୟାହ୍ନ ଭୋଜନ ଯୋଜନା ଶିକ୍ଷାର ମୌଳିକ ଅଧିକାର ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ।
ଐଶ୍ୱର୍ଯ୍ୟା ତେଲଙ୍ଗାନାର ଗୋଛିବାଓଲି ନିକଟରେ ଥିବା ଏକ କମ୍ ଆୟବିଶିଷ୍ଟ ଆବାସିକ କ୍ଷେତ୍ର, ପି. ଜନାର୍ଦ୍ଦନ ରେଡ୍ଡୀ ନଗରରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ତାଙ୍କ ପିତା ରଙ୍ଗା ରେଡ୍ଡୀ ଜିଲ୍ଲାର ନିର୍ମାଣସ୍ଥଳୀରେ ଦିନ ମଜୁରିଆ ଭାବେ କାମ କରିଥାନ୍ତି ଏବଂ ତାଙ୍କ ମା’ ଅନ୍ୟମାନଙ୍କ ଘରେ କାମ କରି ଜୀବିକା ଅର୍ଜନ କରନ୍ତି। ନଅ ବର୍ଷର ଏହି ଭୋକିଲା ଝିଅ କୁହନ୍ତି, ‘‘ସ୍କୁଲରେ ସବୁ ଦିନ ଅଣ୍ଡା ମିଳନ୍ତା କି। ମୋର ଇଚ୍ଛା ହେଉଛି ସେମାନେ ମୋତେ ସବୁଦିନ ଗୋଟିଏରୁ ଅଧିକ ଅଣ୍ଡା ଦିଅନ୍ତେ କି।’’
ପିଲାମାନଙ୍କୁ ବ୍ୟାପକ ଭାବେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଜନା ଦୁର୍ନୀତି, ଅପମିଶ୍ରଣ, ଖରାପ ଗୁଣବତ୍ତା ଏବଂ ଭୋଜନ ବିବିଧତାରେ ଅଭାବ ତଥା ଜାତିଗତ ଭେଦଭାବର ଶିକାର ହୋଇ ଆସିଛି। ଗତ ବର୍ଷ ଗୁଜରାଟ ଏବଂ ଉତ୍ତରାଖଣ୍ଡରେ ଉଚ୍ଚ ଜାତିର ଛାତ୍ରଛାତ୍ରୀ ଦଳିତ ରୋଷେୟାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଇବାକୁ ମନା କରି ଦେଇଥିଲେ। ଏପରିକି ଜଣେ ଦଳିତ ରୋଷେୟାଙ୍କୁ ବହିଷ୍କାର କରାଯିବାର ମାମଲା ମଧ୍ୟ ସାମ୍ନାକୁ ଆସିଥିଲା।
![](/media/images/06a-IMG_20221031_122904.max-1400x1120.jpg)
![](/media/images/06b-PAL_9737.max-1400x1120.jpg)
ଐ ଶ୍ୱର୍ଯ୍ୟା ଙ୍କ ଇଚ୍ଛା ହେଉଛି ତେଲଙ୍ଗାନାର ସେରିଲିଙ୍ଗମପଲ୍ଲୀ ମଣ୍ଡଳସ୍ଥିତ ତାଙ୍କର ପ୍ରାଥମିକ ବିଦ୍ୟାଳୟରେ ମିଳୁଥିବା ଖାଦ୍ୟରେ ଅଧିକାଂଶ ସମୟରେ ଅଣ୍ଡା ମିଳିଲେ ଭଲ ହୁଅନ୍ତା । ଡାହାଣ: ତାମିଲନାଡ଼ୁର ସତ୍ୟମଙ୍ଗଲମ ନାମକ ବନାଞ୍ଚଳର ତାଲାଇମଲାଇରେ ଥିବା ଆଦିବାସୀ ଆବାସିକ ବିଦ୍ୟାଳୟରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି
କର୍ଣ୍ଣାଟକରେ, ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ, ପାଞ୍ଚ ବର୍ଷରୁ କମ୍ ବୟସ୍କ ଅପପୁଷ୍ଟିର ଶିକାର ଶିଶୁଙ୍କ ସଂଖ୍ୟା ମାତ୍ର ଏକ ପ୍ରତିଶତ ହ୍ରାସ ପାଇଛି। ପୂର୍ବରୁ ଏହା ୩୬ ପ୍ରତିଶତ ଥିଲା, ଏବେ ଏହା ୩୫ ପ୍ରତିଶତ ହୋଇଯାଇଛି। ( ଏନଏଫଏଚଏସ-୫ )। ଏହାବ୍ୟତୀତ, ୨୦୨୦ ମସିହାର ସରକାରୀ ରିପୋର୍ଟରେ କୋଡ଼ାଗୁ ଏବଂ ମୈସୁର ଜିଲ୍ଲାର ପିଲାମାନଙ୍କ ମଧ୍ୟରେ ରହିଥିବା ପୋଷଣ ଜନିତ ଅଭାବ ସମ୍ପର୍କରେ ଉଲ୍ଲେଖ କରାଯାଇଛି। କିନ୍ତୁ, ରାଜନୈତିକ ଦଳମାନେ କେବଳ ଏ କଥାକୁ ନେଇ ଯୁକ୍ତି କରିଥାନ୍ତି ଯେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଯୋଗାଇ ଦେବା ଶାକାହାରୀ କିମ୍ବା ନୁହେଁ।
ଗୋଟିଏ ପଟେ ଦେଶରେ ପୋଷଣ ଜନିତ ସଂକଟ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ରରେ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ଦିଆଯାଉଛି; ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାକାର ବିଦ୍ୟାଳୟରେ ୬.୧୬ ଲକ୍ଷ ଅପପୁଷ୍ଟିର ଶିକାର ଶିଶୁ ପାଠ ପଢ଼ନ୍ତି – ଏହି ତଥ୍ୟ ଭାରତରେ ଅପପୁଷ୍ଟି ଶିକାର ସମସ୍ତ ଶିଶୁଙ୍କ ତୁଳନାରେ ପାଞ୍ଚ ଭାଗରୁ ସାମାନ୍ୟ କମ। ଅହମ୍ମଦନଗର ଜିଲ୍ଲାର ଗୁଣ୍ଡେଗାଓଁ ଗ୍ରାମର ଏମିତି ଏକ ସ୍କୁଲରେ ପଢ଼ୁଥିବା ଅଧିକାଂଶ ଛାତ୍ରଛାତ୍ରୀ ପାରଧୀ ଅଟନ୍ତି। ପାରଧୀ ହେଉଛି ଏକ ଅନୁସୂଚିତ ଜନଜାତି ଏବଂ ରାଜ୍ୟରେ ଏହା ସବୁଠୁ ଗରିବ ଏବଂ ବଞ୍ଚିତ ସମ୍ପ୍ରଦାୟ ଭାବେ ପରିଗଣିତ ହୋଇଥାଏ।
ପୌଟକାୱସ୍ତି ଗୁଣ୍ଡେଗାଓଁ ପ୍ରାଥମିକ ଜିଲ୍ଲା ପରିଷଦ ବିଦ୍ୟାଳୟର ଅଧ୍ୟକ୍ଷ କୁସାଲକର ଜ୍ଞାନଦେବ ଗଙ୍ଗାରାମ କୁହନ୍ତି, ‘‘ବିଦ୍ୟାଳୟ ବନ୍ଦ ହେବା ପରେ, ଏହି ପିଲାମାନେ କେବଳ ସ୍କୁଲ ପାଠପଢ଼ା ଛାଡ଼ି ଦେବେ ନାହିଁ, ବରଂ ପୁଷ୍ଟିକର ଖାଦ୍ୟରୁ ମଧ୍ୟ ବଞ୍ଚିତ ହେବେ। ଏହା ଦ୍ୱାରା ଆଦିବାସୀ ଏବଂ ବଞ୍ଚିତ ସମୁଦାୟଙ୍କ ମଧ୍ୟରେ ଅପପୁଷ୍ଟିର ଶିକାର ଏବଂ ସ୍କୁଲ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବ।’’
ମଞ୍ଜୁର ଭୋସଲେଙ୍କ ଆଠ ବର୍ଷର ଝିଅ ଭକ୍ତି ଏଠାରେ ପଢ଼ୁଥିବା ୧୫ ପାରଧୀ ବିଦ୍ୟାର୍ଥୀଙ୍କ ମଧ୍ୟରୁ ଜଣେ। ମଞ୍ଜୁର କୁହନ୍ତି, ‘‘ସ୍କୁଲ ନଥିଲେ ଖାଇବାକୁ ମିଳିବ ନାହିଁ। କରୋନାର ତିନି ବର୍ଷ ଖୁବ କଷ୍ଟରେ ବିତିଛି। ଯଦି ପୁଣିଥରେ ସ୍କୁଲ ବନ୍ଦ ହୋଇଯିବ, ତା’ହେଲେ ଆମ ପିଲାମାନେ କିପରି ଆଗକୁ ବଢ଼ିପାରିବେ?’’
