ସେ କହନ୍ତି, ‘ମୁଁ କିଛି ମାଗିନଥିଲି। ମୁଁ ମୋ ଦେଶ ପାଇଁ ଲଢ଼ିଥିଲି, ପୁରସ୍କାର ପାଇଁ ନୁହେଁ। ମୋ ପରିବାର ପାଇଁ କେବେହେଲେ ମୁଁ କିଛି ମାଗିନଥିଲି। କିନ୍ତୁ ଏବେ ଏହି ଅଧ୍ୟାୟର ଶେଷ ସମୟରେ ମୁଁ ଆଶା କରୁଛି ଯେ ଅତିକମରେ ମୋର ଅବଦାନକୁ ସ୍ୱୀକୃତି ମିଳିବ।’
ଖରାପ ସ୍ୱାସ୍ଥ୍ୟ ଏବଂ ଗରିବୀ ମିଶି କିଛି ବର୍ଷ ତଳେ ତାଙ୍କୁ କବଳିତ କରିବାକୁ ବସିଥିଲା। ସେହି ସମୟରେ ଜୟପୁରର ଜଣେ ଯୁବ ସାମ୍ବାଦିକ ପରେଶ ରଥ ତାଙ୍କ କାହାଣୀକୁ ଛାପିଲେ। ରଥ ନିଜ ଖର୍ଚ୍ଚରେ ତାଙ୍କୁ ବସ୍ତିରୁ ଉଦ୍ଧାର କରି ଗୋଟିଏ ଏକ ବଖୁରିଆ ଘରେ ରଖିଲେ ଏବଂ ତାଙ୍କର ମେଡିକାଲ ଆବଶ୍ୟକତା ପୂରଣ କଲେ। ନିକଟରେ ଅସୁସ୍ଥ ହୋଇପଡ଼ିବା ଯୋଗୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନିଜ ପୁଅର ବଦଭ୍ୟାସ ସତ୍ତ୍ୱେ ବର୍ତ୍ତମାନ ପାଇଁ ସେ ପୁଅଙ୍କ ଘରେ ଅଛନ୍ତି। ରଥଙ୍କ ପରେ ଅନ୍ୟମାନେ ତାଙ୍କ କାହାଣୀ ସଂପର୍କରେ ପ୍ରକାଶ କଲେ। ଏପରିକି ଥରେ ସେ ଏକ ଜାତୀୟ ସ୍ତରର ପତ୍ରିକାର ପ୍ରଚ୍ଛଦ ମଣ୍ଡନ କରିଥିଲେ ।
ରଥ କହନ୍ତି, ‘ଆମେ ଯେତେବେଳେ ତାଙ୍କ କାହାଣୀ ପ୍ରଥମେ ପ୍ରକାଶ କଲୁ, ସେ କିଛି ସାହାଯ୍ୟ ପାଇଲେ। ତକ୍ରାଳୀନ ସମୟରେ କୋରାପୁଟର ଜିଳ୍ଳାପାଳ ଥିବା ଉଷା ପାଢ଼ି ସମବେଦନାଶୀଳ ଥିଲେ। ସେ ରେଡକ୍ରସ ପଣ୍ଡରୁ ଲକ୍ଷ୍ମୀଙ୍କୁ ଚିକିତ୍ସା ସହାୟତା ବାବଦରେ ୧୦,୦୦୦ ଟଙ୍କା ଦେଲେ ଏବଂ ଖଣ୍ଡେ ସରକାରୀ ଜାଗା ଦେବାକୁ ବି ପ୍ରତିଶ୍ର୍ରୁତି ଦେଇଥିଲେ। କିନ୍ତୁ ତାଙ୍କର ଅନ୍ୟତ୍ର ବଦଳି ହୋଇଗଲା। ପଶ୍ଚିମବଙ୍ଗର କିଛି ଲୋକ ମଧ୍ୟ ଲକ୍ଷ୍ମୀଙ୍କ ନିକଟକୁ କିଛି ସାହାଯ୍ୟ ପଠାଇଥିଲେ। କିନ୍ତୁ ଖୁବ୍ ଶୀଘ୍ର ସେ ସବୁ ସରିଗଲା ଏବଂ ସେ ପୁଣି ତାଙ୍କର ପୂର୍ବାବସ୍ଥାକୁ ଫେରି ଆସିଲେ। ଏବେ ମଧ୍ୟ ଏହା କେବଳ ଟଙ୍କାର କଥା ନୁହେଁ। ଯଦିବା ସେ କେନ୍ଦ୍ର ସରକାରଙ୍କ ପେନସନ୍ ପାଆନ୍ତି ତା’ ହେଲେ ତାକୁ ସେ କେତେବର୍ଷ ଉପଭୋଗ କରିବେ? ପ୍ରକୃତରେ ଏହା ତାଙ୍କ ଗର୍ବ ଏବଂ ଗୌରବର କଥା। କିନ୍ତୁ କେନ୍ଦ୍ର ସରକାର ଏ ନେଇ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି।’
