ରେଶମ ଓ ବିଅନ୍ତ କୌର କହିଲେ, ‘‘ଏହି ସଂଘର୍ଷ କେବଳ ଶ୍ରମିକ ମାନଙ୍କର ନୁହେଁ, କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କର ମଧ୍ୟ ।’’ ଯଦି ଏହି କୃଷି ଆଇନ ଗୁଡ଼ିକୁ ଲାଗୁ କରାଯାଏ, ତା’ହେଲେ ଏହା କେବଳ କୃଷକମାନଙ୍କୁ ପ୍ରଭାବିତ କରିବ ନାହିଁ, କୃଷି ଶ୍ରମିକଙ୍କୁ ମଧ୍ୟ ପ୍ରଭାବିତ କରିବା ଯେଉଁମାନଙ୍କର ଜୀବିକା ଚାଷୀଙ୍କ ଉପରେ ନିର୍ଭରଶୀଳ ।’’
ତେଣୁ ଜାନୁଆରୀ ୭ ତାରିଖ ସକାଳେ ଏହି ଦୁଇ ଭଉଣୀ ପଞ୍ଜାବର ମୁକ୍ତସର ଜିଲ୍ଲାରୁ ଦେଶ ରାଜଧାନୀ ଦିଲ୍ଲୀ ଉପକଣ୍ଠରେ ଚାଲୁଥିବା କୃଷକ ଆନ୍ଦୋଳନରେ ଯୋଗ ଦେବାକୁ ଯାତ୍ରା କଲେ ।
ପଞ୍ଜାବ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଅତି କମ୍ରେ ୨୦ଟି ବସ୍ର ବ୍ୟବସ୍ଥା କରାଯାଇଥିଲା । ତା’ ମାଧ୍ୟମରେ ଅତି କମ୍ରେ ୧୫୦୦ ଲୋକ ପଶ୍ଚିମ ଦିଲ୍ଲୀର ଟିକ୍ରି ଯାହାକି ନୂଆ କୃଷି ଆଇନକୁ ବିରୋଧ କରି ହେଉଥିବା ବିକ୍ଷୋଭର ଅନ୍ୟତମ ସ୍ଥଳ ସେଠାରେ ରାତିରେ ପହଞ୍ଚିଲେ । ଲୋକମାନେ ଭଟିଣ୍ଡା, ଫରିଦକୋଟ, ଜଳନ୍ଧର, ମୋଗା, ମୁକ୍ତସର, ପଟିଆଲା ଓ ସାଙ୍ଗ୍ରୁର ଜିଲ୍ଲାରୁ ଆସିଥିଲେ । ରେଶମ ଓ ବିଅନ୍ତ ଏହି ବସ୍ ମଧ୍ୟରୁ ଗୋଟିଏରେ ମୁକ୍ତସର ଜିଲ୍ଲାସ୍ଥିତ ସେମାନଙ୍କ ଗାଁ ଚାନୁ ନିକଟସ୍ଥ ଏକ ସ୍ଥାନରୁ ଚଢ଼ିଲେ ।
ନଭେମ୍ବର ୨୬ ତାରିଖରୁ ଟିକ୍ରି, ଦିଲ୍ଲୀ ଓ ଆଖପାଖର ଅନ୍ୟ ବିକ୍ଷୋଭସ୍ଥଳରେ ବହୁ ସଂଖ୍ୟାରେ ଶ୍ରମିକ ଧାରଣା ଦେଇଆସୁଛନ୍ତି । କିଛି ଶ୍ରମିକ ଅଳ୍ପ ଦିନ ପାଇଁ ସେଥିରେ ସାମିଲ ହେଉଛନ୍ତି । ସେମାନେ ନିଜ ନିଜ ଗାଁକୁ ଫେରି ଲୋକଙ୍କୁ ଏହିସବୁ ସ୍ଥାନରେ ଚାଲିଥିବା ବିକ୍ଷୋଭ ସମ୍ପର୍କରେ ସୂଚନା ଦେଉଛନ୍ତି । ୨୪ ବର୍ଷୀୟ ରେଶମ କହିଲେ, ‘‘ଆମ ଗାଁର ଅଧିକାଂଶ ଲୋକ ଏହି ନୂଆ କୃଷି ଆଇନ କିଭଳି କୃଷି ଶ୍ରମିକଙ୍କୁ ପ୍ରଭାବିତ କରିବ ତାହା ଜାଣିନାହାନ୍ତି । ଏମିତିକି ଆମ ଗାଁରେ ପ୍ରସାରିତ ହେଉଥିବା ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକରେ ଏହି ଆଇନ ଗୁଡ଼ିକ ଚାଷୀ ଓ କୃଷି ଶ୍ରମିକଙ୍କ ମଙ୍ଗଳ ପାଇଁ ଆସିଥିବା ଦର୍ଶାଯାଉଛି । ସେଥିରେ କୁହାଯାଉଛି ଯେ, ଏହି ନୂଆ ଆଇନ ଗୁଡ଼ିକ ଲାଗୁ ହେବା ପରେ କୃଷି ଶ୍ରମିକଙ୍କୁ ଜମି ଓ ଉନ୍ନତମାନର ସୁବିଧା ଯୋଗାଇ ଦିଆଯିବ ।’’
୨୦୨୦ ଜୁନ୍ ୫ ତାରିଖରେ କୃଷି ଆଇନ ଗୁଡ଼ିକ ଅଧ୍ୟାଦେଶ ଆକାରରେ ପାରିତ ହେଲା, ତା’ପରେ ଫାର୍ମ ବିଲ୍ ଆକାରରେ ସଂସଦରେ ସେପ୍ଟେମ୍ବର ୧୪ରେ ଉପସ୍ଥାପିତ କରାଗଲା ଏବଂ ସେହି ମାସ ୨୦ ତାରିଖରେ ଆଇନରେ ପରିଣତ ହେଲା । ତିନିଟି ଆଇନ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ଏହି ଆଇନ ଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି ।





