ମେ ଆରମ୍ଭରେ, ଅଜୟ କୁମାର ସ ଲକ୍ଷ୍ୟ କଲେ ଯେ ତାଙ୍କୁ ଜ୍ୱର ହୋଇଛି । ଏଣୁ ସେ ଝାଡଖଣ୍ଡର ଛତ୍ରା ଜିଲ୍ଲାରେ ଅବସ୍ଥିତ ତାଙ୍କ ଗ୍ରାମ ଅସର୍ହିୟାଠାରୁ ପ୍ରାୟ ଆଠ କିଲୋମିଟର ଦୂରରେ ଇତ୍ଖୋରି ଟାଉନ୍ରେ ଥିବା ଏକ ଘରୋଇ କ୍ଲିନିକ୍ର ଡାକ୍ତରଙ୍କ ପାଖକୁ ଗଲେ ।
ଡାକ୍ତର କୋଭିଡ୍ ଟେଷ୍ଟ ପାଇଁ ନିର୍ଦ୍ଦେଶିତ କଲେ ନାହିଁ ବରଂ ୨୫- ବର୍ଷୀୟ କପଡା ବିକ୍ରେତା ଅଜୟଙ୍କୁ (ଉପରର ପ୍ରଚ୍ଛଦ ଫଟୋରେ ତାଙ୍କ ପୁଅ ସହିତ) ଟାଏଫଏଡ୍ ଓ ମ୍ୟାଲେରିଆ ହୋଇଛି ବୋଲି ନିରୂପଣ କଲେ । ହଁ, ସେ ଅଜୟଙ୍କ ରକ୍ତରେ ଅକ୍ସିଜେନ୍ ସାଚୁରେସନ୍ ସ୍ତର ଅବଶ୍ୟ ଟେଷ୍ଟ କରିଥିଲେ – ଏହା ୭୫ – ୮୦ ପ୍ରତିଶତ ଥିଲା (ସାଧାରଣ ରେଞ୍ଜ ହେଉଛି ୯୫- ୧୦୦) । ତାପରେ ଅଜୟଙ୍କୁ ଘରକୁ ପଠାଇ ଦିଆଗଲା ।
୨-୩ ଦିନ ପରେ ତାଙ୍କୁ ଶ୍ୱାସକ୍ରିୟା ସମ୍ପାଦନ କରିବାରେ ଧୀରେ ଧୀରେ କଷ୍ଟ ଅନୁଭବ ହେବାକୁ ଲାଗିଲା ଓ ଉଦ୍ବେଗ ବୃଦ୍ଧି ପାଇଲା । ସେ ସେହି ଦିନ ଅନ୍ୟଜଣେ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ବାହାରିଲେ, ଚଳିତଥର ହଜାରିବାଗ ( ଅସର୍ହିଆଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଅବସ୍ଥିତ)ରେ ଥିବା ଏକ ଘରୋଇ କ୍ଲିନିକ୍କୁ ଗଲେ । ଏଠାରେ ମଧ୍ୟ ତାଙ୍କୁ ଟାଇଫଏଡ୍ ଓ ମ୍ୟାଲେରିଆ ପାଇଁ ଟେଷ୍ଟ କରାଗଲା କିନ୍ତୁ କୋଭିଡ୍ – ୧୯ ପାଇଁ ନୁହେଁ ।
ଅଥଚ, ଅଜୟ ସେହି ଗ୍ରାମ ନିବାସୀ ହୈୟୁଲ୍ ରହମାନ ଅଂସାରୀ ଜଣେ ଭିଡିଓ ଏଡିଟର୍ଙ୍କୁ କହିଲେ, ଯେ ମୋର କୋଭିଡ୍ ଟେଷ୍ଟ କରାଯାଇନଥିଲେ ମଧ୍ୟ "ଡାକ୍ତର ମତେ ଦେଖିଲେ ଓ ମତେ କରୋନା ହୋଇଥିବା କଥା କହିଥିଲେ । ସେ ମତେ ସଦର ଡାକ୍ତରଖାନା (ହଜାରିବାଗ୍ରେ ଥିବା ଏକ ସରକାରୀ ଡାକ୍ତରଖାନା)କୁ ଯିବାକୁ କହିଲେ କାରଣ ଯଦି ସେ ମୋର ଚିକିତ୍ସା କରିବେ, ତାହାହେଲେ ମତେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ଭୟବଶତଃ, ଏଥିରେ ଯାହା ଖର୍ଚ୍ଚ ହେବ ତାହା ଦେବୁ ବୋଲି ଆମେ କହିଲୁ। ସରକାରୀ ଡାକ୍ତରଖାନା ଉପରେ ଆମର ଭରସା ନାହିଁ । ଯେଉଁମାନେ ସେଠାକୁ ଚିକିତ୍ସା (କୋଭିଡ୍) ପାଇଁ ଯାଉଛନ୍ତି, କେହି ମଧ୍ୟ ବଞ୍ଚୁନାହାନ୍ତି ।
