“ବିଷମତାରେ ଖରାପ କଥା କ’ଣ?” ବାଙ୍ଗାଲୋରର ଏକ ବେସରକାରୀ ସ୍କୁଲରେ ‘ପରୀ’ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ବିସ୍ମୟଭରା ସ୍ୱରରେ ଜଣେ ଛାତ୍ର ପଚାରିଲେ।

“ଜଣେ କିରାନା (ଛୋଟ ତେଜରାତି ଦୋକାନ) ମାଲିକଙ୍କର ଛୋଟ ଦୋକାନଟିଏ ଏବଂ ଅମ୍ବାନିଙ୍କ ପାଖରେ ତାଙ୍କର ବଡ଼ ବ୍ୟବସାୟ ରହିଛି। ଏହାର କାରଣ, ସେମାନେ କେତେ କଠିନ ପରିଶ୍ରମ କରୁଛନ୍ତି। ଯେଉଁ ଲୋକମାନେ କଠିନ ପରିଶ୍ରମ କରନ୍ତି, ସେମାନେ ସଫଳ ହୁଅନ୍ତି,” ନିଜ ତର୍କ ଉପରେ ଗଭୀର ବିଶ୍ୱାସ ସହିତ ଛାତ୍ର ଜଣକ କହନ୍ତି।

ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ନ୍ୟାୟ ହାସଲ କ୍ଷେତ୍ରରେ ଅସମାନତା ସଂପର୍କିତ ‘ପରୀ’ର ଗୋଟିଏ ରିପୋର୍ଟରୁ ହିଁ ଏଠାରେ ‘ସଫଳତା’ର ରହସ୍ୟ ଉନ୍ମୋଚିତ ହୋଇପାରିବ। ଚାଷଜମିରେ, ଜଙ୍ଗଲରେ, ସହରତଳି ଅଞ୍ଚଳରେ ଏବଂ  ଅନ୍ୟାନ୍ୟ କେତେକ କ୍ଷେତ୍ରରେ କଠିନ ପରିଶ୍ରମ କରୁଥିବା ଲୋକଙ୍କ ଜୀବନ ଉପରେ ଆଲୋକପାତ କରି ହିଁ ଶ୍ରେଣୀଗୃହ ଭିତରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇପାରିବ।

ଆମ ସମୟର ବିଭିନ୍ନ ସମସ୍ୟାକୁ ‘ପରୀ’ର ସାମ୍ବାଦିକମାନଙ୍କ ଜରିଆରେ ଶ୍ରେଣୀଗୃହରେ ଉପସ୍ଥାପନ କରିବା ହେଉଛି ଶିକ୍ଷା କ୍ଷେତ୍ରରେ ଆମ କାର୍ଯ୍ୟଧାରାର ଆଭିମୁଖ୍ୟ। ଉଭୟ ସହରୀ ଏବଂ ଗ୍ରାମୀଣ ଭାରତର ବିଭିନ୍ନ ବିଦ୍ୟାଳୟରେ ଏବଂ ବିଶ୍ୱବିଦ୍ୟାଳୟରେ, ଫଟୋ, ଚଳଚ୍ଚିତ୍ର, ସଙ୍ଗୀତ ଏବଂ କଳା ମାଧ୍ୟମରେ ବାସ୍ତବ ଦୁନିଆର ବିଭିନ୍ନ ଦିଗକୁ ଆମେ ତୋଳି ଧରିବାକୁ ପ୍ରୟାସ କରୁ।

ଚେନ୍ନାଇର ଜଣେ ହାଇସ୍କୁଲ ଛାତ୍ର ଅର୍ଣ୍ଣବଙ୍କ ଭଳି ପିଲାମାନେ ସ୍ୱୀକାର କରନ୍ତି, “ଆମେ ସେମାନଙ୍କୁ (ସାମାଜିକ-ଅର୍ଥନୈତିକ ସ୍ତର ଦୃଷ୍ଟିରୁ ତଳ ଶ୍ରେଣୀର ଲୋକଙ୍କୁ) କେବଳ ପରିସଂଖ୍ୟାନର ଉପାଦାନ ରୂପେ ଗ୍ରହଣ କରିଥାଉ। ବାସ୍ତବରେ ସେମାନେ ବି ଆମ ଭଳି ଲୋକ ଏବଂ ଆମ ଭଳି ସମାନ ସ୍ଥିତି ଦେଇ ଗତି କରନ୍ତି ବୋଲି ଆମେ ଭୁଲିଯାଉ।”

Left: At a session in Punjabi University, Patiala, on the need for more rural stories in mainstream media.
Right: At a workshop with young people at the School for Democracy in Bhim, Rajasthan on how to write about marginalised people
PHOTO • Binaifer Bharucha

