ଧନୀ ହୁଅନ୍ତୁ ଅବା ଗରିବ, ଯୁବକ ହୁଅନ୍ତୁ କି ବୟସ୍କ, ସମସ୍ତଙ୍କୁ ନିଜ ଜୋତା ଓହ୍ଲାଇ ମହାରାଜାଙ୍କ ପାଦ ଛୁଇଁବାର ଥିଲା। କିନ୍ତୁ, ଜଣେ ଦୁର୍ବଳ ଯୁବକ ତାଙ୍କ ଆଖିରେ ଆଖି ମିଶାଇ ଚାହିଁ ରହିଲା, ସିଧା ଛିଡ଼ା ହୋଇଥିଲା, ନଇଁବାକୁ ମନା କରିଦେଲା। ମହାରାଜାଙ୍କ ସାମ୍ନାରେ ଏପରି ଅବଜ୍ଞା ପଞ୍ଜାବର ଜୋଗା ଗାଁରେ ବୟସ୍କମାନଙ୍କୁ ଆତଙ୍କିତ କରିଦେଇଥିଲା ଏବଂ ଅତ୍ୟାଚାରୀ ରାଜା ଏଥିରେ କ୍ରୋଧିତ ହୋଇଥିଲେ।
ସେହି ଯୁବକ ଜଣଙ୍କ ଥିଲେ ଜାଗୀର ସିଂ ଜୋଗା। ତାଙ୍କର ସାହସପୂର୍ଣ୍ଣ, ବ୍ୟକ୍ତିଗତ ବିରୋଧ ନଅ ଦଶନ୍ଧି ପୂର୍ବରୁ ଘଟିଥିଲା। ପୂର୍ବର ସେହି ଘଟଣା ଏବେ ପ୍ରାସଙ୍ଗିକ ହୋଇପଡ଼ିଛି, ଯେତେବେଳେ ଗତ କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) କନଷ୍ଟେବଳ କୁଲୱିନ୍ଦର କୌର ବଲିଉଡ୍ ତାରକା ତଥା ହିମାଚଳ ପ୍ରଦେଶ ମଣ୍ଡିରୁ ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଛନ୍ତି। ଜୋଗାଙ୍କ ପ୍ରତିବାଦ ତତ୍କାଳୀନ ପଟିଆଲା ମହାରାରାଜା ଭୁପିନ୍ଦର ସିଂଙ୍କ ବିରୋଧରେ ଥିଲା, ଯାହାଙ୍କର ସାମନ୍ତବାଦୀ ଗୁଣ୍ଡାମାନେ ଗରିବ ଚାଷୀଙ୍କ ଜମି ହଡ଼ପ କରିବାକୁ ଚେଷ୍ଟା କରିଥିଲେ। ଏହା ୧୯୩୦ ଦଶକର କଥା। ଏହି ଘଟଣା ପରେ ଯାହା ଘଟିଥିଲା ତାହା ଲୋକକଥା ଏବଂ ପ୍ରମାଣିତ ଇତିହାସରେ ହଜିଗଲା। କିନ୍ତୁ ଜୋଗା ଆଉ ଦିନେ ଲଢ଼ିବା ପାଇଁ ଜୀବିତ ରହିଲେ ।
ଗୋଟିଏ ଦଶନ୍ଧି ପରେ ଜୋଗା ଏବଂ ତତ୍କାଳୀନ ଲାଲ ପାର୍ଟିର ତାଙ୍କ ସାଥୀମାନେ କିଶନଗଡ଼ (ଏବେ ସଙ୍ଗରୁର୍ ଜିଲ୍ଲାରେ) ପାର୍ଶ୍ୱବର୍ତ୍ତୀ ଇଲାକାରେ ଏକ ଯୁଗାନ୍ତକାରୀ ସଂଘର୍ଷର ନେତୃତ୍ୱ ନେଇଥିଲେ ଏବଂ ଭୁପିନ୍ଦର ସିଂଙ୍କ ପୁଅଠାରୁ ୭୮୪ ଗାଁରେ ଥିବା ହଜାର ହଜାର ଏକର ଜମି ଛଡ଼େଇ ଆଣିଥିଲେ। ସେହି ଜମିକୁ ଭୂମିହୀନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ପଟିୟାଲାର ପୂର୍ବତନ ରାଜବଂଶର ଦାୟଦ ତଥା ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ହେଉଛନ୍ତି ଭୁପିନ୍ଦର ସିଂଙ୍କ ପୁତୁରା।
୧୯୫୪ରେ ଜମି ଓ ଅନ୍ୟାନ୍ୟ ସଂଘର୍ଷ ପାଇଁ ଯୋଗା ନାଭା ଜେଲରେ ଥିଲେ। ବନ୍ଦୀ ଥିବା ଅବସ୍ଥାରେ ଲୋକମାନେ ତାଙ୍କୁ ଭୋଟ୍ ଦେଇ ବିଧାନସଭାକୁ ନିର୍ବାଚିତ କରିଥିଲେ । ସେ ପୁଣିଥରେ ୧୯୬୨, ୧୯୬୭ ଏବଂ ୧୯୭୨ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।












