ଯଦି ପ୍ରାୟ ପ୍ରତ୍ୟେକ ଭାରତୀୟ କୃଷକ ଇଂଲିଶର କେତୋଟି ଶବ୍ଦ ଜାଣିଥାଆନ୍ତି, ତେବେ ନିଶ୍ଚିତ ରୂପେ ତାହା ହେବ ‘ସ୍ୱାମୀନାଥନ ରିପୋର୍ଟ’ କିମ୍ବା ‘ସ୍ୱାମୀନାଥନ କମିଶନ ରିପୋର୍ଟ।’ ସେମାନେ ଏହା ବି ଜାଣିଛନ୍ତି ଯେ, ଏଥିରେ ସେମାନଙ୍କ ପାଇଁ କେଉଁ ମୁଖ୍ୟ ସୁପାରିସ ରହିଛି: ନ୍ୟୂନତମ ସମର୍ଥନ ମୂଲ୍ୟ (ଏମ୍ଏସ୍ପି) = ବିସ୍ତୃତ ଉତ୍ପାଦନ ଖର୍ଚ୍ଚ +୫୦ ପ୍ରତିଶତ (ସି୨ + ୫୦ ପ୍ରତିଶତ ମଧ୍ୟ କୁହାଯାଏ)।
ପ୍ରଫେସର ସ୍ୱାମୀନାଥନ କେବଳ ଯେ ସରକାରୀ ସଭାକକ୍ଷରେ କିମ୍ବା ଅମଲାତନ୍ତ୍ରର ସ୍ମୃତିରେ ରହିବେ, କିମ୍ବା ବିଭିନ୍ନ ବିଜ୍ଞାନ ପ୍ରତିଷ୍ଠାନରେ, ତାହା ନୁହେଁ, ବରଂ ମୁଖ୍ୟତଃ ସେ ରହିବେ ସେହି ଲକ୍ଷ ଲକ୍ଷ କୃଷକଙ୍କ ହୃଦୟରେ, ଯେଉଁମାନେ ଜାତୀୟ କୃଷକ କମିଶନ (ଏନ୍ସିଏଫ୍) ରିପୋର୍ଟ ଲାଗୁ କରିବା ପାଇଁ ଦାବି କରିଆସୁଛନ୍ତି।
ସରଳ ଭାଷାରେ ଭାରତୀୟ କୃଷକମାନେ ଏହାକୁ କହନ୍ତି ‘ସ୍ୱାମୀନାଥନ ରିପୋର୍ଟ’- କାରଣ, ଏଥିରେ ସମ୍ମିଳିତ ବିସ୍ତୃତ ତଥ୍ୟାବଳୀ, ଏହାର ପ୍ରଭାବ ଏବଂ ତାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଜାତୀୟ କୃଷି କମିଶନଙ୍କ ବିଭିନ୍ନ ରିପୋର୍ଟରେ ସେ ଛାଡ଼ି ଯାଇଥିବା ପ୍ରଭାବଶାଳୀ ଛାପ।
ଏହିସବୁ ରିପୋର୍ଟର ପ୍ରଚ୍ଛଦପଟ୍ଟରେ ରହିଛି ଉଭୟ ୟୁପିଏ ଏବଂ ଏନ୍ଡିଏ ସରକାରଙ୍କ ବିଶ୍ୱାସଘାତକତା ଏବଂ ଦମନମୂଳକ ନୀତିର ଅନ୍ୟତମ ଗାଥା। ପ୍ରଥମ ରିପୋର୍ଟ ୨୦୦୪ ଡିସେମ୍ବରରେ ଏବଂ ପଞ୍ଚମ ଏବଂ ଚୂଡ଼ାନ୍ତ ରିପୋର୍ଟ ୨୦୦୬ ଅକ୍ଟୋବରରେ ଦାଖଲ କରାଯାଇଥିଲା। କିନ୍ତୁ କୃଷି କ୍ଷେତ୍ରରେ ସଂକଟ ସଂପର୍କିତ ଆଲୋଚନା ଲାଗି, ଆମ ପାଇଁ ନିତାନ୍ତ ଆବଶ୍ୟକ ମନେ ହେଉଥିବା, ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ତ ଦୂରର କଥା, ଏ ବିଷୟରେ ଗୋଟିଏ ଘଣ୍ଟାର ଆଲୋଚନା ବି କେବେହେଲେ କରାଯାଇନାହିଁ। ଏବଂ ଏବେ ପ୍ରଥମ ରିପୋର୍ଟ ଦାଖଲ କରାଯିବାର ୧୯ ବର୍ଷ ପୂରିଗଲାଣି।
୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିଲେ, ଏହା ପଛରେ, ସ୍ୱାମୀନାଥନ ରିପୋର୍ଟ, ବିଶେଷତଃ ରିପୋର୍ଟରେ ପ୍ରଣୀତ ସୂତ୍ର ଅନୁସାରେ କୃଷକମାନଙ୍କୁ ନ୍ୟୂନତମ ସମର୍ଥନ ମୂଲ୍ୟ ପ୍ରଦାନ ଦିଗରେ ସୁପାରିସକୁ ତୁରନ୍ତ ଲାଗୁ କରିବାର ପ୍ରତିଶ୍ରୁତି ବି କିଛି ପରିମାଣରେ ସହାୟକ ହୋଇଥିଲା । ହେଲେ ତା ବଦଳରେ, ନୂଆ ନୂଆ କ୍ଷମତାକୁ ଆସିଥିବା ସରକାର ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରି ଜଣାଇ ଦେଲେ ଯେ, ଏହି ରିପୋର୍ଟର କାର୍ଯ୍ୟକାରିତା ବଜାର ଦରକୁ ପ୍ରତିକୂଳ ଭାବରେ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଏହାକୁ ଲାଗୁ କରିବା ସମ୍ଭବ ହେବ ନାହିଁ ।
ବୋଧହୁଏ, ଏହି ରିପୋର୍ଟ ଅତି ମାତ୍ରାରେ ‘କୃଷକଙ୍କ ସପକ୍ଷରେ’ ବୋଲି ଉଭୟ ୟୁପିଏ ଏବଂ ଏନ୍ଡିଏ ସରକାର ବିଚାର କରିଥିଲେ। ତାହା ବି ସେହି ସମୟରେ, ଯେତେବେଳେ ଉଭୟ ସରକାର ଭାରତୀୟ କୃଷି କ୍ଷେତ୍ରକୁ ବଡ଼ ବଡ଼ କମ୍ପାନୀ ହାତରେ ଟେକି ଦେବାକୁ ମସୁଧା କରୁଥିଲେ। ଦେଶ ସ୍ୱାଧୀନ ହେବା ପରଠାରୁ କୃଷି କ୍ଷେତ୍ର ପାଇଁ ପ୍ରଣୀତ ଏକମାତ୍ର ସକାରାତ୍ମକ ଆଭିମୁଖ୍ୟ ସମ୍ବଳିତ ଲିପିବଦ୍ଧ ନୀତି ଥିଲା ଏହି ରିପୋର୍ଟ। ତାହା ବି ଏମିତି ଜଣେ ବ୍ୟକ୍ତିଙ୍କ ଦିଗ୍ଦର୍ଶନରେ ପ୍ରସ୍ତୁତ ହୋଇଥିଲା, ଯେ କି ଏକ ସଂପୂର୍ଣ୍ଣ ଭିନ୍ନ ଦୃଷ୍ଟିକୋଣରୁ ଏହାକୁ ଦେଖିଥିଲେ: କେବଳ ବର୍ଦ୍ଧିତ ଉତ୍ପାଦନ ହାର ଭିତ୍ତିରେ ଆକଳନ କରିବା ବଦଳରେ ସେ କୃଷକମାନଙ୍କ ଆୟର ଅଭିବୃଦ୍ଧିକୁ କୃଷି କ୍ଷେତ୍ରରେ ଅଭିବୃଦ୍ଧିର ମାପଦଣ୍ଡ ରୂପେ ଗ୍ରହଣ କରିଥିଲେ ।