ବାମ : ମୁଖ୍ୟଧାରାର ଗଣମାଧ୍ୟମରେ ଅଧିକ ଗ୍ରାମୀଣ ରିପୋର୍ଟର ଆବଶ୍ୟକତା ଉପରେ ପାତିଆଲାର ପଞ୍ଜାବ ବି ଶ୍ୱ ବିଦ୍ୟାଳୟରେ ଆୟୋଜିତ ପାଠଚକ୍ରର ଏକ ଅଧିବେଶନରେ । ଡାହାଣ : ନିଷ୍ପେଷିତ ଲୋକଙ୍କ ଜୀବନ ସଂପର୍କରେ କିଭଳି ଲେଖା ଲେଖିବାକୁ ହେବ ସେ ସଂପର୍କରେ ରାଜସ୍ଥାନର ଭୀମସ୍ଥିତ ସ୍କୁଲ ଫର ଡେମୋକ୍ରାସିରେ ଆୟୋଜିତ ଏକ କର୍ମଶାଳାରେ ଅଂଶଗ୍ରହଣକାରୀ ଯୁବକଯୁବତୀମାନେ

ଅନେକ ଜଟିଳ ସାମାଜିକ ସମସ୍ୟା ରହିଛି, କିନ୍ତୁ ବେଳେବେଳେ କେବଳ ଗୋଟିଏ ଲେଖାରୁ ହିଁ ଏହି ଜଟିଳତାର ଚିତ୍ର ସ୍ପଷ୍ଟ ହୋଇଯାଏ: ଏମିତି ଏକ କାହାଣୀ ହେଉଛି ଶୁଷ୍କମରାଠାୱାଡ଼ାରୁ ଜଳ ଶୋଷୁଛି ଆଖୁ – ଯେଉଁଥିରେ କାମ ଖୋଜି ଖୋଜି ଆଖୁ କିଆରିରେ ପହଞ୍ଚନ୍ତି ମହାରାଷ୍ଟ୍ରର ବୀଡ଼ ଜିଲ୍ଲାର କୃଷକମାନେ- ଦିନକୁ ୧୪ ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରି ଅମଳ ହେବାକୁ ପ୍ରସ୍ତୁତ କଠିନ ଆଖୁ ଗଛ କାଟନ୍ତି। ଏହି ଲେଖାରେ ରହିଛି ସେମାନଙ୍କ ନିଜ ମୁହଁରେ ନିଜର କାହାଣୀ, ଛୋଟବଡ଼ ଘଟଣାବଳୀ ଏବଂ କାମ ପାଇବା ପାଇଁ ସେମାନଙ୍କ ଉତ୍କଣ୍ଠିତ ମନୋଭାବର ଶକ୍ତିଶାଳୀ ଚିତ୍ର ସମୂହ। ଏଥିରୁ ହିଁ ବୁଝିହୁଏ କାହିଁକି ମରାଠାୱାଡ଼ାର ୬ ଲକ୍ଷ କୃଷି ଶ୍ରମିକ ଆଖୁ କାଟିବା ପାଇଁ ପ୍ରତି ବର୍ଷ ମାଇଲ ମାଇଲ ବାଟ ଯାତ୍ରା କରନ୍ତି।

ଦୁର୍ବଳ ସରକାରୀ ନୀତି, ଚାଷବାସରେ ବିନିଯୋଗ ବାବଦ ଖର୍ଚ୍ଚ ବୃଦ୍ଧି, ଜଳବାୟୁର ଅପ୍ରତ୍ୟାଶିତ ରୂପରେଖ ଏବଂ ଅନ୍ୟାନ୍ୟ ଅନେକ କାରଣରୁ କୃଷି କ୍ଷେତ୍ରରେ ଘନୀଭୂତ ହେଉଥିବା ଏକ ଗୁରୁତର ସମସ୍ୟା ଉପରେ ଆଲୋକପାତ କରନ୍ତି ମହାରାଷ୍ଟ୍ରର ଆଖୁ କିଆରିରେ କାର୍ଯ୍ୟରତ ଶ୍ରମିକମାନେ। ଏହି କୃଷି ଶ୍ରମିକମାନଙ୍କ ପରିବାର ସହିତ ସେମାନଙ୍କ ପିଲାମାନେ ବି ସେଠାକୁ ଯାଆନ୍ତି ଏବଂ ଦୀର୍ଘ ସମୟ ପାଇଁ ସ୍କୁଲରେ ଅନୁପସ୍ଥିତ ରହିବାକୁ ସେମାନେ ବାଧ୍ୟ ହୁଅନ୍ତି। ସେମାନଙ୍କ କ୍ଷେତ୍ରରେ, ଶିକ୍ଷାଲାଭର ଧାରା ବାଧାପ୍ରାପ୍ତ ହୁଏ ଏବଂ ସେମାନେ ଏକ ଅନିଶ୍ଚିତ ଭବିଷ୍ୟତ ଆଡ଼କୁ ଅଗ୍ରସର ହୁଅନ୍ତି, ଯାହା ସେମାନଙ୍କ ବାପାମାଆଙ୍କ ଜୀବନଧାରଣ ଶୈଳୀ ଅନୁରୂପ।

