ସେ ମତେ ମାରନ୍ତି ବିନା ଅପରାଧରେ । ତାଙ୍କ ମନ ସନ୍ଦେହ ଆଚ୍ଛନ୍ନ।
ମୋ ଗ୍ରାମୀଣ ମାଲିକ ମାରନ୍ତି ମତେ ବିନା ଦୋଷ ରେ।
ଗୋଟିଏ ଲୋକଗୀତର ଆରମ୍ଭରେ ଏପରି ଧାଡ଼ି ନିଶ୍ଚୟ ଅତି ଚମକପ୍ରଦ। ତେବେ, ଗୁଜରାଟର କଚ୍ଛ ଅଞ୍ଚଳର ଏହି ଲୋକଗୀତଟି ସ୍ଥାନୀୟ ସୀମା ଡେଇଁ ଯେଉଁ ନିଷ୍ଠୁର ବାସ୍ତବତାର ବର୍ଣ୍ଣନା କରେ ତାହା ଅତ୍ୟଧିକ ଭାବେ ସତର୍କ କରାଏ।
ସ୍ତ୍ରୀଙ୍କୁ ମାରିବା ସମେତ ଅନ୍ତରଙ୍ଗ ସାଥୀଙ୍କ ହିଂସ୍ରତା ଏହା ଭିତରେ ଏକ ବୈଶ୍ୱିକ ସମସ୍ୟାରେ ପରିଣତ ହୋଇଛି। ଏହା ଉଭୟ ମହିଳାଙ୍କର ମାନବିକ ଅଧିକାର ଉଲ୍ଲଂଘନ, ଓ ଜନସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ। ମହିଳାଙ୍କ ପ୍ରତି ହିଂସ୍ର ଆଚରଣ ବାବଦରେ ୟୁଏନର ଗ୍ଲୋବାଲ ଡାଟାବେସ ( UN’s global database ) ଅନୁଯାୟୀ, ପ୍ରତି ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣେ ନିଜ ସାଥୀଙ୍କ ଦ୍ଵାରା ଶାରୀରିକ ଓ ଯୌନଗତ ହିଂସାର ଶିକାର ହେଉଛନ୍ତି।
ସ୍ଵାମୀଙ୍କର ନିଜ ସ୍ତ୍ରୀଙ୍କୁ ମାରିବା ପିଟିବା କେତେ ଯୁକ୍ତିଯୁକ୍ତ?
ଏ ସମ୍ପର୍କରେ ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ଭେ ୨୦୧୯-୨୧ରେ ( NFHS 5 ) ପ୍ରଦତ୍ତ ପ୍ରଶ୍ନାବଳୀର ୩୦ ପ୍ରତିଶତରୁ ଅଧିକ ମହିଳା ଓ ୨୮ ପ୍ରତିଶତରୁ ଅଧିକ ପୁରୁଷ ସମ୍ମତିସୂଚକ ଉତ୍ତର ଦେଇଥିଲେ। କ’ଣ ପାଇଁ ଏହି ଉତ୍ତରଦାତାମାନେ ସ୍ତ୍ରୀଙ୍କୁ ପିଟିବାର ଯଥେଷ୍ଟ କାରଣ ରହିଛି ବୋଲି ମନେ କରନ୍ତି? ଏକାଧିକ କାରଣ ମଧ୍ୟରେ ରହିଛି, ଅବିଶ୍ୱସ୍ତତାର ସନ୍ଦେହ, ଯୁକ୍ତିତର୍କ କରିବା, ସମ୍ଭୋଗ ପାଇଁ ରାଜି ନହେବା, ସ୍ୱାମୀଙ୍କୁ ନଜଣାଇ ବାହାରକୁ ଯିବା, ଘରର କାମଦାମ ପ୍ରତି ଧ୍ୟାନ ନଦେବା ଓ ଭଲ ଖାଦ୍ୟ ରାନ୍ଧି ନପାରିବା, ଇତ୍ୟାଦି।