ବ୍ୟକ୍ତିଗତ ଭାବେ, ତାଙ୍କ ସଂପର୍କିତ ମୋର ଅଭୁଲା ସ୍ମୃତିର ଅୟମାରମ୍ଭ ହୁଏ ୨୦୦୫ ମସିହାରେ- ସେତେବେଳେ ସେ ଥିଲେ ଜାତୀୟ କୃଷକ କମିଶନର ଅଧ୍ୟକ୍ଷ ଏବଂ ବିଦର୍ଭ ଅଞ୍ଚଳ ବୁଲି ଦେଖିବାକୁ ମୁଁ ତାଙ୍କୁ ନିବେଦନ କରିଥିଲି। ସେ ସମୟରେ ସେହି ଅଞ୍ଚଳରେ ନିର୍ଦ୍ଦିଷ୍ଟ କେତେକ ଋତୁରେ ପ୍ରତି ଦିନ ୬ରୁ ୮ ଜଣ ଚାଷୀ ଆତ୍ମହତ୍ୟା କରୁଥିଲେ । ସେଠାକାର ପରିସ୍ଥିତି କଳ୍ପନାତୀତ ଭାବେ ଦୟନୀୟ ଥିଲା । ଯଦିଓ ଅଧିକାଂଶ ଗଣମାଧ୍ୟମ ସଂସ୍ଥା ଏ ସଂପର୍କରେ ନିରବ ରହୁଥିବାରୁ କେହି ଏକଥା ଜାଣିପାରୁ ନଥିଲେ। (ଆମ ଗଣନା ଅନୁସାରେ, ୨୦୦୬ରେ ବିଦର୍ଭ ବାହାରର ମାତ୍ର ଛଅ ଜଣ ସାମ୍ବାଦିକ ଗୁରୁତର ଭାବେ ପ୍ରଭାବିତ ଏ ଅଞ୍ଚଳର ଛଅଟି ଜିଲ୍ଲାରେ ସଂଘଟିତ ସମ୍ଭବତଃ ସର୍ବବୃହତ୍ ଆତ୍ମହତ୍ୟାର ଧାରାପ୍ରବାହ ସଂପର୍କରେ ରିପୋର୍ଟ କରିଥିଲେ । ସେହି ଏକା ସମୟରେ ମୁମ୍ବାଇରେ ଆୟୋଜିତ ‘ଲାକ୍ମେ ଫ୍ୟାଶନ ୱିକ୍’ ସଂପର୍କିତ ଖବର ସଂଗ୍ରହରେ ୫୧୨ ଜଣ ସରକାରୀ ଭାବେ ଅନୁବନ୍ଧିତ ସାମ୍ବାଦିକଙ୍କ ସହିତ ଦୈନିକ ପ୍ରବେଶ ପତ୍ର ବଳରେ ଯାଉଥିବା ଆଉ ୧୦୦ ଜଣ ସାମ୍ବାଦିକ କାର୍ଯ୍ୟରତ ଥିଲେ । ବିଡ଼ମ୍ବନାର ବିଷୟ ଯେ, ‘ଫ୍ୟାଶନ ୱିକ୍’ର ମୁଖ୍ୟ କଥାବସ୍ତୁ ଥିଲା ସୂତା - ଯାହା କି ଭବ୍ୟ ଢଙ୍ଗରେ ରାମ୍ପ୍ ଉପରେ ଉପସ୍ଥାପିତ ହେଉଥିଲା । ଯେଉଁ ସମୟରେ କି ସେଠାରୁ ଉଡ଼ାଜାହାଜରେ ଘଣ୍ଟାକର ବାଟ ଦୂରରେ ଏହି ସୂତା ପାଇଁ କପା ଚାଷ କରିଥିବା ଅଭାବନୀୟ ସଂଖ୍ୟକ ପୁରୁଷ, ମହିଳା ଓ ପିଲାମାନେ ନିଜ ହାତରେ ନିଜ ଜୀବନକୁ ଶେଷ କରିଦେଉଥିଲେ ।)
