“ଶୋଇ ନଯିବା ଲାଗି ମୁଁ ସରକାରଙ୍କୁ ନିବେଦନ କରିଥିଲି....”
ଏପରି ଅନନ୍ୟା ଥିଲେ ହୌସାବାଈ ପାଟିଲ, ଅଗ୍ନିବର୍ଷୀ ସ୍ୱାଧୀନତା ସଂଗ୍ରାମୀ, ଆକର୍ଷଣୀୟ ନେତ୍ରୀ, ଚାଷୀ, ଗରିବ ଏବଂ ବଞ୍ଚିତଙ୍କ ଅଧିକାର ପାଇଁ ଲଢ଼ୁଥିବା ଜଣେ ଅଦମ୍ୟ ଅଧିବକ୍ତା। ନଭେମ୍ବର ୨୦୧୮ରେ ସଂସଦ ଅଭିମୁଖେ ଯାଇଥିବା ବିଶାଳ ଚାଷୀ ଆନ୍ଦୋଳନ ପାଇଁ ଏକ ଭିଡିଓ ବାର୍ତ୍ତାରେ ସେ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ।
“ଚାଷୀମାନେ ସେମାନଙ୍କ ଫସଲ ପାଇଁ ଅଧିକ ମୂଲ୍ୟ ପାଇବା ଉଚିତ୍”, ସେ ଭିଡ଼ିଓରେ ଜୋର୍ ଦେଇ କହିଥିଲେ। “ଏହି ନ୍ୟାୟ ପାଇବା ଲାଗି, ମୁଁ ନିଜେ ସେଠାକୁ ଆସିବି” ଏବଂ ଶୋଭାଯାତ୍ରାରେ ଯୋଗ ଦେବି, ସେ ଆନ୍ଦୋଳନକାରୀମାନଙ୍କୁ କହିଥିଲେ। ପ୍ରାୟ ୯୩ ବର୍ଷ ବୟସରେ ସେ ନିଜ ଅସୁସ୍ଥତା ପ୍ରତି ମଧ୍ୟ ଧ୍ୟାନ ଦେଇନଥିଲେ। “ଶୋଇ ନ ରହି, ଗରିବଙ୍କ ପାଇଁ ଜାଗ୍ରତ ହୋଇ କାର୍ଯ୍ୟ କରିବା” ଲାଗି ସେ ସରକାରଙ୍କୁ ଚେତାଇ ଦେଇଥିଲେ।
ସେପ୍ଟେମ୍ବର ୨୩, ୨୦୨୧ରେ, ସର୍ବଦା ଜାଗ୍ରତ ଏବଂ ସତର୍କ ହୌସାବାଈ ୯୫ ବର୍ଷ ବୟସରେ ସାଙ୍ଗଲିଠାରେ ଚିରନିଦ୍ରା ଯାଇଥିଲେ। ତାଙ୍କର ଅନୁପସ୍ଥିତି ମୋତେ ସବୁବେଳେ ଦୁଃଖ ଦେବ।
୧୯୪୩ ଠାରୁ ୧୯୪୬ ମଧ୍ୟରେ, ହୌସାବାଈ (ପ୍ରାୟ ସମସ୍ତେ ତାଙ୍କୁ ହୌସାତାଈ ଡାକନ୍ତି; ମରାଠୀରେ ବଡ଼ ଭଉଣୀଙ୍କୁ ସମ୍ମାନପୂର୍ବକ ‘ତାଈ’ ସମ୍ବୋଧନ କରାଯାଏ) ସେହି ବିପ୍ଳବୀ ବାହିନୀର ସଦସ୍ୟ ଥିଲେ ଯାହା ବ୍ରିଟିଶ ଟ୍ରେନ ଉପରେ ଆକ୍ରମଣ କରିଥିଲା, ପୋଲିସ ଅସ୍ତ୍ରାଗାର ଲୁଟିଥିଲା ଏବଂ ବ୍ରିଟିଶ ସରକାରଙ୍କ ଦ୍ୱାରା ପ୍ରଶାସନିକ ଉଦ୍ଦେଶ୍ୟ ଏବଂ କୋର୍ଟ କୋଠା ଭାବେ ବ୍ୟବହାର କରାଯାଉଥିବା ଡାକବଙ୍ଗଳାଗୁଡ଼ିକୁ ପୋଡ଼ି ଦେଇଥିଲା। ସେ ବିପ୍ଳବୀ ସଂଗଠନ ତୁଫାନସେନା (‘ଝଡ଼ ସୈନିକ’)ରେ କାର୍ଯ୍ୟ କରିଥିଲେ ଯାହା ୧୯୪୩ରେ ବ୍ରିଟିଶ ଶାସନଠାରୁ ସତାରାର ସ୍ୱାଧୀନତା ଘୋଷଣା କରିଥିବା ଗୋପନୀୟ ପ୍ରତିସରକାର ବା ଅସ୍ଥାୟୀ ସରକାରର ସଶସ୍ତ୍ର ବିଭାଗ ଥିଲା।
୧୯୪୪ରେ, ପର୍ତ୍ତୁଗୀଜମାନଙ୍କ ଦଖଲରେ ଥିବା ଗୋଆର ମୁକ୍ତି ପାଇଁ ସେ ଗୁପ୍ତ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ମଧ୍ୟ ରାତ୍ରୀର ଅନ୍ଧକାରରେ ଅନ୍ୟ କମ୍ରେଡମାନଙ୍କ ସହିତ ସେ ଏକ କାଠ ବାକ୍ସ ଉପରେ ବସି ମାଣ୍ଡୋଭି ନଦୀ ପାର ହୋଇଥିଲେ। କିନ୍ତୁ ସେ ସବୁବେଳେ କହୁଥିଲେ, “ସ୍ୱାଧୀନତା ସଂଗ୍ରାମରେ ଅତି କମ୍, ସାମାନ୍ୟ ଯୋଗଦାନ ଦେଇଥିଲି.... କିଛି ବଡ଼ କିମ୍ବା ମହାନ କାମ ମୁଁ କରିନଥିଲି। ଦୟାକରି ମୋ ନିଜ ପସନ୍ଦର କାହାଣୀଗୁଡ଼ିକ ମଧ୍ୟରୁ ଗୋଟିଏ : ହୌସାବାଈଙ୍କ ଅତୁଳନୀୟ ସାହସ-ରେ ତାଙ୍କ ବିଷୟରେ ଅଧିକ ପଢ଼ନ୍ତୁ।


