“ ଏହି ଅଧିନିୟମ ବା ଏହା ଅଧିନରେ ନିର୍ଦ୍ଦେଶିତ ଯେକୌଣସି ନିୟମ ବା ଆଦେଶ ଅନୁସାରେ ସାଧୁ ଉଦ୍ଦେଶ୍ୟରେ କରାଯାଉଥିବା ଯେକୌଣସି ବିଷୟ ସମ୍ବନ୍ଧରେ  କେନ୍ଦ୍ର ସରକାର ବା ରାଜ୍ୟ ସରକାର ବା କେନ୍ଦ୍ର ବା ରାଜ୍ୟ ସରକାରଙ୍କର କୌଣସି ଅଧିକାରୀ ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ବିରୋଧରେ କୌଣସି ମକଦ୍ଦମା, ଅଭିଯୋଜନ ବା ଅନ୍ୟ ସଂବିଧାନିକ କାର୍ଯ୍ୟବିଧି ବିଚାରଯୋଗ୍ୟ ହେବ ନାହିଁ ।

କୃଷକ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ ( ସଂବର୍ଦ୍ଧନ ଓ ସରଳୀକରଣ) ଅଧିନିୟମ, ୨୦୨୦ ର ଧାରା ୧୩ କୁ ଆପଣଙ୍କୁ ସ୍ୱାଗତ (ଯାହାର ଉଦ୍ଦେଶ୍ୟ ହେଉଛି ଏପିଏମ୍‌ସି ନାମରେ ପରିଚିତ  କୃଷି ଉତ୍ପାଦନ ବିପଣନ ସମିତିଗୁଡିକୁ ଦୁର୍ବଳ କରିବା)  ।

ଆଉ ଆପଣ ଭାବୁଛନ୍ତି ଯେ ନୂଆ ନିୟମ କେବଳ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ? ନିଶ୍ଚିତ ଭାବେ, ଏପରି ଅନ୍ୟ ନିୟମମାନ ରହିଛି ଯାହା ଜନସେବକମାନଙ୍କୁ ସେମାନଙ୍କ ସମ୍ବିଧାନିକ କର୍ତ୍ତବ୍ୟକୁ ପୂରଣ କରିବାରେ ଅଭିଯୋଜନଠାରୁ ଦୂର ରଖିଥାଏ । ହେଲେ, ଏହା ସେ ସବୁଠାରୁ ବହୁତ ଆଗରେ। ‘ସାଧୁ ଉଦ୍ଦେଶ୍ୟରେ’ କରାଯାଉଥିବା ‘ଯେକୌଣସି କାମ ପାଇଁ ’, ସେମାନେ ଯାହା କଲେ ମଧ୍ୟ, ସେମାନଙ୍କୁ ମିଳୁଥିବା ପ୍ରତିରକ୍ଷା ସୁଦୂରପ୍ରସାରୀ ଅଟେ । ଯଦି ସେମାନେ ‘ସାଧୁ ଉଦ୍ଦେଶ୍ୟରେ’  କୌଣସି ଅପରାଧିକ କାର୍ଯ୍ୟ କରନ୍ତି, ତାହାହେଲେ ମଧ୍ୟ, ସେମାନଙ୍କୁ ଯେ କେବଳ ଅଦାଲତକୁ ଟଣାଯାଇ ପାରିବ ନାହିଁ ତାହା ନୁହେଁ – ବରଂ ସେମାନେ ଯେଉଁସବୁ ଅପରାଧ କରିବାକୁ ଯାଉଛନ୍ତି, ତାହା ବିରୋଧରେ ସମ୍ବିଧାନିକ କାର୍ଯ୍ୟବିଧି ଗ୍ରହଣ କରାଯିବାଠାରୁ ମଧ୍ୟ ସୁରକ୍ଷା ପ୍ରଦାନ କରାଯାଇଛି  (ନିଶ୍ଚିତଭାବେ ‘ସାଧୁ ଉଦ୍ଦେଶ୍ୟରେ’) ।

ଯଦି ଆପଣ ଏହି ଏହି ପଏଣ୍ଟ ଦେଖିପାରି ନାହାନ୍ତି – ଯେ କୋର୍ଟରେ ଆପଣଙ୍କ ପାଇଁ ଅନ୍ୟ କୌଣସି ବିଧିକ ଉପାୟ ନାହିଁ – ଧାରା ୧୫ରେ ଏହା କୁହାଯାଇଛି ଯେ -:

“କୌଣସି ସିଭିଲ୍‌ କୋର୍ଟ ପାଖରେ, ଏହି ଅଧିନିୟମ ଦ୍ୱାରା ବା ଏହା ଅନ୍ତର୍ଗତ ବା ଏହା ଅନୁସାରେ ତିଆରି କରାଯାଇଥିବା ନିୟମଗୁଡିକ ଅନୁସାରେ କ୍ଷମତାପ୍ରାପ୍ତ ଯେକୌଣସି ପ୍ରାଧିକାରୀଙ୍କ ଉପରେ କୌଣସି ସନ୍ଦର୍ଭରେ କୌଣସି ମକଦ୍ଦମା ବା କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରିବାର ଅଧିକାର ରହିବ ନାହିଁ. ଯାହାର ସଂଜ୍ଞା ତାଙ୍କ ଦ୍ୱାରା ନିଆଯାଇପାରିବ ବା ଯାହାର ସମାଧାନ କରାଯାଇପାରିବ’’।

‘ସାଧୁ ଉଦ୍ଦେଶ୍ୟରେ’ ଏହି କାମ କରୁଥିବା ‘ଅନ୍ୟ ବ୍ୟକ୍ତି ଜଣକ’ କିଏ ଅଟେ, ଯାହା ବିରୋଧରେ ବିଧି ସମ୍ମତ ଆପତ୍ତି ଅଣାଯାଇ ପାରିବନାହିଁ ? ସଙ୍କେତ : ସେହି ପ୍ରଭାବଶାଳୀ କର୍ପୋରେଟ୍‌ଙ୍କ ନାମ ଶୁଣିବାକୁ ଚେଷ୍ଟା କରନ୍ତୁ ଯାହାର ନାମ ବିରୋଧ କରୁଥିବା ଚାଷୀଙ୍କ ଦ୍ୱାରା ଉଚ୍ଚାରଣ କରାଯାଉଛି । ଏହା ବ୍ୟବସାୟକୁ ସହଜ କରିବା ବିଷୟରେ ଅଟେ – ବହୁତ, ବହୁତ ବଡ ବ୍ୟବସାୟ ବିଷୟରେ ।