ପୁଣି ୨୦୦୫କୁ ଫେରିବା । ଆମ ସାମ୍ବାଦିକମାନଙ୍କର ସେହି ନିବେଦନର ଉତ୍ତରରେ ପ୍ରଫେସର ସ୍ୱାମୀନାଥନ ତତ୍କ୍ଷଣାତ, ବିଦର୍ଭ ଗସ୍ତରେ ବାହାରିଥିଲେ ଏବଂ ଜାତୀୟ କୃଷି କମିଶନଙ୍କ ଏକ ଟିମ୍ ସହିତ ସେ ଏତେ ଶୀଘ୍ର ସେଠାରେ ପହଞ୍ଚିଥିଲେ ଯେ ଆମ ଭିତରୁ କେହି ହେଲେ ଏହା ଆଶା କରିପାରି ନଥିଲେ ।
ତାଙ୍କ ଗସ୍ତକୁ ଦେଖି ବିଳାସରାଓ ଦେଶମୁଖ ସରକାର ସତର୍କ ହୋଇଉଠିଲେ ଏବଂ ତାଙ୍କୁ ଏକ ପୂର୍ବ ସଂଯୋଜିତ ଗସ୍ତରେ ନେଇ ପ୍ରଶାସକ ଓ ଯନ୍ତ୍ରୀମାନଙ୍କ ସହିତ ସଂଖ୍ୟାଧିକ ଆଲୋଚନାରେ ଭାଗ ନେବା ଏବଂ ବିଭିନ୍ନ କୃଷି ମହାବିଦ୍ୟାଳୟରେ ଆୟୋଜିତ ଉତ୍ସବରେ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଯୋଗ ଦେବା ଭଳି କାମରେ ବ୍ୟସ୍ତ ରଖିବା ଲାଗି ସାଧ୍ୟମତେ ଉଦ୍ୟମ କରିଥିଲେ । ବିନମ୍ରତାର ସହିତ ସେ ମହାରାଷ୍ଟ୍ର ସରକାରଙ୍କୁ କହିଲେ ଯେ, ସେମାନେ ତାଙ୍କୁ ଯେଉଁ ଯେଉଁ ସ୍ଥାନକୁ ନେବାକୁ ଚାହୁଁଛନ୍ତି ସେ ସବୁ ସ୍ଥାନକୁ ସେ ଯିବେ ସତ, କିନ୍ତୁ ତା ସହିତ ମୁଁ ଓ ଜୟଦୀପ ହାର୍ଦିକରଙ୍କ ଭଳି ମୋର ସାଥୀ ସାମ୍ବାଦିକମାନେ ଯେଉଁ ସବୁ କ୍ଷେତ ଓ ସ୍ଥାନକୁ ଯିବା ଲାଗି ତାଙ୍କୁ କହିଥିଲୁ, ସେ ସବୁ ସ୍ଥାନରେ ମଧ୍ୟ ସମୟ ବିତାଇବେ। ଏବଂ ସେ ତାହା ହିଁ କଲେ ।
ୱାର୍ଦ୍ଧାରେ ଆମେ ତାଙ୍କୁ ଶ୍ୟାମରାଓ ଖଟାଲେଙ୍କ ଘରକୁ ନେଇଗଲୁ । କିଛି ଦିନ ତଳେ ତାଙ୍କ ପରିବାରର କାର୍ଯ୍ୟରତ କୃଷକ ସଦସ୍ୟମାନେ- ତାଙ୍କ ପୁଅମାନେ ଆତ୍ମହତ୍ୟା କରିଥିଲେ । ଆମେ ପହଞ୍ଚିବାର କେଇ ଘଣ୍ଟା ପୂର୍ବରୁ ଶ୍ୟାମରାଓଙ୍କର ମୃତ୍ୟୁ ହୋଇଯାଇଥିଲା । କାରଣ ଥିଲା- ଅସୁସ୍ଥତା ଏବଂ ତା ସହିତ ଅନାହାର ଓ ପୁଅମାନଙ୍କ ଅକାଳ ମୃତ୍ୟୁଜନିତ ବ୍ୟଥା ତାଙ୍କ ମାନସିକ ଯନ୍ତ୍ରଣାକୁ ବହୁଗୁଣିତ କରିଥିଲା । ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିବା ଦର୍ଶାଇ ରାଜ୍ୟ ସରକାର ଗସ୍ତ କାର୍ଯ୍ୟକ୍ରମକୁ ବଦଳାଇବା ଲାଗି ଚେଷ୍ଟା କରିଥିଲେ । କିନ୍ତୁ ସ୍ୱାମୀନାଥନ ସେଠାକୁ ଯାଇ ତାଙ୍କୁ ଅନ୍ତିମ ସମ୍ମାନ ଜଣାଇ ଆସିବେ ବୋଲି ଅଡ଼ି ବସିଥିଲେ ।
