“ଲକ୍ଡାଉନ ସମୟରେ ଚାକିରି ହରାଇଥିବା ଆମ ଭଳି ଲୋକଙ୍କୁ ଜନକୀୟା ହୋଟେଲ ବହୁତ ସାହାଯ୍ୟ କରୁଛି ।” ଏହା କହନ୍ତି ତିରୁବନନ୍ତପୁରମ୍ର ଏମ୍.ଜି.ରୋଡ୍ ନିକଟ ଏକ ବିକ୍ରୟ କେନ୍ଦ୍ରରୁ ମଧ୍ୟାହ୍ନ ଭୋଜନ ପ୍ୟାକେଟ୍ ନେବାକୁ ଅପେକ୍ଷା କରିଥିବା ଆର.ରାଜୁ।
ଆଜିକୁ ତିନି ମାସରୁ ଅଧିକ ସମୟ ହେଲାଣି, ମାତ୍ର ୨୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ନେବା ଲାଗି ଜନକୀୟାରେ ପହଞ୍ଚିବାକୁ ସବୁଦିନ ତିନି କିଲୋମିଟର ବାଟ ସାଇକେଲ ଚଳାଇ ଆସନ୍ତି ୫୫ ବର୍ଷ ବୟସର କାଠ କାରିଗର ରାଜୁ । ଭୋଜନରେ ଥାଏ ଭାତ, ଆଚାର, ତିନି ପ୍ରକାରର ତରକାରି ଏବଂ ଗୋଟିଏ ପରିବା ଥୋରମ୍ (ତେଲଭଜା), ଯାହାକୁ ସେ କହନ୍ତି, “ସବୁଠୁ ବଢ଼ିଆ”
ଲକ୍ଡାଉନ୍ ଘୋଷଣା ହେବା ପରେ କୌଣସି କାମ ପାଇ ନଥିବା ରାଜୁ ଆହୁରି କହନ୍ତି, “ସେମାନେ ଲକ୍ଡାଉନ୍ ଘୋଷଣା କରିବା ସମୟରେ ମୁଁ ଚିନ୍ତାରେ ପଡ଼ିଗଲି । ମୋ ପାଖରେ ଅଳ୍ପ କିଛି ସଞ୍ଚିତ ଅର୍ଥ ଥିଲା ଏବଂ ସେଥିରେ ଦୁଇ ମାସ ଯାଏ ମୁଁ ଖାଦ୍ୟ କିଣିପାରିବି ବୋଲି ଭାବି ନଥିଲି । କିନ୍ତୁ ଏଠାକାର ଖାଦ୍ୟ ପାଇଁ ମୋତେ ମାସକୁ ପ୍ରାୟ ୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।”
ଗୋଟିଏ କଲ୍ ସେଣ୍ଟରରେ କାମ କରୁଥିବା ଟି.କେ.ରବୀନ୍ଦ୍ରନ ମଧ୍ୟ ଆଜିକାଲି ଜନକୀୟା ହୋଟେଲରେ ଉପଲବ୍ଧ ସୁଲଭ ମୂଲ୍ୟର ଖାଦ୍ୟ ଉପରେ ନିର୍ଭର କରୁଛନ୍ତି । ଏମ୍.ଜି. ରୋଡ୍ଠାରୁ ପ୍ରାୟ ତିନି କିଲୋମିଟର ଦୂର ତିରୁବନନ୍ତପୁରମ୍ର ପେଟ୍ଟା ଅଞ୍ଚଳର ଏକ ଭଡ଼ାଘରେ ଏକୁଟିଆ ରହନ୍ତି ରବୀନ୍ଦ୍ରନ । ଅପରାହ୍ଣ ଭୋଜନ ପାଇଁ ସେ ତାଙ୍କ ଅଫିସ୍ କ୍ୟାଣ୍ଟିନ୍ ଉପରେ ନିର୍ଭର କରୁଥିଲେ । ମାର୍ଚ୍ଚ ୨୫ରେ ସାରା ଦେଶରେ ସଟ୍ଡାଉନ୍ ଘୋଷିତ ହେବାର କିଛି