‘‘ସେଦିନ ଅପରାହ୍ଣରେ ମୁଁ ଓ ମୋର ଶିଶୁ ଜୀବିତ ରହିବୁ କି ନାହିଁ ସେ ନେଇ ମୁଁ ନିଶ୍ଚିତ ନଥିଲି। ମୋ ଗର୍ଭରୁ ପାଣି ବାହାରି ଯାଇଥିଲା। ପାଖରେ କୌଣସି ଡାକ୍ତରଖାନା ନଥିଲା, କେହି ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଦେଖାଯାଉନଥିଲେ। ମୋତେ ଶିମଲାରେ ଥିବା ଏକ ଡାକ୍ତରଖାନାକୁ ନିଆଗଲା, ଗାଡ଼ିର ପଛ ସିଟ୍ରେ ମୁଁ ଗର୍ଭଯନ୍ତ୍ରଣାରେ ଅତିଷ୍ଠ ହୋଇପଡ଼ୁଥିଲି। ଅପେକ୍ଷା କରିବା ଛଡ଼ା ମୋ ପାଖରେ ଅନ୍ୟ କୌଣସି ରାସ୍ତା ନଥିଲା। ସେଇଠି ହିଁ ମୁଁ ପିଲାଟିଏ ଜନ୍ମ ଦେଲି – ବୋଲେରୋ ଭିତରେ।’’ ଏହି ଘଟଣାର ଛଅ ମାସ ପରେ, ଏହି ରିପୋର୍ଟର ଯେତେବେଳେ ୨୦୨୨ ଏପ୍ରିଲ ମାସରେ, ଅନୁରାଧା ମହତୋ (ଛଦ୍ମ ନାମ)ଙ୍କୁ ଭେଟିଲେ, ସେ ତାଙ୍କ କୋଳରେ ପିଲାକୁ ଧରି ବସିଥିଲେ, ସେହି ଦିନ କଥା ମନେ ପକାଉଥିଲେ।
‘‘ସମୟ ଅପରାହ୍ଣ ୩ଟା ବାଜିଥିଲା। ମୋ ଗର୍ଭରୁ ପାଣି ବାହାରିଯିବା କ୍ଷଣି ମୋର ସ୍ୱାମୀ ଆଶା ଦିଦି ଙ୍କୁ ଜଣାଇଥିଲେ। ସେ ୧୫ କିମ୍ବା ୨୦ ମିନିଟ୍ ମଧ୍ୟରେ ପହଞ୍ଚିଗଲେ। ମୋର ମନେ ଅଛି ସେ ତୁରନ୍ତ ଏକ ଆମ୍ବୁଲାନ୍ସକୁ ଫୋନ୍ କଲେ। ସେଦିନ ବର୍ଷା ହେଉଥିଲା। ଆମ୍ବୁଲାନ୍ସ କର୍ମଚାରୀ କହିଲେ ଯେ ସେମାନେ ୧୦ ମିନିଟ୍ ମଧ୍ୟରେ ବାହାରିଯିବେ, କିନ୍ତୁ ଆମ ଘର ପାଖରେ ପହଞ୍ଚିବା ଲାଗି ସାଧାରଣ ଦିନ ଅପେକ୍ଷା ସେମାନଙ୍କୁ ଅତି କମ୍ରେ ୧ ଘଣ୍ଟା ଲାଗିପାରେ,’’ ୨୦ ବର୍ଷ ପାଖାପାଖି ବୟସରେ ପହଞ୍ଚି ସାରିଥିବା ଅନୁରାଧା ଆମକୁ କହିଥିଲେ। ବର୍ଷା ହେଲେ ରାସ୍ତା କିଭଳି ବିପଜ୍ଜନକ ହୋଇଥାଏ ତାହା ସେ ଆମ ଆଗରେ ବର୍ଣ୍ଣନା କରିଥିଲେ।
ହିମାଚଳ ପ୍ରଦେଶର, କୋଟି ଗ୍ରାମରେ ଥିବା ଏକ ପାର୍ବତ୍ୟ ଅଞ୍ଚଳରେ ଛୋଟିଆ ଅସ୍ଥାୟୀ ଘରଟିଏ କରି ସେ ରହିଥାନ୍ତି। ତାଙ୍କ ପରିବାରରେ ତିନି ପିଲା ଏବଂ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିବା ସ୍ୱାମୀ ଅଛନ୍ତି। ଏମାନଙ୍କ ଘର ମୂଳତଃ ବିହାର ଭାଗଲପୁର ଜିଲ୍ଲାର ଗୋପାଳପୁର ଗ୍ରାମରେ।