ବାସ୍ତବ ଜୀବନରେ ‘ଦାରିଦ୍ର୍ୟର ବିଷାକ୍ତ ବଳୟ’ର ଏହା ଏକ ଉଦାହରଣ। ପଢ଼ାବହିରେ ବାରମ୍ବାର ଆଖିରେ ପଡୁଥିବା ସେହି ପଦକ କଥା ଏବେ ଶ୍ରେଣୀବଦ୍ଧ ମାନବ ସମାଜ ପାଇଁ ଉଦବେଗର କାରଣ। ପିଲାମାନେ ହିଁ ପିଲାମାନଙ୍କୁ ନିଜ କାହାଣୀ ଶୁଣାନ୍ତି।

କେବଳ ସାମର୍ଥ୍ୟ ବଳରେ ହିଁ ଅର୍ଥନୈତିକ ସଫଳତା ସମ୍ଭବ ବୋଲି ପ୍ରଚଳିତ ଭ୍ରାନ୍ତ ଧାରଣାକୁ ଦୂରେଇ ଦେଇଥାଏ ଏହି ଭଳି କାହାଣୀ।

ତେଣେ, ଶ୍ରେଣୀଗୃହରେ, ‘ସଫଳତା’ର ଧାରା ସଂପର୍କିତ ଗୃହୀତ ମତବାଦକୁ ଖଣ୍ଡନ କରି ଆଉ ଜଣେ ପିଲା କହେ, “କିନ୍ତୁ ଜଣେ ରିକସାବାଲା ବି ତ କଠିନ ପରିଶ୍ରମ କରନ୍ତି।”

“ଆମେ କେବଳ ମୂଳ ଲେଖା, ବ୍ୟକ୍ତିଗତ ଅନୁଭୂତି ଭିତ୍ତିକ ଉପାଖ୍ୟାନ, ପ୍ରତିପାଦିତ ତଥ୍ୟ ଏବଂ ଗଳ୍ପକଥନ ମାଧ୍ୟମରେ ସମାଜ ପ୍ରତି ରହିଆସିଥିବା ଆମର ବିଚାରସମ୍ମତ ଧାରଣାକୁ ବଳବତ୍ତର କରିବାକୁ ଚାହୁଁ ନାହୁଁ, ବରଂ ଏକ ସହାନୁଭୂତିପୂର୍ଣ୍ଣ ଚିନ୍ତାଧାରା ସୃଷ୍ଟି କରିବା ସହିତ ସେମାନଙ୍କୁ ନିଜ ଅନୁକୂଳ ପରିସରରୁ ବାହାରକୁ ନେବା ପାଇଁ ଚାହୁଁ।” ଦିଲ୍ଲୀର ଜଣେ କଲେଜ ଛାତ୍ରଙ୍କ ଭାଷାରେ, “ଆପଣ ଆମକୁ ଆମ ଜୀବନ ପରିସର ବାହାରେ ଥିବା ଜୀବନକୁ ଜାଣିବା ଶିଖାଇଲେ।”

Sugarcane workers are affected by an agrarian crisis caused by poor policies and unpredictable climate. Their children miss school due to travel. 'Success' isn't just about hard work
PHOTO • Parth M.N.
Sugarcane workers are affected by an agrarian crisis caused by poor policies and unpredictable climate. Their children miss school due to travel. 'Success' isn't just about hard work
PHOTO • Parth M.N.

ଦୁର୍ବଳ ସରକାରୀ ନୀତି ଏବଂ ଅପ୍ରତ୍ୟାଶିତ ଜଳବାୟୁ କାରଣରୁ କୃଷି କ୍ଷେତ୍ରରେ ଘୋର ସଂକଟର ସମ୍ମୁଖୀନ ହେଉଥିବା ଆଖୁ କିଆରିର ଶ୍ରମିକ। ଦୂରସ୍ଥାନକୁ ଯାତ୍ରା ଯୋଗୁଁ ସେମାନଙ୍କ ପିଲାମାନେ ବି ସ୍କୁଲ ପଢ଼ାରୁ ବଞ୍ଚିତ ହୁଅନ୍ତି।  ‘ସଫଳତା’ କେବଳ କଠିନ ପରିଶ୍ରମର କଥା ନୁହେଁ


ଆମେ ସେହି ସମସ୍ତ ଶିକ୍ଷକମାନଙ୍କ ସହ ବି କାମ କରୁ, ଯେଉଁମାନେ ଆମ ଚିନ୍ତାଧାରାକୁ ଆଗେଇ ନିଅନ୍ତି। ସେମାନେ ‘ପରୀ’ରେ ବିଭିନ୍ନ ଶୈକ୍ଷଣୀୟ ବିଷୟ ଖୋଜିବାରେ ଲାଗନ୍ତି। ଯେମିତି କି ତାପଜ ଓ ସବୁଜ ଶକ୍ତି ଏବଂ ଜୀବିକା ଓ ସଂସ୍କୃତିର ବାସ୍ତବ ଚିତ୍ର ସଂପର୍କିତ ସ୍ୱଳ୍ପ ଅବଧିର ଭିଡିଓ ଦେଖାନ୍ତି। ବୃତ୍ତିଗତ ଢଙ୍ଗରେ ଅନୁଦିତ ଲେଖାକୁ ଦେଖି ଭାଷା ଶିକ୍ଷକମାନେ ଆନନ୍ଦିତ ହୁଅନ୍ତି। କାରଣ, ସେମାନେ ଏହାକୁ ଶିକ୍ଷାଦାନ ଉପକରଣ ବା ସାମଗ୍ରୀ ରୂପେ ବ୍ୟବହାର କରିବାର ସମ୍ଭାବନା ଦେଖନ୍ତି। ସେମାନେ ପଚାରନ୍ତି, “ଆପଣଙ୍କ ପାଖରେ ପଞ୍ଜାବୀ ଭାଷାରେ ଏହି ଲେଖା ଅଛି କି ?” ନିଶ୍ଚିତ ଭାବରେ ଆମ ପାଖରେ ଅଛି ! ୧୪ଟି ଭାଷାରେ ଅଛି। ‘ପରୀ’ ଟିମ୍ ପାଖରେ ପହଞ୍ଚିଲେ ବିଶ୍ୱବିଦ୍ୟାଳୟ ଶିକ୍ଷକମାନେ କହନ୍ତି ଯେ, ଏହା ସେମାନଙ୍କ ପାଇଁ ବିନା ଦେୟରେ ଉପଲବଧ ପାଠାଗାର ଭଳି ଅନ୍ୟତମ ସମ୍ବଳ।

