ହରିୟାଣା-ଦିଲ୍ଲୀ ସୀମାର ସିଙ୍ଘୁଠାରେ ଚାଷୀ ଏବଂ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଯୋଗୁଁ ଲୁହ ବୁହା ଗ୍ୟାସର ଖୋକା ବାଜି ସନ୍ତୋଖ ସିଂ ଆହତ ହେବାର ଗୋଟିଏ ମାସରୁ ଅଧିକ ସମୟ ବିତିଗଲାଣି।
କିନ୍ତୁ ଏହି ୭୦ବର୍ଷ ବୟସ୍କ ଜଣଙ୍କ ବର୍ତ୍ତମାନ ସୁଦ୍ଧା ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି। “ଆମେ ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ବସିଥିଲୁ ଏବଂ ହଠାତ୍ ଗୁଳି ବର୍ଷଣର ଶବ୍ଦ ଶୁଣିବାକୁ ପାଇଲୁ”, ସେ ନଭେମ୍ବର ୨୭ ତାରିଖ ଦିନ କହିଥିଲେ, ଯେଉଁଦିନ ଖୋକାଟି ଆସି ତାଙ୍କ ବାମ ଆଖିରେ ବାଜିଥିଲା।
ଏହାର ପୂର୍ବଦିନ, ପଞ୍ଜାବର ତର୍ଣ୍ଣ ତରନ୍ ଜିଲ୍ଲାରେ ଥିବା ତାଙ୍କ ଗ୍ରାମ ଘରକାରୁ ୧୭ଜଣ ଲୋକ ବାହାରିଥିଲେ ଏବଂ ପରଦିନ ସକାଳେ ଦିଲ୍ଲୀ ସୀମାରେ ପହଞ୍ଚିଥିଲେ। “ଆମେ ଯେତେବେଳେ ପହଞ୍ଚିଲୁ, ଏଠାରେ ପାଖାପାଖି ୫୦,୦୦୦-୬୦,୦୦୦ ଲୋକ ଏକତ୍ରିତ ହୋଇଥିଲେ। ମୁଁ ଗଲି ଏବଂ ଅନ୍ୟ ଆନ୍ଦୋଳନକାରୀଙ୍କ ସହିତ ବସି ରହିଲି, ଭାଷଣ ଶୁଣିଲି”, ସନ୍ତୋଖ ସିଂ ପୂର୍ବ କଥା ମନେ ପକାଇ କହିଥିଲେ।
ପାଖାପାଖି ପୂର୍ବାହ୍ନ ୧୧ଟାରେ, ହାତାହାତି ଓ ଗଣ୍ଡଗୋଳ ଆରମ୍ଭ ହୋଇଗଲା ଏବଂ କିଛି ସମୟ ପରେ ପାଣି ଓ ଲୁହବୁହା ଗ୍ୟାସ ଖୁବ୍ ଜୋରରେ ବର୍ଷିବାକୁ ଲାଗିଲା। “ମୋ ଆଗରେ ଥିବା ଯୁବକମାନେ ଛିଡ଼ା ହୋଇପଡ଼ିଲେ, ମୋତେ ଡେଇଁ ବିପରୀତ ଦିଗକୁ ଦୌଡ଼ିଲେ। ମୁଁ ଛିଡ଼ା ହୋଇ ନିଜକୁ ସ୍ଥିର କଲି”, ସନ୍ତୋଖ ସିଂ କହିଥିଲେ। “ମୁଁ ସୁରକ୍ଷାବାହିନୀଙ୍କ ଆଡ଼କୁ ଚାହିଁ ଚିଲ୍ଲାଇ କହିଲି : ‘ତୁମେମାନେ କାହିଁକି ଆମକୁ ଉତ୍ତେଜିତ କରୁଛ? ଆମେ ଏଠାରେ ଶାନ୍ତିପୂର୍ଣ୍ଣ ଭାବେ ବସି ରହିଛୁ’। ସେମାନେ କ୍ରୋଧିତ ହୋଇ ଉତ୍ତର ଦେଲେ : ‘ଭିଡ଼କୁ ଘଉଡ଼ାଇବା ପାଇଁ ଆମକୁ ଏହା କରିବାକୁ ହେବ’। ଠିକ୍ ଏହି ସମୟରେ ମୋ ଆଗରେ ଥିବା ପିଲାଟି ନିଜ ଆଡ଼କୁ ଖୋକାଟି ଆସୁଥିବା ଦେଖି ବସିପଡ଼ିଲା, ଏବଂ ତାହା ମୋ ଠାରେ ବାଜିଲା। କିନ୍ତୁ ମୁଁ ଆଦୌ ଘୁଞ୍ଚିଲି ନାହିଁ”।