ବହୁବର୍ଷ ଧରି ନିଷ୍ଫଳ ପ୍ରୟାସ କରିବା ପରେ, ଲକ୍ଷ୍ମୀଙ୍କୁ ଗତବର୍ଷର ଶେଷ ଆଡ଼କୁ ଏହି ଜିଲ୍ଲାର ପାଞ୍ଜିଆଗୁଡ଼ା ଗାଁରେ ଖଣ୍ଡେ ସରକାରୀ ଜମି ଦିଆଯାଇଥିଲା। କିନ୍ତୁ ସେ ଏବେ ବି ସେହି ଜମିରେ ସରକାରୀ ଯୋଜନା ଅନୁସାରେ ଘର ଖଣ୍ଡେ କରିବାକୁ ଆଶା ଓ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ପାଇଁ ରଥ ସେ ରହୁଥିବା ପୁରୁଣା ଘର ନିକଟରେ ଆଉ ଗୋଟେ ଭଲ କୋଠରୀ ନିର୍ମାଣ ପାଇଁ ଟଙ୍କା ଦେଇଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କୁ ସେଠାକୁ ନେବାକୁ ଆଶା ରଖିଛନ୍ତି ।
ବର୍ତ୍ତମାନ ତାଙ୍କୁ ସାମାନ୍ୟ ସ୍ୱୀକୃତି ବି ମିଳିଛି। କିଛି ସଂସ୍ଥା ତାଙ୍କ ପ୍ରସଙ୍ଗ ଉଠାଇବା ପାଇଁ ଆଗକୁ ଆସିଛନ୍ତି। ଅଗଷ୍ଟ ୧୪ ତାରିଖରେ ସେ ମୋତେ କହିଥିଲେ, ‘ଆସନ୍ତାକାଲି ଏଠାକାର ଦୀପ୍ତି ସ୍କୁଲରେ ମୁଁ ପତାକା ଉତ୍ତୋଳନ କରିବି। ସେମାନେ ମୋତେ ଏଥିପାଇଁ ଡାକିଛନ୍ତି।’ ଏଥିପାଇଁ ସେ ଗର୍ବ କରନ୍ତି, କିନ୍ତୁ ଦୁଃଖ କରନ୍ତି ଯେ କାର୍ଯ୍ୟକ୍ରମକୁ ପିନ୍ଧି ଯିବାଲାଗି ତାଙ୍କ ନିକଟରେ ଖଣ୍ଡେ ଭଲ ଶାଢ଼ି ନାହିଁ।’
ଇତିମଧ୍ୟରେ ଏହି ବୟବୃଦ୍ଧ ସ୍ୱାଧୀନତା ସଂଗ୍ରାମୀ ତାଙ୍କର ପରବର୍ତ୍ତୀ ଯୁଦ୍ଧ ପାଇଁ ଯୋଜନା କରିଛନ୍ତି। ଲକ୍ଷ୍ମୀ କହନ୍ତି, ‘ ନେତାଜୀ କହିଥିଲେ ‘ ଦିଲ୍ଲୀ ଚଲୋ’(ଦିଲ୍ଲୀ ଆଡ଼କୁ ଅଗ୍ରସର ହୁଅ)। ଅଗଷ୍ଟ ୧୫ ତାରିଖ ପରେ ମୁଁ ତାହା ହିଁ କରିବି ଯଦି କେନ୍ଦ୍ର ସରକାର ସେତେବେଳ ଯାଏ ମୋତେ ସ୍ୱାଧୀନତା ସଂଗ୍ରାମୀ ଭାବେ ସ୍ୱୀକୃତି ନ ଦିଅନ୍ତି। ମୁଁ ସଂସଦ ନିକଟରେ ଧାରଣା ଦେବି। ‘ଦିଲ୍ଲୀ ଚଲୋ’ ତାହା ହିଁ ମୁଁ କରିବି ।’
ଏବଂ ଶେଷରେ ସେ ଏହା କରିବେ, ହୁଏତ ଛଅ ଦଶନ୍ଧି ପରେ। କିନ୍ତୁ ହୃଦୟରେ ବିଶ୍ୱାସ ନେଇ। ସେ ଯେପରି ଗାଆନ୍ତି, ‘କଦମ କଦମ୍ ବଢାୟେ ଯା...’।
ଫଟୋ: ପି.ସାଇନାଥ