‘‘ଯେତେବେଳେ କିଛି ଖୁସିର ମାହୋଲ ଥାଏ, ମୁଁ ଗୀତ ପ୍ରସ୍ତୁତ କରିବା ଆରମ୍ଭ କରିଦିଏ।’’
କୋହିନୂର ବେଗମ୍ ଏକାକୀ ହିଁ ଗୋଟିଏ ବାଦ୍ୟ ଦଳର କାମ କରନ୍ତି – ସେ ସ୍ୱର ସଂଯୋଜନା କରନ୍ତି ଏବଂ ଢୋଲ ବଜାନ୍ତି। ‘‘ମୋ ସାଙ୍ଗମାନେ ଏକାଠି ହୋଇ ମୋ ସହ ତାଳ ଦିଅନ୍ତି।’’ ତାଙ୍କର ଉତ୍ସାହପ୍ରଦ ଗୀତରେ ଶ୍ରମ, କୃଷି ଏବଂ ଦୈନନ୍ଦିନ ଜୀବନର କାର୍ଯ୍ୟଧାରା ପ୍ରତିଫଳିତ ହୋଇଥାଏ।
ମୁର୍ଶିଦାବାଦ ଜିଲ୍ଲା ସାରା ସମସ୍ତେ ତାଙ୍କୁ କୋହିନୂର ଆପା (ଅପା) ନାଁରେ ଜାଣନ୍ତି । ସେ ଜଣେ ଅଭିଜ୍ଞ ଶ୍ରମିକ ଅଧିକାର କର୍ମୀ। ସ୍ଥାନୀୟ ବେଲଡାଙ୍ଗା – ୧ ବ୍ଲକରେ ଥିବା ଜାନକୀ ନଗର ପ୍ରାଥମିକ ବିଦ୍ୟାଳୟରେ ସେ ମଧ୍ୟାହ୍ନ ଭୋଜନ ପାଚିକା ଭାବେ କାମ କରନ୍ତି।
‘‘ପିଲାଟି ଦିନରୁ ମୁଁ ଅତି କଷ୍ଟପୂର୍ଣ୍ଣ ଦିନ ଦେଖି ଆସିଛି । କିନ୍ତୁ କ୍ଷୁଧା ଏବଂ ଚରମ ଦାରିଦ୍ର୍ୟ ମୋ ମନୋବଳକୁ ଭାଙ୍ଗି ପାରିନାହିଁ,’’ ସଂଖ୍ୟାଧିକ ଗୀତ ଲେଖିଥିବା ଏହି ୫୫ ବର୍ଷୀୟା ମହିଳା ଜଣଙ୍କ କହିଥାନ୍ତି । ପଢ଼ନ୍ତୁ : ବିଡ଼ି ଶ୍ରମିକଙ୍କ ଜୀବନ ଓ ଶ୍ରମର ସଙ୍ଗୀତ
ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଅଧିକାଂଶ ମହିଳା ସେମାନଙ୍କ ପରିବାର ଚଳାଇବା ପାଇଁ ବିଡ଼ି ବାନ୍ଧିବା କାମ କରିଥାନ୍ତି । ଦୀର୍ଘ ସମୟ ଧରି ମୋଡ଼ି ହୋଇ ବସିବା, ବିଷାକ୍ତ ସାମଗ୍ରୀ ସଂସ୍ପର୍ଶରେ ଆସିବା, କାରଣରୁ ସେମାନଙ୍କ ଠାରେ ଗମ୍ଭୀର ଏବଂ ଦୂରାରୋଗ୍ୟ ଅସୁସ୍ଥତା ଦେଖା ଦେଇଥାଏ। ନିଜେ ଜଣେ ବିଡ଼ି ଶ୍ରମିକ ହୋଇଥିବାରୁ କୋହିନୂର ଆପା ଏହି ଶ୍ରମିକମାନଙ୍କ ପାଇଁ ଭଲ କାର୍ଯ୍ୟ ପରିସ୍ଥିତି ଏବଂ ଶ୍ରମ ଅଧିକାର ଲାଗି ଲଢ଼େଇ କରିବାରେ ନେତୃତ୍ୱ ନେଉଛନ୍ତି । ପଢ଼ନ୍ତୁ : ଧୂଆଁରେ ବିପନ୍ନ ମହିଳା ବିଡ଼ି ଶ୍ରମିକଙ୍କ ସ୍ୱାସ୍ଥ୍ୟ
‘‘ମୁଁ ଭୂମିହୀନ। ମଧ୍ୟାହ୍ନ ଭୋଜନ ପାଚିକା ଭାବେ ମୁଁ ଯାହା ରୋଜଗାର କରିଥାଏ ସେ ବିଷୟରେ ନକହିବା ଭଲ କାରଣ ଏହା ସବୁଠୁ କମ ମଜୁରି ପାଉଥିବା ଶ୍ରମିକର ରୋଜଗାର ସହିତ ମଧ୍ୟ ତୁଳନୀୟ ନୁହେଁ। ମୋ ସ୍ୱାମୀ ଜମାଲୁଦ୍ଦିନ ଶେଖ ଜଣେ କବାଡ଼ି ବାଲା ଭାବେ କାମ କରନ୍ତି। ଆମେ ଅତି କଷ୍ଟରେ ନିଜର ତିନି ପିଲାଙ୍କୁ ବଡ଼ କରିଛୁ,’’ ଜାନକୀ ନଗର ସ୍ଥିତ ନିଜ ଘରେ ସେ ଆମକୁ କହିଥାନ୍ତି।
ହଠାତ୍ ଶିଶୁଟିଏ ଶିଢ଼ି ବାଟେ ଆଣ୍ଠେଇ ଆଣ୍ଠେଇ ଆମେ ବସିଥିବା ଛାତକୁ ଚାଲିଆସେ, ତା’ର ପାଟି ଶୁଣି କୋହିନୂର ଆପାଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ହୋଇଯାଏ। ସେ ହେଉଛି ତାଙ୍କର ବର୍ଷକର ନାତୁଣୀ। ପିଲାଟି ତା’ର ଜେଜେମା’ଙ୍କ କୋଳକୁ ଡେଇଁପଡ଼େ। ଏହାପରେ ଜେଜେମା’ଙ୍କ ମୁହଁରେ ଖୋଲା ହସ ଖେଳି ଉଠେ।
ଜୀବନରେ ସଂଘର୍ଷ ଆସିବ । ଆମେ ଭୟଭୀତ ହେବା ଉଚିତ୍ ନୁହେଁ। ଆମକୁ ନିଜ ସ୍ୱପ୍ନ ପାଇଁ ଲଢ଼େଇ କରିବାକୁ ହେବ,’’ କାମ କରି ଫାଟି ଯାଇଥିବା ନିଜ ହାତରେ ପିଲାଟିର କୁନି ପାପୁଲିକୁ ଧରି ସେ କୁହନ୍ତି। ‘‘ମୋ ଛୁଆ ମଧ୍ୟ ଏକଥା ଜାଣେ। ହଁ ମା’?’’
‘‘ଆପଣଙ୍କ ସ୍ୱପ୍ନ କ’ଣ, ଆପା?’’ ଆମେ ପଚାରୁ।
ଏହାର ଉତ୍ତରରେ ସେ କୁହନ୍ତି, ‘‘ମୋ ସ୍ୱପ୍ନ ସମ୍ପର୍କରେ ଗୀତ ଶୁଣନ୍ତୁ।’’