ପରେ ପରେ ଆଉ କେତୋଟି ଘର ବୁଲି ଦେଖିବା ଅବସରରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର ଲୋକଙ୍କ କଥା ଶୁଣି ସେ କାନ୍ଦି ପକାଇଥିଲେ । ୱାର୍ଦ୍ଧାର ବୈଫାଦରେ ପୀଡ଼ିତ ଚାଷୀମାନଙ୍କର ଏକ ସ୍ମରଣୀୟ ଜନସଭାରେ ସେ ଯୋଗ ଦେଇଥିଲେ। ଏହାର ଆୟୋଜନ କରିଥିଲେ ପ୍ରଖ୍ୟାତ ପୁରୁଷ ବିଜୟ ଜବଂଧିୟା- ସାଂପ୍ରତିକ ସମୟର କୃଷି କ୍ଷେତ୍ରରେ ଜଣେ ଉତ୍ତୁଙ୍ଗ ପ୍ରଜ୍ଞାବାଦୀ। ଗୋଟିଏ ସମୟରେ ଭିଡ଼ ଭିତରେ ଥିବା ଜଣେ ବୟସ୍କ ଚାଷୀ ଠିଆ ହୋଇ ପଡ଼ିଲେ ଏବଂ ସରକାର କାହିଁକି ସେମାନଙ୍କୁ ଏତେ ବେଶୀ ଘୃଣା କରୁଛନ୍ତି ବୋଲି ରାଗରେ ତାଙ୍କୁ ପଚାରିଲେ । ଆମେ କ’ଣ ଆତଙ୍କବାଦୀ ହୋଇଯାଇଛୁ ଯେ ଆମ କଥା ଶୁଣିବେନି ? ଏହି ପ୍ରଶ୍ନରେ ଗଭୀର ମର୍ମାହତ ପ୍ରଫେସର ତାଙ୍କୁ ଏବଂ ତାଙ୍କ ବନ୍ଧୁମାନଙ୍କ କଥାକୁ ଅସୀମ ଧୈର୍ଯ୍ୟ ଓ ବୋଧଶକ୍ତି ସହ ଶୁଣିଲେ।
ବୟସର ୮୦ ଦଶକରେ ପାଦ ଥାପି ସାରିଥିଲେ ସ୍ୱାମୀନାଥନ। ତାଙ୍କ ମନୋବଳ, ଶାନ୍ତ ସ୍ୱଭାବ ଏବଂ ବଦାନ୍ୟତା ମୋତେ ବିସ୍ମିତ କରିଥିଲା। ଆମେ ଏହା ବି ଲକ୍ଷ୍ୟ କରିଥିଲୁ ଯେ, ତାଙ୍କ ମତାମତ ଓ କାର୍ଯ୍ୟକୁ ତୀବ୍ର ସମାଲୋଚନା କରୁଥିବା ଲୋକଙ୍କ ସହିତ ମଧ୍ୟ ସେ ଖୁବ୍ ଆନ୍ତରିକତାର ସହିତ ବାର୍ତ୍ତାଳାପ କରୁଥିଲେ । ସେ ସେମାନଙ୍କ କଥାକୁ ଧୈର୍ଯ୍ୟର ସହ ଶୁଣୁଥିଲେ ଏବଂ ବେଳେବେଳେ ସେମାନଙ୍କର କେତେକ ସମାଲୋଚନା ପ୍ରତି ସମ୍ମତି ପ୍ରକାଶ କରୁଥିଲେ। ଏମିତି ଆଉ କୌଣସି ବ୍ୟକ୍ତିଙ୍କୁ ମୁଁ ଜାଣିନାହିଁ, ଯେ କି ନିଜ ସମାଲୋଚକମାନଙ୍କୁ ନିଜେ ଆୟୋଜନ କରୁଥିବା କୌଣସି ପାଠଚକ୍ର ବା କର୍ମଶାଳାକୁ ସାଦରେ ନିମନ୍ତ୍ରଣ କରିବେ ଏବଂ ସେଠାରେ ସେମାନେ ତାଙ୍କୁ ବ୍ୟକ୍ତିଗତ ଭାବେ କହିଥିବା କଥାକୁ ସର୍ବସମ୍ମୁଖରେ କହି ବସିବେ ।
ଏକଥା ନିଶ୍ଚିତ ଭାବରେ ସତ୍ୟ ଯେ, ମଣିଷ ଚରିତ୍ରର ଗୋଟିଏ ପ୍ରଭାବଶାଳୀ ବୈଶିଷ୍ଟ୍ୟ ହେଉଛି ଯେ ସେ ବହୁ ବର୍ଷ ପଛକୁ ଫେରିଯାଇପାରେ ଏବଂ ସେ ସମୟରେ ନିଜ କାମର ବିଫଳତା ଓ ଦୋଷଦୁର୍ବଳତା ବୋଲି ଏବେ ହୃଦୟଙ୍ଗମ କରି ସେ ସବୁକୁ ଏବେ ସୁଧାରି ନେଇପାରେ। ରାସାୟନିକ ସାର ଏବଂ କୀଟନାଶକ ଔଷଧର ବ୍ୟାପକ ଅନିୟନ୍ତ୍ରିତ ବ୍ୟବହାର ତାଙ୍କୁ ବ୍ୟଥିତ କରିଥିଲା ଏବଂ ସେ ଏହା କହିଥିଲେ ମଧ୍ୟ । ତାଙ୍କ ପରିକଳ୍ପିତ ସବୁଜ ବିପ୍ଳବରେ ସେ ନା ଏହାକୁ ଦର୍ଶାଇଥିଲେ, ନା କଳ୍ପନା କରିଥିଲେ । ଗତ କେଇ ଦଶନ୍ଧି ଧରି ସେ ପରିବେଶ ଓ ପରିବେଶଗତ ସ୍ଥିତି ଏବଂ ଜଳ ସଂପଦର ଦୁରୁପଯୋଗ ପ୍ରତି ଅଧିକରୁ ଅଧିକ ସମ୍ବେଦନଶୀଳ ହୋଇ ପଡ଼ିଥିଲେ । ସେ ଗତ କିଛି ବର୍ଷ ହେଲା ଅନିୟନ୍ତ୍ରିତ ଏବଂ ଅସତର୍କ ଢଙ୍ଗରେ ବ୍ୟାପି ଚାଲିଥିବା ‘ବିଟି’ କିମ୍ବା ଆନୁବଂଶିକ ଭାବରେ ରୂପାନ୍ତରିତ (‘ଜେନେଟିକାଲି ମଡିଫାଏଡ୍’) ଫସଲକୁ ମଧ୍ୟ ଅଧିକରୁ ଅଧିକ ସମାଲୋଚନା କରିବାରେ ଲାଗିଥିଲେ ।
ମାନକୋମ୍ବୁ ସମ୍ବାଶିବନ ସ୍ୱାମୀନାଥନଙ୍କ ପରଲୋକରେ ଭାରତ ଯେ କେବଳ ତା’ର ଜଣେ ଅଗ୍ରଗଣ୍ୟ କୃଷି ବିଜ୍ଞାନୀଙ୍କୁ ହରାଇଲା ତା ନୁହେଁ, ବରଂ ଗୋଟିଏ ମହାନ ଚିନ୍ତାଧାରା ଏବଂ ଜଣେ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ବି ହରାଇଲା।
ଏହି ଲେଖା ପ୍ରଥମେ ‘ ଦି ୱାୟାର ’ ର ୨୯ ସେ ପ୍ଟେମ୍ବର, ୨୦୨୩ ସଂଖ୍ୟାରେ ପ୍ରକାଶିତ ହୋଇଥିଲା।
ଅନୁବାଦ : ଓଡ଼ିଶାଲାଇଭ୍