ସର୍ଦ୍ଦାର ସନ୍ତୋଖ ସିଂ ପଞ୍ଜାବର ଚୋଲା ସାହିବ ତହସିଲରେ ଥିବା ନିଜ ଗ୍ରାମରେ ସାରା ଜୀବନ ଧାନ ଓ ଗହମ ଚାଷ କରି ଆସିଛନ୍ତି। ସେ କହିଥିଲେ, “ମୋ ଚାରିପାଖରେ ଭିଡ଼ ଜମିଗଲା, ସେମାନେ ମୋତେ ନକହିବା ପର୍ଯ୍ୟନ୍ତ ମୁଁ ଆହତ ହୋଇଥିବା ଜାଣିପାରିନଥିଲି। ଲୋକମାନେ ମୋତେ କହିଲେ ଯେ ମୋ ଠାରୁ ରକ୍ତ ବାହାରୁଛି ଏବଂ ସେମାନେ ମୋତେ ଡାକ୍ତରଖାନା ନେଇଯିବାକୁ ପ୍ରସ୍ତାବ ଦେଲେ। କିନ୍ତୁ ମୁଁ ରାଜି ହେଲି ନାହିଁ ଏବଂ ଦୌଡ଼ି ପଳାଇଥିବା ଆନ୍ଦୋଳନକାରୀଙ୍କୁ ପୁଣିଥରେ ଫେରି ଆସିବା ଲାଗି ଡାକିଲି। ଆମେ ଏଠାକୁ ଫେରିଯିବା ଲାଗି ଆସିନାହୁଁ। ମୁଁ ସରକାରୀ ସୁରକ୍ଷାବାହିନୀଙ୍କୁ ପଚାରିବାକୁ ଚାହୁଁଛି ସେମାନେ କାହିଁକି ଆମକୁ ଆକ୍ରମଣ କଲେ। ସେମାନଙ୍କର ଯଦି ସତ୍ ସାହସ ଅଛି ଆଗକୁ ଆସି ମୋ ସହିତ ଲଢ଼ନ୍ତୁ। ସେମାନଙ୍କର ଗୁଳି ଆମକୁ ଭୟଭୀତ କରିପାରିବ ନାହିଁ”।
ଖୋକାଟି ବାଜିବା ପରେ ସିଂଙ୍କ ଠାରେ ଆଠଟି ଷ୍ଟିଚ୍ ପଡ଼ିଥିଲା ଏବଂ ତାଙ୍କ ବାମ ଆଖିରେ ରକ୍ତଜମାଟ ବାନ୍ଧି ଯାଇଥିଲା। “ଆମ ଗାଁର ଯୁବକମାନେ ଆନ୍ଦୋଳନସ୍ଥଳୀ ନିକଟରେ ଥିବା ଏକ ଡାକ୍ତରଖାନାକୁ ନେଇଗଲେ। ଡାକ୍ତରଖାନା ଭିତରକୁ ଆମକୁ ପୂରାଇ ଦିଆଗଲା ନାହିଁ ଏବଂ ସେମାନେ ଆମ ପାଇଁ ଦରଜା ବନ୍ଦ କରିଦେଲେ। ଚାରିଆଡ଼େ କୋଳାହଳ ଥିଲା। ସୌଭାଗ୍ୟବଶତଃ, ସେଠାରେ ଏକ ଆମ୍ବୁଲାନ୍ସ ଛିଡ଼ା ହୋଇଥିଲା ଯାହାକି ପଞ୍ଜାବରୁ ଆସିଥିଲା। ସେମାନେ ଆମ ଆଡ଼କୁ ଦୌଡ଼ି ଆସିଲେ ଏବଂ ଷ୍ଟିଚ୍ ପକାଇ ଦେବା ସହିତ ମେଡ଼ିସିନ ଦେଇଥିଲେ। ସେମାନେ ମଧ୍ୟ ଲୁହବୁହା ଗ୍ୟାସରେ ଆଘାତପ୍ରାପ୍ତ ହୋଇଥିବା ଅନ୍ୟମାନଙ୍କର ଚିକିତ୍ସା କରୁଥିଲେ।”