“କୌଣସି ମକଦ୍ଦମା, ଅଭିଯୋଜନ ବା ଅନ୍ୟ ସମ୍ବିଧାନିକ କାର୍ଯ୍ୟାନୁଷ୍ଠାନ ବିଚାର କରିବା ଯୋଗ୍ୟ ହୋଇପାରିବ ନାହିଁ …” ଏହା କେବେଳ ଚାଷୀମାନଙ୍କ କଥା ନୁହେଁ, ଯେଉଁମାନେ ବ୍ୟବହାର କରିପାରିବେ ନାହିଁ । ଏହା ଜନ ହିତକର ମାଲିମକଦ୍ଦମା ଉପରେ ମଧ୍ୟ ଲାଗୁ ହେବ । ଲାଭ ପାଉନଥିବା ସମୂହ କିମ୍ବା ଚାଷୀ ସଂଗଠନ ବା କୌଣସି ନାଗରିକ (ସାଧୁ ବା ଖରାପ ଉଦ୍ଦେଶ୍ୟ ପ୍ରଣୋଦିତ) ମଧ୍ୟ ହସ୍ତକ୍ଷେପ କରିପାରିବେ ନାହିଁ ।

ଏଗୁଡିକ ନିଶ୍ଚିତ ଭାବେ ୧୯୭୫-୭୭ର ଆପାତକାଳ (ଯେତେବେଳେ ଆମେମାନେ ଆମର ସମସ୍ତ ମୌଳିକ ଅଧିକାର ସ୍ଥଗିତ ରଖିଦେଇଥିଲୁ) ପରବର୍ତ୍ତୀ  ସେହି ଆଇନ୍‌ଗୁଡିକ ମଧ୍ୟରୁ ଗୋଟିଏ  ଆଇନ୍‌ ଯାହା ନାଗରିକମାନଙ୍କୁ  ବ୍ୟାପକଭାବେ ଆଇନ୍‌ଗତ ଅଧିକାର ପ୍ରଦାନ କରିବାଠାରୁ ବଞ୍ଚିତ କରୁଛି ।

The usurping of judicial power by an arbitrary executive will have profound consequences
PHOTO • Q. Naqvi

ଜଣେ ସ୍ୱେଚ୍ଛାଚାରୀ କାର୍ଯ୍ୟ ନିର୍ବାହକ ଦ୍ୱାରା ନ୍ୟାୟିକ କ୍ଷମତାର ଅପହରଣ ଯୋଗୁଁ ଗମ୍ଭୀର ପରିଣତି ଭୋଗିବାକୁ ହେବ ।

ପ୍ରତ୍ୟେକ ଭାରତୀୟ ଏହା ଦ୍ୱାରା ପ୍ରଭାବିତ । ଏହି ଆଇନ୍‌ର ଆଇନ୍‌ଗତ-ଶବ୍ଦାବଳୀ (ନିମ୍ନ-ସ୍ତରୀୟ) କାର୍ଯ୍ୟପାଳିକାକୁ ମଧ୍ୟ ନ୍ୟାୟପାଳିକାରେ ବଦଳାଇ ଦେଉଛି – ଏପରିକି ନ୍ୟାୟାଧୀଶ, ନ୍ୟାୟପୀଠ ଓ ଜଲ୍ଲାଦ ମଧ୍ୟ । ଏହା ଚାଷୀ ଓ ବିଶାଳ ନିଗମଗୁଡିକ(କର୍ପୋରେସନ୍‌) ଯାହା ସହିତ ସେମାନେ କାରବାର କରିବେ, ସେମାନଙ୍କ ମଧ୍ୟରେ ରହିଥିବା ଅନୁଚିତ କ୍ଷମତା ଅସନ୍ତୁଳନକୁ ବୁହୁଗୁଣିତ କରୁଛି ।

ଦିଲ୍ଲୀର ବାର୍‌ କାଉନସିଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଏକ ପତ୍ରରେ  ପଚାରିଛି ଯେ “ଏପରି କୌଣସି ମାଲିମକଦମା ଯାହାର ପରିଣତି ନାଗରିକଙ୍କୁ ଭୋଗିବାକୁ ହେବ, ତାହାର ମିମାଂସା କରିବା ଦାୟିତ୍ୱ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ପ୍ରଶାସନିକ ଏଜେନ୍ସି ସହିତ ଯୋଡ଼ି ହୋଇ ରହିଥିବା ଢାଞ୍ଚାକୁ କିଭଳି ପ୍ରଦାନ କରାଯାଇପାରିବ?”

(କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ମଧ୍ୟରେ, ଉପ-ପ୍ରଭାଗୀୟ ମାଜିଷ୍ଟ୍ରେଟ୍‌ ଓ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ପଢନ୍ତୁ – ସମସ୍ତେ ନିଜର ସ୍ୱତନ୍ତ୍ରତା ଓ ସାଧୁ ଉଦ୍ୟେଶ  ତଥା ସୁ-ଅଭିଳାଷ ପାଇଁ ପ୍ରସିଦ୍ଧ ଅଟନ୍ତି, ଯେପରି ପ୍ରତ୍ୟେକ ଭାରତୀୟ ଜାଣନ୍ତି)। ଦିଲ୍ଲୀ ବାର୍‌ କାଉନସିଲ୍‌ କାର୍ଯ୍ୟପାଳିକାକୁ ନ୍ୟାୟିକ କ୍ଷମତା ହସ୍ତାନ୍ତରଣକୁ “ବିପଦପୂର୍ଣ୍ଣ ଓ ବଡ ଭୁଲ୍‌” ବୋଲି କହିଛନ୍ତି । ଆଉ ଆଇନ୍‌ ପେସା ଉପରେ ଏହାର ପ୍ରଭାବ ବିଷୟରେ କହିଛନ୍ତି ଯେ: ‘‘ଏହା ବିଶେଷ ଭାବେ ଜିଲ୍ଲା ଅଦାଲତଗୁଡିକୁ ବହୁଳ କ୍ଷତି ପହଞ୍ଚାଇବ ତଥା ଓକିଲମାନଙ୍କର ମୂଳୋତ୍ପାଟନ କରିଦେବ’’।