ଦିନ ପୂର୍ବରୁ କେରଳ ସରକାର ଲକ୍ଡାଉନ୍ ଘୋଷଣା କରିବା ଯୋଗୁଁ ମାର୍ଚ୍ଚ ୨୩ରୁ କ୍ୟାଣ୍ଟିନ୍ ବନ୍ଦ ହୋଇଗଲା । ପ୍ରାୟ ୭୦ କିଲୋମିଟର ଦୂର କୋଲ୍ଲାମରୁ ଦୁଇ ବର୍ଷ ତଳେ ଏହି ସହରକୁ ଆସିଥିବା ରବୀନ୍ଦ୍ରନ କହନ୍ତି, “ଅନ୍ୟ ସବୁ ରେସ୍ତୋରାଁରେ ଖୁବ୍ ଅଧିକ ଖର୍ଚ୍ଚ କରିବାକୁ ପଡ଼େ । ଏମିତି କି ଡେଲିଭରୀ ବାବଦ ଦେୟ ବି ଖୁବ୍ ଅଧିକ ।”
ସେ ଓ ରାଜୁ ଯାଉଥିବା ଜନକୀୟାର ଏହି ବିକ୍ରୟ କେନ୍ଦ୍ରରେ ମହିଳାମାନଙ୍କର୧୦ ଜଣିଆ ଗୋଷ୍ଠୀ ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତିରେ ବ୍ୟସ୍ତ ଥାଆନ୍ତି । ପ୍ରତିଦିନ ରୋଷେଇ କରି ସେମାନେ ପ୍ରାୟ ୫୦୦ ମଧ୍ୟାହ୍ନ ଭୋଜନ ପ୍ୟାକେଟ୍ ପ୍ରସ୍ତୁତ କରନ୍ତି । ଖବରକାଗଜରେ ଗୁଡ଼ା ହୋଇଥିବା ପ୍ଲାଷ୍ଟିକ୍ ଆବରଣଯୁକ୍ତ କାଗଜରେ ଭାତ, ଏବଂ ଉଛୁଳି ନପଡ଼ିବା ପାଇଁ ଆଲୁମିନିୟମ ଫଏଲରେ ତରକାରି ରଖନ୍ତି । କେବଳ ଘରକୁ ନେଇଯିବା ଲାଗି ପାର୍ସଲ୍ ଦେଉଥିବା ସେମାନଙ୍କର ଏହି‘ ଜନତା (ଜନକୀୟା) ହୋଟେଲ’ ସୋମବାରରୁ ଶନିବାର ପର୍ଯ୍ୟନ୍ତ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଏ ।
ବିକ୍ରୟ କେନ୍ଦ୍ରର ଦୈନନ୍ଦିନ କାର୍ଯ୍ୟକ୍ରମ ତଦାରଖ କରୁଥିବା କେ.ସରୋଜମ କହନ୍ତି, “ଆମେ ସକାଳ ୭ଟା ସୁଦ୍ଧା ଏଠାକୁ ଆସୁ ଏବଂ ଆସିବା ସାଙ୍ଗେ ସାଙ୍ଗେ କାମ ଆରମ୍ଭ କରିଦେଉ । ଦିନ ୧୦ଟା ସୁଦ୍ଧା ରନ୍ଧାରନ୍ଧି କାମ ସରିଯାଏ ଏବଂ ଠିକ୍ ତା’ପରେ ଆମେ ପ୍ୟାକିଂ ଆରମ୍ଭ କରୁ । ପୂର୍ବଦିନରୁ ରୋଷେଇ ଘର ବନ୍ଦ ହେବା ପରେ ପରିବା କଟା ହୋଇଥାଏ । ଅଧିକାଂଶ ସମୟରେ ମୁଁ ରୋଷେଇରେ ସହାୟତା କରେ । ଏଠାରେ ପ୍ରତିଟି ବ୍ୟକ୍ତିଙ୍କୁ ଏକ ନିର୍ଦ୍ଦିଷ୍ଟ କାମ ଦିଆଯାଇଛି ।”
