‘‘କେଉଁଠି ମଦ ନିଷେଧ ହୋଇଛି?’’, ଏକଥା କହିବା ବେଳେ ଗୌରୀ ପରମାରଙ୍କ ସ୍ୱରରେ କଟୁତା ଏବଂ କଟାକ୍ଷ ପ୍ରତିଫଳିତ ହେଉଥିଲା
‘‘ହୁଏତ’ ଏହା ମିଛ ହୋଇଥିବ କିମ୍ବା ମୋ ଗାଁ ହୁଏତ’ ଗୁଜରାଟରେ ନଥିବ,’’ ଗୌରୀ ଆହୁରି କହିଥାନ୍ତି। ‘‘ମୋ ଗାଁର ପୁରୁଷମାନେ ବର୍ଷ ବର୍ଷ ଧରି ମଦ ପିଇ ଆସୁଛନ୍ତି।’’ ତାଙ୍କ ଗାଁ, ରୋଜିଦ, ଗୁଜରାଟର ବୋଟାଡ଼ ଜିଲ୍ଲାରେ ରହିଛି ।
ଗୁଜରାଟ ହେଉଛି ଭାରତର ତିନୋଟି ‘ମଦମୁକ୍ତ’ ରାଜ୍ୟ ମଧ୍ୟରୁ ଅନ୍ୟତମ ଯେଉଁଠି ନାଗରିକମାନେ ମଦ କିଣିପାରିବେ ନାହିଁ କିମ୍ବା ପିଇ ପାରିବେ ନାହିଁ । ଗୁଜରାଟ ମଦ ନିଷେଧ (ସଂଶୋଧନ) ଆଇନ, ୨୦୧୭ ଅନୁଯାୟୀ, କୌଣସି ବ୍ୟକ୍ତି ମଦ ପ୍ରସ୍ତୁତି ଏବଂ ବିକ୍ରି କରୁଥିଲେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ହେବ।
କିନ୍ତୁ ୫୦ ବର୍ଷ ବୟସ୍କା ଗୌରୀ ୩୦ ବର୍ଷ ପୂର୍ବରୁ ବାହା ହୋଇ ଆସିବା ପରଠାରୁ ଏହି ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ଦେଖିଆସୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ମଦ ରନ୍ଧା ହେଉଥିବା ଏବଂ ପିଇବାକୁ ଚାହୁଁଥିବା ଗ୍ରାହକଙ୍କୁ ପଲିଥିନ୍ ପାଉଚ୍ ବିକ୍ରି ହେଉଥିବା ସେ ଦେଖି ଆସିଛନ୍ତି।
ଏପରି ମଦ ତିଆରିର ବିପଦ ସୁଦୂରପ୍ରସାରୀ ଏବଂ ପ୍ରାଣଘାତୀ। ଚୋରା ମଦ ପ୍ରସ୍ତୁତକାରୀମାନେ ଏହି ପ୍ରକ୍ରିୟାକୁ ଶୀଘ୍ର ସାରିବା ଲାଗି ବେଳେ ବେଳେ ବିଷାକ୍ତ ସାମଗ୍ରୀ ବ୍ୟବହାର କରିଥାନ୍ତି। ‘‘ସେମାନେ ତରଳ ସାନିଟାଇଜର, ୟୁରିଆ ଏବଂ ମିଥାନଲ ମିଶାଇଥାନ୍ତି,’’ ଗୌରୀ କୁହନ୍ତି ।
ଜୁଲାଇ ୨୦୨୨ରେ, ଏପରି ବେଆଇନ ମଦ ଗୁଜରାଟରେ ୪୨ ଜଣ ଲୋକଙ୍କ ପ୍ରାଣ ନେଇଯାଇଥିଲା; ଅହମ୍ମଦାବାଦ, ଭାବନଗର ଏବଂ ବୋଟାଡ଼ ଜିଲ୍ଲାରେ ପ୍ରାୟ ୧୦୦ ଲୋକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆହୁରି ଯେଉଁମାନେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ମଧ୍ୟରୁ ୧୧ ଜଣ ବୋଟାଡ଼ ଜିଲ୍ଲା ବରୱାଲା ତାଲୁକା ଅନ୍ତର୍ଗତ ରୋଜିଦ ଗ୍ରାମର ବାସିନ୍ଦା ଥିଲେ।