ଏବେ ମଧ୍ୟ କଣ ଏହା ଲାଗୁଛି ଯେ ଏହି ଆଇନ୍‌ କେବଳ ଚାଷୀମାନଙ୍କ ସମ୍ବନ୍ଧରେ ଅଟେ?


କାର୍ଯ୍ୟପାଳିକାକୁ ନ୍ୟାୟିକ କ୍ଷମତା ହସ୍ତାନ୍ତରଣର ଆହୁରି ଅନେକ ଉଦାହରଣ ଅନୁବନ୍ଧ ସମ୍ବନ୍ଧିତ ଆଇନ୍‌ରେ ରହିଛି -–ଚାଷୀ(ସଶକ୍ତିକରଣ ଓ ସଂରକ୍ଷଣ) ମୂଲ୍ୟ ଆଶ୍ୱାସନ ପାଇଁ ଚୁକ୍ତି ଓ କୃଷି ସେବା ଅଧିନିୟମ, ୨୦୨୦ ଆଦି ।

ଧାରା ୧୮  ‘ସାଧୁ ଉଦ୍ଦେଶ୍ୟ’, ଏହି ତର୍କକୁ ପୁଣି ବାଖ୍ୟା କରୁଛି ।

ଧାରା ୧୯ରେ  କୁହାଯାଇଛି ଯେ, “କୌଣସି ଦେୱାନି ନ୍ୟାୟାଳୟ ପାଖରେ ଏପରି କୌଣସି ବିବାଦ ସନ୍ଦର୍ଭରେ ମକଦ୍ଦମା ବା କାର୍ଯ୍ୟବିଧି ଗ୍ରହଣ କରିବା ଅଧିକାର ରହିବନି। ଯାହା କି ଉପ-ବିଭାଗୀୟ ପ୍ରାଧିକରଣ ବା ଅପିଲୀୟ ପ୍ରାଧିକାରୀଙ୍କୁ ଏହି ଅଧିନିୟମ ଦ୍ୱାରା ବା ଏହା ଆଧାରରେ ନିଷ୍ପତ୍ତି ଗ୍ରହଣ କରିବାକୁ କ୍ଷମତା ପ୍ରଦାନ କରାଯାଇଛି ଓ ଏହି ଅଧିନିୟମ ଦ୍ୱାରା ବା ଏହା ଆଧାରରେ ବା ଏହା ଅନ୍ତର୍ଗତ ତିଆରି କରାଯାଇଥିବା କୌଣସି ନିୟମ ଦ୍ୱାରା ଦିଆଯାଇଥିବା ଯେକୌଣସି କ୍ଷମତା ଅନୁସରଣରେ କରାଯାଇଥିବା ବା କରାଯିବାକୁ ଥିବା କୌଣସି କାର୍ଯ୍ୟନୁଷ୍ଠାନ ସମ୍ବନ୍ଧରେ କୌଣସି ନ୍ୟାୟାଳୟ ବା ଅନ୍ୟ ପ୍ରାଧିକାରୀ ଦ୍ୱାରା କୌଣସି ନିଷେଧାଜ୍ଞା ଦିଆଯିବନି (ଗୁରୁତ୍ୱାରୋପ କରାଯାଇଛି)।’’

ଆହୁରି ପୁଣି ଭାବି ଦେଖନ୍ତୁ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯ ବାକ୍‌ ଓ ଅଭିବ୍ୟକ୍ତିର ସ୍ୱାଧୀନତା, ଶାନ୍ତିପୂର୍ଣ୍ଣ ସମ୍ମିଳନୀ, ସଂଚରଣର ସ୍ୱତନ୍ତ୍ରତା, ସଂଗମ ବା ସଂଘ ତିଆରି କରିବାର ଅଧିକାର  … କଥା କହୁଛି।

ଏହି କୃଷି ଆଇନର ଧାରା ୧୯ର ସାରାଂଶ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨ ଉପରେ ମଧ୍ୟ ପ୍ରହାର କରୁଛି, ଯାହା ସମ୍ବିଧାନିକ ଉପଚାର (ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ)ର ଅଧିକାରର ଗ୍ୟାରେଣ୍ଟି ଦେଉଛି । ଅନୁଚ୍ଛେଦ ୩୨କୁ ସମ୍ବିଧାନର ମୂଳ ସଂରଚନାର ଅଂଶ ବୋଲି ମଧ୍ୟ ବୁଝାଯାଏ ।

‘ମୁଖ୍ୟଧାରାର ଗଣମାଧ୍ୟମ (ସେହି ପ୍ଲାଟ୍‌ଫର୍ମଗୁଡିକ ପାଇଁ ଏକ ଅଜବ ଶଦ୍ଦ, ଯାହାର ବିଷୟସୂଚୀରେ ୭୦ ପ୍ରତିଶତରୁ ଅଧିକ ଜନସଂଖ୍ୟାର ବର୍ଜନ କରିଥାଏ) ନିଶ୍ଚିତ ଭାବେ ଭାରତୀୟ ଲୋକତନ୍ତ୍ର ଉପରେ ନୂଆ କୃଷି ଆଇନର ଏହି ପ୍ରଭାବଗୁଡିକ ବିଷୟରେ ଅଜ୍ଞ ନଥିଲେ। କିନ୍ତୁ  ସାର୍ବଜନିକ ହିତ ବା ଲୋକତାନ୍ତ୍ରିକ ସିଦ୍ଧାନ୍ତ ପରିବର୍ତ୍ତେ ସେମାନଙ୍କର ପୂରା ଧ୍ୟାନ କେବଳ ଲାଭ ପ୍ରାପ୍ତିରେ ଲାଗିଛି ।

Protestors at Delhi’s gates were met with barricades, barbed wire, batons, and water cannons – not a healthy situation at all
PHOTO • Q. Naqvi
Protestors at Delhi’s gates were met with barricades, barbed wire, batons, and water cannons – not a healthy situation at all
PHOTO • Q. Naqvi

ଦିଲ୍ଲୀ ଦ୍ୱାରରେ ଥିବା ବିରୋଧ ପ୍ରଦର୍ଶନକାରୀମାନେ ବିଭିନ୍ନ ପ୍ରତିବନ୍ଧକ, କଣ୍ଟକିତ ତାର, ବାଟନ୍‌ ଓ ପାଣି କ୍ୟାନନ୍‌ର ସମ୍ମୁଖୀନ ହୋଇଥିଲେ -–ଯାହା କୌଣସି ଦିଗରୁ ଏକ ସୁସ୍ଥ ସ୍ଥିତି ନୁହେଁ

ଏଥିରେ ପରସ୍ପର ବିରୋଧାତ୍ମକ ମତ ରହିଥିବା ସମ୍ବନ୍ଧୀୟ ଭ୍ରାନ୍ତପୂର୍ଣ୍ଣ ଧାରଣାକୁ ଛାଡନ୍ତୁ। ଏହି ଗଣମାଧ୍ୟମ ମଧ୍ୟ ହେଉଛି ଏକ ନିଗମ। ସବୁଠାରୁ ବଡ଼ ଭାରତୀୟ ନିଗମର ବିଗ୍‌ବସ୍‌ ଦେଶର ସବୁଠାରୁ ଧନୀ ଓ ସବୁଠାରୁ ବଡ଼ ଗଣମାଧ୍ୟମର ମାଲିକ ମଧ୍ୟ । ‘ଅମ୍ବାନୀ’ ସେହି ନାମ ମଧ୍ୟରୁ ଗୋଟିଏ, ଯାହାର ନାମ  ଦିଲ୍ଲୀ ଦ୍ୱାରରେ ଉପସ୍ଥିତ ଥିବା ଚାଷୀମାନେ ସେମାନଙ୍କ ସ୍ଲୋଗାନ୍‌ରେ ଉଚ୍ଚାରଣ କରୁଛନ୍ତି। ଅନ୍ୟ ସ୍ଥାନଗୁଡିକରେ. ନିମ୍ନ ସ୍ତରରେ ମଧ୍ୟ, ଦୀର୍ଘ ସମୟ ଧରି ଫୋର୍ଥ ଇଷ୍ଟେଟ୍‌  (ପ୍ରେସ୍‌) ଓ ରିୟଲ୍‌ ଇଷ୍ଟେଟ୍‌ ( ସ୍ଥାବର ସମ୍ପତ୍ତି) ମଧ୍ୟରେ ରହିଥିବା ପାର୍ଥକ୍ୟ ନିର୍ଣ୍ଣୟ କରିବାକୁ ସକ୍ଷମ ହୋଇପାରିନାହୁଁ। ‘ମୁଖ୍ୟଧାରା’ର ଗଣମାଧ୍ୟମଗୁଡିକ ନିଗମର ହିତକୁ ନାଗରିକମାନଙ୍କ (କେବଳ ଚାଷୀମାନଙ୍କର ନୁହେଁ) ହିତଠାରୁ ଉପରେ ରଖିବାକୁ ଆପ୍ରାଣ ଉଦ୍ୟମ କରିଚାଲିଛି ।

ସେମାନଙ୍କର ଖବରକାଗଜ ଓ ଚ୍ୟାନେଲ୍‌ଗୁଡିକରେ, ରାଜନୈତିକ ରିପୋର୍ଟରେ (କେତେକ ଉଚ୍ଚକୋଟିର -–ଆଉ ସାମାନ୍ୟ – ବ୍ୟତିକ୍ରମ ସହିତ) ଚାଷୀଙ୍କର ଦୁଷ୍ପ୍ରଚାର କରାଯାଉଛି – ଧନି ଚାଷୀ କେବଳ ପଞ୍ଜାବରୁ, ଖଲିସ୍ଥାନୀ, ଠକ, କଂଗ୍ରେସୀ ଷଡଯନ୍ତ୍ରକାରୀ ଓ ଆହୁରି ଅନେକ – ଯାହା ଅବିରତ ଓ ଅହରହ ଚାଲିଛି ।

ଯେତେବେଳେ କି, ବଡ ଗଣମାଧ୍ୟମର ସମ୍ପାଦକୀୟ ଏକ ଭିନ୍ନ ଦିଗ ଆପଣାଇଛନ୍ତି । କୁମ୍ଭୀର କରୁଣା। ବାସ୍ତବରେ, ସରକାର ଏହାକୁ ଆହୁରି ଭଲ ଢଙ୍ଗରେ ପରିଚାଳନା କରିବା ଆବଶ୍ୟକ ଥିଲା । ବାସ୍ତବରେ ଏମାନେ ହେଉଛନ୍ତି ଭୁଲ୍‌ ତଥ୍ୟ ରଖୁଥିବା  ଗାଉଁଲି ସମୂହ ଯେଉଁମାନେ କିଛି ଦେଖି ପାରନ୍ତିନି, ହେଲେ,  ସେମାନଙ୍କୁ ସରକାରୀ ଅର୍ଥଶାସ୍ତ୍ରୀମାନଙ୍କର ଓ ପ୍ରଧାନମନ୍ତ୍ରୀଙ୍କର ପ୍ରତିଭାକୁ ବୁଝିବା ପାଇଁ ଉପଯୁକ୍ତ କରାଯିବା ଉଚିତ, ଯେଉଁମାନେ ଏପରି ଏକ ଯତ୍ନଶୀଳ ଆଇନ୍‌ ତିଆରି କରିଛନ୍ତି, ଯାହା ଚାଷୀ ଓ ବଡ଼ ଅର୍ଥ ବ୍ୟବସ୍ଥା ପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ । ଏହା କହିବା ପରେ, ସେମାନେ ଏହା ଉପରେ ଜୋର୍‌ ଦିଅନ୍ତି ଯେ ଏହି ଆଇନ୍‌ ମହତ୍ତ୍ୱପୂର୍ଣ୍ଣ ଓ ଆବଶ୍ୟକ ଅଟେ ଓ ଏହାକୁ ଲାଗୁ କରାଯିବା ଉଚିତ ।

ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ଏକ ସମ୍ପାଦକୀୟରେ ଏହା କୁହାଯାଇଛି ଯେ, “ଏହି ପୂରା ପ୍ରକରଣରେ ଦୋଷ ସୁଧାରରେ ନାହିଁ, (ଗୁରୁତ୍ୱାରୋପ କରାଯାଇଛି), ବରଂ ଯେଉଁ ପ୍ରକାରେ କୃଷି ଆଇନ୍‌କୁ ପାରିତ କରାଗଲା ଓ ସରକାରଙ୍କ ଯୋଗାଯୋଗର ରଣନୀତି ବା ଏହାର ଅଭାବ ଅଟେ । “ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଏ ବିଷୟରେ ମଧ୍ୟ ଚିନ୍ତିତ ଯେ ଏହି ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ଅନ୍ୟ ମହାନ୍‌ ଯୋଜନାଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହେବେ, ଯାହା “ତିନୋଟି କୃଷି ଆଇନ୍‌ ପରି’ “ଭାରତୀୟ କୃଷିର ବାସ୍ତବିକ କ୍ଷମତା ଦ୍ୱାରା ଲାଭାନ୍ୱିତ ହେବା ପାଇଁ  ସୁଧାର ଆବଶ୍ୟକ ଅଟେ ।’

ଟାଇମ୍‌ସ ଅଫ୍‌ ଇଣ୍ଡିଆ ଏହାର ସମ୍ପାଦକୀୟରେ କହିଛି ଯେ ସମସ୍ତ ସରକାରଙ୍କ ସମ୍ମୁଖରେ ଥିବା ପ୍ରାଥମିକ କାର୍ଯ୍ୟଟି ହେଉଛି, “ଚାଷୀମାନଙ୍କ ମଧ୍ୟରେ ଏମ୍‌ଏସ୍‌ପି ବ୍ୟବସ୍ଥାର ଆସନ୍ନ ଅବସାନ ନେଇ ରହିଥିବା ଭ୍ରମାତ୍ମକ ଧାରଣାକୁ ଦୂର କରିବା…” ଯାହାହେଲେ ମଧ୍ୟ, “କେନ୍ଦ୍ରର ସୁଧାର ପ୍ୟାକେଜ୍‌ ହେଉଛି କୃଷି ବ୍ୟାପାରରେ ବ୍ୟକ୍ତିଗତ ଭାଗିଦାରୀକୁ ଆହୁରି ସୁଦୃଢ କରିବା ପାଇଁ ଏକ ନିଷ୍ଠାପର ପ୍ରୟାସ । କୃଷି ଆୟ ଦୁଇଗୁଣ କରିବାର ଆଶା ଏହି ସୁଧାରର ସଫଳତା ଉପରେ ନିର୍ଭର କରୁଛି… “ ଆଉ ଏହିପରି ସୁଧାରଗୁଡିକ, “ଭାରତୀୟ ଖାଦ୍ୟ ବଜାରର ହାନିକାରକ ବିକୃତିଗୁଡିକୁ ମଧ୍ୟ ସୁଧାରିପାରିବ ।

PHOTO • Q. Naqvi

ଦିଲ୍ଲୀର ପ୍ରବେଶ ଦ୍ୱାରରେ କୃଷକମାନେ କେବଳ ଅନ୍ୟାୟପୂର୍ଣ୍ଣ ଆଇନ୍‌ ପ୍ରତ୍ୟାହାର ପାଇଁ ସଂଘର୍ଷ କରୁନାହାନ୍ତି, ବରଂ ସେମାନେ ଆମ ସମସ୍ତଙ୍କ ଅଧିକାର ପାଇଁ ଲଢୁଛନ୍ତି ।

ହିନ୍ଦୁସ୍ତାନ୍‌ ଟାଇମ୍‌ସର ସମ୍ପାଦକୀୟରେ କୁହାଯାଇଛି ଯେ, “ଏହି ପଦକ୍ଷେପ (ନୂଆ ଆଇନ୍‌)ର ଯୁକ୍ତିଯୁକ୍ତ ଆଧାର ରହିଛି ।  “ଆଉ” ଚାଷୀମାନଙ୍କୁ ଏହା ବୁଝିବାକୁ ହେବ ଯେ ଆଇନ୍‌ର ବାସ୍ତବିକତା ବଦଳିବ ନାହିଁ ।’’ ଅନ୍ୟପାଖରେ, ଏହା ଅଧିକ ସମ୍ବେଦନଶୀଳ ହେବା ଆବଶ୍ୟକ ବୋଲି ଏଥିରେ ବାରମ୍ବାର କୁହାଯାଉଛି । ଚାଷୀଙ୍କ ବିଷୟରେ ଏହାର ଧାରଣା ଏହା ଯେ ସେମାନେ “ଚରମ ପରିଚୟଗତ ବିଷୟ ସହିତ ଖେଳୁଛନ୍ତି” ଓ ଚରମ ବାକ୍‌ପଟୁତା ଓ ଗତିବିଧିର ଓକିଲାତି କରୁଛନ୍ତି ।

