କୁନୋ’ର ଚିତା ସଂପର୍କିତ ସୂଚନା ବର୍ତ୍ତମାନ ଜାତୀୟ ନିରାପତ୍ତା ପ୍ରସଙ୍ଗ, ଯାହାର ଉଲ୍ଲଂଘନ ଅନ୍ୟ ଦେଶ ସହ ଭାରତର ସଂପର୍କ ଉପରେ ପ୍ରତିକୂଳ ପ୍ରଭାବ ମଧ୍ୟ ପକାଇପାରେ ।

କିମ୍ବା, ଅନ୍ତତଃ ପକ୍ଷେ ଏହି କାରଣ ଦର୍ଶାଇ ଚିତା ପରିଚାଳନାକୁ ନେଇ ଜୁଲାଇ ୨୦୨୪ରେ ମଗା ଯାଇଥିବା ଏକ ସୂଚନା ଅଧିକାର (ଆରଟିଆଇ) ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ମଧ୍ୟପ୍ରଦେଶ ସରକାର । ଆରଟିଆଇରେ ଆବେଦନ କରିଥିବା ଭୋପାଳସ୍ଥିତ ସୂଚନା ଅଧିକାର କର୍ମୀ ଅଜୟ ଦୁବେ କହିଛନ୍ତି, “ବାଘ ସଂପର୍କରେ ଯଦି ସମସ୍ତ ତଥ୍ୟ ସ୍ୱଚ୍ଛ, ତେବେ ଚିତା ସଂପର୍କରେ କାହିଁକି ନୁହେଁ? ବନ୍ୟଜନ୍ତୁ ପରିଚାଳନାରେ ସ୍ୱଚ୍ଛତା ହେଉଛି ଆଦର୍ଶ ।”

କୁନୋ ପାର୍କ ନିକଟବର୍ତ୍ତୀ ଅଗରା ଗାଁରେ ରହୁଥିବା ରାମ ଗୋପାଳଙ୍କୁ ବିଲକୁଲ ଏକଥା ଜଣାନାହିଁ ଯେ ତାଙ୍କର ଜୀବିକା ଆମର ଜାତୀୟ ସୁରକ୍ଷା ଓ କୁଟନୈତିକ ସଂପର୍କ ପ୍ରତି ବିପଦ ସୃଷ୍ଟି କରୁଛି । ତାଙ୍କର ଓ ତାଙ୍କ ଭଳି ହଜାର ହଜାର ଆଦିବାସୀଙ୍କୁ ଅନ୍ୟ ଚିନ୍ତା ଅଧିକ ଘାରିଛି ।

ନିକଟରେ ସେ ଟ୍ରାକ୍ଟର ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଏହା ନୁହେଁ ଯେ, ହଠାତ ବଳଦ ଜାଗାରେ ତାଙ୍କୁ ମେସିନ ମିଳିଗଲା । ଘଟଣା ପୂରା ଅଲଗା ।

“ମୋଦିଜୀ ଆମକୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଆମ ବଳଦକୁ ଆମେ ଛାଡ଼ିବା ଉଚିତ ନୁହେଁ । ତେବେ ଚରିବା ପାଇଁ କେବଳ କୁନୋ ଜଙ୍ଗଲ ରହିଛି । ଆମେ ଯଦି ଜଙ୍ଗଲ ଭିତରକୁ ଯିବୁ, ବନ ଅଧିକାରୀ ଆମକୁ ଧରି ଜେଲରେ ପୂରାଇ ଦେବେ । ତେଣୁ ଟ୍ରାକ୍ଟର ଭଡ଼ାରେ ଆଣିବା ପାଇଁ ଆମେ ଭାବିଲୁ ।”

ଏହା ଏକ ଏପରି ଖର୍ଚ୍ଚ, ଯାହାକୁ ରାମ ଗୋପାଳ ଓ ତାଙ୍କ ପରିବାର ତୁଲାଇବା କଷ୍ଟକର । ସେମାନଙ୍କ ଘରର ଆୟ, ସେମାନଙ୍କୁ ଦାରିଦ୍ର ସୀମା ରେଖା ତଳେ ରଖିଛି । କୁନୋ ଜାତୀୟ ଉଦ୍ୟାନ ଚିତାବାଘର ଘର ହୋଇଯିବା ପରେ, ସେମାନଙ୍କ ଜଙ୍ଗଲ ଭିତ୍ତିକ ଜୀବିକା ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।

PHOTO • Priti David
PHOTO • Priti David

କୁନୋ ନଦୀ ଏହି ଅଂଚଳର ବାସିନ୍ଦାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜଳ ଉତ୍ସ ଥିଲା । ଏବେ ଜଙ୍ଗଲର ବାକି ଅଂଚଳ ଭଳି ଏହା ସୀମା ବାହାରେ । ସହରିଆ ଆଦିବାସୀ ଅଣ-କାଠ ବନଜାତ ସାମଗ୍ରୀ ବଫର ଜୋନରୁ ସଂଗ୍ରହ କରନ୍ତି

PHOTO • Priti David
PHOTO • Priti David

ବାମ: ବିଜୟପୁର ତହସିଲ ଅନ୍ତର୍ଗତ ଅଗରା ବାସିନ୍ଦା ସନ୍ତୁ ଓ ରାମ ଗୋପାଳ ଏବଂ ଚିର୍ ଗଛରୁ ବନଜାତ ସାମଗ୍ରୀ ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ ଥିଲେ, ଯାହାକୁ ଏବେ ସିଲ୍ କରି ଦିଆଯାଇଛି ଡାହାଣ: ସ୍କୁଲରେ ପଢ଼ୁଥିବା ସେମାନଙ୍କ ପୁଅ ହଂସରାଜ ଅଧାରୁ ପାଠପଢ଼ା ଛାଡ଼ି ଦାଦନ ଖଟିବାକୁ ଅନ୍ୟତ୍ର ଯିବାକୁ ଚାହୁଁଛି

