“ମୁଁ ଟ୍ରାକ୍ଟର ଚଳାଇ ଜାଣେ”, ସରବଜିତ୍ କୌର କୁହନ୍ତି। ସେଥିପାଇଁ ସେ ପାଖାପାଖି ଦୁଇ ମାସ ପୂର୍ବରୁ, ନିଜର ପରିବାରର ଧଳା ଟ୍ରାକ୍ଟରକୁ ପାଖାପାଖି ୪୮୦ କିଲୋମିଟର ଦୂର ପର୍ଯ୍ୟନ୍ତ ଚଳାଇ, ପଞ୍ଜାବର ଜସରୌର ଗ୍ରାମରୁ ହରିୟାଣା-ଦିଲ୍ଲୀ ସୀମାରେ ଥିବା, ସିଂଘୁରେ ପହଞ୍ଚିଥିଲେ। “ମୁଁ ନିଜ କ୍ଷମତା ବଳରେ ଆସିଥିଲି”, ସେ କହିଥିଲେ, ଅନ୍ୟପଟେ ତାଙ୍କ ଗାଁର ଅନ୍ୟ ଲୋକମାନେ ନିଜ କୃଷକ ସଂଘ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଟ୍ରଲି ଯୋଗେ ଆନ୍ଦୋଳନସ୍ଥଳୀକୁ ଆସିଥିଲେ।
ଯସରୌର ଛାଡ଼ିବା ପୂର୍ବରୁ, ୪୦ ବର୍ଷ ବୟସ୍କା ସରବଜିତ, ସେପ୍ଟମ୍ବର ୨୦୨୦ରେ ସଂସଦରେ ପାରିତ ହୋଇଥିବା କୃଷି ଆଇନ ସମ୍ପର୍କରେ ଆଲୋଚନା ଏବଂ ଏହାକୁ ବିରୋଧ କରିଆସୁଥିଲେ। ସେ ଅମୃତସର ଜିଲ୍ଲାର ଅଜନାଲା ତହସିଲରେ ଥିବା ନିଜର ୨,୧୬୯ ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଏହି ଆଇନ ବିରୋଧରେ ଘରକୁ ଘର ବୁଲି ପ୍ରଚାର କରୁଥିଲେ। ଏହାପରେ, ନଭେମ୍ବର ୨୫ ତାରିଖରେ, ସେ ଜସରୌର ଏବଂ ଆଖପାଖ ଗ୍ରାମରୁ ଯାତ୍ରା କରୁଥିବା ୧୪ଟି ଟ୍ରାକ୍ଟର-ଟ୍ରଲିର ଏକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ, ଯାହାକୁ ଜମହୁରୀ କିଷାନ ସଭା (୨୦୦ରୁ ଅଧିକ କୃଷକ ସଂଗଠନଗୁଡ଼ିକର ଅଖିଳ ଭାରତୀୟ ମଞ୍ଚ, ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ୱୟ ସମିତିର ସହବନ୍ଧିତ) ଆୟୋଜନ କରିଥିଲା। ସେମାନେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଯାତ୍ରା କରି ନଭେମ୍ବର ୨୭ ତାରିଖରେ ସିଙ୍ଘୁରେ ପହଞ୍ଚିଥିଲେ।
ଏହାପରେ ଏବେ ସରବଜିତ, ଜାନୁଆରୀ ୨୬ ତାରିଖରେ ଅଭୂତପୂର୍ବ ଟ୍ରାକ୍ଟର ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ଲାଗି ପ୍ରସ୍ତୁତ ଅଛନ୍ତି, ଯାହା ହରିୟାଣାର ସୋନିପତ ନିକଟବର୍ତ୍ତୀ ସିଂଘୁଠାରୁ ତିନି କିମି ଦୂରରେ ଥିବା କୁଣ୍ଡଲୀ ସୀମାରୁ ଆରମ୍ଭ ହେବ। “ମୁଁ ଏଥିରେ ନିଜ ଟ୍ରାକ୍ଟର ସହିତ ସାମିଲ ହେବାକୁ ଯାଉଛି”, ସେ କହିଥିଲେ।
ହରିୟାଣାରେ ସିଂଘୁ ଏବଂ ଟିକ୍ରି, ଉତ୍ତର ପ୍ରଦେଶର ଗାଜୀପୁର ସେହି ପ୍ରମୁଖ ସ୍ଥଳୀ ମଧ୍ୟରେ ସାମିଲ, ଯେଉଁଠି ଲକ୍ଷାଧିକ କୃଷକ ଏବଂ ଅନେକ କୃଷି ସଂଗଠନ ୨୬ ନଭେମ୍ବର, ୨୦୨୦ଠାରୁ ତିନୋଟି ନୂଆ କୃଷି ଆଇନକୁ ଉଚ୍ଛେଦ କରିବା ଦାବି ନେଇ ଆନ୍ଦୋଳନ କରିଆସୁଛନ୍ତି। “ଯେପର୍ଯ୍ୟନ୍ତ ଏସବୁ ଆଇନକୁ ପ୍ରତ୍ୟାହାର କରାଯିବ ନାହିଁ, ସେପର୍ଯ୍ୟନ୍ତ ବୃଦ୍ଧ ହୁଅନ୍ତୁ ଅବା ଯୁବକ, ପୁରୁଷ ହୁଅନ୍ତୁ ଅବା ମହିଳା, ଏଠାରୁ ଫେରିଯିବାର ପ୍ରଶ୍ନ ଉଠୁନାହିଁ”, ସରବଜିତ କହିଥିଲେ।
“ଏଠାକୁ ଆସିବା ଲାଗି ମୋତେ କେହି କହିନଥିଲେ। କେହି ମୋତେ ‘ଧରି’ ଏଠାକୁ ଆଣିନାହିଁ”, ଆନ୍ଦୋଳନସ୍ଥଳୀରେ ଅନ୍ୟ ଲୋକମାନଙ୍କ ଟ୍ରାକ୍ଟର ସହ ଧାଡ଼ିରେ ଥିବା ନିଜ ଟ୍ରାକ୍ଟର ନିକଟରେ ଛିଡ଼ା ହୋଇ ସେ କହିଥିଲେ। “ଆନ୍ଦୋଳନରେ ସାମିଲ ହେବା ଲାଗି ବହୁସଂଖ୍ୟକ ଲୋକ ଟ୍ରାକ୍ଟରରେ ସବାର ହୋଇ ଏଠାକୁ ଆସିଥିଲେ। ତା’ହେଲେ କ’ଣ ଆପଣ କହିବେ ଯେ ମୁଁ ସେମାନଙ୍କୁ ଏଠାକୁ ଆଣିଛି?” ଭାରତର ପ୍ରଧାନ ବିଚାରପତିଙ୍କ ଦ୍ୱାରା (୧୧ ଜାନୁଆରୀରେ) ଦିଆଯାଇଥିବା ମନ୍ତବ୍ୟ ମହିଳା ଓ ବୃଦ୍ଧମାନଙ୍କୁ ଆନ୍ଦୋଳନସ୍ଥଳୀରେ ‘ଧରି’ ରଖାଯାଉଛି ଏବଂ ସେମାନଙ୍କୁ ଫେରାଇ ଦେବା ଲାଗି ‘ରାଜି’ କରାଯିବା ଉଚିତ, ଆଡ଼କୁ ଇସାରା କରି ସେ ପ୍ରଶ୍ନ କରିଥାନ୍ତି।






