ମଦୁରାଇ ଜିଲ୍ଲାର କିନ୍ନର ଲୋକ କଳାକାରମାନଙ୍କ ପାଇଁ, ବର୍ଷର ପ୍ରଥମ ଛଅ ମାସ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ। ଏହି ସମୟରେ, ବିଭିନ୍ନ ଗ୍ରାମରେ ସ୍ଥାନୀୟ ପାର୍ବଣ ଏବଂ ମନ୍ଦିରମାନଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। କିନ୍ତୁ ଲକଡାଉନ ସମୟରେ ବଡ଼ ସାର୍ବଜନୀନ ସମାରୋହ ଉପରେ କଟକଣା ଲାଗୁ ହେବା କାରଣରୁ ତାମିଲନାଡ଼ୁର ପାଖାପାଖି ୫୦୦ କିନ୍ନର ମହିଳା କଳାକାରମାନେ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମ୍ୟାଗୀ। ସେ ମଦୁରାଇ ନଗରଠାରୁ ୧୦ କିଲୋମିଟର ଦୂରତା ମଧ୍ୟରେ ଥିବା ବିଲାଙ୍ଗୁଡ଼ି ସହରରେ ଥିବା ନିଜର ଦୁଇ ବଖୁରିଆ ଘରେ ରୁହନ୍ତି। ତାଙ୍କ ଭଳି ଅନ୍ୟ କିଛି ମହିଳା କିନ୍ନରମାନେ ମଧ୍ୟ ଏଠାରେ ଏକାଠି ରହିଥାନ୍ତି। ଜିଲ୍ଲାର ଅନ୍ୟ କିନ୍ନରମାନଙ୍କ ଭଳି ମ୍ୟାଗୀ ମଧ୍ୟ ଫସଲ ବୁଣାଯିବା ପରେ ବୀଜ ଅଙ୍କୁରଣ କାଳରେ ଆୟୋଜନ କରାଯାଉଥିବା ପାରମ୍ପରିକ କୁମ୍ମୀ ପଟ୍ଟୁ ସଙ୍ଗୀତ ପରିବେଷଣ କରିଥାନ୍ତି। ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ତାମିଲନାଡ଼ୁରେ ୧୦ ଦିନିଆ ମୁଲାଇପରୀ ଉତ୍ସବ ପାଳନ କରାଯାଏ। ଏହି ସମୟରେ ବର୍ଷା, ମାଟିର ଉର୍ବରତା ଏବଂ ଭଲ ଫସଲ ପାଇଁ ଗ୍ରାମଦେବୀଙ୍କୁ ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ଏ ସଙ୍ଗୀତ ପରିବେଷଣ କରାଯାଇଥାଏ।
ତାଙ୍କର ବନ୍ଧୁ ଓ ସହକର୍ମୀ ସମସ୍ତେ ମିଶି ଏସବୁ ଗୀତରେ ନୃତ୍ୟ କରିଥାନ୍ତି। ଦୀର୍ଘ ସମୟ ଧରି ଏହା ସେମାନଙ୍କ ପାଇଁ ଆୟର ଉତ୍ସ ଭାବେ ରହିଆସିଛି। କିନ୍ତୁ, ମହାମାରୀ କାରଣରୁ ଲକଡାଉନ ଲାଗୁ ହେବା ଫଳରେ, ଏହି ଉତ୍ସବ ୨୦୨୦ ଜୁଲାଇରେ ଆୟୋଜିତ ହୋଇନଥିଲା ଏବଂ ଏ ମାସରେ ମଧ୍ୟ ହୋଇନାହିଁ (ପଢ଼ନ୍ତୁ: ମଦୁରାଇରେ : କିନ୍ନର ଲୋକ କଳାକାରଙ୍କ ଦୁଃଖ) ସେମାନଙ୍କର ଆୟର ଆଉ ଏକ ଉତ୍ସ ହେଉଛି, ମଦୁରାଇ ଏବଂ ଏହାର ଆଖପାଖ ଅଞ୍ଚଳ କିମ୍ବା ବେଙ୍ଗାଲୁରୁର ଦୋକାନଗୁଡ଼ିକରୁ ଟଙ୍କା ମାଗିବା, ଯାହାକି ପ୍ରାୟତଃ ବନ୍ଦ ହୋଇଯାଇଛି। ଏସବୁ କାରଣରୁ, ପାଖାପାଖି ୮,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ସେମାନଙ୍କର ମାସିକ ଆୟ ଲକଡାଉନ ସମୟରେ ହ୍ରାସ ପାଇ ପ୍ରାୟତଃ ଶୂନ ହୋଇଯାଇଛି।