*****

୨୦୨୩ରେ ପ୍ରକାଶିତ ବିଶ୍ୱ ମୁକ୍ତ ଗଣମାଧ୍ୟମ ସୂଚୀରେ ଭାରତର ସ୍ଥାନ ୧୬୧କୁ ଖସି ଯାଇଛି। ଏହି ସୂଚୀରେ ମୋଟ ୧୮୦ଟି ଦେଶ ରହିଛନ୍ତି ବୋଲି ଗଣମାଧ୍ୟମର ସ୍ଥିତି ଉପରେ ନଜର ରଖିଥିବା ‘ରିପୋର୍ଟର୍ସ ଉଇଦାଉଟ୍ ବର୍ଡରସ୍’ (RSF) ନାମକ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।

ପ୍ରକୃତ ସାମ୍ବାଦିକମାନଙ୍କର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ମିଥ୍ୟା ଖବରର ମାୟାଜାଲରେ ପଡ଼ିଥିବା ଯୁବ ସମାଜର ଚିନ୍ତାଧାରାକୁ ଏହି ‘ଅଗଣତାନ୍ତ୍ରିକ’ ଆକ୍ରମଣ କବଳରୁ ରକ୍ଷା କରିବାର କୌଣସି ଉପାୟ ଅଛି କି ?

ବିଶ୍ୱବିଦ୍ୟାଳୟରେ ସୁଯୋଗର ସମ୍ଭାବନା ରହିଛି, ହେଲେ ସ୍କୁଲର ଶ୍ରେଣୀକକ୍ଷଗୁଡ଼ିକରେ ପ୍ରାୟତଃ ବ୍ୟତିକ୍ରମ ନାହିଁ କହିଲେ ଚଳେ, ନୁହେଁ କି।

ସାମ୍ବାଦିକତା କିଭଳି କ୍ଷମତାସୀନ ବ୍ୟକ୍ତିଙ୍କ ସଂପର୍କରେ ସତ୍ୟକୁ ଅନାବୃତ କରିପାରେ ଏବଂ ସତ୍ୟତା ଉପରେ ନିର୍ଭର କରୁଥିବା ବ୍ୟକ୍ତିଙ୍କ ହାତରେ କ୍ଷମତା ଦେଇପାରେ, ତାହା ପ୍ରଦର୍ଶନ କରିବା ଲାଗି ‘ପରୀ’ରେ ଆମେ ଆମ ଲେଖାର ସାମର୍ଥ୍ୟ ଉପଯୋଗ କରୁ- ଫଟୋରେ, ଭିଡିଓରେ ଏବଂ ବହୁ ପ୍ରକାର ଭାଷାରେ।

ଲୋକଗୀତ କଳାକାର, ଜଣେ ଡାକବାଲା, ସ୍ଥାନୀୟ ସଂରକ୍ଷଣବାଦୀ, ରବର ସଂଗ୍ରହକାରୀ, କୋଇଲାରୁ ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ମହିଳା ଏବଂ ଦକ୍ଷ କାରିଗରମାନଙ୍କ ଭଳି ବ୍ୟକ୍ତିଙ୍କ ସଂପର୍କରେ ପ୍ରକାଶିତ ରିପୋର୍ଟରୁ ପିଲାମାନେ ପଢ଼ା ବହି ବାହାରୁ ବି ଜ୍ଞାନ ଆହରଣ କରିପାରନ୍ତି ଏବଂ ପ୍ରଚଳିତ ପାରମ୍ପରିକ ଜ୍ଞାନ ହାସଲ ପଦ୍ଧତି ସଂପର୍କିତ ଅବଧାରଣାକୁ ଆହ୍ୱାନ ଜଣାଇ ପାରନ୍ତି।

Left: PARI at the Chandigarh Children's Literature Festival, engaging with students on stories about people in rural India.
PHOTO • Chatura Rao
Right: After a session with the Sauramandala Foundation in Shillong, Meghalaya, on the role of the media in democracies
PHOTO • Photo courtesy: Sauramandala Foundation

