୨୨ ବର୍ଷର ଗୁରୁପ୍ରିତ ସିଂଙ୍କ ଯେଉଁଦିନ ମୃତ୍ୟୁ ହୋଇଥିଲା, ସେହିଦିନ ପର୍ଯ୍ୟନ୍ତ ସେ ନୂତନ କୃଷି ଆଇନର ବିରୋଧ କରିବାକୁ ନିଜ ଗ୍ରାମରେ ସମ୍ମିଳନୀମାନ ଆୟୋଜନ କରୁଥିଲେ । ତାଙ୍କ ବାପା, ଚାଷୀ ଜଗ୍ତାର ସିଂ କଟାରିଆ, ଯାହାର ଉତ୍ତର-ପଶ୍ଚିମ ପଞ୍ଜାବ ସ୍ଥିତ ତାଙ୍କ ଗ୍ରାମରେ ପାଞ୍ଚ ଏକର ଜମି ଅଛି, ତାଙ୍କର ଶେଷ ଭାଷଣ କଥା ମନେ ପକାନ୍ତି । ସେଦିନ ସେ ଚାଷୀମାନଙ୍କୁ ଦିଲ୍ଲୀରେ ନୂଆ ଇତିହାସ ଲେଖା ଯାଉଛି ଆଉ ସେମାନେ ଏଥିରେ ଯୋଗଦାନ କରିବାକୁ ସେଠାକୁ ଯିବା ଉଚିତ ବୋଲି କହିବାବେଳେ ତାଙ୍କ କଥା ୧୫ରୁ ଅଧିକ ଦର୍ଶକ ମନଦେଇ ଶୁଣୁଥିଲେ। ଡିସେମ୍ବର ୨୦୨୦ ପ୍ରାତଃକାଳରେ ସେହି ଉତ୍ତେଜକ ଭାଷଣ ପ୍ରଦାନ କରିବା ପରେ, ଦଳ ରାଜଧାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଅଣ୍ଟା ଭିଡ଼ି ବାହାରିଥିଲା ।
ସେମାନେ ଗତ ବର୍ଷ ଡିସେମ୍ବର ୧୪ରେ, ପଞ୍ଜାବର ସହିଦ ଭଗତ ସିଂ ନଗର ଜିଲ୍ଲାର ବଲାଚଚୌର ତହସିଲରେ ଅବସ୍ଥିତ ସେମାନଙ୍କ ଗ୍ରାମ ମକୋୱାଲ୍ ଛାଡ଼ିଥିଲେ । କିନ୍ତୁ ପ୍ରାୟ ୩୦୦ କିଲୋମିଟର ଯାତ୍ରା କରିବା ପରେ, ହରିୟାଣାର ଅମ୍ବାଲା ଜିଲ୍ଲାର ମୋହରା ପାଖରେ ଗୋଟିଏ ଭାରି ଯାନ ଆସି ତାଙ୍କ ଟ୍ରାକ୍ଟର ଟ୍ରଲି ସହିତ ବାଡେଇ ହୋଇଥିଲା । “ଖୁବ୍ ଜୋର୍ରେ ଧକ୍କା ଦେଇଥିଲା । ଗୁରୁପ୍ରିତ ମରିଗଲା” ବୋଲି ଜଗ୍ତାର କହିଲେ । ଜଗ୍ତାରଙ୍କ ପୁଅ ପଟିଆଲା ସ୍ଥିତ ମୋଦି କଲେଜ୍ର ବିଏ ଛାତ୍ର ଥିଲେ । “ତାହା ଥିଲା ଆନ୍ଦୋଳନରେ ତାଙ୍କର ଅଂଶଦାନ – ତାଙ୍କର ଜୀବନ”।
ସେପ୍ଟେମ୍ବର ୨୦୨୦ରେ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ତିନି କୃଷି ଆଇନକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନରେ ଭାଗ ନେଇ ପ୍ରାଣ ହରାଇଥିବା ୭୦୦ ବା ଅଧିକ ଲୋକଙ୍କ ମଧ୍ୟରୁ ଗୁରୁପ୍ରିତ ହେଉଛନ୍ତି ଜଣେ । ସମଗ୍ର ଦେଶର ଚାଷୀକୂଳ ଏହି ବିଲ୍କୁ ବିରୋଧ କରିଥିଲେ କାରଣ ସେମାନେ ବିଶ୍ୱାସ କରୁଥିଲେ ଏହି ବିଲ୍ ଲାଗୁ ହେଲେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ ଓ ଘରୋଇ ବ୍ୟବସାୟୀ ଓ ବଡ଼ ବଡ଼ ନିଗମଗୁଡ଼ିକ ଫସଲ ମୂଲ୍ୟ ନିୟନ୍ତ୍ରଣ କରିବେ ଓ ବଜାରରୁ ମାତ୍ରାଧିକ ଲାଭାନ୍ୱିତ ହେବେ । ଏହି ଆନ୍ଦୋଳନରେ ଭାଗ ନେବାପାଇଁ ମୁଖ୍ୟତଃ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ଚାଷୀମାନେ ନଭେମ୍ବର ୧୬,୨୦୨୦ରୁ ଦିଲ୍ଲୀ ସୀମାକୁ ଆସିବା ଆରମ୍ଭ କରିଥିଲେ। "ଆଇନ ରଦ୍ଦ କରିବାକୁ ଦାବି କରି ସେମାନେ ଦିଲ୍ଲୀ-ହରିୟାଣା ସୀମାର ସିଙ୍ଘୁ ଏବଂ ଟିକ୍ରିରେ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଥିବା ଗାଜୀପୁରରେ କ୍ୟାମ୍ପ ସ୍ଥାପନ କରିଛନ୍ତି।"
ବିରୋଧ ପ୍ରଦର୍ଶନ ଆରମ୍ଭ ହେବାର ଏକ ବର୍ଷ ପରେ, ପ୍ରଧାନମନ୍ତ୍ରୀ ନଭେମ୍ବର ୧୯,୨୦୨୧ରେ ଆଇନ୍ଗୁଡ଼ିକ ପ୍ରତ୍ୟାହାର କରିବା ପାଇଁ ଘୋଷଣା କଲେ । ସରକାର ଚାଷୀ ୟୁନିୟନ ଦ୍ୱାରା କରାଯାଇଥିବା ଅଧିକାଂଶ ଦାବି ପୂରଣ ହେବା ପରେ, କୃଷି ଆଇନ ପ୍ରତ୍ୟାହାର ବିଲ୍ ୨୦୨୧ ନଭେମ୍ବର ୨୯ରେ ସଂସଦରେ ପାରିତ ହେଲା, କିନ୍ତୁ ଆନ୍ଦୋଳନ ଡିସେମ୍ବର ୧୧,୨୦୨୧ରେ ସମାପ୍ତ ହୋଇଥିଲା।
ମୁଁ କେତୋଟି ପରିବାର ସହିତ କଥା ହୋଇଥିଲି – ଫୋନ୍ରେ ଓ ବ୍ୟକ୍ତିଗତ ଭାବେ– ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ଆନ୍ଦୋଳନବେଳେ ହରାଇଥିଲେ । ବିପର୍ଯ୍ୟୟଗ୍ରସ୍ତ ଓ ଦୁଃଖୀ, ଆଉ କ୍ରୋଧାନ୍ୱିତ ମଧ୍ୟ, ସେମାନେ ସହିଦ୍ମାନଙ୍କ ମଧ୍ୟରୁ ସେମାନଙ୍କ ଆତ୍ମୀୟମାନଙ୍କୁ ମନେପକାଇଲେ, ଯେଉଁମାନେ ଏହି ଉଦ୍ଦେଶ୍ୟ ସାଧନ ପାଇଁ ସେମାନଙ୍କ ଜୀବନ ଉତ୍ସର୍ଗ କରିଥିଲେ ।
“ଆମେ ଚାଷୀମାନଙ୍କ ବିଜୟକୁ ନେଇ ଆନନ୍ଦିତ, ହେଲେ, ଆଇନ୍ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କର ଘୋଷଣାରେ ଆମେ ଖୁସି ଅନୁଭବ କରୁନାହୁଁ,” ଜଗ୍ତାର ସିଂ କଟରିଆ କହିଲେ । “ସରକାର ଚାଷୀମାନଙ୍କ ହିତ ସାଧନ ପାଇଁ କିଛି ମଧ୍ୟ କରିନାହାନ୍ତି । ବରଂ, ଚାଷୀ ଓ ମୃତ ବ୍ୟକ୍ତିମାନଙ୍କୁ ଅପମାନିତ କରିଛନ୍ତି ।

