ମହାମାରୀ ପୂର୍ବରୁ ଅଜୟ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ମାରୁତିରେ ବୁଲି କପଡ଼ା ବିକ୍ରି କରୁଥିଲେ ଓ ମାସକୁ ୫,୦୦୦ - ୬,୦୦୦ ଟଙ୍କା ଉପାର୍ଜନ କରୁଥିଲେ ।
ଏହି କାହାଣୀର ସହ-ଲେଖକ, ହୈୟୁଲ୍ ରହମାନ ଅଂସାରୀ ବର୍ଷରେ ଦ୍ୱିତୀୟଥର ପାଇଁ ଏପ୍ରିଲ୍ ମାସରେ ଅସର୍ହିଆ ସ୍ଥିତ ତାଙ୍କ ଗ୍ରାମକୁ ଯାଇଥିଲେ । ମହାରାଷ୍ଟ୍ରରେ ୨୦୨୧ ତାଲା ବନ୍ଦ ଘୋଷଣା ହେବାବେଳକୁ ସେ ମୁମ୍ବାଇରେ ଭିଡିଓ ଏଡିଟର୍ ଭାବେ ଏକ ନୂଆ ଚାକିରୀରେ ଯୋଗଦାନ କରିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଥିଲେ । ଦେଶବ୍ୟାପୀ କୋଭିଡ୍ – ୧୯ ତାଲାବନ୍ଦ ହୋଇଥିବା ବେଳେ ସେ ମେ ୨୦୨୦ରେ, ପ୍ରଥମ ଥର ପାଇଁ ଫେରିଥିଲେ (ତାଙ୍କ ଉପରେ ଆଧାରିତ ପରୀର କାହାଣୀ ଏଠାରେ ଦେଖନ୍ତୁ) । ସେ ଓ ତାଙ୍କ ପରିବାର ସେମାନଙ୍କର ୧୦ ଏକର ଜମିରୁ ଅମଳ ହୋଇଥିବା ଧାନ ସହାୟତାରେ ଯେ କୌଣସି ପ୍ରକାରେ ଚଳିଗଲେ, କିଛି ନିଜ ବ୍ୟବହାର ପାଇଁ ରଖିଲେ, କିଛି ବଜାରରେ ବିକ୍ରି କଲେ ।
ଅସର୍ହିଆରେ, ୩୩ ବର୍ଷୀୟ ରହମାନଙ୍କ ପାଖରେ କରିବାକୁ କିଛି କାମ ନଥିଲା । ଗ୍ରାମରେ ତାଙ୍କର ଭିଡିଓ ଏଡିଟିଂ ଦକ୍ଷତା ତାଙ୍କର କୌଣସି ସହାୟତା କରିପାରିଲାନି ଓ ତାଙ୍କର ୧୦ ଏକର୍ ପ୍ଲଟ୍ରେ ଧାନ ଓ ମକା ବୁଣିବା କାମ ଜୁନ୍ର ମଧ୍ୟ ଭାଗରେ ଆରମ୍ଭ ହୋଇଥାଏ । ସେତେବେଳ ପର୍ଯ୍ୟନ୍ତ ତାଙ୍କ ପାଖରେ କରିବାକୁ ବିଶେଷ କିଛି କାମ ନଥିଲା । ଗଣମାଧ୍ୟମ ସହିତ ପୂର୍ବରୁ ଯୋଡିହୋଇ ରହିଥିବାରୁ – ସେ ମାସ୍ କମ୍ୟୁନିକେସନ୍ରେ ବି.ଏ ଡିଗ୍ରୀ ହାସଲ କରିଛନ୍ତି – ଏହି ମହାମାରୀ ଦ୍ୱାରା ଅସର୍ହିଆର ଲୋକମାନେ କିଭଳି ପ୍ରଭାବିତ ହୋଇଛନ୍ତି, ସେ ସମ୍ବନ୍ଧରେ ରିପୋର୍ଟ ପ୍ରସ୍ତୁତ କରିବାକୁ ଆଗ୍ରହୀ ଅଛନ୍ତି କି ବୋଲି ଆମେ ତାଙ୍କୁ ପଚାରିଥିଲୁ । ଏହି ଆଇଡିଆ ଶୁଣି ସେ ଅତ୍ୟନ୍ତ ଉତ୍ସାହିତ ହୋଇଗଲେ ।