ସରୋଜମ ଏବଂ ତାଙ୍କ ଟିମ୍ର ଅନ୍ୟ ସଦସ୍ୟାମାନେ କୁଡୁମ୍ବଶ୍ରୀର ସଦସ୍ୟ। ସାରା ରାଜ୍ୟରେ ମହିଳା ଗୋଷ୍ଠୀ ସମୂହ ଗଠନ ନିମନ୍ତେ କାର୍ଯ୍ୟକାରୀ ହେଉଥିବା କେରଳ ରାଜ୍ୟ ଦାରିଦ୍ର୍ୟ ନିବାରଣ ଅଭିଯାନ ପକ୍ଷରୁ ଏହାକୁ କୁଡୁମ୍ବଶ୍ରୀ ଭାବରେ ନାମକରଣ କରାଯାଇଛି । ଏହି ଗୋଷ୍ଠୀ ସମୂହର ସଦସ୍ୟାମାନଙ୍କ ଦ୍ଵାରା ସମଗ୍ର କେରଳରେ ପରିଚାଳିତ ହେଉଥିବା ୪୧୭ଟି (ମେ ୨୬ ତାରିଖ ସୁଦ୍ଧା) ଜନକୀୟା ବିକ୍ରି କେନ୍ଦ୍ର ‘କୁଡୁମ୍ବଶ୍ରୀ ହୋଟେଲ’ ନାମରେ ସୁପରିଚିତ ।
୧୯୯୮ରେ ଏହି ସାମୂହିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ଏଥିରେ ମାଇକ୍ରୋ-ଫାଇନାନ୍ସିଂ ବା ସ୍ଵଳ୍ପ ଅର୍ଥଲଗାଣ, କୃଷି, ଲିଙ୍ଗଭିତ୍ତିକ ସଶକ୍ତୀକରଣ ଏବଂ ଆଦିବାସୀ ସଂପ୍ରଦାୟ ପାଇଁ ଉନ୍ନୟନ କାର୍ଯ୍ୟକ୍ରମ ପ୍ରଭୃତି ଅନ୍ତର୍ଭୁକ୍ତ । ଖାଦ୍ୟ ନିରାପତ୍ତା, ନିଯୁକ୍ତି ଓ ଜୀବିକା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କୁଡୁମ୍ବଶ୍ରୀ ସଂଯୋଜନାକାରୀ ସଂସ୍ଥା ଭାବରେ କାର୍ଯ୍ୟ କରେ ।
କୁଡୁମ୍ବଶ୍ରୀ ଅଭିଯାନ ଏବଂ କେରଳର ବିଭିନ୍ନ ସ୍ଥାନରେ ଥିବା ସ୍ଵାୟତ୍ତ ଶାସନ ସଂସ୍ଥାର ମିଳିତ ଉଦ୍ୟମରେ ଏହି ରିହାତି ଦରରେ ଭୋଜନ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗୋଟିଏ ରନ୍ଧାଘର, ଖାଦ୍ୟ ପ୍ୟାକେଟ୍ କରିବା ପାଇଁ ଗୋଟିଏ ହଲ୍ ଏବଂ ଗ୍ରାହକଙ୍କୁ ଦେବା ପାଇଁ ଗୋଟିଏ କାଉଣ୍ଟର ସହିତ ଏମ୍.ଜି. ରୋଡ୍ରେ ଥିବା ଏହି ତିନିଟି କୋଠରି ବିଶିଷ୍ଟ ବିକ୍ରୟ କେନ୍ଦ୍ରଟି ପୌର ନିଗମର କୋଠାରେ ଅବସ୍ଥିତ । ତିରୁବନନ୍ତପୁରମ୍ର ୨୨ଟି ଜନକୀୟା ହୋଟେଲ ଭିତରୁ ଏହା ଗୋଟିଏ ।