![](/media/images/07a-Bhakti-Bhosale.max-1400x1120.jpg)
![](/media/images/07b-Kids-in-school.max-1400x1120.jpg)
ଭକ୍ତି ଭୋସଲେ (ବାମ) ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ପୌଟକାୱସ୍ତି ଗୁଣ୍ଡେଗାଓଁ ପ୍ରାଥମିକ ଜିଲ୍ଲା ପରିଷଦ ବିଦ୍ୟାଳୟର ଛାତ୍ରୀ ଅଟନ୍ତି । ଏହି ସ୍କୁଲ ବନ୍ଦ ହେବାକୁ ଯାଉଛି, ଯାହାଫଳରେ ଭକ୍ତି ଏବଂ ତାଙ୍କ ଭଳି ଅନ୍ୟ ପିଲାଙ୍କୁ ସ୍କୁଲରେ ମିଳୁଥିବା ମଧ୍ୟାହ୍ନ ଭୋଜନ ମଧ୍ୟ ଆଉ ମିଳିବ ନାହିଁ
![](/media/images/08-Kids-with-school-principal.max-1400x1120.jpg)
ଗୁଣ୍ଡେଗାଓଁ ବିଦ୍ୟାଳୟର ଅଧ୍ୟକ୍ଷ କୁସାଲକର ଜ୍ଞାନଦେବ ଗଙ୍ଗାରାମ କୁହନ୍ତି, ‘ବିଦ୍ୟାଳୟ ବନ୍ଦ ହୋଇଯିବା ପରେ, ଏହି ପିଲାମାନେ କେବଳ ପାଠପଢ଼ା ଛାଡ଼ି ଦେବେ, ବରଂ ପୁଷ୍ଟିକର ଭୋଜନରୁ ମଧ୍ୟ ବଞ୍ଚିତ ରହିବେ’
![](/media/images/9-_MG_3440.max-1400x1120.jpg)
ହରିୟାଣାର ଜିନ୍ଦ ଜିଲ୍ଲାରେ, ଯେତେବେଳେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପାଇଁ ପାଣ୍ଠି ମିଳିବାରେ ବିଳମ୍ବ ହୋଇଥାଏ, ସେତେବେଳେ ଇଗ୍ରାହ ଗାଁରେ ଥିବା ଶହୀଦ ହାବିଲଦାର ରାଜକୁମାର ଆରବିଏମ ବିଦ୍ୟାଳୟର ଶିକ୍ଷକମାନେ ମିଳିମିଶି ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ତୁଲାଇଥାନ୍ତି, ଯାହାଫଳରେ ପିଲାମାନେ ଯେମିତି ଭୋକରେ ରହିବେ ନାହିଁ
![](/media/images/10-_MG_3479.max-1400x1120.jpg)
ଇଗ୍ରାହସ୍ଥିତ ଶହୀଦ ହାବିଲଦାର ରାଜକୁମାର ଆରଭିଏମ ବିଦ୍ୟାଳୟର ଛାତ୍ରୀ ଶିବାନୀ ନଫରିୟା ସ୍କୁଲରେ ମିଳୁଥିବା ମଧ୍ୟାହ୍ନ ଭୋଜନକୁ ଦେଖାଉଛନ୍ତି
![](/media/images/11-_MG_3501.max-1400x1120.jpg)
ଶହୀଦ ହାବିଲଦାର ରାଜକୁମାର ଆରଭିଏମ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକାଠି ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି
![](/media/images/12-DSC01308.max-1400x1120.jpg)
ଛତିଶଗଡ଼ର ମାଟିଆ ଗ୍ରାମର ରାଜକୀୟ ପ୍ରାଥମିକ ବିଦ୍ୟାଳୟରେ ଯଶ, କୁନାଲ ଏବଂ ଜଗେଶ ନିଜର ମଧ୍ୟାହ୍ନ ଭୋଜନ ସାରିବା ପରେ
![](/media/images/13-DSC01396.max-1400x1120.jpg)