୨୦୨୦ ପରଠାରୁ ଶିମଲା ଜିଲ୍ଲାର ମାଶୋର୍ବା ବ୍ଲକ ଅନ୍ତର୍ଗତ କୋଟି ଗ୍ରାମରେ ନିଜ ସ୍ୱାମୀଙ୍କ ସହ ଅନୁରାଧା ରହି ଆସୁଛନ୍ତି। ସେ କୁହନ୍ତି, ‘‘ଆର୍ଥିକ ସମସ୍ୟା କାରଣରୁ ଆମ ଗାଁ (ବିହାର) ଛାଡ଼ି ଆମେ ଏଠାକୁ ଚାଲିଆସିବାକୁ ବାଧ୍ୟ ହୋଇଥିଲୁ। ଦୁଇଟି ସ୍ଥାନରେ ଭଡ଼ା ଦେବା କଷ୍ଟକର ଥିଲା।’’ ତାଙ୍କର ୩୮ ବର୍ଷୀୟ ସ୍ୱାମୀ, ରାମ ମହତୋ (ଛଦ୍ମନାମ), ନିର୍ମାଣସ୍ଥଳୀରେ ରାଜମିସ୍ତ୍ରୀ ଭାବେ କାମ କରିଥାନ୍ତି। ଯେଉଁଠି କାମ ମିଳେ ସେଠାକୁ ସେ ଯାଇଥାନ୍ତି। ବର୍ତ୍ତମାନ, ତାଙ୍କ ଛୋଟିଆ କୁଡ଼ିଆ ଆଗରେ ଥିବା ଏକ ନିର୍ମାଣସ୍ଥଳୀରେ ସେ କାମ କରୁଛନ୍ତି।
ସାଧାରଣ ଦିନରେ ମଧ୍ୟ ସେମାନଙ୍କ ଘର ପାଖରେ ଆମ୍ବୁଲାନ୍ସ ପହଞ୍ଚିବା ସହଜ ନୁହେଁ। ଆହୁରି ଯଦି ୩୦ କିଲୋମିଟର ଦୂର, ଶିମଲା, ଜିଲ୍ଲା ମୁଖ୍ୟାଳୟରେ ଥିବା କମଳା ନେହରୁ ହସ୍ପିଟାଲରୁ, ଆମ୍ବୁଲାନ୍ସ ଆସିବାର ଥାଏ, ତା’ହେଲେ କୋଟିରେ ପହଞ୍ଚିବା ଲାଗି ଦେଢ଼ରୁ ୨ ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ବର୍ଷା ଏବଂ ବରଫପାତ ହେଲେ ଦୁଇ ଗୁଣା ଅଧିକ ସମୟ ଲାଗେ।
ସ୍ଥାନୀୟ ଅଞ୍ଚଳର ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) ରୀନା ଦେବୀ କୁହନ୍ତି, ନିକଟସ୍ଥ ଗାଁ ଏବଂ ପଡ଼ାରେ ଥିବା ପ୍ରାୟ ୫ ହଜାର ଲୋକଙ୍କ ପାଇଁ ଅନୁରାଧାଙ୍କ ଘରଠାରୁ ୭ କିଲୋମିଟର ଦୂରରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ରହିଛି। କିନ୍ତୁ ଏହି ସିଏଚସିକୁ ଖୁବ୍ କମ୍ ଲୋକ ଯାଇଥାନ୍ତି କାରଣ - ଏଠାରେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ଭଳି ବାଧ୍ୟତାମୂଳକ ଜରୁରି ସ୍ୱାସ୍ଥ୍ୟ ସେବାର ମଧ୍ୟ ଅଭାବ ରହିଛି। ‘‘ଆମେ ୧୦୮କୁ କଲ୍ କଲେ, ଗାଡ଼ି ଗୋଟିଏ କଲ୍ରେ କେବେ ସହଜରେ ଆସେ ନାହିଁ। ଏଠାରେ ଆମ୍ବୁଲାନ୍ସଟିଏ ପାଇବା କଷ୍ଟକର। ଏହା ପରିବର୍ତ୍ତେ, ସେମାନେ ଆମକୁ ନିଜ ଉଦ୍ୟମରେ ଗାଡ଼ି ବ୍ୟବସ୍ଥା କରିବା ଲାଗି ରାଜି କରାଇବାକୁ ଚେଷ୍ଟା କରିଥାନ୍ତି,’’ ସେ ଆହୁରି କୁହନ୍ତି।