ସରକାର ବୋଧହୁଏ ଏହିସବୁ ପ୍ରଶ୍ନର ସମାଧାନ ଖୋଜୁଛନ୍ତି ଯେ ଅଜ୍ଞାତରେ କୃଷକମାନେ କେଉଁ ଷଡଯନ୍ତ୍ରକାରୀମାନଙ୍କ ପ୍ରତିନିଧିତ୍ୱ କରୁଛନ୍ତି, କାହାର ଇସାରାରେ କାମ କରୁଛନ୍ତି । ସମ୍ପାଦକୀୟ ଲେଖକ ଏହା ସ୍ପଷ୍ଟ ଭାବେ ଜାଣନ୍ତି ଯେ ସେମାନେ କାହାର ପ୍ରତିନିଧିତ୍ୱ କରୁଛନ୍ତି, ଆଉ ସେମାନେ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରୁଥିବା କର୍ପୋରେଟ୍‌ ପଞ୍ଝାକୁ କାମୁଡିବାର ବିପଦ ମୁଣ୍ଡେଇବାକୁ ଚାହୁଁନାହାନ୍ତି ।

ଏପରିକି ଉଦାରବାଦୀ ଓ ସବୁଠାରୁ କମ୍‌ ପକ୍ଷପାତୀ ଟେଲିଭିଜନ୍‌ ଚ୍ୟାନେଲ୍‌ରେ ମଧ୍ୟ ଯେଉଁ ପ୍ରଶ୍ନ ଉପରେ ଚର୍ଚ୍ଚା ହେଉଛି ସେ ପ୍ରଶ୍ନଗୁଡିକ ମଧ୍ୟ ସରକାର ଓ ଏହାର ଅନୁରୋଧ ରକ୍ଷା କରୁଥିବା ବିଶେଷଜ୍ଞ ଆଉ ବୁଦ୍ଧିଜୀବୀଙ୍କ ଢାଞ୍ଚା ଭିତରେ ରହିଥାଏ ।

କେବେ ମଧ୍ୟ ଏହିପରି ପ୍ରଶ୍ନ ଉପରେ ଗମ୍ଭୀରତା ସହିତ ଧ୍ୟାନ ଦିଆଯାଏନାହିଁ : ଏବେ କାହିଁକି? ଆଉ ଶ୍ରମ ଆଇନକୁ ମଧ୍ୟ ଏତେ ତରବରିଆ ଭାବେ କାହିଁକି ପାରିତ କରାଗଲା? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ନିର୍ବାଚନରେ ଭାରି ବହୁମତରେ ଜିତି ଥିଲେ । ତାଙ୍କ ପାଖରେ ଆହୁରି ପ୍ରାୟ ୨-୩ ବର୍ଷ ପର୍ଯ୍ୟନ୍ତ ଏହି ବହୁମତ ରହିବ । ଭାରତୀୟ ଜନତା ପାର୍ଟି ସରକାରକୁ ଏପରି କାହିଁକି ଲାଗିଲା ଯେ ମହାମାରୀର ଚରମ ଅବସ୍ଥା ଏହି ଆଇନ୍‌ ପାରିତ କରାଯିବା ପାଇଁ ସବୁଠାରୁ ଭଲ ସମୟ ଅଟେ – ଯେତେବେଳେ କି ମହାମାରୀ ସମୟରେ ଏପରି ଅନ୍ୟାନ୍ୟ ହଜାର ହଜାର ଜିନିଷ ଅଛି ଯାହା ଉପରେ ତତ୍କାଳ ଧ୍ୟାନ ଦିଆଯିବା ଉଚିତ?

ଠିକ୍‌ କଥା, ସେ ଏହା ଅନୁମାନ କରିଥିଲେ ଯେ ଏହା ହେଉଛି ସେହି ସମୟ, ଯେତେବେଳେ କୋଭିଡ୍‌-19 ଦ୍ୱାରା ହତୋତ୍ସାହିତ, ମହାମାରୀରେ ପୀଡ଼ିତ ଚାଷୀ ଓ ଶ୍ରମିକମାନେ କେବେ ମଧ୍ୟ ଫଳପ୍ରଦଭାବେ ସଂଗଠିତ ହୋଇପାରିବେ ନାହିଁ କିମ୍ବା ଏହାର ବିରୋଧ କରିପାରିବେ ନାହିଁ । ସଂକ୍ଷେପରେ କହିଲେ, ଏହା କେବଳ ଭଲ ନୁହେଁ ବରଂ ସର୍ବୋତ୍ତମ ସମୟ ଥିଲା । ଏଥିରେ ସେମାନଙ୍କୁ ନିଜର ବିଶେଷଜ୍ଞମାନଙ୍କ ସାହାଯ୍ୟ ମଧ୍ୟ ମିଳିଲା, ଯେଉଁମାନଙ୍କ ମଧ୍ୟରେ କିଛି ଜଣଙ୍କୁ ‘ଏକ ଦ୍ୱିତୀୟ ୧୯୯୧’ର ସ୍ଥିତି ଦେଖାଗଲା, ଧୈର୍ଯ୍ୟଚ୍ୟୁତ କରି, ଦୁଃସ୍ଥିତି ଓ ଅରାଜକତା ସୃଷ୍ଟି କରି ବଳପୂର୍ବର ମୌଳିକ ସୁଧାର ଆଣିବାକୁ ସୁଯୋଗ ମିଳିଗଲା। ଆଉ ପ୍ରମୁଖ ସମ୍ପାଦକମାନଙ୍କ ଦ୍ୱାରା ଯେଉଁମାନେ ବ୍ୟବସ୍ଥାକୁ “ଏକ ଭଲ ସଂକଟକୁ ବର୍ବାଦ ନକରିବାକୁ” ନିବେଦନ କରୁଛନ୍ତି । ଆଉ ଜଣେ ନୀତି ଆୟୋଗର ପ୍ରମୁଖଙ୍କ ଦ୍ୱାରା ଯିଏ ଭାରତ “ମାତ୍ରାଧିକ ଗଣତାନ୍ତ୍ରିକ’’ ହେବା ଯୋଗୁଁ ନିଜେ ଅପ୍ରସନ୍ନ ଥିବା ଘୋଷଣା କରିଛନ୍ତି।

ଆଉ ଏହି ମହତ୍ତ୍ୱପୂର୍ଣ୍ଣ ଆଇନ୍‌ ସମ୍ବନ୍ଧୀୟ ପ୍ରଶ୍ନ ଯେ ଏହା ଅସମ୍ବିଧାନିକ ଅଟେ, ଏହା ଉପରେ ଉପରଠାଉରିଆ ଓ ଅସମ୍ବେଦନଶୀଳ ଟିପ୍ପଣୀ କାରଯାଉଛି। କେନ୍ଦ୍ର ସରକାର ରାଜ୍ୟ ସୂଚୀର ଏପରି ଏକ ବିଷୟ ଉପରେ ଆଇନ୍‌ ତିଆରି କରିବାକୁ ଯାଉଛନ୍ତି ଯାହା ଉପରେ ତାଙ୍କର କୌଣସି ଅଧିକାର ନାହିଁ ।

PHOTO • Binaifer Bharucha

କେବଳ ପଞ୍ଜାବ ନୁହେଁ, ୨୦୧୮ ନଭେମ୍ବରରେ ୨୨ଟି ରାଜ୍ୟ ଓ ଚାରି କେନ୍ଦ୍ରଶାସିତ ଅଞ୍ଚଳର ଚାଷୀମାନେ ମିଳିତ ଭାବେ ବର୍ତ୍ତମାନର ବିରୋଧକାରୀଙ୍କ ସହ ପ୍ରାୟ ସମାନ ଦାବି ସହିତ ଦିଲ୍ଲୀରେ ସଂସଦ ଭବନକୁ ପଦଯାତ୍ରା କରିଥିଲେ

ଏହି ଖବରକାଗଜଗୁଡିକର ସମ୍ପାଦକୀୟରେ  ଏହି କଥା ଉପରେ ମଧ୍ୟ ଅଧିକ ଚର୍ଚ୍ଚା ହେଉନି ଯେ ଚାଷୀମାନେ ଏହି ମାମଲାର ସମାଧାନ କରିବା ପାଇଁ ସମିତି ଗଠନ କରିବାର ସରକାରଙ୍କର ପ୍ରସ୍ତାବକୁ ଏପରି ଅବମାନନା କରି କିପିରି ଖାରିଜ କରିପାରିଲେ । ପୂରା ଦେଶରେ ପ୍ରତ୍ୟେକ ଚାଷୀ ଯଦି କୌଣସି ସମିତିର ରିପୋର୍ଟକୁ ଜାଣିଛି ଓ ତାହାକୁ ଲାଗୁ କରିବାକୁ ଦାବି କରିଥାଏ, ତାହା କେବଳ ରାଷ୍ଟ୍ରୀୟ ଚାଷୀ ଆୟୋଗ ଅଟେ – ଯାହାକୁ ସେମାନେ ‘ସ୍ୱାମୀନାଥନ୍‌ ରିପୋର୍ଟ ’ ବୋଲି କୁହନ୍ତି । କଂଗ୍ରେସ ୨୦୦୪ରୁ ଆଉ ଭାଜପା ୨୦୧୪ରୁ ସେହି ରିପୋର୍ଟକୁ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ସେହି ରିପୋର୍ଟକୁ ସମାଧି ଦେବାକୁ ପ୍ରତିଯୋଗିତାରେ ସାମିଲ ହୋଇଛି ।

ଆଉ, ହଁ, ନଭେମ୍ବର ୨୦୧୮ ରେ ୧, ୦୦,୦୦୦ରୁ ଅଧିକ ଚାଷୀ ଦିଲ୍ଲୀରେ ସଂସଦ ପାଖରେ ଏକତ୍ରୀତ ହୋଇଥିଲେ ଆଉ ସେହି ରିପୋର୍ଟର ପ୍ରମୁଖ ସୁପାରିଶଗୁଡିକୁ ଲାଗୁ କରିବାକୁ ଦାବି କରିଥିଲେ। ସେମାନେ ଋଣ କ୍ଷମା, ନ୍ୟୁନତମ ସମର୍ଥନ ମୂଲ୍ୟର ଗ୍ୟାରେଣ୍ଟି ଆଉ କୃଷି ସଂକଟ ଉପରେ ଚର୍ଚ୍ଚା କରିବାକୁ ସଂସଦର ବିଶେଷ ଅଧିବେଶନ ଡାକିବା ସହିତ ଆହୁରି ଅନେକ ଦାବି ରଖିଥିଲେ । ସଂକ୍ଷେପରେ ଚାଷୀମାନଙ୍କର ସେହି ଅନେକ ଜିନିଷମଧ୍ୟରୁ ଗୋଟିଏ ମାତ୍ର ଦାବି ଯାହା ଚାଷୀମାନେ ଏବେ ଦିଲ୍ଲୀ ଦରବାରରେ ଆହ୍ୱାନ କରୁଛନ୍ତି ତାହା ଅସାମାନ୍ୟ ପରିଶ୍ରମଯୁକ୍ତ କାମ ଅଟେ । ଆଉ ସେମାନେ କେବଳ ପଞ୍ଜାବ ନୁହେଁ, ବରଂ ୨୨ ରାଜ୍ୟ ଓ ଚାରି କେନ୍ଦ୍ରଶାସିତ ପ୍ରଦେଶରୁ ଆସିଥିଲେ ।

