ଉଚ୍ଚକୋଟୀର ଫ୍ୟାଶନ, ଦ୍ରୁତ ଧାବମାନ ଫ୍ୟାଶନ, ଏବଂ ଯୌନତୃଷ୍ଣା।
ବିଳାସପୂର୍ଣ୍ଣ ଭ୍ରମଣ, ମିତବ୍ୟୟୀ ଭ୍ରମଣ, କିମ୍ବା ଅସରନ୍ତି ଭ୍ରମଣ !
ମିମ୍, ପ୍ରଚଳିତ ନୃତ୍ୟଭଙ୍ଗୀ, ହାସ୍ୟରସାତ୍ମକ ଏବଂ ବେଳେବେଳେ କଳ୍ପନାତୀତ ଭାବେ ଭୟାବହ ଫିଲଟର୍ ।
ଅନଲାଇନରେ ଏହିଭଳି କେତେକ ବିଷୟବସ୍ତୁ ଆମର ଦୃଷ୍ଟି ଆକର୍ଷଣ କରେ । କିନ୍ତୁ. ‘ପରୀ’ରେ, ଆମ ପାଖରେ ଏମିତି କୌଣସି ବିଷୟବସ୍ତୁ ନାହିଁ ସତ, ତଥାପି ଆମେ ସାମାଜିକ ଗଣମାଧ୍ୟମର ଜଟିଳ ଦୁନିଆରେ ଦର୍ଶକଙ୍କୁ ଆମ ସହ ଯୋଡ଼ି ରଖିବାରେ ସକ୍ଷମ ହୋଇଛୁ । କେମିତି ? ଏକ ଅତୀବ ସ୍ପଷ୍ଟ ଅଥଚ ସ୍ୱଳ୍ପ ବ୍ୟବହୃତ ଉପାୟ ମାଧ୍ୟମରେ: ତଥ୍ୟସମୃଦ୍ଧ ରିପୋର୍ଟ ଏବଂ ଶକ୍ତିଶାଳୀ ଉପସ୍ଥାପନ ଶୈଳୀ ।
ବର୍ଷ ଶେଷରେ, ବିଭିନ୍ନ ବର୍ଗର ଦର୍ଶକ କିଭଳି ଆମ କାର୍ଯ୍ୟକୁ ଗ୍ରହଣ କରିଛନ୍ତି ସେ ସଂପର୍କରେ ଆମେ ଆପଣମାନଙ୍କୁ ଅବଗତ କରାଇବାକୁ ଚାହୁଁଛୁ । (ଏହି ଛୋଟ କ୍ଲିପଟି ମଧ୍ୟ ଦେଖନ୍ତୁ) ।
ଆମର ବନସୱାଡ଼ାର ପରମ୍ପରା: ମହିଳାମାନଙ୍କୁ ଚଉକିରେ ବସିବା ମନା। ଶୀର୍ଷକ ପୋଷ୍ଟକୁ ଲକ୍ଷ ଲକ୍ଷ ବ୍ୟକ୍ତି ପ୍ରଶଂସା କରିଛନ୍ତି । ନୀଲାଞ୍ଜନ ନନ୍ଦୀଙ୍କର ଏହି ଆଲେଖ୍ୟଟି ରାଜସ୍ଥାନର ସେହି ମହିଳାମାନଙ୍କ ସଂପର୍କରେ, ଯେଉଁମାନେ ପୁରୁଷ କିମ୍ବା ବୟସ୍କ ଲୋକଙ୍କ ଉପସ୍ଥିତିରେ କେବେହେଲେ ଚଉକିରେ କିମ୍ବା ଅନ୍ୟ କୌଣସି ଉଚ୍ଚ ସ୍ଥାନରେ ବସି ନାହାନ୍ତି । ଇନଷ୍ଟାଗ୍ରାମରେ ଏହି ରିଲକୁ ସାତ ଲକ୍ଷ ଲୋକ ଦେଖିଥିଲେ ଏବଂ ସମାନ ଧରଣର ବ୍ୟବହାରକୁ ଅଙ୍ଗେ ନିଭାଇଥିବା ଶହ ଶହ ମହିଳା ଏଥିରେ ନିଜ ନିଜର ମନ୍ତବ୍ୟ ଦେଇଥିଲେ ଏବଂ ଠିକ୍ ସେହିଭଳି, ଛୋଟିଆ କଥାଟିଏ ଭଳି ମନେ ହେଉଥିବା ଏହି ପ୍ରସଙ୍ଗର ଗୁରୁତ୍ୱକୁ କେତେକ ସ୍ୱୀକାର କରିଥିଲେ ତ ଅନ୍ୟ କେତେକ ଏହାକୁ ସ୍ୱପ୍ନରେ ମଧ୍ୟ ଭାବିପାରିବେ ନାହିଁ ବୋଲି ମତ ଦେଇଥିଲେ। “ଏଭଳି ପ୍ରସଙ୍ଗକୁ ପରଖିବା ଲାଗି ଦରଦୀ ନଜରଟିଏ ଦରକାର” ବୋଲି ମଲିକା କୁମାର ନାମକ ଜଣେ ପାଠକଙ୍କ ମତାମତ ବୋଧହୁଏ ସାଧାରଣ ଲୋକଙ୍କର ନିତିଦିନିଆ ଜୀବନ ସଂପର୍କିତ ଏଭଳି ରିପୋର୍ଟ ପ୍ରତି ସବୁଠାରୁ ବଡ଼ ସ୍ୱୀକୃତି ।