ବାମ: ଚଣ୍ଡୀଗଡ଼ରେ ଆୟୋଜିତ ଶିଶୁ ସାହିତ୍ୟ ଉତ୍ସବରେ ‘ପରୀ’, ଗ୍ରାମୀଣ ଭାରତର ଲୋକଙ୍କ ଜୀବନ କାହାଣୀ ସଂପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା। ଡାହାଣ: ମେଘାଳୟର ଶିଲଂରେ ଥିବା ସୌରମଣ୍ଡଳ ଫାଉଣ୍ଡେସନରେ ଆୟୋଜିତ ‘ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା’ ଶୀର୍ଷକ କର୍ମଶାଳାର ଏକ ଅଧିବେଶନ ପରେ

ଆମେ କହୁନାହୁଁ ଯେ ଆମେ କୌଣସି ବିଷୟର ବିଶେଷଜ୍ଞ। କିନ୍ତୁ ଶ୍ରେଣୀଗୃହ ଭିତରେ, ସାମ୍ବାଦିକ ଭାବରେ ଆମର ଲକ୍ଷ୍ୟ ହେଉଛି ଏମିତି ଏକ ପରିବେଶ ଗଢ଼ି ତୋଳିବା, ଯେଉଁଥିରେ କି ଯୁବ ପିଢ଼ି ଦେଶର ଶାସନ କ୍ଷମତାକୁ ପ୍ରଶ୍ନ ପଚାରି ପାରିବ, ଖବର ସଂଗ୍ରହ ଓ ପରିବେଷଣରେ ଧରାବନ୍ଧା ନୀତି ଓ ପକ୍ଷପାତିତାକୁ ବିରୋଧ କରିପାରିବ ଏବଂ ଜାତି ଓ ଶ୍ରେଣୀ ଭିତ୍ତିକ ସୁବିଧା ସୁଯୋଗର ମୁକାବିଲା କରିବା ସହିତ ଉତ୍ତରାଧିକାରରେ ସେମାନଙ୍କୁ ମିଳିଥିବା ବିଶ୍ୱକୁ ଠିକ୍ ଭାବରେ ଜାଣିପାରିବ।

ବେଳେବେଳେ କର୍ମଚାରୀମାନେ ଆମକୁ ହତୋତ୍ସାହିତ କରନ୍ତି। ଶ୍ରେଣୀଗୃହରେ ଜାତିଭିତ୍ତିକ ସମସ୍ୟା ଉପସ୍ଥାପନ ଦିଗରେ ଏକପ୍ରକାର ଅନାଗ୍ରହ ଦେଖାଦିଏ।

କିନ୍ତୁ, ଆମ ମତରେ ଏସବୁ କାହାଣୀକୁ ଜନମାନସରୁ ଦୂରେଇ ରଖିବା ଏବଂ ସ୍କୁଲର ଶ୍ରେଣୀକକ୍ଷରୁ ବାହାରେ ରଖିବାର ଅର୍ଥ ଆସନ୍ତାକାଲିର ନାଗରିକମାନଙ୍କୁ ଜାତିଭିତ୍ତିକ ଅତ୍ୟାଚାରର କୁପରିଣାମ ସଂପର୍କରେ ଅଜ୍ଞ ଓ ଅନ୍ୟମନସ୍କ କରି ରଖିବା ସହିତ ସମାନ।

ଆମର ‘ନର୍ଦ୍ଦମାରେ ଶେଷ ନ ହେଉ କାହା ଜୀବନ’ ଶୀର୍ଷକ ରିପୋର୍ଟରେ ରହିଛି ଏମିତି ଜଣେ ଶ୍ରମିକଙ୍କ କାହାଣୀ ଯେ କି ଦେଶର ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ତଥା ସମ୍ଭ୍ରାନ୍ତ ଅଞ୍ଚଳ ରୂପେ ପରିଗଣିତ ବସନ୍ତ କୁଞ୍ଜର ଏକ ମଲ୍‌ରେ ନର୍ଦ୍ଦମା ସଫା କରିବା ସମୟରେ ପ୍ରାଣ ହରାଇଲେ। ଏହା ସେମାନଙ୍କୁ ଘୋର ମାନସିକ ଆଘାତ ଦେଲା। କେବଳ ଏଥିପାଇଁ ନୁହେଁ ଯେ ଏହା ଥିଲା ଏକ ବେଆଇନ ଏବଂ ମାରାତ୍ମକ କାମ, ବରଂ ଏଥିପାଇଁ ଯେ, ଏହା ସେମାନଙ୍କ ନିକଟବର୍ତ୍ତୀ ଅଞ୍ଚଳରେ ଘଟିଥିଲା: ସେମାନଙ୍କ ସ୍କୁଲ ପାଖରୁ ମାତ୍ର କେଇ କିଲୋମିଟର ଦୂରରେ।

