ପାଦ ତଳେ ସବୁଜ ଘାସ, ଉପରେ ଖୋଲା ଆକାଶ, ଚାରି ପାଖରେ ଘଞ୍ଚ ଜଙ୍ଗଲ, ଏବଂ ଜଙ୍ଗଲ ଦେଇ ବୋହି ଯାଇଥିବା ଶାନ୍ତ ଝରଣା – ଗ୍ରାମୀଣ ମହାରାଷ୍ଟ୍ରରେ ଏଭଳି ଦୃଶ୍ୟ ଯେକୌଣସି ସ୍ଥାନରେ ଦେଖିବାକୁ ମିଳିଯିବ ।
କିନ୍ତୁ ଅପେକ୍ଷା କରନ୍ତୁ, ଗୀତାଙ୍କର ଆଉ କିଛି କହିବାର ଅଛି । ଝରଣା ଆଡ଼କୁ ଇସାରା କରି ସେ କୁହନ୍ତି: ‘‘ଆମେ ମହିଳାମାନେ ବାମ ପଟକୁ ଏବଂ ପୁରୁଷମାନେ ଡାହାଣ ପଟକୁ ଯାଆନ୍ତି।’’ ବାହାରକୁ ଶୌଚ ହେବାକୁ ଯିବା ସମୟରେ ବସ୍ତି (କଲୋନୀ)ର ବାସିନ୍ଦାମାନେ ଏହି ନିୟମକୁ ଅନୁସରଣ କରିଥାନ୍ତି ।
‘‘ଆମକୁ ଗୋଇଠି ପର୍ଯ୍ୟନ୍ତ ବୁଡ଼ିଯାଉଥିବା ପାଣିରେ ବସିବାକୁ ହୋଇଥାଏ – ବର୍ଷା ହେଲେ ଛତା ମାରି ବସିବାକୁ ପଡ଼େ। (ମୋର) ଋତୁସ୍ରାବ ସମୟରେ ଅବସ୍ଥା କିପରି ହେଉଥିବ ସେ ସମ୍ପର୍କରେ ମୁଁ କ’ଣ କହିପାରିବି?’’ ୪୦ ବର୍ଷୀୟା ଗୀତା ପ୍ରଶ୍ନ କରନ୍ତି ।
୫୦ ପରିବାରକୁ ନେଇ ତାଙ୍କ ବସ୍ତି ପୁଣେ ଜିଲ୍ଲାର ଶିରୁର ତାଲୁକାର କୁରୁଲି ଗ୍ରାମ ଉପକଣ୍ଠରେ ରହିଛି ଏବଂ ଏଠାରେ ଭୀଲ ଓ ପାରଧି ସମ୍ପ୍ରଦାୟର ଲୋକମାନେ ରୁହନ୍ତି । ଦୁଇ ସମୁଦାୟ ମହରାଷ୍ଟ୍ରରେ ଅନୁସୂଚିତ ଜନଜାତି ଭାବେ ବର୍ଗୀକୃତ ହୋଇଛନ୍ତି, ଏମାନେ ରାଜ୍ୟରେ ଗରିବ ଓ ସବୁଠୁ ବଞ୍ଚିତ ସମୁଦାୟ ଭାବେ ପରିଗଣିତ ହୋଇଥାନ୍ତି।
ଭୀଲ ସମ୍ପ୍ରଦାୟର ମହିଳା ଗୀତା ଖୋଲାରେ ଶୌଚ ଯିବାକୁ ନେଇ ନିଜ ସମସ୍ୟା ବିଷୟରେ ଖୁବ ସ୍ପଷ୍ଟ ଭାବେ କହିଥାନ୍ତି । ‘‘ଆମେ ବସିବା ସମୟରେ ଘାସ ଫୁଟିଯାଏ ଏବଂ ମଶା କାମୁଡ଼ନ୍ତି… ତା’ଛଡ଼ା ସବୁବେଳେ ସାପ କାମୁଡ଼ିବାର ଭୟ ଲାଗି ରହିଥାଏ।’’
ବସ୍ତିର ବାସିନ୍ଦା, ବିଶେଷ କରି ମହିଳାମାନେ ପ୍ରତିଟି ପାଦରେ ବିପଦର ସମ୍ମୁଖିନ ହୋଇଥାନ୍ତି, ଜଙ୍ଗଲରେ ଯିବା ବାଟରେ ସେମାନଙ୍କୁ ଆକ୍ରମଣର ଭୟ ରହିଥାଏ।




