ମତ୍ସ୍ୟ ଉତ୍ପାଦନ ଶିଳ୍ପ କ୍ଷେତ୍ରରେ, ବିଶେଷତଃ ତାମିଲନାଡୁ ଉପକୂଳର ଏକ ବ୍ୟସ୍ତବହୁଳ ମାଛଧରା ବନ୍ଦର କୁଡ୍ଡାଲୋର ସହରର ଉଷ୍ଣ ପାଣିପାଗରେ, ବରଫ ବିକାଳିମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ସହରର ଓଲ୍ଡ ଟାଉନ୍ ବନ୍ଦରରେ, ବଡ଼ ବଡ଼ ମାଛ ବ୍ୟବସାୟୀମାନଙ୍କୁ ଏବଂ ଯନ୍ତ୍ରଚାଳିତ ବୋଟ୍ରେ ବ୍ୟବହାର ପାଇଁ ବଡ଼ ବଡ଼ କମ୍ପାନୀଗୁଡ଼ିକ ଥରକରେ ବହୁ ପରିମାଣର ବରଫ ଯୋଗାଇ ଦିଅନ୍ତି।
ମାଛ ଓ ବରଫ ବେପାରର ସେହି ଦୁନିଆରେ, ମତ୍ସ୍ୟଜୀବୀ ଏବଂ ମହିଳା ମାଛ ବିକାଳିମାନଙ୍କୁ ବରଫ ବିକ୍ରି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କବିତା। ସେ ଗୋଟିକୁ ୮୦୦ ଟଙ୍କା ହିସାବରେ ବଡ଼ ବଡ଼ ବରଫ ଖଣ୍ଡ କିଣନ୍ତି ଏବଂ ଏଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ଖଣ୍ଡକୁ ୧୦୦ ଟଙ୍କା ଲେଖାଏଁ ବିକ୍ରି କରନ୍ତି। ଏହି କାମ କରିବା ଲାଗି ମାତ୍ରାଧିକ ଶାରୀରିକ ପରିଶ୍ରମ ଆବଶ୍ୟକ ହୁଏ। ତେଣୁ କବିତା ଜଣେ ପୁରୁଷ ଶ୍ରମିକଙ୍କୁ କାମରେ ଲଗାଇଛନ୍ତି ଏବଂ ମଜୁରି ବାବଦରେ ତାଙ୍କୁ ଦୈନିକ ୬୦୦ ଟଙ୍କା ଏବଂ ଦୁଇବେଳା ଖାଇବାକୁ ଦିଅନ୍ତି।
ଏହି ୪୧ ବର୍ଷୀୟା ମହିଳା ବରଫ ବିକାଳି କହନ୍ତି, “ମାଛ ପାଇଁ ବରଫ ଦରକାର କରୁଥିବା ମହିଳାମାନଙ୍କ ପାଇଁ ମୁଁ ଏହି ଛୋଟ ଛୋଟ ବରଫ ଖଣ୍ଡ ବୋହିନିଏ। ଏଥିରେ କଠିନ ପରିଶ୍ରମ କରିବାକୁ ପଡ଼େ ଏବଂ ଆମେ କେବଳ ଗୁଜରାଣ ମେଣ୍ଟାଇବା ଲାଗି ଯଥେଷ୍ଟ ରୋଜଗାର କରିଥାଉ। ସତ କହିବାକୁ ଗଲେ ଏଥିରୁ ମୁଁ କିଛି ପଇସା ସଞ୍ଚୟ କରିବାକୁ ଚାହେଁ, ହେଲେ ବେପାରରେ ବଡ଼ ବଡ଼ କମ୍ପାନୀ ସହିତ ପ୍ରତିଯୋଗିତା କରିବାରେ ଆମେ ସକ୍ଷମ ନୁହଁ।”
ପ୍ରଥମେ ୨୦୧୭ରେ କବିତା ବରଫ ବିକିବା ଆରମ୍ଭ କଲେ। କବିତା କହନ୍ତି, “ମୋ ଶ୍ୱଶୁର ଅମୃତଲିଙ୍ଗମଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରୁ ମୁଁ ତାଙ୍କ ସହିତ ବରଫ ବିକ୍ରି ବ୍ୟବସାୟରେ ଯୋଗ ଦେଲି। ମୋ ସ୍ୱାମୀଙ୍କର ଏ ଦିଗରେ ଆଗ୍ରହ ନଥିଲା ଏବଂ ମୋ ଦିଅର ବିଦେଶରେ ଚାକିରି କରିବାକୁ ଚାଲିଯାଇଥିଲେ।” ଅଧିକନ୍ତୁ, କବିତା ସ୍କୁଲରେ ପାଠ ପଢ଼ିଥିବାରୁ ଏହି ବ୍ୟବସାୟ ବଢ଼ାଇବା ଦିଗରେ ତାଙ୍କ ନିଜର ଦକ୍ଷତା ସହାୟକ ହୋଇଥିଲା।
ଭାଇଭଉଣୀଙ୍କ ମଧ୍ୟରେ କବିତା ସବୁଠୁ ସାନ। ତାଙ୍କ ବାପା ଥିଲେ ଜଣେ ସ୍ୱ-ପ୍ରଶିକ୍ଷିତ କାରିଗର। କବିତାଙ୍କୁ ୧୪ ବର୍ଷ ହୋଇଥିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଲେ। ସେତେବେଳେ ୯ମ ଶ୍ରେଣୀରେ ପଢୁଥିବା କବିତା ଅଧାରୁ ସ୍କୁଲ ପାଠ ଛାଡ଼ି ଦିନ ମଜୁରିଆ ଭାବରେ, ଧାନରୁଆ ଏବଂ ବଛାବଛି ଭଳି ଚାଷବାସ କାମ କରୁଥିବା ତାଙ୍କ ମାଆଙ୍କ ସହିତ କ୍ଷେତକୁ ଯିବା ଆରମ୍ଭ କଲେ।