ଶ୍ରେଣୀଗୃହରେ ଏଭଳି ଘଟଣା ଓ ପ୍ରସଙ୍ଗକୁ ‘ଲୁଚାଇ ରଖିବା’ କିମ୍ବା ‘ଅଣଦେଖା କରିବା’ ଫଳରେ ଆମେ ‘ଉଜ୍ଜ୍ୱଳ ଭାରତ’ର ଏକ ନକଲି ପ୍ରତିଚ୍ଛବି ନିର୍ମାଣ କରିବାରେ ସହଯୋଗ କରିଥାଉ।

ଏହିଭଳି ରିପୋର୍ଟ ପିଲାମାନଙ୍କୁ ଦେଖାଇବା ପରେ ସେମାନେ ଏଥିରେ କିଭଳି ଭାବରେ ସହାୟତା କରିପାରିବେ ବୋଲି ପ୍ରଶ୍ନ କରିଥାଆନ୍ତି।

Left: ' No life in the gutter' told students a story about a worker who died in the drain in a Vasant Kunj mall.
PHOTO • Bhasha Singh
Right: Masters student at Azim Premji University, Dipshikha Singh, dove right into the deep end with her uncovering of female dancers' struggles at Bihar weddings
PHOTO • Dipshikha Singh

ବାମ: ‘ନର୍ଦ୍ଦମାରେ ଶେଷ ନ ହେଉ କାହା ଜୀବନ’ ଶୀର୍ଷକ ରିପୋର୍ଟରେ ରହିଛି ବସନ୍ତ କୁଞ୍ଜର ଏକ ମଲ୍ ପାଖ ନର୍ଦ୍ଦମାରେ ପ୍ରାଣ ହରାଇଥିବା ଜଣେ ଶ୍ରମିକଙ୍କ କାହାଣୀ । ଡାହାଣ: ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶ୍ରେଣୀର ଛାତ୍ରୀ ଦୀପଶିଖା ସିଂହଙ୍କ ରିପୋର୍ଟରେ ରହିଛି ବିହାରରେ ବିଭିନ୍ନ ବିବାହ ଉତ୍ସବରେ ନୃତ୍ୟ ପରିବେଷଣକାରୀ ମହିଳାମାନଙ୍କ ଜୀବନ ସଂଘର୍ଷର କାହାଣୀ

ତୁରନ୍ତ ସମାଧାନ ପାଇବା ଦିଗରେ ସେମାନଙ୍କ ଆଗ୍ରହକୁ ଆମେ ପ୍ରଶଂସା କରିବା ସତ, ହେଲେ ବାସ୍ତବ କ୍ଷେତ୍ରରେ ରିପୋର୍ଟର ଏବଂ ସାମ୍ବାଦିକ ଭାବରେ ଆମର ଲକ୍ଷ୍ୟ ହେଉଛି, ସାମୟିକ ଏବଂ ଅବ୍ୟବହିତ ସମାଧାନ ସୂତ୍ର ହାସଲ ବଦଳରେ ସେମାନଙ୍କ ଚତୁଃପାର୍ଶ୍ୱରେ ବିଦ୍ୟମାନ ଜୀବନ ଶୈଳୀକୁ ବାରମ୍ବାର ପରୀକ୍ଷା କରିବା ଲାଗି ସେମାନଙ୍କ ମନରେ ଇଚ୍ଛାଶକ୍ତି ଜାଗ୍ରତ କରାଇବା।

ଛାତ୍ରଛାତ୍ରୀମାନେ କେବଳ ଆମ କଥା ଶୁଣି ତାହାକୁ ବିଶ୍ୱାସ କରି ନିଅନ୍ତୁ ବୋଲି ଆମେ ଚାହୁଁ ନାହିଁ। ତେଣୁ, ଆମେ ସେମାନଙ୍କୁ ଛାତ୍ର ଜୀବନରେ ହିଁ ସେମାନଙ୍କ ଆଖପାଖରେ ଘଟୁଥିବା ଘଟଣାକୁ ନଥିଭୁକ୍ତ କରିବା ଲାଗି ଉତ୍ସାହିତ କରୁ। ୨୦୧୮ରେ ଏହା ଗଠିତ ହେବା ପରଠାରୁ ‘ପରୀ’ର ଶିକ୍ଷା ବିଭାଗ ବା ‘ପରୀ ଏଜୁକେସନ’, ୨୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ଏବଂ ହଜାର ହଜାର ଛାତ୍ରଛାତ୍ରୀଙ୍କ ସହିତ କାର୍ଯ୍ୟ କରିସାରିଲାଣି। ଆମେ ସାରା ଭାରତର ଛାତ୍ରଛାତ୍ରୀଙ୍କ କାର୍ଯ୍ୟକୁ ସ୍ଥାନ ଦେଉ: ସ୍ନାତକୋତ୍ତର ଶ୍ରେଣୀର ହୁଅନ୍ତୁ କି ହାଇସ୍କୁଲର, ସେମାନେ ନିଜ କାର୍ଯ୍ୟ ଜରିଆରେ ହିଁ ଶିଖିଥାଆନ୍ତି ଏବଂ ପରୀ ରେ ଆପଣ ସେମାନଙ୍କର ସବୁ ରିପୋର୍ଟ ପଢ଼ି ପାରିବେ।