ସାଧାରଣତଃ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସମେତ ୧୦ ଜଣ ଷ୍ଟାଫ ନର୍ସଙ୍କୁ ନେଇ ଏକ ଦଳ ରହିବା ଆବଶ୍ୟକ। ଏଠାରେ ଶଲ୍ୟଚିକିତ୍ସା ମାଧ୍ୟମରେ ସନ୍ତାନ ପ୍ରସବ ସୁବିଧା ସମେତ ଅନ୍ୟ ଜରୁରିକାଳୀନ ଚିକିତ୍ସା ସେବା ରହିବା ଜରୁରି। ସବୁ ଜରୁରିକାଳୀନ ସେବା ଦିନରାତି ୨୪ ଘଣ୍ଟା ଖୋଲା ରହିବା ଆବଶ୍ୟକ। କିନ୍ତୁ, କୋଟିରେ ଥିବା ସିଏଚସି ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ ହୋଇଯାଇଥାଏ ଏବଂ ଖୋଲା ଥିବା ସମୟରେ କୌଣସି ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡ୍ୟୁଟିରେ ନଥାନ୍ତି।
‘‘ଡାକ୍ତରଖାନାରେ ଥିବା ପ୍ରସବ କୋଠରୀ କୌଣସି କାମରେ ଲାଗୁନଥିବାରୁ ଏହା କର୍ମଚାରୀଙ୍କ ପାଇଁ ରୋଷେଇ ଘରରେ ପରିଣତ ହୋଇଛି,’’ ଗାଁରେ ଥିବା ଜଣେ ଦୋକାନୀ ହରିଶ ଯୋଶୀ କୁହନ୍ତି। ‘‘ଏପରିକି ମୋ ଭଉଣୀକୁ ମଧ୍ୟ ସମାନ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥିଲା ଏବଂ ସେ ଧାଈଙ୍କ ତଦାରଖରେ ଘରେ ସନ୍ତାନ ପ୍ରସବ କରିଥିଲା। ଏହା ତିନି ବର୍ଷ ପୂର୍ବର କଥା, କିନ୍ତୁ ଏବେ ବି ପରିସ୍ଥିତି ବଦଳିନାହିଁ। ସିଏଚସି ଖୋଲା କି ବନ୍ଦ ଥିଲେ ଏଭଳି ପରିସ୍ଥିତିରେ କୌଣସି ଫରକ ପଡ଼ିନଥାଏ,’’ ସେ କୁହନ୍ତି।
ରୀନାଙ୍କ କହିବା କଥା ହେଲା, ଗାଁରେ ଥିବା ଧାଈ କିନ୍ତୁ ଅନୁରାଧାଙ୍କୁ କୌଣସି ସାହାଯ୍ୟ କରିପାରିନଥିଲେ। ‘‘ଅନ୍ୟ ଜାତିର ଲୋକଙ୍କ ଘରକୁ ଯିବା ଲାଗି ସେ ପସନ୍ଦ କରନ୍ତି ନାହିଁ,’’ ଆଶା କର୍ମୀ କହିଥିଲେ। ‘‘ଏହି କାରଣରୁ ଆରମ୍ଭରୁ ହିଁ ଆମେ ଡାକ୍ତରଖାନା ଯିବା ଲାଗି ନିଷ୍ପତ୍ତି ନେଇଥିଲୁ,’’ ରୀନା କହିଥିଲେ, ଯିଏକି ସନ୍ତାନ ପ୍ରସବ କରିବା ଦିନ ଅନୁରାଧାଙ୍କ ସହିତ ଯାଇଥିଲେ।