୨୦୨୨ ମସିହାରେ ଏହି ସଂରକ୍ଷିତ ଅଂଚଳକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା, ଯେତେବେଳେ ‘ଆକିନୋନିକ୍ସ ଜୁବାଟସ୍‌’-ଆଫ୍ରିକୀୟ ଚିତା, ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା, ଯାହାକି ନରେନ୍ଦ୍ର ମୋଦୀଙ୍କ ଛବିକୁ ଏପରି ଏକ ଦେଶର ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପିତ କରିବ, ଯେଉଁ ଦେଶ ସବୁପ୍ରକାର ବାଘଙ୍କ ବାସସ୍ଥଳୀ । ତାଙ୍କ ଜନ୍ମଦିନ ଅବସରରେ ମୋଦୀ ଚିତାମାନଙ୍କୁ ସ୍ୱାଗତ କରିଥିଲେ।

କୌତୁହଳର କଥା ହେଉଛି, ପୁଣିଥରେ ଚିତା ଆଣିବା ଆମ ଦେଶର ଜାତୀୟ ବନ୍ୟଜନ୍ତୁ କାର୍ଯ୍ୟ ଯୋଜନା ୨୦୧୭-୨୦୩୧ ରେ ସାମିଲ ହୋଇନାହିଁ, ଯେଉଁଥିରେ ଦେଶୀ ଓ ଅତ୍ୟଧିକ ଅସୁରକ୍ଷିତ ପ୍ରଜାତି ଯଥା ଗ୍ରେଟ ଇଣ୍ଡିଆନ୍ ବଷ୍ଟର୍ଡ, ଗଙ୍ଗା ଡଲଫିନ୍‌. ତିବ୍ବତୀୟ ମୃଗ ଓ ଅନ୍ୟ ଜୀବଙ୍କ ସଂରକ୍ଷଣ ପାଇଁ ପଦକ୍ଷେପ ସୂଚୀବଦ୍ଧ ହୋଇଛି । ୨୦୧୩ରେ ଚିତା ଆଣିବା ପ୍ରସଙ୍ଗରେ ବିସ୍ତୃତ ବୈଜ୍ଞାନିକ ଅଧ୍ୟୟନ ପାଇଁ କହିବା ସହ ଏହାକୁ ଟାଳି ଦେଇଥିଲେ ସୁପ୍ରିମକୋର୍ଟ ।

ଏସବୁ ସତ୍ୱେ ଚିତାବାଘଙ୍କ ପରିବହନ, ପୁନର୍ବାସ ଓ ପ୍ରଚାର ପ୍ରସାର ପାଇଁ ଶହ ଶହ କୋଟି ଖର୍ଚ୍ଚ କରାଯାଇଛି ।

କୁନୋ’କୁ ଚିତା ସଫାରିରେ ପରିଣତ କରିବା ପାଇଁ ରାମ ଗୋପାଳଙ୍କ ଭଳି ସହରିଆ ଆଦିବାସୀଙ୍କ ଜୀବନ ଓ ଜୀବିକାକୁ ନଷ୍ଟ କରାଯାଇଛି, ଯେଉଁମାନେ ଫଳ, ଚେରମୂଳ, ଜଡ଼ିବୁଟି, ରେସିନ୍‌, ଜାଳେଣି କାଠ ଆଦି ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଥିଲେ । କୁନୋ ଜାତୀୟ ଉଦ୍ୟାନ ଏକ ବୃହତ କ୍ଷେତ୍ରକୁ ନେଇ ଗଠିତ ଏବଂ ବୃହତ କୁନୋ ବନ୍ୟଜନ୍ତୁ ଡିଭିଜନ ମଧ୍ୟରେ ରହିଛି, ଯାହା ସମୁଦାୟ ୧୨୩୫ ବର୍ଗ କିଲୋମିଟର ।

“ସୂର୍ଯ୍ୟାସ୍ତରୁ ସୂର୍ଯ୍ୟୋଦୟ ୧୨ ଘଣ୍ଟାରେ ମୁଁ ଅତିକମ୍‌ରେ ୫୦ଟି ଗଛର ଯତ୍ନ ନେଉଥିଲି, ଏବଂ ରେସିନ୍ ସଂଗ୍ରହ କରିବା ପାଇଁ ୪ ଦିନ ପରେ ଫେରୁଥିଲି । ପ୍ରତି ମାସରେ କେବଳ ମୋର ଚିର୍ ଗଛରୁ ରୋଜଗାର ୧୦ ହଜାର ଟଙ୍କା ହେଉଥିଲା ।” ଏହା କହିଛନ୍ତି ରାମ ଗୋପାଳ । ସେହି ୧୨୦୦ ମୂଲ୍ୟବାନ ଚିର୍ ଗଛ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଅପହଞ୍ଚ । ଯେତେବେଳେ ଜାତୀୟ ଉଦ୍ୟାନ ଚିତା ପ୍ରକଳ୍ପରେ ପରିଣତ ହେଲା, ଗଛଗୁଡ଼ିକ ନୂଆ ବଫର ଜୋନ ବାହାରେ ରହିଗଲା ।

