ପ୍ରିୟ ‘ପରୀ’ ପାଠକ,
ଏ ବର୍ଷ, www.ruralindiaonline.org ରେ କାର୍ଯ୍ୟବ୍ୟସ୍ତତାର ଏକ ବର୍ଷ ସାବ୍ୟସ୍ତ ହୋଇଛି ।
୨୦୨୩ ସରି ଆସୁଥିବା ବେଳେ ବର୍ଷ ଶେଷରେ, କେତେକ ବଛାବଛା ରିପୋର୍ଟର ସମୀକ୍ଷାକୁ ନେଇ ଏକ ଶୃଙ୍ଖଳ ସୃଷ୍ଟି ସକାଶେ ‘ପରୀ’ ଟିମ୍ ସ୍ଥିର କରିଛି । ଆକର୍ଷଣୀୟ ଚିତ୍ରାବଳୀ ସଂଲଗ୍ନ ଶିରୋନାମାରେ ପ୍ରକାଶ ପାଉଥିବା ଏହି ସମୀକ୍ଷାରେ ଆଗାମୀ ନଅ ଦିନ ଧରି, ପ୍ରତିଦିନ, ଆମେ ଆମ ସଂପାଦକଙ୍କ ପସନ୍ଦ ଅନୁସାରେ ‘ପରୀ’ର ଯେଉଁ କେତେକ ସର୍ବୋତ୍ତମ ଲେଖାର ସମୀକ୍ଷା ପ୍ରକାଶ କରିବାକୁ ଯାଉଛୁ ସେଥିରେ ରିପୋର୍ଟ, କବିତା, ସଙ୍ଗୀତ ଓ ଚିତ୍ରସଜ୍ଜା, ଚଳଚ୍ଚିତ୍ର, ଫଟୋ, ଅନୁବାଦ, ପାଠାଗାର, ବ୍ୟକ୍ତିତ୍ୱ, ସାମାଜିକ ଗଣମାଧ୍ୟମ ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ ସ୍ଥାନ ପାଇଛି ।
ଆମେ ଦେଶର ବିଭିନ୍ନ ସ୍ଥାନରୁ ରିପୋର୍ଟ ପ୍ରକାଶନ ଅବ୍ୟାହତ ରଖିଆସିଛୁ ଏବଂ ଏ ବର୍ଷ ସେଥିରେ, ଉତ୍ତର ପୂର୍ବାଞ୍ଚଳ ସମେତ ଅନେକ ନୂଆ ସ୍ଥାନକୁ ସାମିଲ କରିଛୁ । କୃଷି ସଂପର୍କିତ ଆମର ଲେଖା ସମାହାରରେ ସ୍ଥାନ ପାଇଛି ମଲ୍ଲୀଫୁଲ, ରାଶି, ଶୁଖୁଆ ଏବଂ ଅନ୍ୟାନ୍ୟ ଅନେକ ପ୍ରସଙ୍ଗରେ ଅପର୍ଣ୍ଣା କାର୍ତ୍ତିକେୟନଙ୍କ ନିବିଷ୍ଟ ଗବେଷଣାର ଟିକିନିଖି ବିବରଣୀ ସମ୍ବଳିତ ଅନେକ ରିପୋର୍ଟ । ଚାଷବାସ ସଂପର୍କିତ ଜୟଦୀପ ହାର୍ଡିକରଙ୍କର ଧାରାବାହିକ ରିପୋର୍ଟିଂ ଶୃଙ୍ଖଳରେ ଅବିଶ୍ରାନ୍ତ ଭାବେ ସ୍ଥାନିତ ହୋଇଛି ପଶୁ-ମଣିଷ ଲଢ଼େଇ ଏବଂ ଏହାର ପରିଣତିରୁ ସୃଷ୍ଟ ପରିସ୍ଥିତି, ବିଶେଷତଃ ବିଭିନ୍ନ ଅଭୟାରଣ୍ୟ ନିକଟରେ ବସବାସ କରୁଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ସଂପର୍କିତ ବିସ୍ତୃତ ବିବରଣୀ- ‘ଏକ ନୂଆ ପ୍ରକାରର ମରୁଡ଼ି’ ।