ସବୁଦିନ ଅପରାହ୍ଣ ପ୍ରାୟ ୨ଟା ବେଳକୁ ଏହି ବିକ୍ରୟ କେନ୍ଦ୍ରରେ ଗ୍ରାହକଙ୍କ ଭିଡ଼ ଜମେ । ସେମାନଙ୍କ ମଧ୍ୟରେ ଥାଆନ୍ତି କୋଭିଡ୍-୧୯ ଲକ୍ଡାଉନ୍ ଯୋଗୁଁ ହଷ୍ଟେଲରେ ରହିଯାଇଥିବା ଛାତ୍ରଛାତ୍ରୀ, ମେଡିକାଲ ଆଟେଣ୍ଡାଣ୍ଟ, ଆମ୍ବୁଲାନ୍ସ ଡ୍ରାଇଭର, ବିଭିନ୍ନ କୋଠାବାଡ଼ିର ସୁରକ୍ଷା କର୍ମୀ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ନିୟୋଜିତ ଡ୍ରାଇଭର ଏବଂ ଅନ୍ୟମାନେ। “କୁଡୁମ୍ବଶ୍ରୀ ଅଭିଯାନର ଜିଲ୍ଲା ସଂଯୋଜକ ଡକ୍ଟର କେ.ଆର. ଶାଇଜୁ କହନ୍ତି, “ଆମର ଅଧିକାଂଶ ଗ୍ରାହକ ହେଲେ ଲକ୍ଡାଉନ୍ ଯୋଗୁଁ ରୋଜଗାର ହରାଇଥିବା ବ୍ୟକ୍ତି, ଯେଉଁମାନଙ୍କ ପାଖରେ ଖାଦ୍ୟ କିଣିବାକୁ ଯଥେଷ୍ଟ ଅର୍ଥ ନାହିଁ, କିମ୍ବା ଯେଉଁମାନେ ହାତରେ ରାନ୍ଧି ଖାଇବା ଭଳି ସ୍ଥିତିରେ ନାହାନ୍ତି ।”
ପ୍ରସ୍ତୁତ ଭୋଜନ ପ୍ୟାକେଟ୍ଗୁଡ଼ିକୁ ପ୍ରବେଶ ଦ୍ଵାରରେ ଥିବା ଏକ କାଉଣ୍ଟର ଉପରେ ଥାକ ମାରି ରଖାଯାଏ । ମାସ୍କ ଓ ଗ୍ଲୋଭ୍ସ ପିନ୍ଧିଥିବା ଜଣେ କୁଡୁମ୍ବଶ୍ରୀ କର୍ମୀ ପଇସା ସଂଗ୍ରହ କରନ୍ତି ଏବଂ ଗ୍ରାହକଙ୍କୁ ପାର୍ସଲଗୁଡ଼ିକ ଦିଅନ୍ତି । ଏହି ବିକ୍ରୟ କେନ୍ଦ୍ର ପରିଚାଳନା କରୁଥିବା ଗୋଷ୍ଠୀର ଜଣେ ସଦସ୍ୟା ଏସ୍.ଲେକ୍ଷ୍ମୀ କହନ୍ତି, “ଯଦି କେତେବେଳେ ଗ୍ରାହକମାନେ ଧାଡ଼ି ବାନ୍ଧନ୍ତି, ତେବେ ସାମାଜିକ ଦୂରତା ନିୟମ ପାଳନ କରାଯାଉଛି ବୋଲି ଆମେ ସୁନିଶ୍ଚିତ କରୁ ।”
ପାଖପଡ଼ିଶାର ମହିଳାମାନଙ୍କୁ ନେଇ ଗଠିତ ବିଭିନ୍ନ ‘ନେବରହୁଡ୍ ଗ୍ରୁପ୍’ (NHG) ମାଧ୍ୟମରେ ସଂଗଠିତ କୁଡୁମ୍ବଶ୍ରୀର ୪୫ ଲକ୍ଷ ସଦସ୍ୟାଙ୍କ ମଧ୍ୟରେ ଲେକ୍ଷ୍ମୀ ଓ ସରୋଜମ ଅନ୍ତର୍ଭୁକ୍ତ । କେରଳର ମୋଟ ୭୭ଲକ୍ଷ ପରିବାର ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ପରିବାରର ଅତି କମ୍ରେ ଜଣେ ଲେଖାଏଁ ସଦସ୍ୟା ଏହି ସାମୂହିକ ଅଭିଯାନ ସହ ଯୋଡ଼ି ହୋଇଛନ୍ତି ।