୩୦ ବର୍ଷ ଅତିକ୍ରମ କରି ସାରିଥିବା ଏହି ଦମ୍ପତି ରାମ ଗୋପାଳ ଓ ସନ୍ତୁ, କୋନୁ ଜାତୀୟ ଉଦ୍ୟାନ କଡ଼ରେ ଚାଷ କରୁଛନ୍ତି । ବର୍ଷା ଜଳ ଉପରେ ନିର୍ଭର କରୁଥିବା ଅଳ୍ପ କିଛି ଜମିରେ ମୁଖ୍ୟତଃ ନିଜ ବ୍ୟବହାର ପାଇଁ ଚାଷ  କରୁଛନ୍ତି । ରାମ ଗୋପାଳ କୁହନ୍ତି, “ ଆମେ ବାଜରା ଉତ୍ପାଦନ କରି ଖାଇଥାଉ ଏବଂ କିଛି ରାଶି ଓ ସୋରିଷ ତେଲ ବିକ୍ରି କରିଥାଉ’’ । ବିହନ ବୁଣିବା ସମୟରେ ଭଡ଼ାରେ ଏକ ଟ୍ରାକ୍ଟର ଆବଶ୍ୟକ କରନ୍ତି।

PHOTO • Priti David
PHOTO • Priti David

ବାମ: ରାମ ଗୋପାଳ ଦର୍ଶାଉଛନ୍ତି, କିପରି ରେସିନ ସଂଗ୍ରହ ପାଇଁ ଚିର୍ ଗଛକୁ ପ୍ରସ୍ତୁତ କରାଯାଏ । ଡାହାଣ: କୁନୋ ଜଙ୍ଗଲ ସହ ଲାଗିଥିବା ଏକ ହ୍ରଦ ନିକଟରେ ଏହି ଦମ୍ପତି ଅଟକି ରହି ଏବେ ଅପହଁଚ ହୋଇ ଯାଇଥିବା ଗଛଗୁଡ଼ିକୁ ଦେଖୁଛନ୍ତି

PHOTO • Priti David
PHOTO • Priti David

ବାମ: ରାମ ଗୋପାଳ ଓ ତାଙ୍କ ପତ୍ନୀ ସନ୍ତୁ, କେଏନପି କଡ଼ରେ ଅଳ୍ପ କିଛି ଜମିରେ ଚାଷ କରିଛନ୍ତି, ମୁଖ୍ୟତଃ ସେମାନଙ୍କ ବ୍ୟବହାର ପାଇଁ । ଡାହାଣ: ଅଗରା’ର ବ୍ୟବସାୟୀମାନେ ମଧ୍ୟ ଜଙ୍ଗଲଜାତ ଦ୍ରବ୍ୟର ଅଭାବ ଅନୁଭବ କରୁଛନ୍ତି

“ଜଙ୍ଗଲ ଛଡ଼ା ଆମ ପାଖରେ କିଛି ନାହିଁ । ଆମ ଜମି ପାଇଁ ବି ପର୍ଯ୍ୟାପ୍ତ ପାଣି ନାହିଁ । ବର୍ତ୍ତମାନ ଜଙ୍ଗଲ ଆମ ପାଇଁ ବନ୍ଦ ହୋଇଯିବାରୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ।” କହିଛନ୍ତି ରାମ ଗୋପାଳ । ବନ ବିଭାଗର କେନ୍ଦୁପତ୍ର କ୍ରୟ ତୀବ୍ର ଭାବରେ ହ୍ରାସ ପାଇବାରୁ ସମସ୍ୟା ଆହୁରି ବଢ଼ିଯାଇଛି । ବର୍ଷ ସାରା ରାଜ୍ୟ ସରକାର କିଣୁଥିବା କେନ୍ଦୁପତ୍ର ଆଦିବାସୀଙ୍କ ପାଇଁ ନିଶ୍ଚିତ ଆୟ ଥିଲା । କ୍ରୟ ହ୍ରାସ ପାଉଥିବାରୁ ରାମ ଗୋପାଳଙ୍କ ଆୟ ମଧ୍ୟ ହ୍ରାସ ପାଇଛି ।

ମଧ୍ୟପ୍ରଦେଶରେ, ଜଙ୍ଗଲ ଓ ଆଖପାଖରେ ରହୁଥିବା ଲୋକଙ୍କ ପାଇଁ ଏନଟିଏଫପି ଏକ ଲାଇଫ୍ ଲାଇନ୍ । ଏଥିମଧ୍ୟରୁ ମୁଖ୍ୟ ହେଉଛି ପାଇନ୍ ଗମ୍ ବା ଚିର୍ ଅଠା - ଯାହା ଗ୍ରୀଷ୍ମ ଦିନ ଚୈତ୍ର, ବୈଶାଖ, ଜ୍ୟେଷ୍ଠ, ଆଷାଢ଼ ମାସ ବା ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ଛାଡ଼ିଦେଲେ ବର୍ଷ ସାରା ସଂଗୃହୀତ ହୁଏ ।  କୁନୋ ଜାତୀୟ ଉଦ୍ୟାନ ଆଖପାଖରେ ରହୁଥିବା ଅଧିକାଂଶ ହେଉଛନ୍ତି ସହରିଆ ଆଦିବାସୀ, ଏକ ବିଶେଷ ଅସୁରକ୍ଷିତ ଆଦିବାସୀ ସମୁଦାୟ ଏବଂ ୨୦୨୨ ରିପୋର୍ଟ ଅନୁଯାୟୀ ୯୮ ପ୍ରତିଶତ ଲୋକ ଜଙ୍ଗଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି ।