ଅନୁରାଧା କୁହନ୍ତି, ‘‘ପାଖାପାଖି ୨୦ ମିନିଟ୍ ଅପେକ୍ଷା କରିବା ପରେ, ମୋ ଯନ୍ତ୍ରଣା ଯେତେବେଳେ ବୃଦ୍ଧି ପାଇଲା, ଆଶା ଦିଦି ମୋ ସ୍ୱାମୀଙ୍କ ସହିତ ଆଲୋଚନା କରି ଏକ ଭଡ଼ା ଗାଡ଼ିରେ ମୋତେ ଶିମଲା ନେଇଯିବାକୁ ନିଷ୍ପତ୍ତି ନେଲେ। ଯିବା ଆସିବା ଭଡ଼ା ୪,୦୦୦ ଟଙ୍କା ଥିଲା। କିନ୍ତୁ ଆମେ ଏଠାରୁ ବାହାରିବାର ୧୦ ମିନିଟ୍ ପରେ, ବୋଲେରୋ ପଛସିଟ୍ରେ ମୁଁ ସନ୍ତାନ ପ୍ରସବ କଲି।’’ ଶିମଲା ଯାଇନଥିଲେ ସୁଦ୍ଧା ଅନୁରାଧାଙ୍କ ପରିବାରକୁ ସମ୍ପୂର୍ଣ୍ଣ ଟଙ୍କା ଦେବାକୁ ପଡ଼ିଲା।
ଆଶା କର୍ମୀ ରୀନା କୁହନ୍ତି, ‘‘ଆମେ ମାତ୍ର ୩ କିଲୋମିଟର ଯାଇଛୁ କି ନାହିଁ ପିଲା ଜନ୍ମ ହେଲା। ମୁଁ ସାଥୀରେ କିଛି ସଫା କପଡ଼ା, ପାଣି ବୋତଲ ଏବଂ ବ୍ୟବହୃତ ହୋଇନଥିବା ଏକ ବ୍ଲେଡ୍ ନେଇଥିଲି। ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ। ମୁଁ କେବେ ବି ଗର୍ଭନାଡ଼ କାଟିନଥିଲି। କିନ୍ତୁ ଏହା କେମିତି କରାଯାଏ ଦେଖିଥିଲି। ତେଣୁ ମୁଁ ତା’ ପାଇଁ ସେତକ କରି ଦେଲି।’’
ସୌଭାଗ୍ୟବଶତଃ ସେହି ରାତିରେ ଅନୁରାଧା ବଞ୍ଚିଗଲେ।
ବିଶ୍ଵସ୍ତରରେ, ମାତୃ ମୃତ୍ୟୁହାର ସଂଖ୍ୟାରେ ଉଲ୍ଲେଖନୀୟ ସୁଧାର ଆସିଥିଲେ ସୁଦ୍ଧା ଡବ୍ଲୁଏଚଓ ର ତଥ୍ୟ ଅନୁଯାୟୀ ପ୍ରତିଦିନ ଗର୍ଭଧାରଣ ଏବଂ ପ୍ରସବ ଜନିତ ଜଟିଳତା କାରଣରୁ ୮୦୦ରୁ ଅଧିକ ମା’ ପ୍ରାଣ ହରାଉଛନ୍ତି। ନିମ୍ନ ଏବଂ ମଧ୍ୟମ ଆୟ ବର୍ଗର ଦେଶରେ ଅଧିକାଂଶ ମୃତ୍ୟୁ ଘଟୁଛି। ୨୦୧୭ରେ, ବିଶ୍ଵ ମାତୃ ମୃତ୍ୟୁ ହାରରେ ଭାରତ ୧୨ ପ୍ରତିଶତ ସ୍ଥାନ ହାସଲ କରିଥିଲା।
୨୦୧୭-୧୯ରେ ଭାରତରେ ମାତୃ ମୃତ୍ୟୁ ହାର (ଏମଏମଆର) - ପ୍ରତି ୧୦୦,୦୦ ଜୀବିତ ସନ୍ତାନ ପ୍ରସବରେ ମାତୃ ମୃତ୍ୟୁ ସଂଖ୍ୟା – ୧୦୩ ଥିଲା। ୨୦୩୦ ସୁଦ୍ଧା ବିଶ୍ଵ ସ୍ତରରେ ଏମଏମଆରକୁ ୭୦ କିମ୍ବା ତଳକୁ କମାଇବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିବା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ସଂଖ୍ୟାଠାରୁ ଏହା ଖୁବ୍ ଅଧିକ। ଅଧିକ ମୃତ୍ୟୁ ହାର ସମ୍ବଳରେ ଅସମାନତାକୁ ପ୍ରଦର୍ଶିତ କରିଥାଏ।