ଆଖପାଖରେ ଥିବା ଏକ ଏନ୍ଏଚ୍ଜି ଦ୍ଵାରା ପ୍ରତିଟି ଜନକୀୟା ବିକ୍ରୟ କେନ୍ଦ୍ର ପରିଚାଳିତ ହୁଏ । ଏମ୍.ଜି.ରୋଡ୍ରେ ଥିବା ବିକ୍ରୟ କେନ୍ଦ୍ର ପରିଚାଳନାରେ ନିୟୋଜିତ ଟିମ୍ ସେଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର କୁରୀୟାତିର ଏକ ଏନ୍ଏଚ୍ଜି ଅଧୀନରେ ରହିଛି । ସେମାନେ ମୋଟାମୋଟି ଦିନକୁ ୫୦୦ ଭୋଜନ ପ୍ୟାକେଟ୍ ପ୍ରସ୍ତୁତ କରନ୍ତି ଏବଂ ସାଧାରଣତଃ କାଉଣ୍ଟର ବନ୍ଦ ହେବା ପୂର୍ବରୁ ସେଗୁଡ଼ିକ ବିକ୍ରି ହୋଇଯାଏ । ଅଳ୍ପ କେତେକ ଦିନରେ ହିଁ ସେମାନଙ୍କ ପାଖରେ ଆଗରୁ ଖାଦ୍ୟ ସରିଯାଏ । ସରୋଜମ କହନ୍ତି, “ଏବଂ ବେଳେବେଳେ ଆମ ପାଖରେ ପାଞ୍ଚ ଛଅଟି ପ୍ୟାକେଟ୍ ବଳିପଡ଼େ ଏବଂ ସେଗୁଡ଼ିକୁ ଆମେ ଘରକୁ ନେଇଯାଉ ।”
ଏପ୍ରିଲ ୮ ତାରିଖ ଦିନ, ଏ.ରାଜୀବଙ୍କ ପାଇଁ ଏମ୍.ଜି. ରୋଡ୍ ବିକ୍ରୟ କେନ୍ଦ୍ରର ମଧ୍ୟାହ୍ନ ଭୋଜନ ବରଦାନ ସଦୃଶ ମନେହେଲା । ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ରାଜୀବ କାମ କରନ୍ତି । ମାର୍ଚ୍ଚ ୨୩ରେ ଲକ୍ଡାଉନ୍ ଆରମ୍ଭ ହେବା ପରଠାରୁ ୨୮ ବର୍ଷୀୟ ରାଜୀବ ନିଜ ପିକ୍ଅପ୍ ଭ୍ୟାନ୍ରେ ନେଇ ବିଭିନ୍ନ ହାସପାତାଳ ଓ ଡାକ୍ତରଖାନା ଷ୍ଟୋର୍ରେ ଔଷଧ ପହଞ୍ଚାଇ ଆସୁଛନ୍ତି । ସେ କହନ୍ତି, “ବାସ୍ତବରେ ଲକ୍ଡାଉନର ପ୍ରଥମ ସପ୍ତାହଟି ଖୁବ୍ କଷ୍ଟକର ଥିଲା । କାରଣ ସେତେବେଳେ କୌଣସି ରେସ୍ତୋରାଁ ଖୋଲା ରହୁ ନଥିଲା । ମୋ ମାଆ ସକାଳୁ ଜଲ୍ଦି ଉଠି ମୋ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିଲେ’’ । “ଏଇ ଆଖପାଖ ଅଞ୍ଚଳରେ ମୁଁ ଔଷଧ ପହଞ୍ଚାଏ ଏବଂ ତେଣୁ ଏହି ବିକ୍ରୟ କେନ୍ଦ୍ରଟି ମୋ ପାଇଁ ଖୁବ ସୁବିଧାଜନକ । ପ୍ରାୟ ୫୦୦ ଟଙ୍କାରେ ମୁଁ ଏଠାରୁ ମାସକର ଖାଦ୍ୟ ପାଇଯାଉଛି । ଲକ୍ଡାଉନ୍ ପରେ ବି ସେମାନେ ଏହାକୁ ଚଳାଇବେ ବୋଲି ମୁଁ ଆଶା କରେ । ଏହା ମୋ ଭଳି ବହୁ ଲୋକଙ୍କୁ ସାହାଯ୍ୟ କରିବ ।”