ଅଗରା ଗ୍ରାମର ସ୍ଥାନୀୟ ଲୋକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ କେନ୍ଦ୍ର, ଯେଉଁମାନେ ରାଜୁ ତିୱାରୀଙ୍କ ଭଳି ବ୍ୟବସାୟୀମାନଙ୍କୁ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରିଥାନ୍ତି । ତିୱାରୀ କହିଛନ୍ତି ଯେ ଲୋକଙ୍କ ପାଇଁ ଜଙ୍ଗଲ ବନ୍ଦ ହେବା ପୂର୍ବରୁ ଶହ ଶହ କିଲୋ ରେସିନ, ଚେରମୂଳ ଓ ଜଡ଼ିବୁଟି ବଜାରକୁ ଆସୁଥିଲା ।

ସେ କହିଛନ୍ତି, “ଆଦିବାସୀମାନେ ଜଙ୍ଗଲ ସହିତ ଯୋଡ଼ି ହୋଇଥିଲେ, ଆମେ ଆଦିବାସୀଙ୍କ ସହ ଯୋଡ଼ି ହୋଇଥିଲୁ । ସେମାନେ ଜଙ୍ଗଲ ସହ ସଂଯୋଗ ହରାଇଛନ୍ତି ଏବଂ ଆମେ ମଧ୍ୟ ଏହାର ପରିଣାମ ଅନୁଭବ କରୁଛୁ ।

ଭିଡିଓ ଦେଖନ୍ତୁ: ଜଙ୍ଗଲରୁ ବେଦଖଲ: କାହାର ଏହି ଜଙ୍ଗଲ?

ମଧ୍ୟପ୍ରଦେଶର ଜଙ୍ଗଲରେ ଏବଂ ଏହାର ଆଖପାଖରେ ରହୁଥିବା ଲୋକଙ୍କ ପାଇଁ ପାଇନ୍ ଅଠା ବା ରେସିନ ପରି ଅଣ-କାଠ ଜଙ୍ଗଲ ଉତ୍ପାଦନ (ଏନଟିଏଫପି) ହେଉଛି ଲାଇଫ୍ ଲାଇନ୍

*****

ଜାନୁଆରୀ ମାସର ଶୀତଦିନ ସକାଳେ, ରାମ ଗୋପାଳ କିଛି ମିଟର ଦଉଡ଼ି ଓ ଦା’ ଧରି ଘରୁ ବାହାରି ଆସନ୍ତି । ଅଗରା ସ୍ଥିତ ତାଙ୍କ ଘରଠାରୁ କୁନୋ ଜାତୀୟ ଉଦ୍ୟାନର ପଥର ପାଚେରୀ ସୀମା ୩ କିଲୋମିଟର ଦୂରରେ ଅବସ୍ଥିତ । ଏପରି ସେ ଅନେକ ସମୟରେ କରନ୍ତି । ଆଜି ସେ ଓ ତାଙ୍କ ପତ୍ନୀ ଜାଳେଣି କାଠ ଆଣିବାକୁ ଯାଉଛନ୍ତି । ଦଉଡ଼ିରେ ବିଡ଼ା ବାନ୍ଧି କାଠ ଆଣିବେ ।

ତାଙ୍କ ପତ୍ନୀ ସନ୍ତୁ ଚିନ୍ତାରେ ଅଛନ୍ତି ଏବଂ ସେମାନେ କାଠ ଆଣିବାକୁ ସକ୍ଷମ ହେବେ ବୋଲି ନିଶ୍ଚିତ ନୁହଁନ୍ତି । ସେ କହିଛନ୍ତି, “ବନ କର୍ମଚାରୀମାନେ ବେଳେବେଳେ ଭିତରକୁ ଯିବା ପାଇଁ ଅନୁମତି ଦିଅନ୍ତି ନାହିଁ । ଆମକୁ ଫେରିବାକୁ ପଡ଼ିପାରେ ।” ପରିବାର ଲୋକ କହିବା କଥା ଗ୍ୟାସ୍‌ ସଂଯୋଗ ପାଇଁ ସେମାନଙ୍କ ନିକଟରେ ସମ୍ବଳ ନାହିଁ ।

ସନ୍ତୁ ଆହୁରି ମଧ୍ୟ କହିଛନ୍ତି, “ପୁରୁଣା ଗାଁରେ (ପାର୍କ ଭିତରେ) କୁନୋ ନଦୀ ଥିଲା, ତେଣୁ ୧୨ ମାସ ଆମ ପାଇଁ ପାଣି ଉପଲବ୍ଧ ହେଉଥିଲା । ତେନ୍ଦୁ, ବୈର, ମହୁଆ, ଜଡ଼ିବୁଟି ଓ ଜାଳେଣି କାଠ ଆଦି ଆମକୁ ମିଳୁଥିଲା ।’’

ସନ୍ତୁଙ୍କ ପିଲାଦିନ କୁନୋ ପାର୍କ ଭିତରେ କଟିଛି ଏବଂ ୧୯୯୯ରେ ୧୬,୫୦୦ ଲୋକ ବିସ୍ଥାପିତ ହୋଇଥିଲେ । ବାପା-ମାଆଙ୍କ ସହ ସନ୍ତୁ ମଧ୍ୟ ଗାଁ ଛାଡ଼ିଥିଲେ । ବିଶ୍ୱର ବିରଳ ପ୍ରଜାତି ଏସୀୟ ସିଂହଙ୍କ ଦ୍ୱିତୀୟ ବାସସ୍ଥଳ ପାଇଁ ଏହି ବିସ୍ଥାପନ ହୋଇଥିଲା, ବର୍ତ୍ତମାନ ଏହି ସିଂହ କେବଳ ଗୁଜରାଟର ଗିର୍ ଜଙ୍ଗଲରେ ରହୁଛନ୍ତି ।