ପ୍ରାୟତଃ ରାଷ୍ଟ୍ରୀୟ ପରିସଂଖ୍ୟାନଗତ ସର୍ଭେ ପରି, କିନ୍ତୁ ଅଧିକ ଆକର୍ଷଣୀୟ ଭାବେ ଲୋକଗୀତଗୁଡ଼ିକ ଆମକୁ ମନସ୍ତାତ୍ତ୍ଵିକ ବିଶ୍ଳେଷଣ ଯୋଗାଏ। ଏହା ମହିଳାମାନଙ୍କର ଅନ୍ତର୍ନିହିତ ଦୁନିଆର ଜଟିଳ ଆବେଗିକ ଓ ଭାବନାତ୍ମକ ସ୍ଥିତି, ତଥା ସେମାନଙ୍କ ଗୋଷ୍ଠୀର କାର୍ଯ୍ୟକଳାପ ବାବଦରେ ଜଣାଇଥାଏ।
ଏହି ଗୀତଗୁଡିକୁ ପୀଡ଼ିତମାନଙ୍କ ସମ୍ପର୍କରେ ଦସ୍ତାବିଜ ବୋଲି ଆପଣ ହୁଏତ କହି ପାରନ୍ତି ବା କହି ନପାରନ୍ତି। ଉଦାହରଣ ସ୍ଵରୂପ, ଏଠାରେ ଉପସ୍ଥାପିତ ଗୀତଟି ବାବଦରେ ଆମେ ନିଶ୍ଚିତ ନୁହଁ ଯେ ଗୀତଟିର ମିଠାମିଠା ନାରୀ ସ୍ଵର କେବଳ ଧୂର୍ତ୍ତ ଅପବାଦ ପାଇଁ ପାଦ ଚିପିଚିପି ପଶି ଆସୁଛି, ନା ଏକ ପାରମ୍ପରିକ ପଦାବୃତ୍ତିର ଉପସ୍ଥାପନା। କିମ୍ବା ଆମେ ନିଶ୍ଚିତ ଭାବେ କହି ପାରିବା କି ଯେ ସେ ସ୍ଵାମୀଙ୍କୁ “ମାଳାଧାରୀ ରାଣୋ” ବୋଲି ସମ୍ବୋଧନ କଲାବେଳେ ତାହା ସମ୍ମାନସୂଚକ, ନା ତାହା ତାଙ୍କ ଭିତରେ ଲୁକ୍କାୟିତ ବିରୋଧର ସୂଚନା।
ମହିଳାଙ୍କୁ ନ୍ୟାୟ ଦେବାକୁ ବା ପ୍ରଭାବଶାଳୀ ସାମାଜିକ ଭିତ୍ତିକୁ ଦୋହଲାଇ ଦେବା କ୍ଷମତା ଗୀତଟିର ନଥାଇପାରେ। କିନ୍ତୁ ଏଭଳି ଗୀତଗୁଡ଼ିକ ଜଣେ ନାରୀ ବିତାଉଥିବା ଦୈନନ୍ଦିନ ଜୀବନର ଭୟଙ୍କର ବାସ୍ତବତା ବାବଦରେ କହିବା ପାଇଁ ସୁଯୋଗ ଦେଉଛି। ସେହି ଗୀତଗୁଡ଼ିକର କ୍ଷମତାପନ୍ନ, ସ୍ପଷ୍ଟ, ସାଙ୍ଗୀତିକ ଧାରା ମାଧ୍ୟମରେ ଜଣେ ନାରୀ ଅନ୍ୟ କାହାକୁ କହି ପାରୁନଥିବା କଠିନ କଷ୍ଟକୁ ପ୍ରକାଶ କରିଦେଇ ପାରେ। ଗୋଟିଏ ପରିଚିତ ସ୍ଵରର ଆଶ୍ଵସ୍ତି ଓ ଉଷ୍ମତା ମଧ୍ୟରେ ସେ ହୁଏତ ତା’ ଜୀବନର ଅସହ୍ୟ ସତ୍ୟକୁ ବାନ୍ଧି ଦେଇପାରେ ଓ ତାକୁ କୌଣସି ସୌହାର୍ଦ୍ଦ୍ୟ ମିଳୁ ନଥିବା ସମାଜରେ ଆଉ ଗୋଟିଏ ଦିନ ବଞ୍ଚିବାର ଶକ୍ତି ସଂଗ୍ରହ କରିପାରେ।


