ଗୋଟିଏ ହାତରେ ଗୋଟିଏ ରଙ୍ଗତୁଳୀ ଧରି ପ୍ରବୀଣ କୁମାର ଯେଉଁଠାରେ ସ୍କୁଟରରେ ନିଜ ଆଶାବାଡ଼ିକୁ ରଖି ବସିଛନ୍ତି, ନିଜ ଆଖପାଖରେ ଲୋକଙ୍କ ସହ କଥା ହେଉଛନ୍ତି, ସେଠାରେ ତାଙ୍କ ପାଖରେ ଏକ ବିଶାଳକାୟ କାନ୍ଭାସ ଅଛି । ତାହା ୧୮ ଫୁଟ୍ ଲମ୍ବା । ସେଥିରେ ସେ ସିଂଘୁରେ ଚାଷୀ ଆନ୍ଦୋଳନର ଚିତ୍ର ଅଙ୍କନ କରିଛନ୍ତି ।
ପ୍ରବୀଣ ଲୁଧିଆନାର ଜଣେ କଳା ଶିକ୍ଷକ ଓ ଚିତ୍ରକର । ଲୁଧିଆନାରୁ ସିଂଘୁ ଯାଏଁ ସେ ୩୦୦ କିଲୋମିଟର ଯାତ୍ରା କରିଛନ୍ତି । ଚାଷୀ ଆନ୍ଦୋଳନକୁ ସମର୍ଥନ କରି ନିଜର ଯୋଗଦାନ ଦେବା ଲାଗି ବାଧ୍ୟ ହୋଇ ସେ ଜାନୁଆରୀ ୧୦ ତାରିଖରେ ହରିୟାଣା-ଦିଲ୍ଲୀ ସୀମାରେ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ ।
ସେ କହନ୍ତି, ‘‘ଏହା ନୁହେଁ ଯେ ମୁଁ ପବ୍ଲିସିଟି ଚାହୁଁଛି । ଈଶ୍ୱର ମୋତେ ଅନେକ କିଛି ଦେଇଛନ୍ତି । ସେଥିନେଇ ମୋର କିଛି ଚିନ୍ତା ନାହିଁ । ମୋତେ ଖୁସି ଲାଗୁଛି ଯେ ବର୍ତ୍ତମାନ ମୁଁ ଏହି ଆନ୍ଦୋଳନର ଅଂଶବିଶେଷ ପାଲଟିଛି ।’’
ପୋଲିଓ ଯୋଗୁଁ ୩ ବର୍ଷ ବୟସରୁ ପକ୍ଷାଘାତର ଶିକାର ହୋଇଥିବା ନିଜ ଗୋଡ଼ ଆଡ଼କୁ ଇଙ୍ଗିତ କରି ସେ ଆହୁରି କହିଲେ, ‘‘ମୁଁ ୭୦% ଭିନ୍ନକ୍ଷମ ।’’ ସେହି ଭିନ୍ନକ୍ଷମତା କିମ୍ବା ପ୍ରାଥମିକ ଭାବେ ତାଙ୍କ ପରିବାର ଲୋକଙ୍କ ଅସନ୍ତୋଷ ତାଙ୍କୁ ସିଂଘୁ ଯାଏଁ ଯାତ୍ରା କରିବାରୁ ଅଟକାଇ ପାରିନାହିଁ ।
୪୩ ବର୍ଷୀୟ ପ୍ରବୀଣ ଲୁଧିଆନାରେ ଏହି ବିଶାଳ କାନ୍ଭାସ୍ରେ ଚିତ୍ରାଙ୍କନ ଆରମ୍ଭ କରିଥିଲେ ଏବଂ ତାକୁ ସାଙ୍ଗରେ ସିଂଘୁ ଯାଏ ନେଇ ଆସିଥିଲେ । ସେଇଠି ରାସ୍ତା ଉପରେ ଆନ୍ଦୋଳନକାରୀଙ୍କ ମଝିରେ ବସି ତାହା ସମ୍ପୂର୍ଣ୍ଣ ହେବା ଯାଏ କାମ ଜାରି ରଖିଲେ।