ରାୟପୁର ଜିଲ୍ଲାର ମାଟିଆ ଗ୍ରାମରେ ଥିବା ରାଜକୀୟ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ଶ୍ରେଣୀଗୃହକୁ ଫେରୁଛନ୍ତି
![](/media/images/14-DSC01410.max-1400x1120.jpg)
ମାଟିଆରେ ଥିବା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି ଏବଂ ତରକାରୀ ମିଳିଥାଏ
![](/media/images/15-DSC01427.max-1400x1120.jpg)
ଛତିଶଗଡ଼ର ମାଟିଆ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପାଖୀ (କ୍ୟାମେରା ଆଡ଼କୁ ଚାହିଁଛନ୍ତି) ଏବଂ ତାଙ୍କର ସହପାଠିନୀମାନେ ମଧ୍ୟାହ୍ନ ଭୋଜନ ପରେ ନିଜର ଥାଳି ଧୋଉଛନ୍ତି
![](/media/images/16-20221110_132105.max-1400x1120.jpg)
ଛତିଶଗଡ଼ର ଧମତରୀ ଜିଲ୍ଲାର ହାମୁଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବିତରଣକୁ ଅପେକ୍ଷା କରି ରହିଥିବା ପିଲାମାନେ
![](/media/images/17-20221110_132240.max-1400x1120.jpg)
ହାମୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବିତରଣ କରାଯାଉଛି
![](/media/images/18-20221110_133330.max-1400x1120.jpg)
ହାମୁଡ଼ା ବିଦ୍ୟାଳୟରେ ପିଲାମାନେ ଏକାଠି ବସି ଖାଦ୍ୟ ଖାଉଛନ୍ତି
![](/media/images/19a-IMG_20221031_115758.max-1400x1120.jpg)
![](/media/images/19b-IMG20221110125713.max-1400x1120.jpg)
ତେଲଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲା ଅଧୀନ ସେରିଲିଙ୍ଗମପଲ୍ଲୀ ମଣ୍ଡଳ ପରିଷଦ ପ୍ରାଥମିକ ବିଦ୍ୟାଳୟର କାନ୍ଥରେ ମଧ୍ୟାହ୍ନ ଭୋଜନର ତାଲିକା (ବାମ) ଲାଗିଛି । ହରିୟାଣାର ଜିନ୍ଦ ଜିଲ୍ଲାରେ ଥିବା ରାଜକୀୟ ପ୍ରାଥମିକ ବିଦ୍ୟାଳୟ (ଡାହାଣ)ର କାନ୍ଥରେ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଦ୍ୟର ତାଲିକା ଲଗାଯାଇଛି
![](/media/images/20-IMG_20221031_123221.max-1400x1120.jpg)
ସେରିଲିଙ୍ଗମପଲ୍ଲୀ ମଣ୍ଡଳ ପରିଷଦ ପ୍ରାଥମିକ ବିଦ୍ୟାଳୟର ରୋଷେଇ ଘର, ଯେଉଁଠି ମଧ୍ୟାହ୍ନ ଭୋଜନ ରୋଷେଇ ହୋଇଥାଏ
![](/media/images/21-IMG_3755.max-1400x1120.jpg)