କ୍ରିଷ୍ଣା କୁମାର ଓ ତାଙ୍କ ରୋଜଗାର ଉପରେ ନିର୍ଭର କରୁଥିବା ତାଙ୍କ ବୟସ୍କ ବାପାମାଆଙ୍କୁ ମଧ୍ୟ ଜନକୀୟା ଭୋଜନ ସାହାଯ୍ୟ କରିଛି । ସହରର ଦକ୍ଷିଣ ଭାଗର ଶ୍ରୀବରହମ୍ ଅଞ୍ଚଳରେ ଏହି ପରିବାର ରହନ୍ତି । ସେ କହନ୍ତି, “ଆମ ତିନି ଜଣଙ୍କ ପାଇଁ ମୁଁ ସବୁଦିନ ଦୁଇ ପ୍ୟାକେଟ୍ ମଧ୍ୟାହ୍ନ ଭୋଜନ କିଣେ । ରବିବାର ଦିନ ଆମେ ଦୋସା କରୁ କିମ୍ବା ଓଟ୍ ପ୍ୟାକେଟ୍ ସିଝାଇବା ଭଳି କିଛି ସାଧାରଣ ରୋଷେଇ କରୁ ।”
ଲକ୍ଡାଉନ ପୂର୍ବରୁ କୁମାର ଜଣେ ଠିକାଦାରଙ୍କ ପାଖରେ ପ୍ଲମ୍ବର୍ ବା ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲେ ଏବଂ କାମ ପାଇଁ ଡାକରା ପାଇଲେ ହିଁ ଆସୁଥିଲେ । ଦିନକୁ ୮୦୦ଟଙ୍କା ମଜୁରିରେ କାମ କରି ସେ ମାସକୁ ପ୍ରାୟ ୧୬,୦୦୦ ଟଙ୍କା ରୋଜଗାର କରୁଥିଲେ। ସେ କହନ୍ତି, “ଏହି ଦୁଇ ମାସ (ଏପ୍ରିଲ ଓ ମେ) ପାଇଁ ଠିକାଦାର ମୋତେ ଅଧା ମାସର ଦରମା ଦେଇଛନ୍ତି । ସେମାନେ ଲକ୍ଡାଉନ୍କୁ ଆହୁରି ବଢ଼ାଇବେ ବୋଲି ମୁଁ ଶୁଣିବାକୁ ପାଇଛି । କେତେଦିନ ଧରି ସେ ମୋତେ ଏମିତି ଟଙ୍କା ଦେଉଥିବେ, ତାହା ମୁଁ ଜାଣିନି ।”
କେରଳ ସରକାରଙ୍କ କ୍ଷୁଧାମୁକ୍ତ କେରଳ କାର୍ଯ୍ୟକ୍ରମରେ ୨୦୨୦ ମସିହା ପ୍ରାରମ୍ଭରୁ କୁଡୁମ୍ବଶ୍ରୀ ହୋଟେଲ ଆରମ୍ଭ ହୋଇଥିଲା । ଫେବ୍ରୁଆରୀ ୭ରେ ରାଜ୍ୟ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ୍ ତାଙ୍କ ବଜେଟ୍ ଅଭିଭାଷଣରେ ଏଭଳି ହୋଟେଲ ସ୍ଥାପନର ରୂପରେଖ ସଂପର୍କରେ ଘୋଷଣା କରିଥିଲେ ।