ଏହା ଆମର ‘ନିଃସ୍ୱାର୍ଥ’ ଦୃଷ୍ଟିକୋଣ, ଯେଉଁଥିରେ ଆମେ ସେମାନଙ୍କୁ କେବଳ ନିଜ ସଂପର୍କରେ ବ୍ଲଗ୍ ଲେଖିବାରୁ ଆଗକୁ ଯାଇ ଅନ୍ୟ କାହାରି ଜୀବନକୁ ନଥିଭୁକ୍ତ କରିବା, ସେମାନଙ୍କ ସ୍ୱରକୁ ଶାଣିତ କରିବା ସହିତ ସେମାନଙ୍କ ଜୀବନ ଓ ଜୀବିକାରୁ କିଛି ଶିଖିବାକୁ ଉତ୍ସାହିତ କରିଥାଉ।

ଏମିତି ଜଣେ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରୀ ହେଲେ ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ଦୀପଶିଖା ସିଂହ। ଯେ କି ବିହାରର ବିବାହ ଉତ୍ସବରେ ନୃତ୍ୟ ପରିବେଷଣ କରୁଥିବା ମହିଳାମାନଙ୍କ ଜୀବନ ଓ ଜୀବିକା ଅନ୍ତରାଳରେ ରହିଥିବା ସତ୍ୟକୁ ଲୋକଲୋଚନକୁ ଆଣିପାରିଲେ। ସାଧାରଣତଃ ଏହି ବୃତ୍ତିରେ ନୃତ୍ୟାଙ୍ଗନାମାନେ ବଲିଉଡ୍ ଆଇଟମ୍ ଗୀତ ଅନୁକରଣରେ ନୃତ୍ୟ କରନ୍ତି। ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ପ୍ରତିଦିନ ସେମାନେ ଅତ୍ୟାଚାରର ସମ୍ମୁଖୀନ ହେଉଥିବାରୁ ନିଜ ପରିଚୟ ଗୋପନ ରଖି ସେମାନଙ୍କ ମଧ୍ୟରୁ ଜଣେ ନୃତ୍ୟାଙ୍ଗନା କହନ୍ତି , “ପୁରୁଷମାନେ ଆମ ଅଣ୍ଟାରେ ହାତ ରଖି ବ୍ଲାଉଜ ଭିତରେ ହାତ ପୂରାଇବାକୁ ଚେଷ୍ଟା କରନ୍ତି। ଏସବୁ ଏଠାକାର ନିତିଦିନିଆ ଘଟଣା।”

ଏବେ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଦୀପଶିଖାଙ୍କ ପାଇଁ, ଏହି ସବୁ ନୃତ୍ୟାଙ୍ଗନାମାନଙ୍କୁ ସାକ୍ଷାତ କରିବା, ସେମାନଙ୍କ ସଂପର୍କରେ ପଚାରି ବୁଝିବା ଏବଂ ସେମାନଙ୍କ ସହିତ କଥାବାର୍ତ୍ତା କରିବା ଥିଲା ଶିକ୍ଷାଲାଭ। ଆମକୁ ସେ ଲେଖିଥିଲେ “ମୋ ଲେଖକ ଜୀବନର ଯାତ୍ରାପଥରେ ଏହି ଅନୁଭୂତି (ନଥିଭୁକ୍ତ କରିବା) ଏକ ମାଇଲ ଖୁଣ୍ଟ ସଦୃଶ ଥିଲା ଏବଂ ସମାଜ ପାଇଁ ଅର୍ଥପୂର୍ଣ୍ଣ ଏବଂ ଉପଯୋଗୀ ଲେଖା ପ୍ରସ୍ତୁତ କରିବା ଲାଗି ଏହା ମୋତେ ଅନୁପ୍ରେରିତ କରିଥିଲା... ‘ପରୀ’ର ଏହି ଅଭିଯାନରେ ମୁଁ ଆହୁରି ଅଧିକ ଅବଦାନ ଦେଇ ପାରିବି ବୋଲି ଆଶା କରୁଛି।”

ସେମାନଙ୍କ ଘରେ ଓ ମନ ଭିତରେ ଥିବା ପ୍ରସଙ୍ଗକୁ ନଥିଭୁକ୍ତ କରିବା ଲାଗି ଗ୍ରାମୀଣ ସ୍କୁଲ ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ମଧ୍ୟ ‘ପରୀ-ଏଜୁକେସନ’ ସହଯୋଗ କରେ। ତାହା ବି ସେମାନଙ୍କ ନିଜ ଭାଷାରେ। ପ୍ରାକ୍ କୈଶୋର ବୟସର ଦଳେ ଛାତ୍ରଛାତ୍ରୀ ଓଡ଼ିଶାର ଜୁରୁଡ଼ି ସାପ୍ତାହିକ ହାଟ ସଂପର୍କରେ ରିପୋର୍ଟ କରିଥିଲେ। ସେମାନେ ବହୁ ଥର ଏହି ହାଟକୁ ଯାଇଥିଲେ ଏବଂ ସେଠାରେ କ୍ରେତା ଓ ବିକ୍ରେତାଙ୍କ ସହିତ ସାକ୍ଷାତ କରି ସେମାନଙ୍କ ରିପୋର୍ଟ ପାଇଁ ତଥ୍ୟ ସଂଗ୍ରହ କରିଥିଲେ।