ଦାରିଦ୍ର୍ୟ ସୀମାବର୍ତ୍ତୀ ଇଲାକାରେ ବସବାସ କରୁଥିବା ଲୋକଙ୍କ ଜୀବନଧାରାର ଅନେକ ଅଭୁଲା ଫଟୋଚିତ୍ରକୁ ଏକତ୍ର କରିଛନ୍ତି ପଲାନି କୁମାର- ସେମାନଙ୍କ ମଧ୍ୟରେ ଅଛନ୍ତି ମୂର୍ତ୍ତି କାରିଗର, ଉଭୟଲିଙ୍ଗୀ କଳାକାର ଏବଂ ତାମିଲ ନାଡୁର ମତ୍ସ୍ୟଜୀବୀ ବର୍ଗ । ସମଗ୍ର କାଶ୍ମୀର ଓ ଲଦାଖର ବିଭିନ୍ନ ଉଚ୍ଚ ପର୍ବତ ଉପରେ ରହି ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ସହିତ ଖାପ ଖୁଆଇବାକୁ ଅହରହ ପ୍ରଯତ୍ନଶୀଳ ପଶୁପାଳକମାନଙ୍କ ନିତିଦିନିଆ କାର୍ଯ୍ୟଧାରାକୁ ଫଟୋରେ ତୋଳି ଧରିବା ଲାଗି ସେମାନଙ୍କ ସହିତ ଅନେକ ଦୂର ଯାଏଁ ଯାତ୍ରା କରିଛନ୍ତି ରୀତାୟନ ମୁଖାର୍ଜୀ ଏବଂ ମୁଜାମିଲ ଭଟ । ଗ୍ରାମୀଣ ମହାରାଷ୍ଟ୍ରରେ ବିଦ୍ୟମାନ ଅନ୍ୟାୟର ଆସ୍ତରଣ ଭେଦ କରିବାକୁ ଚେଷ୍ଟା କରିଛନ୍ତି ଜ୍ୟୋତି ଶିନୋଲି- ପ୍ରପୀଡ଼ିତ ଯୁବ କ୍ରୀଡ଼ାବିତ, ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା, ମାସିକ ଋତୁସ୍ରାବକୁ ନେଇ ପ୍ରଚଳିତ ସାମାଜିକ ଭ୍ରାନ୍ତି ଏବଂ ଆହୁରି ଅନେକ ପ୍ରସଙ୍ଗରେ । ଏବଂ ଆମେ ପ୍ରକାଶ କରିଛୁ ବିହାରର ମୁସାହାର ସଂପ୍ରଦାୟ ଓ ମଦ ଏବଂ ତଜ୍ଜନିତ ମୃତ୍ୟୁ ସଂପର୍କିତ ‘ପରୀ’ ଫେଲୋ ଉମେଶ କେ.ରାୟଙ୍କ ପ୍ରଭାବଶାଳୀ ରିପୋର୍ଟ ଶୃଙ୍ଖଳ।
ଭିନ୍ନ ଭିନ୍ନ ସଂପ୍ରଦାୟ ଏବଂ ସଂରକ୍ଷଣକୁ କେନ୍ଦ୍ର କରି ଗଢ଼ି ଉଠିଥିବା କେତେକ ନୂତନ ସାମାଜିକ କ୍ଷେତ୍ରରେ ଆମେ ଏ ବର୍ଷ ପ୍ରବେଶ କରିପାରିଛୁ: ହିମାଳୟ ପାର୍ବତ୍ୟାଞ୍ଚଳର ପୂର୍ବରେ, ବୁଗୁନ୍ ଲିଓଚିକଲା ନାମକ ପକ୍ଷୀ ବଂଶ ପ୍ରତି ବିପଦ ଏବଂ ଏହି ସଂକଟର ଅବସାନ ଦିଗରେ କାର୍ଯ୍ୟରତ ସ୍ଥାନୀୟ ଅଧିବାସୀମାନଙ୍କ ଉଦ୍ୟମକୁ ଆକଳନ କରିଛନ୍ତି ବିଶାଖା ଜର୍ଜ; ପ୍ରୀତି ଡେଭିଡଙ୍କ ରିପୋର୍ଟରେ ଲୋକଲୋଚନକୁ ଆସିଛି ରାଜସ୍ଥାନରେ ସଂପୂର୍ଣ୍ଣ ବିଲୁପ୍ତପ୍ରାୟ ସ୍ଥିତି ଅଭିମୁଖେ ଅଗ୍ରସର ହେଉଥିବା ‘ଗ୍ରେଟ୍ ଇଣ୍ଡିଆନ ବୁଷ୍ଟାର୍ଡ’ ପକ୍ଷୀ ଏବଂ ଅକ୍ଷୟ ଶକ୍ତି କାରଖାନା ଅକ୍ତିଆରକୁ ଚାଲିଯାଉଥିବା ପବିତ୍ର ଉପବନ - ଯାହା ଆଉ ପବିତ୍ର ହୋଇ ରହିନାହିଁ ।
ଖବରକୁ ଆମେ ଯେଉଁ ଭାବରେ ପାଇଛୁ, ଠିକ୍ ସେହି ଭାବରେ ଲେଖାରେ ପ୍ରକାଶ କରିଛୁ- ଆମେ ମହାରାଷ୍ଟ୍ରର ଆନ୍ଦୋଳନକାରୀ କୃଷକମାନଙ୍କ ସହିତ ପାଦରେ ପାଦ ମିଳାଇ ଚାଲିଛୁ, ଏବଂ ନିଜ ଅଧିକାର ପାଇଁ ପଦଯାତ୍ରା କରୁଥିବା ଆଦିବାସୀଙ୍କ ସହିତ, ଆଉ ଆନ୍ଦୋଳନକାରୀ ଅଙ୍ଗନବାଡ଼ି କର୍ମୀଙ୍କ ସହିତ ବି କଥାବାର୍ତ୍ତା କରିଛୁ । ଆଉ ୨୦୨୩ ଡିସେମ୍ବରରେ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ, ସେଠାକାର ସ୍ଥିତି ସଂପର୍କରେ ବାସ୍ତବ ଚିତ୍ର ପ୍ରଦାନ କରିଥିଲେ ପାର୍ଥ ଏମ୍.ଏନ୍. । ନିର୍ବାଚନ ଅଭିମୁଖୀ ଏହି ଦୁଇ ରାଜ୍ୟରେ ବୁଲଡୋଜର ଅନ୍ୟାୟ ପ୍ରପୀଡ଼ିତ ଲୋକଙ୍କ ବାସ୍ତବ ଜୀବନ, ଆଦିବାସୀଙ୍କ ଉପରେ ଅତ୍ୟାଚାର ଏବଂ ହାଜତ ମୃତ୍ୟୁ ସଂପର୍କରେ ସେ ରିପୋର୍ଟ କରିଥିଲେ ।
ବାସ୍ତବ କ୍ଷେତ୍ରରୁ ରିପୋର୍ଟିଂ କରିବା ବେଳେ ଅନେକ ସମୟରେ ଏମିତି କେତେକ କ୍ଷୁଦ୍ର ‘ମୁସାଫିର’ ଲେଖା ସୃଷ୍ଟି ହୋଇଥାଏ, ଯେମିତି କି ମୁର୍ଶିଦାବାଦ ଜିଲ୍ଲାରେ ମହିଳାମାନଙ୍କ ଗୀତ ଏବଂ ପିଲାମାନଙ୍କ ଖେଳ – ଯେଉଁଠାରୁ ବିଡ଼ି ଶ୍ରମିକମାନଙ୍କ ସଂପର୍କିତ ଖବର ସଂଗ୍ରହ କରିଥିଲେ ସ୍ମିତା ଖାଟୋର । କେତେକ ଖବରରେ ବ୍ୟକ୍ତିଗତ ଭାବନା ବି ଜଡ଼ିତ ହୋଇଥାଏ- ଯେମିତି କି ମେଧା କାଲେଙ୍କ ରିପୋର୍ଟରେ ଦେଖାଯାଇଥିଲା- ସେ ବି ଜଣେ ଶିକ୍ଷୟିତ୍ରୀ ଏବଂ ସ୍ୱତନ୍ତ୍ର ଶିକ୍ଷାଦାତାମାନଙ୍କ ସଂପର୍କରେ ଚମତ୍କାର ରିପୋର୍ଟ କରିଥିଲେ । ଆମ ରିପୋର୍ଟରମାନେ ଗ୍ରାମୀଣ ଭାରତରେ ପାଳିତ ବିଭିନ୍ନ ପର୍ବ ଦେଖିଥିଲେ ଏବଂ ସେ ସଂପର୍କିତ ଖବର ପରିବେଷଣ କରିଥିଲେ- ଯେମିତି କି ମାଆ ବୋନବିବି, ଶୈଲା ନୃତ୍ୟ, ଚାଦର ବାଦନି, ପିଲି ବେଶ, ଏବଂ ତା ସହିତ ଆମ ପାଖରେ ଆଉ ଖଣ୍ଡେ ରିପୋର୍ଟ ବି ରହିଛି- ‘ଏମିତିରେ, କାହାର ଏ ପୂଜାପୀଠ ?’
ଅସହାୟ ମୁକ୍ତବୃତ୍ତି କର୍ମଚାରୀଙ୍କ କଥା ହେଉ କି ଅନୁବାଦକ, ପ୍ରବାସୀ ଶ୍ରମିକ ଏବଂ ପ୍ରବାସୀ ଶିଶୁମାନଙ୍କ ଦୁଃଖ ଓ ଉତ୍କଣ୍ଠାର କାହାଣୀ, ଏମିତି କି ଭାରତର ଗ୍ରାମାଞ୍ଚଳରେ ମହିଳାମାନେ କେମିତି ସେମାନଙ୍କ ‘ଅବସର’ ସମୟ କାଟନ୍ତି, ସେ କଥା ହେଉ, ଭାରତର ଅନେକ ସ୍ଥାନରେ ‘ପରୀ’ ଟିମ୍ ସଦସ୍ୟମାନେ କାର୍ଯ୍ୟରତ ଥିବାରୁ ଆମେ ସମଗ୍ର ଭାରତର ବିଭିନ୍ନ ସ୍ଥାନରୁ ଅନେକ ସମସ୍ୟାଭିତ୍ତିକ ରିପୋର୍ଟ ପ୍ରକାଶ କରିଛୁ ।






