ଯଦି ପ୍ରାୟ ପ୍ରତ୍ୟେକ ଭାରତୀୟ କୃଷକ ଇଂଲିଶର କେତୋଟି ଶବ୍ଦ ଜାଣିଥାଆନ୍ତି, ତେବେ ନିଶ୍ଚିତ ରୂପେ ତାହା ହେବ ‘ସ୍ୱାମୀନାଥନ ରିପୋର୍ଟ’ କିମ୍ବା ‘ସ୍ୱାମୀନାଥନ କମିଶନ ରିପୋର୍ଟ।’ ସେମାନେ ଏହା ବି ଜାଣିଛନ୍ତି ଯେ, ଏଥିରେ ସେମାନଙ୍କ ପାଇଁ କେଉଁ ମୁଖ୍ୟ ସୁପାରିସ ରହିଛି: ନ୍ୟୂନତମ ସମର୍ଥନ ମୂଲ୍ୟ (ଏମ୍ଏସ୍ପି) = ବିସ୍ତୃତ ଉତ୍ପାଦନ ଖର୍ଚ୍ଚ +୫୦ ପ୍ରତିଶତ (ସି୨ + ୫୦ ପ୍ରତିଶତ ମଧ୍ୟ କୁହାଯାଏ)।
ପ୍ରଫେସର ସ୍ୱାମୀନାଥନ କେବଳ ଯେ ସରକାରୀ ସଭାକକ୍ଷରେ କିମ୍ବା ଅମଲାତନ୍ତ୍ରର ସ୍ମୃତିରେ ରହିବେ, କିମ୍ବା ବିଭିନ୍ନ ବିଜ୍ଞାନ ପ୍ରତିଷ୍ଠାନରେ, ତାହା ନୁହେଁ, ବରଂ ମୁଖ୍ୟତଃ ସେ ରହିବେ ସେହି ଲକ୍ଷ ଲକ୍ଷ କୃଷକଙ୍କ ହୃଦୟରେ, ଯେଉଁମାନେ ଜାତୀୟ କୃଷକ କମିଶନ (ଏନ୍ସିଏଫ୍) ରିପୋର୍ଟ ଲାଗୁ କରିବା ପାଇଁ ଦାବି କରିଆସୁଛନ୍ତି।
ସରଳ ଭାଷାରେ ଭାରତୀୟ କୃଷକମାନେ ଏହାକୁ କହନ୍ତି ‘ସ୍ୱାମୀନାଥନ ରିପୋର୍ଟ’- କାରଣ, ଏଥିରେ ସମ୍ମିଳିତ ବିସ୍ତୃତ ତଥ୍ୟାବଳୀ, ଏହାର ପ୍ରଭାବ ଏବଂ ତାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଜାତୀୟ କୃଷି କମିଶନଙ୍କ ବିଭିନ୍ନ ରିପୋର୍ଟରେ ସେ ଛାଡ଼ି ଯାଇଥିବା ପ୍ରଭାବଶାଳୀ ଛାପ।
ଏହିସବୁ ରିପୋର୍ଟର ପ୍ରଚ୍ଛଦପଟ୍ଟରେ ରହିଛି ଉଭୟ ୟୁପିଏ ଏବଂ ଏନ୍ଡିଏ ସରକାରଙ୍କ ବିଶ୍ୱାସଘାତକତା ଏବଂ ଦମନମୂଳକ ନୀତିର ଅନ୍ୟତମ ଗାଥା। ପ୍ରଥମ ରିପୋର୍ଟ ୨୦୦୪ ଡିସେମ୍ବରରେ ଏବଂ ପଞ୍ଚମ ଏବଂ ଚୂଡ଼ାନ୍ତ ରିପୋର୍ଟ ୨୦୦୬ ଅକ୍ଟୋବରରେ ଦାଖଲ କରାଯାଇଥିଲା। କିନ୍ତୁ କୃଷି କ୍ଷେତ୍ରରେ ସଂକଟ ସଂପର୍କିତ ଆଲୋଚନା ଲାଗି, ଆମ ପାଇଁ ନିତାନ୍ତ ଆବଶ୍ୟକ ମନେ ହେଉଥିବା, ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ତ ଦୂରର କଥା, ଏ ବିଷୟରେ ଗୋଟିଏ ଘଣ୍ଟାର ଆଲୋଚନା ବି କେବେହେଲେ କରାଯାଇନାହିଁ। ଏବଂ ଏବେ ପ୍ରଥମ ରିପୋର୍ଟ ଦାଖଲ କରାଯିବାର ୧୯ ବର୍ଷ ପୂରିଗଲାଣି।
୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିଲେ, ଏହା ପଛରେ, ସ୍ୱାମୀନାଥନ ରିପୋର୍ଟ, ବିଶେଷତଃ ରିପୋର୍ଟରେ ପ୍ରଣୀତ ସୂତ୍ର ଅନୁସାରେ କୃଷକମାନଙ୍କୁ ନ୍ୟୂନତମ ସମର୍ଥନ ମୂଲ୍ୟ ପ୍ରଦାନ ଦିଗରେ ସୁପାରିସକୁ ତୁରନ୍ତ ଲାଗୁ କରିବାର ପ୍ରତିଶ୍ରୁତି ବି କିଛି ପରିମାଣରେ ସହାୟକ ହୋଇଥିଲା । ହେଲେ ତା ବଦଳରେ, ନୂଆ ନୂଆ କ୍ଷମତାକୁ ଆସିଥିବା ସରକାର ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରି ଜଣାଇ ଦେଲେ ଯେ, ଏହି ରିପୋର୍ଟର କାର୍ଯ୍ୟକାରିତା ବଜାର ଦରକୁ ପ୍ରତିକୂଳ ଭାବରେ ପ୍ରଭାବିତ କରିବା ଆଶଙ୍କା ଥିବାରୁ ଏହାକୁ ଲାଗୁ କରିବା ସମ୍ଭବ ହେବ ନାହିଁ ।
ବୋଧହୁଏ, ଏହି ରିପୋର୍ଟ ଅତି ମାତ୍ରାରେ ‘କୃଷକଙ୍କ ସପକ୍ଷରେ’ ବୋଲି ଉଭୟ ୟୁପିଏ ଏବଂ ଏନ୍ଡିଏ ସରକାର ବିଚାର କରିଥିଲେ। ତାହା ବି ସେହି ସମୟରେ, ଯେତେବେଳେ ଉଭୟ ସରକାର ଭାରତୀୟ କୃଷି କ୍ଷେତ୍ରକୁ ବଡ଼ ବଡ଼ କମ୍ପାନୀ ହାତରେ ଟେକି ଦେବାକୁ ମସୁଧା କରୁଥିଲେ। ଦେଶ ସ୍ୱାଧୀନ ହେବା ପରଠାରୁ କୃଷି କ୍ଷେତ୍ର ପାଇଁ ପ୍ରଣୀତ ଏକମାତ୍ର ସକାରାତ୍ମକ ଆଭିମୁଖ୍ୟ ସମ୍ବଳିତ ଲିପିବଦ୍ଧ ନୀତି ଥିଲା ଏହି ରିପୋର୍ଟ। ତାହା ବି ଏମିତି ଜଣେ ବ୍ୟକ୍ତିଙ୍କ ଦିଗ୍ଦର୍ଶନରେ ପ୍ରସ୍ତୁତ ହୋଇଥିଲା, ଯେ କି ଏକ ସଂପୂର୍ଣ୍ଣ ଭିନ୍ନ ଦୃଷ୍ଟିକୋଣରୁ ଏହାକୁ ଦେଖିଥିଲେ: କେବଳ ବର୍ଦ୍ଧିତ ଉତ୍ପାଦନ ହାର ଭିତ୍ତିରେ ଆକଳନ କରିବା ବଦଳରେ ସେ କୃଷକମାନଙ୍କ ଆୟର ଅଭିବୃଦ୍ଧିକୁ କୃଷି କ୍ଷେତ୍ରରେ ଅଭିବୃଦ୍ଧିର ମାପଦଣ୍ଡ ରୂପେ ଗ୍ରହଣ କରିଥିଲେ ।