ହିମାଚଳ ପ୍ରଦେଶରେ ମାତୃ ମୃତ୍ୟୁହାର ତଥ୍ୟ ସହଜରେ ଉପଲବ୍ଧ ହୁଏ ନାହିଁ। ତେବେ ନୀତି ଆୟୋଗଙ୍କ ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ୨୦୨୦-୨୧ରେ ତାମିଲନାଡ଼ୁ ସହିତ ଏହି ରାଜ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ଏହି ମାନ୍ୟତାରେ ଉପାନ୍ତ କ୍ଷେତ୍ର, ପାର୍ବତ୍ୟାଞ୍ଚଳରେ ରହୁଥିବା ଗରିବ ମହିଳାମାନଙ୍କ ମାତୃ ସ୍ୱାସ୍ଥ୍ୟ ସମସ୍ୟାକୁ ସାମିଲ କରାଯାଇନାହିଁ। ଅନୁରାଧାଙ୍କ ଭଳି ମହିଳାମାନେ ପୋଷଣ, ମାତୃ ସୁସ୍ଥତା, ପ୍ରସବ ପରବର୍ତ୍ତୀ ଯତ୍ନ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭାବ ଆଦି ସମସ୍ୟାର ସମ୍ମୁଖିନ ହୋଇଥାନ୍ତି।
ଅନୁରାଧାଙ୍କ ସ୍ୱାମୀ, ରାମ, ଏକ ଘରୋଇ କମ୍ପାନୀରେ ନିର୍ମାଣ ଶ୍ରମିକ ଭାବେ କାମ କରିଥାନ୍ତି। ଯେଉଁ ମାସରେ କାମ ଥାଏ, ସେ ‘‘ମାସିକ ୧୨,୦୦୦ ଟଙ୍କା ରୋଜଗାର କରିଥାନ୍ତି, ଏଥିମଧ୍ୟରୁ ୨,୦୦୦ ଟଙ୍କା ଘରଭଡ଼ା ବାବଦରେ କଟିଯାଇଥାଏ,’’ ଅନୁରାଧା କୁହନ୍ତି। ସେ ତାଙ୍କ ଘର ଭିତରକୁ ଆମକୁ ଆମନ୍ତ୍ରଣ କରି କହିଥିଲେ, ‘‘ଭିତରେ ଥିବା ସବୁକିଛି ଆମର।’’
ତାଙ୍କର ୮ x ୧୦ ଫୁଟ ବିଶିଷ୍ଟ ଛୋଟିଆ କୋଠରୀର ଅଧିକାଂଶ ଭାଗ ଏକ ଖାଲି କାଠ ଖଟ, ଆଲୁମିନିୟମ ଟ୍ରଙ୍କ ଭର୍ତ୍ତି କପଡ଼ା ଏବଂ ଶଯ୍ୟାରେ ପରିଣତ ହୋଇଥିବା ପାତ୍ରରେ ଭର୍ତ୍ତି ହୋଇ ରହିଛି। ‘‘ଆମ ପାଖରେ ଖୁବ୍ ଅଳ୍ପ ସଞ୍ଚୟ ଥାଏ। ଯଦି ସ୍ୱାସ୍ଥ୍ୟ କିମ୍ବା ଅନ୍ୟ ଜରୁରି ସମସ୍ୟା ଦେଖାଦିଏ, ଆମକୁ ଖାଦ୍ୟ, ଔଷଧ ଏବଂ ପିଲାଙ୍କ ପାଇଁ କ୍ଷୀର ଭଳି କିଛି ଜରୁରି ଖର୍ଚ୍ଚ କାଟ୍ କରିବାକୁ ପଡ଼ିଥାଏ ଏବଂ ଉଧାର ଆଣିବାକୁ ମଧ୍ୟ ପଡ଼େ,’’ ଅନୁରାଧା କୁହନ୍ତି।
୨୦୨୧ରେ ସାରା ଦେଶରେ କୋଭିଡ ମହାମାରୀ ବ୍ୟାପିଥିବା ସମୟରେ, ସେ ଗର୍ଭଧାରଣ କରିଥିଲେ, ଏହା ତାଙ୍କ ପରିବାରର ଆର୍ଥିକ ଚାପ ବଢ଼ାଇ ଦେଇଥିଲା। ରାମଙ୍କ ପାଖରେ କିଛି କାମ ନଥିଲା। ସେ ମଜୁରି ଆକାରରେ ୪,୦୦୦ ଟଙ୍କା ପାଇଥିଲେ। ତଥାପି ପରିବାରକୁ ଭଡ଼ା ଦେବାକୁ ହୋଇଥିଲା ଏବଂ ଅବଶିଷ୍ଟ ୨,୦୦୦ ଟଙ୍କାରେ ସେମାନଙ୍କୁ ଚଳିବାକୁ ପଡ଼ିଥିଲା। ଆଶା ଦିଦି ଆଇରନ ଓ ଫଲିକ ଏସିଡ ଟାବଲେଟ୍ ଅନୁରାଧାଙ୍କୁ ଦେଇଥିଲେ, କିନ୍ତୁ ଦୂରତା ଓ ଖର୍ଚ୍ଚ କାରଣରୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଅସମ୍ଭବ ଥିଲା।
ରୀନା କୁହନ୍ତି, ‘‘ସିଏଚସି କାର୍ଯ୍ୟକ୍ଷମ ଥିଲେ ଅନୁରାଧାଙ୍କର ଚାପମୁକ୍ତ ପ୍ରସବ ସମ୍ଭବ ହୋଇଥାନ୍ତା ଏବଂ ତାଙ୍କୁ ଟାକ୍ସି ବାବଦରେ ୪,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିନଥାନ୍ତା।’’ ସେ ଆହୁରି କୁହନ୍ତି ଯେ, ‘‘ଏହି ସିଏଚସିରେ ଏକ ସ୍ୱତନ୍ତ୍ର ପ୍ରସବ କୋଠରୀ ଅଛି କିନ୍ତୁ ତାହା ଅଚଳାବସ୍ଥାରେ ରହିଛି।’’
‘‘କୋଟି ସିଏଚସିରେ (ସନ୍ତାନ) ପ୍ରସବ ସୁବିଧା ଉପଲବ୍ଧ ନଥିବା କାରଣରୁ ମହିଳାମାନେ ସମ୍ମୁଖିନ ହେଉଥିବା ସମସ୍ୟା ବିଷୟରେ ଆମେ ଜାଣିଛୁ, କିନ୍ତୁ କର୍ମଚାରୀ ଅଭାବ କାରଣରୁ ଆମ ନିୟନ୍ତ୍ରଣରେ କିଛି ନାହିଁ’’, ଶିମଲା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁରେଖା ଚୋପଡ଼ା କୁହନ୍ତି। ସେ ଆହୁରି କୁହନ୍ତି ଯେ, ‘‘ପ୍ରସବ ମାମଲା ପରିଚାଳନା ପାଇଁ କୌଣସି ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ, ନର୍ସ କିମ୍ବା ଯଥେଷ୍ଟ ସଫେଇ କର୍ମଚାରୀ ନାହାନ୍ତି। କୋଟି ଭଳି ଗ୍ରାମାଞ୍ଚଳରେ କାମ କରିବା ଲାଗି ଡାକ୍ତରମାନେ ରାଜି ହୁଅନ୍ତି ନାହିଁ, ଏହା ହିଁ ସାରା ଦେଶର ସବୁ ଜିଲ୍ଲା ଓ ରାଜ୍ୟରେ ଏକ କଟୁ ସତ୍ୟ।’’
ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୧୯-୨୦ ଅନୁଯାୟୀ, ରାଜ୍ୟରେ ସିଏଚସି ସଂଖ୍ୟା ୨୦୦୫ରେ ୬୬ ଥିବା ବେଳେ ୨୦୨୦ରେ ଏହା ୮୫କୁ ବୃଦ୍ଧି ପାଇଛି। ସେହିପରି ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ୨୦୦୫ରେ ୩,୫୫୦ରୁ ବୃଦ୍ଧି ପାଇ ୨୦୨୦ରେ ୪,୯୫୭ରେ ପହଞ୍ଚିଛି। ତଥାପି ହିମାଚଳ ପ୍ରଦେଶର ଗ୍ରାମାଞ୍ଚଳରେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞଙ୍କ ସଂଖ୍ୟାରେ ୯୪ ପ୍ରତିଶତ ଅଭାବ ରହିଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ୮୫ ଜଣ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ସ୍ଥାନରେ ମାତ୍ର ୫ ଜଣ ନିୟୋଜିତ ରହିଛନ୍ତି। ଏହି କାରଣରୁ ଗର୍ଭବତୀ ମହିଳାମାନେ ଅକଥନୀୟ ଶାରୀରିକ, ମାନସିକ ଏବଂ ଆର୍ଥିକ ଚାପର ସମ୍ମୁଖିନ ହେଉଛନ୍ତି।