ଫେବ୍ରୁଆରୀ ୨୯ ତାରିଖ ଦିନ ଆଲାପୁଜା ଜିଲ୍ଲାର ମାନ୍ନାଚେରୀ ସହରରେ ପ୍ରଥମ ବିକ୍ରୟ କେନ୍ଦ୍ର ଖୋଲିଥିଲା । ମାର୍ଚ୍ଚ ୨୪ରେ ଦେଶବ୍ୟାପୀ ସଂପ୍ରସାରିତ ଲକ୍ଡାଉନ୍ ଘୋଷଣା କରାଯିବା ପରେ ରାଜ୍ୟର ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ ସରକାର ଅଧିକ ହୋଟେଲ ଖୋଲିବା ଉଦ୍ୟମକୁ ତ୍ଵରାନ୍ଵିତ କରିଥିଲେ । ମେ ୨୬ ତାରିଖ ସୁଦ୍ଧା, ରାଜ୍ୟର ସମସ୍ତ ଜନକୀୟା ହୋଟେଲ ସାମୂହିକ ଭାବେ ୯ ଲକ୍ଷ ୫୦ ହଜାର ୨୦ଟଙ୍କିଆ ଭୋଜନ ପ୍ୟାକେଟ୍ ବିକ୍ରି କରିସାରିଥିଲେ ।
ରାଜ୍ୟର ଅନେକ ସରକାରୀ କାର୍ଯ୍ୟାଳୟର କ୍ୟାଣ୍ଟିନ୍କୁ କୁଡୁମ୍ବଶ୍ରୀ ପରିଚାଳନା କରୁଛି । କିନ୍ତୁ ଏହା ପୂର୍ବରୁ ଏହାର ସଦସ୍ୟାମାନେ ଜନକୀୟା ବିକ୍ରୟ କେନ୍ଦ୍ର ଭଳି ଏତେ ବଡ଼ ଧରଣର କାର୍ଯ୍ୟକ୍ରମ ପରିଚାଳନା କରି ନଥିଲେ। ପ୍ରଥମେ ଯେତେବେଳେ ଏହି କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ଶୁଣିଲେ, ତାଙ୍କର ସନ୍ଦେହ ହୋଇଥିଲା ବୋଲି ସରୋଜ ସ୍ଵୀକାର କରନ୍ତି । ଏତେ ବଡ଼ ରୋଷେଇ ଘରର ଦାୟିତ୍ଵ ନେବା ତ ଦୂର କଥା, ଏହାର ପରିଚାଳନାରେ ମଧ୍ୟ ତାଙ୍କର ଅଭିଜ୍ଞତା ନଥିଲା ।
ଏହା ପୂର୍ବରୁ ଏନ୍ଏଚ୍ଜିର ସଭାନେତ୍ରୀ ଭାବରେ ବୈଠକ ଡାକିବା, ଋଣ ପ୍ରଦାନ କରାଇବା ଏବଂ ସାବୁନ, ଆଚାର ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି ଭଳି କୁରିୟାତୀ ଏନ୍ଏଚ୍ଜି ସଦସ୍ୟାଙ୍କ ଦ୍ଵାରା ସ୍ଥାପିତ ବ୍ୟବସାୟରେ ସହାୟତା କରିବା ପ୍ରଭୃତି ସରୋଜମଙ୍କ କାର୍ଯ୍ୟରେ ସାମିଲ ଥିଲା । ସେ କହନ୍ତି, “ଆଗରୁ କେବେହେଲେ ଆମେ ଏତେ ବଡ଼ କାର୍ଯ୍ୟ ତୁଲାଇ ନଥିଲୁ । ଆମେ ଏହାକୁ ଠିକ୍ ଭାବରେ ତୁଲାଇ ପାରିବୁ ବୋଲି ମୁଁ ନିଶ୍ଚିତ ନଥିଲି ।”
ପ୍ରାରମ୍ଭିକ ପର୍ଯ୍ୟାୟରେ କୁଡୁମ୍ବଶ୍ରୀ ଅଭିଯାନ ପକ୍ଷରୁ ଦିଆଯାଇଥିବା ପାଣ୍ଠିରେ କୁରିୟାତୀ ଏନ୍ଏଚ୍ଜି ଏହି ଜନକୀୟା ବିକ୍ରୟ କେନ୍ଦ୍ର ଆରମ୍ଭ କରିଥିଲେ । ଏଥିପାଇଁ କେରଳ ରାଜ୍ୟ ବେସାମରିକ ଯୋଗାଣ ବିଭାଗ ପକ୍ଷରୁ ରିହାତି ମୂଲ୍ୟରେ ଚାଉଳ, ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଏ ଏବଂ ଘରଭଡ଼ା, ଆସବାବପତ୍ର ବାବଦ ଖର୍ଚ୍ଚ ଭଳି ଅନ୍ୟାନ୍ୟ ଖର୍ଚ୍ଚ ତିରୁବନନ୍ତପୁରମ ନିଗମ ବହନ କରେ । କୁଡୁମ୍ବଶ୍ରୀ ଅଭିଯାନ ପକ୍ଷରୁ ବିକ୍ରି ହେଉଥିବା ପ୍ରତି ଭୋଜନ ପ୍ୟାକେଟ୍ ଉପରେ ୧୦ ଟଙ୍କା ସବ୍ସିଡି ପ୍ରଦାନ କରାଯାଏ । ସରୋଜମ କହନ୍ତି, “ସବୁ ସବ୍ସିଡି ମିଶାଇଲେ, ଗୋଟିଏ ଭୋଜନ ପ୍ୟାକେଟ୍ର ଦର ୨୦ ଟଙ୍କାରୁ ସାମାନ୍ୟ ଅଧିକ (କୁଡୁମ୍ବଶ୍ରୀର ୧୦ ଟଙ୍କା ସବ୍ସିଡିକୁ ବାଦ୍ ଦେଇ) ହୋଇଥାଏ ।”
ଶାଇଜୁ କହନ୍ତି ଯେ, ବିକ୍ରି ହେଉଥିବା ପ୍ରତି ମଧ୍ୟାହ୍ନ ଭୋଜନ ପ୍ୟାକେଟ୍ରୁ ଏନ୍ଏଚ୍ଜି ଟିମ୍ ୧୦ ଟଙ୍କା ରୋଜଗାର କରନ୍ତି । ସେମାନଙ୍କ ରୋଜଗାରକୁ ବିକ୍ରୟ କେନ୍ଦ୍ର ପରିଚାଳନାରେ ନିୟୋଜିତ ୧୦ ଜଣଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯାଏ ।
ସେମାନଙ୍କ ବିକ୍ରୟ କେନ୍ଦ୍ର ଏଭଳି ସଫଳତା ଲାଭ କରିବା କଥା ସେମାନେ ଭାବି ନଥିଲେ ବୋଲି ସେ କହନ୍ତି । “ଲୋକେ ଯେତେବେଳେ ଆମ କାମକୁ ଭଲ ବୋଲି କହନ୍ତି, ଆମକୁ ଖୁସି ଲାଗେ । ଯଦିଓ ଆମେ ଦ୍ଵିଧାବୋଧ କରୁଥିଲୁ, ତଥାପି ଆମେ ଏହି କାମରେ ଆଗେଇ ଯିବାକୁ ସ୍ଥିର କଲୁ ଏବଂ ଏବେ ଆମେ ଖୁସି ଯେ ଆମେ ଏହା କରିପାରିଲୁ ।”
ଅପରାହ୍ଣ ୩ଟା ବେଳକୁ ଏମ୍.ଜି. ରୋଡ୍ ବିକ୍ରୟ କେନ୍ଦ୍ର ଆଗରେ ଲାଗିଥିବା ଧାଡ଼ି ପତଳା ହେବା ଆରମ୍ଭ ହୁଏ। କେବଳ ମହିଳାମାନଙ୍କର ଏହି ଟିମ୍ ରନ୍ଧାଘର ସଫା କରିବାରେ ଏବଂ ପରଦିନ ପାଇଁ ପରିବା କାଟିବାରେ ଲାଗି ପଡ଼ନ୍ତି ।
ପାଖରେ, ନିଜ ସାଇକେଲ ସହ ଠିଆ ହୋଇଥିବା ରାଜୁ ତାଙ୍କ ପ୍ୟାକେଟ୍ ଆଡ଼କୁ ଆଙ୍ଗୁଠି ଦେଖାଇ କହନ୍ତି. “ଏହି ମହିଳାମାନେ କାହାରିକୁ ଭୋକରେ ରହିବାକୁ ଦେବେନି ।”
ଅନୁବାଦ: ଓଡ଼ିଶାଲାଇଭ୍