“ସମସ୍ତ ୩୨ଟି ୟୁନିୟନ ପକ୍ଷରୁ (ଯୁବକମାନଙ୍କୁ) ଅନୁରୋଧ କରାଯାଉଛି ଯେ ସେମାନେ କୌଣସି କ୍ଷତି ନକରନ୍ତୁ। କେହି କାହାର କ୍ଷତି କରିବେ ନାହିଁ। କେହି ଝଗଡ଼ା କରିବେ ନାହିଁ। କେହି ମଧ୍ୟ ଆମର ଏହି ସଂଘର୍ଷକୁ ପଣ୍ଡ କରିବେ ନାହିଁ”, ଏପରି ଏକ ଅପିଲ ଶୁଣିବାକୁ ମିଳିଲା। “ସମସ୍ତେ ଦିଲ୍ଲୀ ପୋଲିସ ପକ୍ଷରୁ ଆମକୁ ଦିଆଯାଇଥିବା ନିର୍ଦ୍ଧାରିତ ମାର୍ଗରେ ଚାଲିବେ। ଆମେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିବୁ ଯାହାକୁ ସାରା ଦୁନିଆ ଦେଖିବ”, ନେତା ଜଣକ ଟ୍ରାକ୍ଟର ଉପରେ ରଖାଯାଇଥିବା ଲାଉଡସ୍ପିକର ଜରିଆରେ କହିଥିଲେ।
ଏହା ୨୬ ଜାନୁଆରୀ ସକାଳ ୯ ଟା ୪୫ ପାଖାପାଖି ସମୟ ଥିଲା, ଯେତେବେଳେ ଟ୍ରାକ୍ଟରଗୁଡ଼ିକର ଶୋଭାଯାତ୍ରା ମୁଣ୍ଡକା ଇଣ୍ଡଷ୍ଟ୍ରିଆଲ ଏରିୟା ମେଟ୍ରୋ ଷ୍ଟେସନଠାରୁ ଆଗକୁ ବଢ଼ୁଥିଲା, ଏହି ସମୟରେ ଲାଉଡ୍ ସ୍ପିକରରୁ ସ୍ୱର ଶୁଣାଗଲା। ସ୍ୱେଚ୍ଛାସେବୀମାନେ ମାନବ ଶୃଙ୍ଖଳ ତିଆରି କରିବା ଲାଗି ଦ୍ରୁତ ଗତିରେ ଆଗକୁ ବଢ଼ିଲେ ଏବଂ ସମସ୍ତଙ୍କୁ କହିଲେ ଯେ ସେମାନେ ରହିଯାଇ ନେତାମାନଙ୍କର ନିବେଦନ ଶୁଣନ୍ତୁ।
ଏହି ରାଲି ପଶ୍ଚିମ ଦିଲ୍ଲୀର ଟିକିରିରୁ ସକାଳ ୯ଟା ସମୟରେ ଆରମ୍ଭ ହୋଇଥିଲା। ଭିଡ଼ରୁ ‘କିଷାନ ମଜଦୁର ଏକତା ଜିନ୍ଦାବାଦ’ ସ୍ଲୋଗାନ୍ ଶୁଭୁଥିଲା। ଟ୍ରାକ୍ଟର ଶୋଭାଯାତ୍ରା ବ୍ୟତୀତ, ବହୁସଂଖ୍ୟକ ଆନ୍ଦୋଳନକାରୀ ଏବଂ ସ୍ୱେଚ୍ଛାସେବୀ ପଦଯାତ୍ରା କରୁଥିଲେ-କିଛି ଲୋକଙ୍କ ହାତରେ ଜାତୀୟ ପତାକା ରହିଥିଲା, ଏବଂ ଅନ୍ୟମାନେ ନିଜ ନିଜ କୃଷକ ସଂଗଠନର ପତାକା ଧରି ଚାଲିଥିଲେ। “ଆମେ ପାଦରେ ଚାଲି ଚାଲି ଯାଉଥିବା ଲୋକମାନଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଟ୍ରାକ୍ଟରରେ ଚଢ଼ିଯାଆନ୍ତୁ କାରଣ ଆମକୁ ଅନେକ ବାଟ ପର୍ଯ୍ୟନ୍ତ ଯିବାକୁ ପଡ଼ିବ”, ଲାଉଡସ୍ପିକରରେ କହୁଥିବା ନେତା ଜଣକ ନିବେଦନ କଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ପାଦରେ ଚାଲିବା ଜାରି ରଖିଲେ।
ଏହି ଶୋଭାଯାତ୍ରା ସୁଚାରୂ ରୂପରେ ଯେମିତି ହେଉ ଆଗକୁ ବଢ଼ିଚାଲିଥିଲା, ମୁଣ୍ଡକାରେ ରହୁଥିବା ଲୋକମାନେ ଅଧିକରୁ ଅଧିକ ସଂଖ୍ୟାରେ ବାହାରକୁ ଆସି ରାସ୍ତାକଡ଼ କିମ୍ବା ଡିଭାଇଡର ଉପରେ ଛିଡ଼ା ହୋଇ ସେମାନଙ୍କୁ ଦେଖିବାକୁ ଲାଗିଲେ। ସେମାନଙ୍କ ମଧ୍ୟରୁ ବହୁ ଲୋକ ନିଜର ଫୋନରେ ଏହି ଅଭୂତପୂର୍ବ ପ୍ୟାରେଡକୁ ରେକର୍ଡ କରିବାକୁ ଲାଗିଥିଲେ, କିଛି ଲୋକ ହାତ ହଲାଉଥିଲେ, ଅନ୍ୟମାନେ ଢୋଲର ତାଳେ ତାଳେ ନାଚୁଥିଲେ।
ମୁଣ୍ଡକା ନିବାସୀମାନଙ୍କ ମଧ୍ୟରେ ୩୨ ବର୍ଷୀୟ ବିଜୟ ରାଣା ମଧ୍ୟ ଥିଲେ। ସେ ନିଜ ଅଞ୍ଚଳ ଦେଇ ଅତିକ୍ରମ କରୁଥିବା କୃଷକମାନଙ୍କ ଉପରେ ଗେଣ୍ଡୁ ଫୁଲ ପକାଉଥିଲେ। “ଯଦି ଫୁଲରେ ରାଜନେତାମାନଙ୍କୁ ସ୍ୱାଗତ କରାଯାଇପାରୁଛି, ତା’ହେଲେ କୃଷକମାନଙ୍କୁ କାହିଁକି ନୁହେଁ?”, ସେ କହିଥିଲେ। ରାଣା ନିଜେ ଜଣେ କୃଷକ, ସେ ମୁଣ୍ଡକା ଗ୍ରାମରେ ଥିବା ନିଜର ୧୦ ଏକର ଜମିରେ ଗହମ, ଧାନ ଓ ଲାଉ ଚାଷ କରିଥାନ୍ତି। “କୃଷକ ସୈନିକମାନଙ୍କ ଠାରୁ କମ୍ ନୁହନ୍ତି”, ସେ କହିଥିଲେ। “ଯଦି ଏ ଦେଶର ସୈନିକମାନେ ସୀମା ଛାଡ଼ିଦେବେ ତା’ହେଲେ ଅନ୍ୟ କେହି ଏ ଦେଶକୁ କବଜା କରି ନେବ। ସେହିପରି କୃଷକମାନଙ୍କ ବିନା ଦେଶ ଭୋକିଲା ରହିବ”।