ରାମ ଗୋପାଳ କୁହନ୍ତି, “ଆଗକୁ ଆହୁରି ପରିବର୍ତ୍ତନ ହେବ । ଜଙ୍ଗଲ ମେ ଜାନା ହି ନେହିଁ (ଜଙ୍ଗଲକୁ ଆଉ କେହି ଯାଇପାରିବେ ନାହିଁ) ।”

PHOTO • Priti David
PHOTO • Priti David

“ପୁରୁଣା ଗାଁରେ (ପାର୍କ ଭିତରେ) କୁନୋ ନଦୀ ଥିଲା, ତେଣୁ ୧୨ ମାସ ଆମ ପାଇଁ ପାଣି ଉପଲବ୍ଧ ହେଉଥିଲା । ତେନ୍ଦୁ, ବୈର, ମହୁଆ, ଜଡ଼ିବୁଟି ଓ ଜାଳେଣି କାଠ ଆଦି ଆମକୁ ମିଳୁଥିଲା” - କହିଛନ୍ତି ସନ୍ତୁ । ଜାଳେଣି କାଠ ଆଣିବାକୁ କୁନୋ ଜଙ୍ଗଲକୁ ଯିବା ପାଇଁ ଘରୁ ବାହାରିଛନ୍ତି ଦମ୍ପତି

PHOTO • Priti David
PHOTO • Priti David

ରାମ ଗୋପାଳ ଓ ତାଙ୍କ ପତ୍ନୀ ଘରକୁ ନେବା ପାଇଁ ଜଙ୍ଗଲରେ ଜାଳେଣି କାଠ ସଂଗ୍ରହ କରୁଛନ୍ତି । ସେମାନେ କହିଛନ୍ତି ଯେ ଗ୍ୟାସ୍‌ ସିଲିଣ୍ଡର କିଣିବାକୁ ପାଖରେ ସମ୍ବଳ ନାହିଁ

ଯଦିଓ ଜଙ୍ଗଲ ଅଧିକାର ଆଇନ ୨୦୦୬ , ସ୍ଥାନୀୟ ଲୋକଙ୍କ ସହମତି ବିନା ଜମି ଛଡ଼ାଇ ନେବାକୁ ଅନୁମତି ଦିଏ ନାହିଁ, ତେବେ ଚିତାବାଘଙ୍କ ଆଗମନ ସହ ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ କାର୍ଯ୍ୟକାରୀ ହେଉଛି । “--- ରାସ୍ତା, ପୋଲ, କୋଠା, ବାଡ଼ କିମ୍ବା ପ୍ରତିବନ୍ଧକ ଫାଟକ ଆଦି ତିଆରି କରିହେବ---(ଖ) ଏପରି ପଦକ୍ଷେପ ନିଅ ଯେପରି ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ତଥା ଅଭୟାରଣ୍ୟ ଓ ବନ୍ୟଜନ୍ତୁଙ୍କ ସଂରକ୍ଷଣ ନିଶ୍ଚିତ ହେବ ।”

ଯେତେବେଳେ ରାମ ଗୋପାଳ ପ୍ରଥମେ ପାଚେରୀ ସଂପର୍କରେ ଜାଣିଲେ ଏହାକୁ ମନେ ପକାଇ ସେ କୁହନ୍ତି, “ମୋତେ କୁହାଗଲା ଏହା ବୃକ୍ଷରୋପଣ ପାଇଁ ହେଉଛି, ତେଣୁ ଆମେ ଭାବୁଥିଲୁ ଏହା ଠିକ୍ ଅଛି ।” ସେ ଆହୁରି ମଧ୍ୟ କହିଛନ୍ତି, “କିନ୍ତୁ ୩ ବର୍ଷ ପରେ ସେମାନେ କହିଥିଲେ ଯେ ଏଣିକି ଆପଣମାନେ ଜଙ୍ଗଲ ଭିତରକୁ ପ୍ରବେଶ କରିପାରିବେ ନାହିଁ । ସେହି ସୀମା ଅତିକ୍ରମ କରନ୍ତୁ ନାହିଁ । ଯଦି ଆପଣଙ୍କ ପଶୁମାନେ ଭିତରକୁ ଯାଆନ୍ତି, ତେବେ ଜରିମାନା ଦେବାକୁ ପଡ଼ିବ କିମ୍ବା ଆପଣଙ୍କୁ ଜେଲ ଯିବାକୁ ପଡ଼ିବ ।” ହସି ହସି ସେ କୁହନ୍ତି, “ଯଦି ଆମେ ଭିତରକୁ ଯିବୁ, ତେବେ ୨୦ ବର୍ଷ ଜେଲକୁ ଯିବାକୁ ପଡ଼ିବ ବୋଲି ଆମକୁ କୁହାଯାଇଥିଲା । ମୋର ଜାମିନରେ ଆସିବା ପାଇଁ ଟଙ୍କା ନାହିଁ ।”

