ଦେହ ଥରାଇ ଦେବା ଭଳି ଶୀତୁଆ ପବନ ବୋହୁଛି। ବର୍ଷା ହୋଇ ରାସ୍ତାରେ ଥିବା ଧୂଳି କାଦୁଅରେ ପରିଣତ ହୋଇଯାଇଛି। ସିଂଘୁ ଆନ୍ଦୋଳନସ୍ଥଳୀକୁ ଯାଇଥିବା ସଙ୍କୀର୍ଣ୍ଣ ଗଳି ରାସ୍ତାରେ ପାଣି ଜମି ରହିଛି। ଓଦାଳିଆ ଖାଲୁଆ ରାସ୍ତାରେ ଯିବା ଲାଗି ଲୋକମାନେ ବାଧ୍ୟ ହେଉଛନ୍ତି-ଏବଂ ସେମାନଙ୍କର ଜୋତା ଓ ଚପଲ କାଦୁଅରେ ବୁଡ଼ିଯାଉଛି।
ହରିୟାଣା-ଦିଲ୍ଲୀ ସୀମାରେ ଥିବା କୃଷକ ସଂଗଠନଗୁଡ଼ିକର ମିଳିତ ମଞ୍ଚ ସମ୍ୟୁକ୍ତ କିଷାନ ମୋର୍ଚ୍ଚାର ମଞ୍ଚ ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପାଖାପାଖି ୧୦୦ ମିଟର ଆଗରେ, ଯଶବିନ୍ଦର ସିଂ ସାଇନି ଏବଂ ପ୍ରକାଶ କୌର ସେମାନଙ୍କ ସେବାରେ ଅଛନ୍ତି, ଜୋତା ସଫା ଓ ପଲିସ କରିଦେଉଛନ୍ତି।
“୧୯୮୬ରେ ଯେଉଁଦିନ ଭଗବାନ ଆମ କୋଳରେ ଏକ ସନ୍ତାନ ଦେଲେ, ମୁଁ ମାନବ ସେବା ପ୍ରତି ନିଜକୁ ସମର୍ପି ଦେବା ଲାଗି ନିଷ୍ପତ୍ତି ନେଲି”, ୬୨ ବର୍ଷୀୟ ଯଶବିନ୍ଦର ସିଂ କହିଥିଲେ ଯିଏକ ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି କରିଥାନ୍ତି।
ତେଣୁ ପାଖାପାଖି ୩୫ ବର୍ଷ ହେବ ଏହି ଦମ୍ପତି ଗୁରୁଦ୍ୱାର ଯାଇ ସେବା ଯୋଗାଇ ଆସୁଛନ୍ତି, ବିଶେଷତଃ ସେମାନେ ଶ୍ରଦ୍ଧାଳୁମାନଙ୍କର ଜୋତା ସଫା କରିଥାନ୍ତି। ସେମାନଙ୍କର ଚାରି ଜଣିଆ ପରିବାର, ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି, ହରିୟାଣାର ଅମ୍ବାଲା ଜିଲ୍ଲା ଅନ୍ତର୍ଗତ ନାରୟଣଗଡ଼ରେ ସେମାନଙ୍କର ୨୦ ଏକର ଜମି ରହିଛି।
ସମର୍ପିତ ସେବାଦାର (ଗୁରୁଦ୍ୱାର କିମ୍ବା ଗୋଷ୍ଠୀ କାର୍ଯ୍ୟକ୍ରମରେ ସେବା ପାଇଁ ସ୍ୱେଚ୍ଛାସେବୀ ଭାବେ) ଭାବେ ସେମାନେ ବିତାଇଥିବା ସମୟ ସମ୍ପର୍କରେ ଯଶବିନ୍ଦର କୁହନ୍ତି, “ମୋର ପତ୍ନୀ, ମୋର ଜୀବନସାଥୀ, ଏତେ ଅଧିକ ସେବା ଦେଇଛନ୍ତି ଜଣେ କଳ୍ପନା ମଧ୍ୟ କରିପାରିବ ନାହିଁ”। ସେ ଏହା କହିବା ସମୟରେ, ୫୦ବର୍ଷ ଅତିକ୍ରାନ୍ତ କରିସାରିଥିବା ପ୍ରକାଶ ଏକ ଜୋତାରେ ବ୍ରସ୍ ମାରିବା ଜାରି ରଖିଥିଲେ।






