ତାଙ୍କ ହାତରେ ହାତକଡ଼ି ପଡ଼ିଛି ଏବଂ ବେକରେ ବନ୍ଧା ହୋଇଥିବା ଶିକୁଳି ତାଙ୍କର ପାଦ ଯାଏ ଲମ୍ବିଛି। ତାଙ୍କର ବେଶପୋଷାକ- କଳା ରଙ୍ଗର ଗାର ପଡ଼ିଥିବା ଧଳା କୁର୍ତ୍ତା -ଏପରି ଲାଗୁଛି ଯେମିତି ସେ ଜଣେ ଜେଲର କଏଦୀ।
କିନ୍ତୁ ୪୨ ବର୍ଷୀୟ ବୟସ୍କ କବଲ ସିଂ କୌଣସି ଅପରାଧର ଦୋଷୀ ନୁହନ୍ତି ଏବଂ ତାଙ୍କ ଶରୀରରେ ପଡ଼ିଥିବା ଶିକୁଳିକୁ ସେ ନିଜେ ପକାଇଛନ୍ତି। ପଞ୍ଜାବର ଫଜିଲ୍କା ଜିଲ୍ଲାର ରୁକନପୁରା (ଖୁଇ ଖେରା ନାମରେ ମଧ୍ୟ ପରିଚିତ)ର ସେ ଜଣେ ଚାଷୀ।
ନିକଟରେ ଅଣାଯାଇଥିବା ତିନୋଟି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ। ଏହି ଆଇନ ପ୍ରଥମେ ଜୁନ ୫,୨୦୨୦ରେ ଅଧ୍ୟାଦେଶ ଭାବେ ଆଗତ ହୋଇଥିଲା, ଏହାପରେ ସେପ୍ଟେମ୍ବର ୧୪ ତାରିଖରେ ଏହାକୁ ସଂସଦରେ ଏକ ବିଲ୍ ଭାବେ ଆଗତ କରାଯାଇଥିଲା ଏବଂ ସେହିମାସ ୨୦ ତାରିଖରେ ଏହାକୁ ଆଇନ ଭାବେ ପାରିତ କରାଯାଇଥିଲା।
ତା’ହେଲେ ସେ କାହିଁକି ନିଜକୁ ଏପରି ଶିକୁଳିରେ ବାନ୍ଧିଛନ୍ତି?
“ଚାଷୀମାନେ ଦୀର୍ଘଦିନ ଧରି ସେମାନଙ୍କର ଅଧିକାର ଦାବି କରୁଥିବା ଦେଖି ମୁଁ ସେମାନଙ୍କର ଯନ୍ତ୍ରଣା ସହିପାରିଲି ନାହିଁ। ମୋ ଶରୀର ସାରା ଆପଣ ଯେଉଁ ଶିକୁଳି ଦେଖୁଛନ୍ତି ତାହା ସେମାନଙ୍କର କଷ୍ଟର ପ୍ରତିଫଳନ। ସେମାନେ ମନ ଭିତରେ ଯାହା ଅନୁଭବ କରୁଛନ୍ତି, ମୁଁ ମଧ୍ୟ ସେପରି ଅନୁଭବ କରୁଛି।”
“ଆପଣମାନେ ମୋ ଚାରି ପାଖରେ ଯେଉଁ ଶିକୁଳି ଦେଖୁଛନ୍ତି, ସେହି ବନ୍ଧନ ଆମ ଚାରିପାଖରେ ମଧ୍ୟ ରହିଛି, ଆପଣ କେବଳ ଏହାକୁ ଦେଖି ଅନୁଭବ କରିପାରିବେ”, କବଲ ସିଂ ତିନୋଟି ବିବାଦୀୟ ଆଇନକୁ ଏହି ଶିକୁଳି ଭଳି ସଦ୍ୟ ବନ୍ଧନ ଭାବେ ଦେଖୁଛନ୍ତି।