ଜଙ୍ଗଲରେ ଗୋରୁ ଚରିବା ଅଧିକାର ହରାଇବା ଯୋଗୁଁ ସେମାନଙ୍କ ସଂଖ୍ୟା ହ୍ରାସ ପାଇଛି ଏବଂ ସ୍ଥାନୀୟ ଲୋକ କହିଛନ୍ତି ସେ ଗୋରୁ ମେଳା ବର୍ତ୍ତମାନ ଅତୀତର ଘଟଣା । ୧୯୯୯ ବିସ୍ଥାପନରେ ଅନେକ ଲୋକ ସେମାନଙ୍କ ପଶୁମାନଙ୍କୁ ପାର୍କରେ ଛାଡ଼ି ଦେଇଥିଲେ । ପାର୍କଠାରୁ ଦୂରରେ ଥିବା ନୂଆ ପରିବେଶରେ କିପରି ଓ କେଉଁଠାରେ ଚରିବେ ଜାଣିନଥିଲେ । ଆଜି ମଧ୍ୟ ଗାଈ ଓ ବଳଦ ପାର୍କର ବଫର ଜୋନ୍‌ରେ ବୁଲୁଛନ୍ତି । ମାଲିକମାନେ ଗୋରୁଗାଈ ଚରାଇ ନପାରି ଅନେକ ସେମାନଙ୍କୁ ଛାଡ଼ି ଦେଇଛନ୍ତି । ଗୋରୁମାନଙ୍କୁ ଜଙ୍ଗଲ କୁକୁର ଆକ୍ରମଣ କରିବା ଭୟ ରହିଛି । ରେଞ୍ଜରମାନେ ଚେତାବନୀ ଦେଇଛନ୍ତି, “ଯଦି ତମେ କିମ୍ବା ତମ ପଶୁ ପାର୍କ ଭିତରେ ମିଳନ୍ତି, ତେବେ ତମକୁ ମାରିଦେବୁ ।”

କିନ୍ତୁ ଜାଳେଣି କାଠର ଏପରି ଅଭାବ ଯେ ‘‘ଲୁଚା ଚୋରା’’ରେ ସଂଗ୍ରହ କରିବାକୁ ଅନେକ ଲୋକ ଆସିଥାନ୍ତି । ଅଗରା ଗାଁର ବାସିନ୍ଦା ସଗୁ, କିଛି ପତ୍ର, ଡାଳ ବାନ୍ଧି ମୁଣ୍ଡାଇ ଆଣୁଛନ୍ତି- ୬୦ ବର୍ଷ ବୟସ ଅତିକ୍ରମ କରିଥିବାରୁ ଏତିକି ମୁଣ୍ଡାଇ ପାରୁଛନ୍ତି ।

ସେ କୁହନ୍ତି, “ଆମକୁ ଜଙ୍ଗଲକୁ ଯିବା ପାଇଁ ଅନୁମତି ମିଳୁନାହିଁ ।” ଆମେ ପ୍ରଶ୍ନ ପଚାରିବା ବେଳେ ଟିକେ ବସି ପଡ଼ି ବିଶ୍ରାମ ନେବା ସହ କହିଥିଲେ, “ ମୋତେ ଅବଶିଷ୍ଟ ମଇଁଷିକୁ ବିକ୍ରି କରିବାକୁ ପଡ଼ିବ ।”

PHOTO • Priti David
PHOTO • Priti David

ଜଙ୍ଗଲର ସୀମା କାନ୍ଥ ନିକଟରେ ରାମ ଗୋପାଳ । କୁନୋ ଏକଦା ୩୫୦ ବର୍ଗ କିଲୋମିଟରର ଏକ ଛୋଟ ଅଭୟାରଣ୍ୟ ଥିଲା । ଆଫ୍ରିକାର ଚିତାବାଘ ପାଇଁ ଏହି ଆକାର ଦୁଇଗୁଣ ହୋଇଯାଇଛି

PHOTO • Priti David
PHOTO • Priti David

ବାମ:  ୬୦ ବର୍ଷ ବୟସରେ ରୋଷେଇ ପାଇଁ ଜାଳେଣି କାଠ ସଂଗ୍ରହ କରିବାକୁ ଉଦ୍ୟମ କରୁଛନ୍ତି ଅଗରା ବାସିନ୍ଦା ସଗୁ ଡାହାଣ: କାଶୀରାମ ମଧ୍ୟ ବନଜାତ ଦ୍ରବ୍ୟ ସଂଗ୍ରହ କରନ୍ତି, କିନ୍ତୁ ସେ କହିଛନ୍ତି ଜଙ୍ଗଲ ଏବେ ବନ୍ଦ

ସଗୁ କହିଛନ୍ତି ଯେ ପୂର୍ବରୁ ସେମାନେ ବଳଦ ଗାଡ଼ିରେ ଜାଳେଣି କାଠ ଆଣି ବର୍ଷା ଋତୁ ପାଇଁ ରଖୁଥିଲେ । ସେଦିନକୁ ମନେ ପକାନ୍ତି, ଯେବେ ତାଙ୍କର ପୂରା ସଂପୂର୍ଣ୍ଣ ଘର ଜଙ୍ଗଲରୁ ଆସିଥିବା କାଠ ଓ ପତ୍ରରେ ନିର୍ମିତ ହୋଇଥିଲା । ସେ କୁହନ୍ତି, “ଯେତେବେଳେ ଆମ ପଶୁ ଚରୁଥାନ୍ତି, ଆମେ ଜାଳେଣି କାଠ, ଅନ୍ୟ ପଶୁ ପାଇଁ ଖାଦ୍ୟ ସଂଗ୍ରହ କରୁ । ବିକିବା ପାଇଁ ତେନ୍ଦୁ ପତ୍ର ଆଣୁ ।

