ଶାହଜାହାଁପୁରର ବିକ୍ଷୋଭସ୍ଥଳରେ ୩ ଦିନ ରହିବା ପରେ ଯେତେବେଳେ ହନୁମନ୍ତ ଗୁଞ୍ଜଲ ନିଜ ଗାଁକୁ ଫେରିଲେ, ସେ ନିଜ ସହ ଅନେକ ଅଭୁଲା ସ୍ମୃତି ନେଇ ଗଲେ ।
ମହାରାଷ୍ଟ୍ର ନାସିକ ଜିଲ୍ଲା ଚାନ୍ଦୱାଦ ଗାଁର ଏହି ୪୧ ବର୍ଷୀୟ ଭୀଲ ଆଦିବାସୀ ଚାଷୀ ଜଣକ ଯିଏକି ଡିସେମ୍ବର ୨୫ ତାରିଖରେ ଶାହଜାହାଁପୁରରେ ପହଞ୍ଚିଥିଲେ କହନ୍ତି, ‘‘ସେଠାକାର କୃଷକମାନେ ଅତ୍ୟନ୍ତ ଉଦାର ଓ ଭଲ।‘‘ ଆବଶ୍ୟକସ୍ଥଳେ ରୋଷେଇ କରିବା ଲାଗି ଆମେ ଆମ ସହିତ ଚାଉଳ ଓ ଡାଲି ନେଇ ଯାଇଥିଲୁ। କିନ୍ତୁ ଆମକୁ ତାକୁ କେବେ ବି ବ୍ୟବହାର କରିବାକୁ ପଡ଼ିଲା ନାହିଁ । ସେମାନେ ଆମକୁ ଖୁବ୍ ଭଲ ଖାଦ୍ୟ ଖୁଆଇଲେ । ଖାଦ୍ୟରେ ପ୍ରଚୁର ମାତ୍ରାରେ ଘିଅ ପଡ଼ିଥିଲା । ସେମାନେ ଆମକୁ ଖୋଲା ହୃଦୟରେ ସ୍ୱାଗତ କଲେ ।’’
କୃଷି ଆଇନ ବିରୋଧରେ ଚାଲୁଥିବା ଆନ୍ଦୋଳନକୁ ସମର୍ଥନ କରି ସେଥିରେ ସାମିଲ ହେବା ଲାଗି ଡିସେମ୍ବର ୨୧ ତାରିଖରେ ନାସିକ ସହରରୁ ଦିଲ୍ଲୀ ଯାଏଁ ଏକ ଜଥା (ଗାଡ଼ିଗୁଡ଼ିକର ପଟୁଆର) ବାହାରିଲା । ପ୍ରାୟ ୧୪୦୦ କିଲୋମିଟର ଦୂର ଦିଲ୍ଲୀ ସୀମାରେ ପହଞ୍ଚିବା ଲାଗି ୧୦୦୦ ଚାଷୀଙ୍କୁ ୫ ଦିନ ସମୟ ଲାଗିଲା । ଶାହଜାହାଁପୁର, ଯେଉଁଠାରୁ ଜଥାକୁ ଫେରାଇ ଦିଆଗଲା ତାହା ଦିଲ୍ଲୀର ଦକ୍ଷିଣରେ ୧୪୦ କିମି ଦୂରରେ ରାଜସ୍ଥାନ-ହରିୟାଣା ସୀମାରେ ଅବସ୍ଥିତ । ୩ଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଯେଉଁ ସବୁ ସ୍ଥାନରେ ନଭେମ୍ବର ୨୬ ତାରିଖରୁ ଶହ ଶହ ଚାଷୀ, ମୁଖ୍ୟତଃ ପଞ୍ଜାବ, ହରିୟାଣା ଓ ରାଜସ୍ଥାନର ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏହା ସେହି ବିକ୍ଷୋଭସ୍ଥଳ ମଧ୍ୟରୁ ଅନ୍ୟତମ ।
୨୦୨୦, ଜୁନ୍ ୫ ତାରିଖରେ କୃଷି ଆଇନଗୁଡ଼ିକ ଅଧ୍ୟାଦେଶ ଆକାରରେ ପାରିତ ହେଲା, ତା’ପରେ ଫାର୍ମ ବିଲ୍ ଆକାରରେ ସଂସଦରେ ସେପ୍ଟେମ୍ବର ୧୪ରେ ଉପସ୍ଥାପିତ କରାଗଲା ଏବଂ ସେହି ମାସ ୨୦ ତାରିଖରେ ଆଇନରେ ପରିଣତ ହେଲା । ତିନିଟି ଆଇନ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨ କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି।