ଚାଷୀମାନେ – ଯେଉଁମାନେ ଏକ କପ୍‌ ଚା ରୂପରେ ସରକାରଙ୍କର ଅନ୍ୟ ବହୁତ କିଛି ଜିନିଷ ସ୍ୱୀକାର କରିବାକୁ ମନା କରିଦେଲେ – ଆମକୁ ଏହା ଦେଖେଇବାକୁ ଚେଷ୍ଟା କରୁଛନ୍ତି କି ସରକାର ସେମାନଙ୍କ ବିଷୟରେ ଯାହା ଅନୁମାନ କରିଥିଲେ ଯେ ଡର ଓ ହତାଶା କାରଣରୁ ସେମାନେ ଏକତ୍ରୀତ ହୋଇ ପାରିବେ ନାହିଁ, ସେହି ଅନୁମାନ ପୂରା ଭୂଲ୍‌ ଥିଲା । ସେମାନେ ନିଜର (ଆଉ ଆମର) ଅଧିକାର ପାଇଁ ପ୍ରଥମରୁ ଛିଡା ହୋଇଥିଲେ ଆଉ ଆଗକୁ ମଧ୍ୟ ରହିବେ ଓ ନିଜକୁ ବଡ଼ ବିପଦରେ ପକାଇ ମଧ୍ୟ ଏହି ଆଇନ୍‌ର ବିରୋଧ କରିବେ ।

ସେମାନେ ବାରମ୍ବାର ଆଉ ଏକ କଥା ମଧ୍ୟ କହୁଛନ୍ତି. ଯାହାକୁ ‘ମୁଖ୍ୟଧାରା’ର ଗଣମାଧ୍ୟମ ଅଣଦେଖା କରୁଛି । ସେମାନେ ଆମକୁ ବାରମ୍ବାର ଏହା ଚେତାବନୀ ହେଉଛନ୍ତି ଯେ ଭୋଜନ ଉପରେ କର୍ପୋରେଟ୍‌ର ନିୟନ୍ତ୍ରଣ ରହିଲେ ଦେଶ ଉପରେ କ’ଣ ପ୍ରଭାବ ପଡ଼ିବ। କ’ଣ ଆପଣ ଗତ କିଛି ଦିନ ମଧ୍ୟରେ ଏହା ଉପରେ କୌଣସି ସମ୍ପାଦକୀୟ ଦେଖିଛନ୍ତି?

ସେମାନଙ୍କ ମଧ୍ୟରୁ ଅଳ୍ପ କିଛି ଲୋକ ଏହା ଜାଣନ୍ତି ଯେ ସେମାନେ କେବଳ ନିଜ ପାଇଁ ବା ପଞ୍ଜାବ ପାଇଁ ଏହି ତିନି ଆଇନକୁ ପ୍ରତ୍ୟାହାର କରିବା ପାଇଁ ନୁହେଁ ବରଂ ଏହାଠାରୁ ବହୁତ ବଡ଼ ଏକ ଲଢ଼େଇ ଲଢୁଛନ୍ତି । ସେହି ଆଇନ୍‌ଗୁଡିକୁ ପ୍ରତ୍ୟାହାର କରିବା ଦ୍ୱାରା ଏଥିରେ ବହୁତ କିଛି ଲାଭ ମିଳିବନି, ଆମେ ପୁଣି ସେଠାରେ ପହଞ୍ଚିଯିବା ଯେଉଁଠାରୁ ଆମେ ଆରମ୍ଭ କରିଥିଲେ – ଯାହା କେବେ ମଧ୍ୟ ଏକ ଭଲ ସ୍ଥାନ ନୁହେଁ । ଏକ ଭୟଙ୍କର ଆଉ ବର୍ତ୍ତମାନ ଜାରି ରହିଥିବା କୃଷି ସଙ୍କଟ ଆଡକୁ । କିନ୍ତୁ ଏହା କୃଷି ଦୁର୍ଗତିର ଏହି  ନୂଆ ବୃଦ୍ଧିକୁ ଅବରୋଧ କରିବ ବା ତାହାର ଗତି କମାଇ ଦେବ । ଆଉ ହଁ, ‘ମୁଖ୍ୟଧାରାର ଗଣମାଧ୍ୟମର ବିପରୀତ, କୃଷକ ଏହି ଆଇନ୍‌ରେ ନାଗରିକଙ୍କ ସମ୍ବିଧାନିକ ଉପଚାର ଅଧିକାରକୁ ଅକାମୀ କରିବା ଓ ଆମର ଅଧିକାରକୁ ସମାପ୍ତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦେଖୁଛନ୍ତି । ଆଉ ଯଦିଓ ସେମାନେ ଏହାକୁ ଏହି ଦୃଷ୍ଟିକୋଣରୁ ଦେଖି ପାରୁନାହାନ୍ତି ବା ବ୍ୟକ୍ତ କରି ପାରୁନାହାନ୍ତି. ତଥାପି ସେମାନଙ୍କର ରକ୍ଷା ପାଇଁ ସମ୍ବିଧାନର ମୂଳ ସଂରଚନା ଓ ସ୍ୱୟଂ ଲୋକତନ୍ତ୍ର ଉପସ୍ଥିତ ଅଛି ।

ପ୍ରଚ୍ଛଦ ଅଙ୍କନ : ପ୍ରିୟଙ୍କା ବୋରାର୍ ହେଉଛନ୍ତି ଜଣେ ନୂଆ ମିଡିଆ କଳାକାର ଯିଏ ଅର୍ଥ ଓ ଅଭିବ୍ୟକ୍ତିର ନୂଆ ରୂପ ଆବିଷ୍କାର କରିବାକୁ ବିଭିନ୍ନ ଟେକ୍ନୋଲୋଜିର ପ୍ରୟୋଗ କରୁଛନ୍ତି । ସେ ଲେଖିବା ଓ ଶିଖିବା ପାଇଁ ଅନୁଭବକୁ ରୂପରେଖ ପ୍ରଦାନ କରୁଛନ୍ତି. ଇଣ୍ଟରଆକ୍ଟିଭ୍‌ ମିଡିଆ ସହିତ କାମ କରୁଛନ୍ତି ଓ ପାରମ୍ପରିକ କଲମ ଓ କାଗଜ ସହିତ ମଧ୍ୟ ସହଜରେ କାମ କରିପାରୁଛନ୍ତି ।

ଏହି ଆଲେଖର ଏକ ସଂସ୍କରଣ ପ୍ରଥମେ ଦ ୱାଇର୍‌ରେ ଡିସେମ୍ବର ୦୯,୨୦୨୦ ରେ ପ୍ରକାଶିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath