ରାଜୀବ କୁମାର ଓଝା ଜାଣନ୍ତି ନାହିଁ ଯେ ଅଧିକ ଚିନ୍ତାଜଣକ କ’ଣ : ଭଲ ଫସଲ କାଟିବା ନା ତାହାକୁ ବିକ୍ରି କରିବା ଲାଗି ଚେଷ୍ଟା କରିବା। “ଆପଣଙ୍କୁ ଏହା ଅଦ୍ଭୂତ ଲାଗିପାରେ, କିନ୍ତୁ ଫସଲ କାଟିବା ଋତୁ ଶେଷରେ ଭଲ ଫସଲ ମିଳିଲେ ମୋର ସମସ୍ୟା ଆରମ୍ଭ ହୋଇଯାଇଥାଏ”, ସେ ଉତ୍ତର-ମଧ୍ୟ ବିହାରର ଚୌମୁଖ ଗ୍ରାମରେ ନିଜର ପୁରୁଣା ଘର ବାରଣ୍ଡାରେ ବସି କହିଥିଲେ।
ମୁଜଫରପୁର ଜିଲ୍ଲାର ବେଚହା ତାଲୁକାରେ ଥିବା ଗ୍ରାମରେ ନିଜର ପାଞ୍ଚ ଏକର ଜମିରେ୪୭ ବର୍ଷୀୟ ଓଝା, ଖରିଫ ଋତୁରେ (ଜୁନ-ନଭେମ୍ବର)ରେ ଧାନ, ଏବଂ ରବି (ଡିସେମ୍ବର-ମାର୍ଚ୍ଚ) ସମୟରେ ଗହମ ଏବଂ ମକା ଚାଷ କରିଥାନ୍ତି। “ଆମକୁ ଭଲ ଫସଲ ପାଇବା ଲାଗି ପାଣିପାଗ, ଜଳ, ଶ୍ରମ ଓ ଆହୁରି ଅନେକ ଜିନିଷ ଏକ ସଙ୍ଗେ ଆବଶ୍ୟକ ହୋଇଥାଏ”, ସେ ନଭେମ୍ବର ୨୦୨୦ରେ ମୋତେ କହିଥିଲେ। “କିନ୍ତୁ ଏହା ପରେ ମଧ୍ୟ, କୌଣସି ବଜାର ନାହିଁ। ମୋତେ ଗାଁରେ କମିଶନ ଏଜେଣ୍ଟକୁ ନିଜ ଖାଦ୍ୟଶସ୍ୟ ବିକ୍ରି କରିବାକୁ ହୋଇଥାଏ, ଏବଂ ତାଙ୍କ ଦ୍ୱାରା ସ୍ଥିର କରାଯାଇଥିବା ମୂଲ୍ୟରେ ବିକ୍ରି କରିବାକୁ ହୋଇଥାଏ।” ଏହାପରେ କମିଶନ ପାଇବା ଲାଗି ସେହି ଏଜେଣ୍ଟ ଏହାକୁ ପାଇକାରୀ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି।
ଓଝା ୨୦୧୯ରେ ସାଇତି ରଖିଥିବା କଞ୍ଚା ଧାନକୁ କୁଇଣ୍ଟାଲ ପ୍ରତି ୧,୧୦୦ ଟଙ୍କାରେ ବିକ୍ରି କରିଥିଲେ-ଏହା ସେ ସମୟର ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ୧୮୧୫ ଟଙ୍କା ଠାରୁ ୩୯ ପ୍ରତିଶତ କମ ଥିଲା। “ମୋ ପାଖରେ କୌଣସି ବିକଳ୍ପ ନଥିଲା। ଏଜେଣ୍ଟ ସବୁବେଳେ କମ୍ ଦରରେ କିଣିଥାନ୍ତି କାରଣ ସେମାନେ ଜାଣିଥାନ୍ତି ଯେ ଆମେ (ବିକ୍ରି କରିବା ଲାଗି) ଅନ୍ୟ କେଉଁଆଡ଼େ ଯାଇପାରିବୁ ନାହିଁ। ସେଥିପାଇଁ ଆମକୁ ଲାଭ ମିଳିବା ଅତି କଷ୍ଟକର”, ସେ କହିଥିଲେ।
ବିହାରର କୃଷକ ଗୋଟିଏ ଏକର ଜମିରେ ଧାନ ଚାଷ କରିବା ଲାଗି ୨୦,୦୦୦ ଟଙ୍କା ଖର୍ଚ୍ଚ କରିଥାନ୍ତି, ଓଝା କହିଥିଲେ। “ମୋତେ ଗୋଟିଏ ଏକର ଜମିରୁ ୨୦-୨୫ କୁଇଣ୍ଟାଲ ଫସଲ ମିଳିଥାଏ। ୧,୧୦୦ ଟଙ୍କା କୁଇଣ୍ଟାଲ ପ୍ରତି, ମୁଁ ଛଅ ମାସର କଠିନ ପରିଶ୍ରମ ପରେ ୨,୦୦୦-୭,୦୦୦ ଟଙ୍କା (ଏକରପ୍ରତି) ଲାଭ ପାଇପାରିଥାଏ। ଏହା ଏକ ଭଲ ଦର ବୋଲି ଆପଣ ଭାବୁଛନ୍ତି କି?”
ଓଝାଙ୍କ ଭଳି, ବିହାରର ବହୁସଂଖ୍ୟକ କୃଷକ ନିଜ ଫସଲର ଉନ୍ନତ ଦାମ୍ ପାଇବା ଲାଗି ସଂଘର୍ଷ କରୁଛନ୍ତି, ବିଶେଷ କରି ରାଜ୍ୟ ସରକାରଙ୍କ ଦ୍ୱାରା ୨୦୦୬ରେ ବିହାର କୃଷି ଉତ୍ପାଦ ମଣ୍ଡି ଆଇନ, ୧୯୬୦କୁ ଉଚ୍ଛେଦ କରାଯିବା ପରଠାରୁ। ଏଥିସହିତ ରାଜ୍ୟରେ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ମଣ୍ଡି ବ୍ୟବସ୍ଥାକୁ ଉଚ୍ଛେଦ କରି ଦିଆଯାଇଛି।








