“ବିଷମତାରେ ଖରାପ କଥା କ’ଣ?” ବାଙ୍ଗାଲୋରର ଏକ ବେସରକାରୀ ସ୍କୁଲରେ ‘ପରୀ’ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ବିସ୍ମୟଭରା ସ୍ୱରରେ ଜଣେ ଛାତ୍ର ପଚାରିଲେ।
“ଜଣେ କିରାନା (ଛୋଟ ତେଜରାତି ଦୋକାନ) ମାଲିକଙ୍କର ଛୋଟ ଦୋକାନଟିଏ ଏବଂ ଅମ୍ବାନିଙ୍କ ପାଖରେ ତାଙ୍କର ବଡ଼ ବ୍ୟବସାୟ ରହିଛି। ଏହାର କାରଣ, ସେମାନେ କେତେ କଠିନ ପରିଶ୍ରମ କରୁଛନ୍ତି। ଯେଉଁ ଲୋକମାନେ କଠିନ ପରିଶ୍ରମ କରନ୍ତି, ସେମାନେ ସଫଳ ହୁଅନ୍ତି,” ନିଜ ତର୍କ ଉପରେ ଗଭୀର ବିଶ୍ୱାସ ସହିତ ଛାତ୍ର ଜଣକ କହନ୍ତି।
ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ନ୍ୟାୟ ହାସଲ କ୍ଷେତ୍ରରେ ଅସମାନତା ସଂପର୍କିତ ‘ପରୀ’ର ଗୋଟିଏ ରିପୋର୍ଟରୁ ହିଁ ଏଠାରେ ‘ସଫଳତା’ର ରହସ୍ୟ ଉନ୍ମୋଚିତ ହୋଇପାରିବ। ଚାଷଜମିରେ, ଜଙ୍ଗଲରେ, ସହରତଳି ଅଞ୍ଚଳରେ ଏବଂ ଅନ୍ୟାନ୍ୟ କେତେକ କ୍ଷେତ୍ରରେ କଠିନ ପରିଶ୍ରମ କରୁଥିବା ଲୋକଙ୍କ ଜୀବନ ଉପରେ ଆଲୋକପାତ କରି ହିଁ ଶ୍ରେଣୀଗୃହ ଭିତରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇପାରିବ।
ଆମ ସମୟର ବିଭିନ୍ନ ସମସ୍ୟାକୁ ‘ପରୀ’ର ସାମ୍ବାଦିକମାନଙ୍କ ଜରିଆରେ ଶ୍ରେଣୀଗୃହରେ ଉପସ୍ଥାପନ କରିବା ହେଉଛି ଶିକ୍ଷା କ୍ଷେତ୍ରରେ ଆମ କାର୍ଯ୍ୟଧାରାର ଆଭିମୁଖ୍ୟ। ଉଭୟ ସହରୀ ଏବଂ ଗ୍ରାମୀଣ ଭାରତର ବିଭିନ୍ନ ବିଦ୍ୟାଳୟରେ ଏବଂ ବିଶ୍ୱବିଦ୍ୟାଳୟରେ, ଫଟୋ, ଚଳଚ୍ଚିତ୍ର, ସଙ୍ଗୀତ ଏବଂ କଳା ମାଧ୍ୟମରେ ବାସ୍ତବ ଦୁନିଆର ବିଭିନ୍ନ ଦିଗକୁ ଆମେ ତୋଳି ଧରିବାକୁ ପ୍ରୟାସ କରୁ।
ଚେନ୍ନାଇର ଜଣେ ହାଇସ୍କୁଲ ଛାତ୍ର ଅର୍ଣ୍ଣବଙ୍କ ଭଳି ପିଲାମାନେ ସ୍ୱୀକାର କରନ୍ତି, “ଆମେ ସେମାନଙ୍କୁ (ସାମାଜିକ-ଅର୍ଥନୈତିକ ସ୍ତର ଦୃଷ୍ଟିରୁ ତଳ ଶ୍ରେଣୀର ଲୋକଙ୍କୁ) କେବଳ ପରିସଂଖ୍ୟାନର ଉପାଦାନ ରୂପେ ଗ୍ରହଣ କରିଥାଉ। ବାସ୍ତବରେ ସେମାନେ ବି ଆମ ଭଳି ଲୋକ ଏବଂ ଆମ ଭଳି ସମାନ ସ୍ଥିତି ଦେଇ ଗତି କରନ୍ତି ବୋଲି ଆମେ ଭୁଲିଯାଉ।”












