ମମତା ପାରେଦ ପରୀରେ ଆମର ସହଯୋଗୀ ଥିଲେ। ସେ ଜଣେ ବିରଳ ପ୍ରତିଭା ସମ୍ପନ୍ନ ଓ ସଂକଳ୍ପବଦ୍ଧ ଯୁବ ସାମ୍ବାଦିକା ଥିଲେ। ୧୧ ଡିସେମ୍ବର ୨୦୨୨ରେ ତାଙ୍କର ଅକାଳ ବିୟୋଗ ଘଟିଥିଲା।
ତାଙ୍କ ବିୟୋଗର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ, ଆମେ ଆପଣଙ୍କ ନିକଟକୁ ନେଇ ଆସିଛୁ ଏକ ସ୍ୱତନ୍ତ୍ର ପଡ୍କାଷ୍ଟ ଯେଉଁଥିରେ ଆପଣ ମମତାଙ୍କ ସ୍ୱରରେ ତାଙ୍କ ନିଜର ଲୋକ - ମହାରାଷ୍ଟ୍ର ପାଲଘର ଜିଲ୍ଲାର ୱଡ଼ା ତାଲୁକାରେ ରହୁଥିବା ୱର୍ଲି ନାମକ ଏକ ଆଦିବାସୀ ସମ୍ପ୍ରଦାୟର କଷ୍ଟ ବିଷୟରେ ଶୁଣିପାରିବେ। ପରଲୋକର କିଛି ମାସ ପୂର୍ବରୁ ସେ ଏହି ଅଡିଓ ରେକର୍ଡ କରିଥିଲେ।
ମୌଳିକ ସୁବିଧା ଓ ଅଧିକାର ପାଇଁ ସେମାନଙ୍କ ସଂଘର୍ଷ ବିଷୟରେ ମମତା ଲେଖିଥିଲେ। ଜଣେ ନିର୍ଭିକା ସାମ୍ବାଦିକା ଭାବେ, ସେ ଛୋଟ ଛୋଟ ପଡ଼ାରୁ ଖବର ସଂଗ୍ରହ କରୁଥିଲେ ଯେଉଁ ସ୍ଥାନ ମାନଚିତ୍ରରେ ମଧ୍ୟ ସହଜରେ ଦେଖିବାକୁ ମିଳିନଥାଏ। ସେ କ୍ଷୁଧା, ଶିଶୁ ଶ୍ରମିକ, ବନ୍ଧୁଆ ଶ୍ରମିକ, ବିଦ୍ୟାଳୟ ପାଠପଢ଼ାର ଅଭାବ, ଜମି ଅଧିକାର, ବିସ୍ଥାପନ ଜୀବିକା ଓ ଆହୁରି ଅନେକ ପ୍ରସଙ୍ଗରେ ଲେଖୁଥିଲେ।