୩୫ ବର୍ଷ ବୟସ୍କା ଶିଲା ଚୌହାନ, ଅନୁରାଧାଙ୍କ ଘରଠାରୁ ପାଖାପାଖି ୬ କିଲୋମିଟର ଦୂରରେ ରହିଥାନ୍ତି। ଜାନୁଆରୀ ୨୦୨୦ରେ ନିଜ ଝିଅକୁ ଜନ୍ମ ଦେବା ଲାଗି ତାଙ୍କୁ ଶିମଲାରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ଯିବାକୁ ପଡ଼ିଥିଲା। ‘‘ଝିଅ ଜନ୍ମର ଅନେକ ମାସ ବିତି ଯାଇଥିଲେ ସୁଦ୍ଧା ମୁଁ ଏବେବି ଋଣ ବୋଝରେ ରହିଛି,’’ ଶିଲା ପରୀକୁ କହିଥିଲେ।
ସେ ଓ ତାଙ୍କର ୪୦ ବର୍ଷ ବୟସ୍କ ସ୍ୱାମୀ, ଗୋପାଳ ଚୌହାନ, ଯିଏକି କୋଟି ଗ୍ରାମରେ ଜଣେ ବଢ଼େଇ ଭାବେ କାମ କରନ୍ତି, ସେମାନଙ୍କ ପଡ଼ୋଶୀଙ୍କ ଠାରୁ ୨୦,୦୦୦ ଟଙ୍କା ଉଧାର ଆଣିଥିଲେ। ଦୁଇ ବର୍ଷ ପରେ ମଧ୍ୟ, ସୁଝିବାକୁ ଆଉ ୫,୦୦୦ ଟଙ୍କା ବାକି ରହିଛି।
ଶିମଲା ଡାକ୍ତରଖାନାରେ ଶିଲା ଗୋଟିଏ ରାତିରୁ ଅଧିକ ରହିପାରିନଥିଲେ କାରଣ ଦୈନିକ କୋଠରୀ ଭଡ଼ା ଥିଲା ୫,୦୦୦ ଟଙ୍କା। ପରଦିନ ସେ ଓ ଗୋପାଳ ସେମାନଙ୍କର ନବଜାତ ଶିଶୁକୁ ଧରି ଏକ ଘରୋଇ ଟାକ୍ସିରେ ଘରକୁ ଫେରିଥିଲେ। ଏଥିପାଇଁ ସେମାନଙ୍କୁ ୨,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଟାକ୍ସି ତାଙ୍କୁ ନିର୍ଦ୍ଧାରିତ ଗନ୍ତବ୍ୟ ପୂର୍ବରୁ ଓହ୍ଲାଇ ଦେଲା, ବରଫାବୃତ୍ତ ରାସ୍ତା କାରଣରୁ ଆଗକୁ ଯିବା ଲାଗି ମନା କରି ଦେଇଥିଲା। ‘‘ସେଦିନ ରାତି କଥା ମନେ ପଡ଼ିଲେ ଆଜି ମୋ ଦେହ ଶିହରୀ ଉଠେ। ଖୁବ୍ଜୋରରେ ବରଫପାତ ହେଉଥିଲା ଏବଂ ଶିଶୁ ଜନ୍ମ ଦେବାର ଠିକ୍ ଗୋଟିଏ ଦିନ ପରେ ମୁଁ ଆଣ୍ଠୁଏ ଉଚ୍ଚର ବରଫରେ ଚାଲି ଚାଲି ଯାଉଥିଲି’’, ଶିଲା କୁହନ୍ତି।
‘‘ଯଦି ଏହି ସିଏଚସି ଠିକ୍ ଭାବେ କାମ କରିଥାନ୍ତା, ଆମକୁ ଶିମଲା ଦୌଡ଼ିବାକୁ ପଡ଼ିନଥାନ୍ତା କି ଟଙ୍କା ଖର୍ଚ୍ଚ କରିବାକୁ ହୋଇନଥାନ୍ତା। ମୋ ସ୍ତ୍ରୀକୁ ମଧ୍ୟ ଶିଶୁ ଜନ୍ମ ଦେବାର ଗୋଟିଏ ଦିନ ପରେ ଏମିତି ବରଫରେ ଚାଲି ଚାଲି ଆସିବାକୁ ପଡ଼ିନଥାନ୍ତା,’’ ଗୋପାଳ କୁହନ୍ତି।