ବର୍ତ୍ତମାନ ଶହ ଶହ କିଲୋମିଟର କେବଳ ଚିତାବାଘ ଓ ସେମାନଙ୍କୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ।

ଅଗରା ଗାଁରେ ଯେଉଁମାନଙ୍କର କ୍ଷତି ହୋଇଛି, ସେମାନଙ୍କ ପାଇଁ କାଶୀରାମ କହିଛନ୍ତି, “ଚିତା ଆସିବା ଯୋଗୁଁ ଆମମାନଙ୍କର କିଛି ଭଲ ହୋଇନାହିଁ । କେବଳ କ୍ଷତି ହୋଇଛି ।”

*****

ଚେଣ୍ଟିଖେରା , ପଦରୀ, ପାଇରା-ବି, ଖଜୁରୀ ଖୁଡ୍‌ ଏବଂ ଚକପରୋଁ ଗାଁ ପାଇଁ ଆହୁରି ବଡ଼ ସମସ୍ୟା ସୃଷ୍ଟି ହୋଇଛି । ସେମାନେ କହିଛନ୍ତି ଯେ କୁଆରୀ ନଦୀ ଉପରେ ବନ୍ଧ ହେବା ପାଇଁ ସର୍ଭେ କରାଯିବା ସହ କାମ ଆରମ୍ଭ ହୋଇଛି । ଫଳରେ ସେମାନଙ୍କ ଘର ଓ ଚାଷଜମି ପାଣିରେ ବୁଡ଼ିଯିବ ।

“ଆମେ ୨୦ ବର୍ଷ ଧରି ଡ୍ୟାମ୍‌ ବିଷୟରେ ଶୁଣୁଛୁ । ଅଧିକାରୀମାନେ କୁହନ୍ତି, ‘ତୁମ ଗାଁ ଡ୍ୟାମ୍‌ ଯୋଗୁଁ ବିସ୍ଥାପିତ ହେବାକୁ ଯାଉଥିବାରୁ ତୁମେ ‘ଏନଆରଇଜିଏ’ ପାଇବ ନାହିଁ ।” ଏପରି କହିଛନ୍ତି ଯଶରାମ ଆଦିବାସୀ, ଚେଣ୍ଟିଖେରାର ପୂର୍ବତନ ସରପଞ୍ଚ । ସେ ସୂଚାଇ ଦେଇଛନ୍ତି ଯେ ଅନେକ ସେମାନଙ୍କ ଏନଆରଇଜିଏ ସୁବିଧା ପାଇନାହାନ୍ତି ।

ତାଙ୍କ ଘରର ଛାତ ଉପରେ ଛିଡ଼ା ହୋଇ ସେ କୁହନ୍ତି କୁଆରୀ ନଦୀ ଅଳ୍ପ ଦୂରରେ, “ ବନ୍ଧ ଏହି ଅଞ୍ଚଳକୁ ଆସିବ । ଆମ ଗାଁ ଓ ୭-୮ଟି ଗାଁ ବୁଡ଼ିଯିବ, ଆମ ଏପର୍ଯ୍ୟନ୍ତ ନୋଟିସ୍ ଦିଆଯାଇନାହିଁ ।”

PHOTO • Priti David
PHOTO • Priti David

ଯଶରାମ ଆଦିବାସୀ, ଚେଣ୍ଟିଖେରା ଗାଁର ପୂର୍ବତନ ସରପଞ୍ଚ, କୁଆରୀ ନଦୀ ଉପରେ ବନ୍ଧ ଯୋଗୁଁ ଏହି ଗାଁ ବୁଡ଼ିଯିବ । ତାଙ୍କ ପତ୍ନୀ ମାସଲା ଆଦିବାସୀଙ୍କ ସହ ଯଶରାମ

PHOTO • Priti David

କୁଆରୀ ନଦୀରେ ଡ୍ୟାମ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏହି ପ୍ରକଳ୍ପ ଚାରିଟି ଗାଁରେ ରହୁଥିବା ଶହ ଶହ ପରିବାରକୁ ବିସ୍ଥାପିତ କରିବ

ନ୍ୟାୟଯୁକ୍ତ କ୍ଷତିପୂରଣ ଓ ଜମି ଅଧିଗ୍ରହଣ, ପୁନର୍ବାସ ଏବଂ ଥଇଥାନ ଆଇନ -୨୦୧୩ (ଲାରା)ର ସ୍ୱଚ୍ଛତା ବିରୋଧରେ ଏହା ଯାଉଛି । ଯେଉଁଥିରେ ଗ୍ରାମବାସୀଙ୍କ ସହ ସାମାଜିକ ପ୍ରଭାବ ଆଦିର ଅଧ୍ୟୟନ ଭଳି ପଦକ୍ଷେପ ନେବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ତାରିଖଗୁଡ଼ିକ ସ୍ଥାନୀୟ ଭାଷାରେ (ସିଏଚ୍‌-୨ ଏ ୪(୧)) ଘୋଷଣା କରାଯିବା ଆବଶ୍ୟକ ଏବଂ ସମସ୍ତେ ଉପସ୍ଥିତ ରହିବା ପାଇଁ ନୋଟିସ ଦିଆଯିବା ଆବଶ୍ୟକ ।

ଚକପରା ଗାଁର ସତନାମ ଆଦିବାସୀ କୁହନ୍ତି, “୨୩ ବର୍ଷ ପୂର୍ବେ ଆମେ ବିସ୍ଥାପିତ ହୋଇଥିଲୁ । ବହୁ କଷ୍ଟରେ ପୁଣିଥରେ ଆମ ଜୀବନକୁ ସଜାଡ଼ିଥିଲୁ ।” ସେ ପ୍ରାୟତଃ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଜୟପୁର, ଗୁଜରାଟ ଓ ଅନ୍ୟ ଅଂଚଳକୁ ଯାଇଥାନ୍ତି ।

ଗାଁର ଏକ ହ୍ୱାଟସ୍‌ଆପ୍ ଗ୍ରୁପରେ ପ୍ରସାରିତ ହୋଇଥିବା ଏକ ଖବରରୁ ଡ୍ୟାମ ସଂପର୍କରେ ଜାଣିବାକୁ ପାଇଥିଲେ ସତନାମ । ସେ ଆହୁରି ମଧ୍ୟ କହିଛନ୍ତି, “ଆମ ସହ କେହି କଥା ହୋଇନାହାନ୍ତି । କିଏ ଓ କେତେ ଜଣ ବିସ୍ଥାପିତ ହେବେ ଆମକୁ ଜଣାନାହିଁ ।” ରାଜସ୍ୱ ବିଭାଗର ଅଧିକାରୀଙ୍କ ସୂଚନା ଅନୁସାରେ କେତେ ଘର ପକ୍କା, କଚ୍ଛା, କେତେ ଜମି ସେମାନେ ଦଖଲରେ ରଖିଛନ୍ତି ଆଦିର ହିସାବ କରାଯାଇଛି ।

ତାଙ୍କ ବାପା ସୁଜନସିଂହଙ୍କ ପାଇଁ ପୂର୍ବ ବିସ୍ଥାପନର ସ୍ମୃତି ତାଜା ହୋଇ ରହିଥିବା ବେଳେ ସିଏ ଏବେ ଦୁଇଥର ବିସ୍ଥାପିତ ହେବେ । “ହମାରେ ଉପର ଡବଲ କଷ୍ଟ ହୋ ରହା ହେ (ଆମେ ଦୁଇଗୁଣ ଅସୁବିଧାରେ ପଡ଼ିଛୁ ।”

ଅନୁବାଦ : ଓଡ଼ିଶାଲାଇଭ୍‍

Priti David

ਪ੍ਰੀਤੀ ਡੇਵਿਡ ਪੀਪਲਜ਼ ਆਰਕਾਈਵ ਆਫ਼ ਇੰਡੀਆ ਦੇ ਇਕ ਪੱਤਰਕਾਰ ਅਤੇ ਪਾਰੀ ਵਿਖੇ ਐਜੁਕੇਸ਼ਨ ਦੇ ਸੰਪਾਦਕ ਹਨ। ਉਹ ਪੇਂਡੂ ਮੁੱਦਿਆਂ ਨੂੰ ਕਲਾਸਰੂਮ ਅਤੇ ਪਾਠਕ੍ਰਮ ਵਿੱਚ ਲਿਆਉਣ ਲਈ ਸਿੱਖਿਅਕਾਂ ਨਾਲ ਅਤੇ ਸਮਕਾਲੀ ਮੁੱਦਿਆਂ ਨੂੰ ਦਸਤਾਵੇਜਾ ਦੇ ਰੂਪ ’ਚ ਦਰਸਾਉਣ ਲਈ ਨੌਜਵਾਨਾਂ ਨਾਲ ਕੰਮ ਕਰਦੀ ਹਨ ।

Other stories by Priti David

ਪੀ ਸਾਈਨਾਥ People’s Archive of Rural India ਦੇ ਮੋਢੀ-ਸੰਪਾਦਕ ਹਨ। ਉਹ ਕਈ ਦਹਾਕਿਆਂ ਤੋਂ ਦਿਹਾਤੀ ਭਾਰਤ ਨੂੰ ਪਾਠਕਾਂ ਦੇ ਰੂ-ਬ-ਰੂ ਕਰਵਾ ਰਹੇ ਹਨ। Everybody Loves a Good Drought ਉਨ੍ਹਾਂ ਦੀ ਪ੍ਰਸਿੱਧ ਕਿਤਾਬ ਹੈ। ਅਮਰਤਿਆ ਸੇਨ ਨੇ ਉਨ੍ਹਾਂ ਨੂੰ ਕਾਲ (famine) ਅਤੇ ਭੁੱਖਮਰੀ (hunger) ਬਾਰੇ ਸੰਸਾਰ ਦੇ ਮਹਾਂ ਮਾਹਿਰਾਂ ਵਿਚ ਸ਼ੁਮਾਰ ਕੀਤਾ ਹੈ।

Other stories by P. Sainath
Video Editor : Sinchita Maji

ਸਿੰਚਿਤਾ ਮਾਜੀ, ਪੀਪਲਜ਼ ਆਰਕਾਈਵ ਆਫ਼ ਰੂਰਲ ਇੰਡੀਆ ਵਿਖੇ ਇੱਕ ਸੀਨੀਅਰ ਵੀਡੀਓ ਸੰਪਾਦਕ ਅਤੇ ਇੱਕ ਫ੍ਰੀਲਾਂਸ ਫ਼ੋਟੋਗ੍ਰਾਫ਼ਰ ਅਤੇ ਦਸਤਾਵੇਜ਼ੀ ਫਿ਼ਲਮ ਨਿਰਮਾਤਾ ਹਨ।

Other stories by Sinchita Maji
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE