ମେ ଆରମ୍ଭରେ, ଅଜୟ କୁମାର ସ ଲକ୍ଷ୍ୟ କଲେ ଯେ ତାଙ୍କୁ ଜ୍ୱର ହୋଇଛି । ଏଣୁ ସେ ଝାଡଖଣ୍ଡର ଛତ୍ରା ଜିଲ୍ଲାରେ ଅବସ୍ଥିତ ତାଙ୍କ ଗ୍ରାମ ଅସର୍ହିୟାଠାରୁ ପ୍ରାୟ ଆଠ କିଲୋମିଟର ଦୂରରେ ଇତ୍ଖୋରି ଟାଉନ୍ରେ ଥିବା ଏକ ଘରୋଇ କ୍ଲିନିକ୍ର ଡାକ୍ତରଙ୍କ ପାଖକୁ ଗଲେ ।
ଡାକ୍ତର କୋଭିଡ୍ ଟେଷ୍ଟ ପାଇଁ ନିର୍ଦ୍ଦେଶିତ କଲେ ନାହିଁ ବରଂ ୨୫- ବର୍ଷୀୟ କପଡା ବିକ୍ରେତା ଅଜୟଙ୍କୁ (ଉପରର ପ୍ରଚ୍ଛଦ ଫଟୋରେ ତାଙ୍କ ପୁଅ ସହିତ) ଟାଏଫଏଡ୍ ଓ ମ୍ୟାଲେରିଆ ହୋଇଛି ବୋଲି ନିରୂପଣ କଲେ । ହଁ, ସେ ଅଜୟଙ୍କ ରକ୍ତରେ ଅକ୍ସିଜେନ୍ ସାଚୁରେସନ୍ ସ୍ତର ଅବଶ୍ୟ ଟେଷ୍ଟ କରିଥିଲେ – ଏହା ୭୫ – ୮୦ ପ୍ରତିଶତ ଥିଲା (ସାଧାରଣ ରେଞ୍ଜ ହେଉଛି ୯୫- ୧୦୦) । ତାପରେ ଅଜୟଙ୍କୁ ଘରକୁ ପଠାଇ ଦିଆଗଲା ।
୨-୩ ଦିନ ପରେ ତାଙ୍କୁ ଶ୍ୱାସକ୍ରିୟା ସମ୍ପାଦନ କରିବାରେ ଧୀରେ ଧୀରେ କଷ୍ଟ ଅନୁଭବ ହେବାକୁ ଲାଗିଲା ଓ ଉଦ୍ବେଗ ବୃଦ୍ଧି ପାଇଲା । ସେ ସେହି ଦିନ ଅନ୍ୟଜଣେ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ବାହାରିଲେ, ଚଳିତଥର ହଜାରିବାଗ ( ଅସର୍ହିଆଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଅବସ୍ଥିତ)ରେ ଥିବା ଏକ ଘରୋଇ କ୍ଲିନିକ୍କୁ ଗଲେ । ଏଠାରେ ମଧ୍ୟ ତାଙ୍କୁ ଟାଇଫଏଡ୍ ଓ ମ୍ୟାଲେରିଆ ପାଇଁ ଟେଷ୍ଟ କରାଗଲା କିନ୍ତୁ କୋଭିଡ୍ – ୧୯ ପାଇଁ ନୁହେଁ ।
ଅଥଚ, ଅଜୟ ସେହି ଗ୍ରାମ ନିବାସୀ ହୈୟୁଲ୍ ରହମାନ ଅଂସାରୀ ଜଣେ ଭିଡିଓ ଏଡିଟର୍ଙ୍କୁ କହିଲେ, ଯେ ମୋର କୋଭିଡ୍ ଟେଷ୍ଟ କରାଯାଇନଥିଲେ ମଧ୍ୟ "ଡାକ୍ତର ମତେ ଦେଖିଲେ ଓ ମତେ କରୋନା ହୋଇଥିବା କଥା କହିଥିଲେ । ସେ ମତେ ସଦର ଡାକ୍ତରଖାନା (ହଜାରିବାଗ୍ରେ ଥିବା ଏକ ସରକାରୀ ଡାକ୍ତରଖାନା)କୁ ଯିବାକୁ କହିଲେ କାରଣ ଯଦି ସେ ମୋର ଚିକିତ୍ସା କରିବେ, ତାହାହେଲେ ମତେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ଭୟବଶତଃ, ଏଥିରେ ଯାହା ଖର୍ଚ୍ଚ ହେବ ତାହା ଦେବୁ ବୋଲି ଆମେ କହିଲୁ। ସରକାରୀ ଡାକ୍ତରଖାନା ଉପରେ ଆମର ଭରସା ନାହିଁ । ଯେଉଁମାନେ ସେଠାକୁ ଚିକିତ୍ସା (କୋଭିଡ୍) ପାଇଁ ଯାଉଛନ୍ତି, କେହି ମଧ୍ୟ ବଞ୍ଚୁନାହାନ୍ତି ।


