‘କିଏ ଜାଣିଥିଲା, ଜରୁରି ପରିସ୍ଥିତି ଏକ ନୂଆ ରୂପରେ ଆସିବ
ଏଣିକି ଏକଛତ୍ରବାଦର ନାଁ ବଦଳାଇ ଗଣତନ୍ତ୍ର କରି ଦିଆଯିବ’
ବର୍ତ୍ତମାନ, ଯେତେବେଳେ ଅସହମତିକୁ ଚାପି ଦିଆଯାଉଛି ଏବଂ ଅସହମତି ବ୍ୟକ୍ତ କରୁଥିବା ଲୋକକୁ ଚୁପ୍ କରି ଦିଆଯାଉଛି କିମ୍ବା ଜେଲରେ ବନ୍ଦ କରି ଦିଆଯାଉଛି ଅଥବା ଉଭୟ ଦଣ୍ଡ ମିଳୁଛି ସେହି ସମୟରେ ବିପ୍ଲବ ସଂଗୀତର ଏହି ପଦଗୁଡ଼ିକ ପ୍ରାସଙ୍ଗିକ ହୋଇପଡ଼ିଛି। ଚାଷୀ ଓ କୃଷି ଶ୍ରମିକ - କିଷାନ୍ ଓ ମଜଦୁର୍ - ଲାଲ, ସବୁଜ ଓ ହଳଦିଆ ପତାକା ହାତରେ ଧରି ନିଜ ହକ୍ ପାଇଁ ଶୋଭାଯାତ୍ରା କରି ରାମଲୀଳା ମୈଦାନରେ ଏକାଠି ହୋଇଛନ୍ତି।
ଏସକେଏମ (ସଂଯୁକ୍ତ କିଷାନ ମୋର୍ଚ୍ଚା) ମିଳିତ ମଞ୍ଚ ଅଧୀନରେ ଏଆଇକେଏସ୍ (ସର୍ବଭାରତୀୟ କିଷାନ ସଭା), ବିକେୟୁ (ଭାରତୀୟ କିଷାନ ୟୁନିଅନ୍), ଏଆଇକେକେଏମଏସ୍ (ସର୍ବଭାରତୀୟ କିଷାନ କ୍ଷେତ ମଜଦୁର ସଂଗଠନ) ଏବଂ ଅନ୍ୟାନ୍ୟ ସଂଗଠନର କୃଷିବିତ୍ମାନେ ୧୪ ମାର୍ଚ୍ଚ, ୨୦୨୪ରେ କିଷାନ ମଜଦୁର ମହାପଞ୍ଚାୟତରେ ଅଂଶଗ୍ରହଣ କରିବା ଲାଗି ଏହି ଐତିହାସିକ ପଡ଼ିଆରେ ଏକାଠି ହୋଇଥିଲେ।
‘‘ତିନୋଟି କୃଷି ଆଇନ ଉଚ୍ଛେଦ ହେବା ପରେ ସରକାର କେତେକ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେଗୁଡ଼ିକ ବର୍ତ୍ତମାନ ସୁଦ୍ଧା ଅଧୁରା ରହିଯାଇଛି। ବର୍ତ୍ତମାନ ସେମାନେ ସେହିସବୁ ପ୍ରତିଶ୍ରୁତି ପୂରଣ କରିବା ଉଚିତ୍। ୱର୍ନା ହମ୍ ଲଢ଼େଙ୍ଗେ ଔର୍ ଲଢ଼ତେ ରହେଙ୍ଗୋ (ନଚେତ୍ ଆମେ ଲଢ଼ିବୁ ଓ ଲଢ଼ିବା ଜାରି ରଖିବୁ),’’ କାଲାନ୍ ଗ୍ରାମର ଜଣେ ମହିଳା ଚାଷୀ ପ୍ରେମମତୀ ପରୀକୁ କହିଥିଲେ। ସେ ଦର ଆଶ୍ୱାସନା ଓ କୃଷି ସେବା ଉପରେ କୃଷକ (ସଶକ୍ତିକରଣ ଓ ସୁରକ୍ଷା) ରାଜିନାମା ଆଇନ ୨୦୨୦, କୃଷକ ଉତ୍ପାଦ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦ ବିଷୟରେ ଉଲ୍ଲେଖ କରିଥିଲେ।
‘‘ଆମେ ତିନି ବର୍ଷ ପୂର୍ବରୁ (ମଧ୍ୟ) ଆନ୍ଦୋଳନ ପାଇଁ ଏଠାକୁ ଆସିଥିଲୁ,’’ ସେ କହିଥିଲେ। ମହାପଞ୍ଚାୟତରେ ଯୋଗ ଦେବାକୁ ଉତ୍ତର ପ୍ରଦେଶର ଶାହାଜାହାଁପୁରରୁ ଆସିଥିବା ତିନି ଜଣ ମହିଳା ଚାଷୀଙ୍କ ମଧ୍ୟରେ ପ୍ରେମମତୀ ଅନ୍ୟତମ ଥିଲେ। ସେମାନେ ଚାଷୀ ସଂଗଠନ ଭାରତୀୟ କିଷାନ ସଂଘ (ବିକେୟୁ) ଅଧୀନରେ ଏକତ୍ରିତ ହୋଇଥିଲେ। ସେ କ୍ରୋଧର ସହିତ କହିଥିଲେ, ‘‘ଏ ସରକାର ମଜବୁତ ହେଉଛି, କିନ୍ତୁ ସେମାନେ ଚାଷୀଙ୍କୁ ବରବାଦ୍ କରି ଦେଇଛନ୍ତି।’’
ପରୀ ଯେଉଁ ମହିଳାମାନଙ୍କ ସହିତ କଥା ହୋଇଥିଲା ସେମାନେ ସମସ୍ତେ କ୍ଷୁଦ୍ର ଚାଷୀ ଥିଲେ, ଯେଉଁମାନେ ୪-୫ ଏକର ଜମିରେ କାମ କରୁଥିଲେ। ଭାରତରେ ୬୫ ପ୍ରତିଶତରୁ ଅଧିକ କୃଷି କାର୍ଯ୍ୟ ମହିଳା ଚାଷୀ ଓ ଶ୍ରମିକ କରନ୍ତି, କିନ୍ତୁ ମାତ୍ର ୧୨ ପ୍ରତିଶତ ମହିଳା ଚାଷୀଙ୍କ ନାଁରେ ଜମି ରହିଛି।
