ଏହି ଭିଡିଓରେ ରହମାନ ଆମକୁ ଅଜୟ କୁମାର ସ’ଙ୍କ କୋଭିଡ୍ ସହିତ ମୁକାବିଲା ଓ ତାଙ୍କର ବଢୁଥିବା ଋଣଭାର ବିଷୟରେ କହୁଛନ୍ତି । ଅଜୟ ଓ ତାଙ୍କ ପରିବାର ସରକାରୀ ଡାକ୍ତରଖାନା କଥା ଶୁଣି ଭୟଭୀତ ହୋଇ ହଜାରିବାଗ୍ରେ ଥିବା ଏକ ଘରୋଇ କ୍ଲିନିକ୍ / ନର୍ସିଂ ହୋମ୍ରେ ନିଜର ଚିକିତ୍ସା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି, ଯେଉଁଠାରେ ତାଙ୍କୁ କୋଭିଡ୍ ପାଇଁ ଅସ୍କିଜେନ୍ ଦିଆଯିବା ସହିତ ଔଷଧ ମଧ୍ୟ ଦିଆଯାଇଛି । ସେଠାରେ ତାଙ୍କୁ ସାତଦିନ ରହିବାକୁ ପଡିଲା, ମେ ୧୩ ପର୍ଯ୍ୟନ୍ତ । ଏଥିପାଇଁ ତାଙ୍କୁ ଯେ ୧.୫ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, ଏ କଥା ସେ କେବେମଧ୍ୟ ଚିନ୍ତା କରିନଥିଲେ । ଏହି ବ୍ୟୟ ବହନ କରିବା ପାଇଁ ଅଜୟଙ୍କ ପରିବାର ପାଖରେ ଏକମାତ୍ର ରାସ୍ତା ଥିଲା, ତାହା ହେଉଛି ଏକାଧିକ ଉତ୍ସରୁ ଋଣ କରିବା – ଜଣେ ଋଣଦାତା, ତାଙ୍କ ମା’ ସଦସ୍ୟ ଥିବା ଏକ ମହିଳା ଗୋଷ୍ଠୀଠାରୁ ଓ ତାଙ୍କ ଜେଜେମା’ଙ୍କ ପରିବାରରୁ ।
ମହାମାରୀ ପୂର୍ବରୁ ଅଜୟ ମାରୁତିରେ ଗ୍ରାମରୁ ଗ୍ରାମ ବୁଲି କପଡ଼ା ବିକ୍ରି କରୁଥିଲେ ଓ ମାସକୁ ୫,୦୦୦ - ୬,୦୦୦ ଟଙ୍କା ଉପାର୍ଜନ କରୁଥିଲେ । ଗତବର୍ଷ ସଟ୍ଡାଉନ୍ ସମୟରେ ଓ ପୁଣି ଚଳିତ ବର୍ଷର ସଟ୍ଡାଉନ୍ ବେଳେ ମଧ୍ୟ ସେ ତାଙ୍କର ବ୍ୟବସାୟ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ । ଡିସେମ୍ବର ୨୦୧୮ରେ ସେ ଭ୍ୟାନ୍ କିଣିବା ପାଇଁ ୩ଲକ୍ଷ ଟଙ୍କା ଋଣ କରିଥିଲେ, ଯାହା ବର୍ତ୍ତମାନ ମଧ୍ୟ ସମ୍ପୂର୍ଣ୍ଣଭାବେ ପରିଶୋଧ ହୋଇପାରିନି । ସେମାନଙ୍କର ଏକ ଏକର ଜମିରୁ ଅମଳ ହୋଇଥିବା ଧାନ ଓ ଋଣ କରିଥିବା କିଛି ଟଙ୍କା ଉପରେ ନିର୍ଭର କରି ସେମାନେ କୌଣସି ପ୍ରକାରେ ଚଳିଗଲେ । ସେ ରହମାନଙ୍କୁ କହିଛନ୍ତି ଯେ : “ପୁଣିଥରେ ଆମର ଉପାର୍ଜନ ଆରମ୍ଭ ହୋଇଗଲେ, ଆମେ ଧୀରେଧୀରେ ଟଙ୍କା ଫେରାଇଦେବୁ’’।
ଅନୁବାଦ: ଓଡ଼ିଶାଲାଇଭ୍