ଯଦି ସ୍ୱାସ୍ଥ୍ୟ କେନ୍ଦ୍ର ଠିକ୍ ଭାବେ କାର୍ଯ୍ୟ କରିଥାନ୍ତା, ତା’ହେଲେ ଉଭୟ ଶିଲା ଏବଂ ଅନୁରାଧା ସରକାରୀ ଯୋଜନା, ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପୂର୍ଣ୍ଣ ମାଗଣା ଓ ନଗଦମୁକ୍ତ ଚିକିତ୍ସା ସେବା ପାଇ ପାରିଥାନ୍ତେ। ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ଶଲ୍ୟଚିକିତ୍ସା ପଦ୍ଧତିରେ ସନ୍ତାନ ପ୍ରସବ ସମେତ ସାଧାରଣ ପ୍ରସବ ସେବା ପାଇବା ଲାଗି ସେମାନେ ହକଦାର। ସେମାନଙ୍କୁ ମାଗଣାରେ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ, ନିଦାନ, ଖାଦ୍ୟ, ରକ୍ତ ଏବଂ ଆବଶ୍ୟକ ହେଲେ ପରିବହନ ସୁବିଧା ମଧ୍ୟ ମିଳିପାରିଥାନ୍ତା-ଏଥିପାଇଁ ସେମାନଙ୍କୁ ବ୍ୟକ୍ତିଗତ ଭାବେ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିନଥାନ୍ତା। କିନ୍ତୁ ସବୁକିଛି କେବଳ କାଗଜକଲମରେ ରହିଯାଇଛି।
‘‘ଆମ ଦୁଇ ଦିନର ଝିଅ ପାଇଁ ସେହି ରାତିରେ ଆମେ ଖୁବ୍ ଡରିଯାଇଥିଲୁ। ଥଣ୍ଡା ଯୋଗୁଁ ତା’ର ପ୍ରାଣ ଚାଲିଯାଇଥାନ୍ତା’’, ଗୋପାଳ କୁହନ୍ତି।
ଗ୍ରାମୀଣ ଭାରତର କିଶୋରୀ ଏବଂ ସ୍ୱଳ୍ପ ବୟସ୍କା ମହିଳାଙ୍କ ଉପରେ ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ପକ୍ଷରୁ ଏକ ରାଷ୍ଟ୍ରବ୍ୟାପୀ ରିପୋର୍ଟିଂ ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି । ସାଧାରଣ ଲୋକଙ୍କ ସ୍ୱର ଏବଂ ଜୀବନ୍ତ ଅନୁଭୂତି ଜରିଆରେ ଏହି ଗୁରୁତ୍ୱପୂର୍ଣ୍ଣ ତଥାପି ପଛୁଆ ସମୁଦାୟଙ୍କ ପରିସ୍ଥିତିକୁ ଲୋକଲୋଚନକୁ ଆଣିବା ଲାଗି ପପୁଲେସନ ଫାଉଣ୍ଡେସନ ଅ ଫ୍ ଇଣ୍ଡିଆର ଏକ ପ୍ରୟାସର ଅଂଶବିଶେଷ ସ୍ୱରୂପ ଏହି ପ୍ରକଳ୍ପ ପ୍ରସ୍ତୁତ ହୋଇଛି ।
ଏହି ସ୍ତମ୍ଭକୁ ପୁନଃପ୍ରକାଶିତ କରିବାକୁ ଚାହୁଁଛନ୍ତି କି ? ଦୟାକରି [email protected] ଏବଂ [email protected] ଙ୍କୁ ଲେଖନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