ସଞ୍ଜନା ଏସ. ବେଙ୍ଗାଲୁରୁ ନମ୍ମୁରା ସରକାରୀ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ପଢ଼ନ୍ତି। ତାଙ୍କୁ ବିସି ବେଲେ ବାଥ ଏତେ ଭଲ ଲାଗିଥାଏ ଯେ ମଧ୍ୟାହ୍ନ ଭୋଜନ ସମୟରେ ସେ ଏହାକୁ ଆଉଥରେ ମାଗି ଖାଆନ୍ତି
![](/media/images/22-IMG_3775.max-1400x1120.jpg)
ବେଙ୍ଗାଲୁରୁର ପଟ୍ଟନଗେରେ ଇଲାକାରେ ପରସ୍ପରର ପଡ଼ୋଶୀ ଐ ଶ୍ୱର୍ଯ୍ୟା ଚେନ୍ନପ୍ପା ଏବଂ ଅଲୀଜା. ଏସ. ଏକାଠି ନମ୍ମୁରା ସରକାରୀ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ନ୍ତି । ଦୁହେଁ ବିଦ୍ୟାଳୟରେ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଥାନ୍ତି
![](/media/images/23-IMG20221110120524.max-1400x1120.jpg)
ବାମରୁ ଡାହାଣ: ଆସାମର ନଲବାଡ଼ି ଜିଲ୍ଲାର ୮୫୮ ନମ୍ବର ନିଜ ଖଗାଟା ଏଲପି ସ୍କୁଲର ଅନୀଶା, ରୁବୀ, ଆୟଶା ଏବଂ ସହନାଜ ନିଜର ମଧ୍ୟାହ୍ନ ଭୋଜନ ଖାଉଛନ୍ତି
![](/media/images/24-IMG20221110132641.max-1400x1120.jpg)
ରାଜସ୍ଥାନର ଭିଲୱାଡ଼ା ଜିଲ୍ଲା କରେଡ଼ା ବ୍ଲକ ଅନ୍ତର୍ଗତ ଜୋଦ୍ଧଗଢ଼ ଗ୍ରାମରେ ଥିବା ରାଜକୀୟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକାଠି ବସି ମଧ୍ୟାହ୍ନ ଭୋଜନ କରୁଛନ୍ତି
![](/media/images/25-PAL_9712.max-1400x1120.jpg)
ଇରୋଡ଼ ଜିଲ୍ଳାର ତାଲାଇମଲାଇ ଆଦିବାସୀ ଆବାସିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ୧୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ସୋଲିଗା ଏବଂ ଇରୁଲା ସମୁଦାୟର ଅଟନ୍ତି
ଏହି ଷ୍ଟୋରୀକୁ ଛତିଶଗଡ଼ରୁ ପୁରୁଷୋତ୍ତମ ଠାକୁର; କର୍ଣ୍ଣାଟକରୁ ସେନ୍ତଲିର ଏସ. ତେଲଙ୍ଗାନାରୁ ଅମୃତା କୋସୁରୁ; ତାମିଲନାଡ଼ୁରୁ ଏମ. ପଲାନି କୁମାର; ହରିୟାଣାରୁ ଆମିର ମଲିକ, ଆସାମର ପିଙ୍କୁ କୁମାର ଦାସ; ପଶ୍ଚିମବଙ୍ଗରୁ ରିତାୟନ ମୁଖାର୍ଜୀ; ମହାରାଷ୍ଟ୍ରରୁ ଜ୍ୟୋତି ଶିନୋଲି; ରାଜସ୍ଥାନରୁ ହାଜି ମହମ୍ମଦ ଲେଖିଛନ୍ତି ଏବଂ ସନ୍ୱିତୀ ଆୟାରଙ୍କ ସମ୍ପାଦକୀୟ ସହାୟତାରେ ଏହାକୁ ପ୍ରୀତି ଡେଭିଡ ଓ ବିନୁତା ମାଲ୍ୟା ସମ୍ପାଦନା କରିଛନ୍ତି। ବିନାଇଫର ଭରୁଚା ଫଟୋ ସମ୍ପାଦନା କରିଛନ୍ତି।
ପ୍ରଚ୍ଛଦ ଫଟୋ: ଏମ. ପଲାନି କୁମାର
ଅନୁବାଦ: ଓଡ଼ିଶାଲାଇଭ୍