Left: In Jurudi, Odisha, school reporters document the people and produce they sell at a vibrant weekly haat (market)
Right: Student reporter Aysha Joyce profiles N. Saramma, a waste collector who runs an open kitchen in Trivandrum. Saramma's story touched thousands of readers across India, many offering to support her work via donations
PHOTO • Aysha Joyce

ବାମ: ଓଡ଼ିଶାର ବ୍ୟସ୍ତବହୁଳ ଜୁରୁଡ଼ି ସାପ୍ତାହିକ ହାଟ (ବଜାର)ରେ ବିକ୍ରେତା ଓ ସେମାନେ ବିକୁଥିବା ସାମଗ୍ରୀ ଉପରେ ରିପୋର୍ଚ କରିଛନ୍ତି ସ୍କୁଲ ଛାତ୍ରଛାତ୍ରୀମାନେ ।  ଡାହାଣ: ତ୍ରିଭାନ୍ଦ୍ରମରେ ଏକ ମୁକ୍ତ ରନ୍ଧାଘର ଚଳାଉଥିବା ଜଣେ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଏନ୍. ସରାମ୍ମାଙ୍କ ଜୀବନ ବୃତ୍ତାନ୍ତକୁ ନିଜ ରିପୋର୍ଟରେ ତୋଳି ଧରନ୍ତି ଆୟଶା ଜୟସେ । ସରାମ୍ମାଙ୍କ କାହାଣୀ ସାରା ଭାରତର ହଜାର ହଜାର ପାଠକଙ୍କ ମନକୁ ଛୁଇଁଥିଲା ଏବଂ ସେମାନେ ତାଙ୍କ କାମରେ ସହଯୋଗ ନିମନ୍ତେ ଦାନ ଦେବାକୁ ପ୍ରସ୍ତାବ ଦେଇଥିଲେ

‘ପରୀ’କୁ ସେମାନଙ୍କ ଅନୁଭୂତି ସଂପର୍କରେ ଶୁଣାଇଥିଲେ ରିପୋର୍ଟର ଅନନ୍ୟା ଟପ୍ନୋ, ରୋହିତ ଗାଗରାଇ, ଆକାଶ ଏକା ଏବଂ ପଲ୍ଲବୀ ଲାଗୁନ: “ଏଭଳି କାମ କରିବା (ଗବେଷଣା) ଆମ ପାଇଁ କିଛିଟା ନୂଆ ଥିଲା। ଆମେ ପରିବା ବିକାଳିମାନଙ୍କ ସହିତ ମୂଲଚାଲ କରୁଥିବା ଲୋକଙ୍କୁ ଦେଖିଲୁ, କିନ୍ତୁ ପରିବା ଚାଷ କରିବା କେତେ କଷ୍ଟକର ତାହା ଆମେ ଜାଣିଥିଲୁ। ଆମେ ବିସ୍ମିତ ହେଲୁ ଯେ, ଲୋକେ କାହିଁକି ଦରଦାମକୁ ନେଇ ଚାଷୀମାନଙ୍କ ସହିତ ଯୁକ୍ତିତର୍କ କରନ୍ତି?”

ଏନ୍. ସରାମ୍ମାଙ୍କ ଜୀବନ କାହାଣୀ । ତ୍ରିଭାନ୍ଦ୍ରମରେ ଏକ ମୁକ୍ତ ରନ୍ଧାଘର ଚଳାଉଥିବା ଜଣେ ବର୍ଜ୍ୟବସ୍ତୁ ସଂଗ୍ରାହକ। ସରାମ୍ମାଙ୍କ କହିବା କଥା “ମୋ ପିଲାଦିନେ ମୁଁ ଦାରିଦ୍ର୍ୟର ନଗ୍ନ ରୂପକୁ ଅତି ନିକଟରୁ ଦେଖିଛି ଏବଂ ତେଣୁ କେହି ଯେପରି ଭୋକରେ ନ ରହନ୍ତି, ଏହାକୁ ମୁଁ ମୋ ଜୀବନର ମୂଳନୀତି ରୂପେ ଗ୍ରହଣ କରିନେଇଛି।”

ଆୟଶା ଜଏସ୍ ଏହି ଲେଖା ଲେଖିଥିଲେ ଏବଂ ହଜାର ହଜାର ପାଠକ ଏହାକୁ ପ୍ରଶଂସା କରିବା ସହିତ କମେଣ୍ଟସ୍ ଦେଇ ସହାୟତା କରିବାକୁ ଚାହିଁଥିଲେ। ତାଙ୍କ ଝିଅ ବି କାହିଁକି ସେହି ଏକା କାମ କରୁଛି ବୋଲି ସରାମ୍ମାଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ, “ଦଳିତଙ୍କୁ କିଏ ବା ଚାକିରି ଦେବ ?” ଆୟଶାଙ୍କୁ ସେ କହିଥିଲେ, “ଅନ୍ୟ ଲୋକଙ୍କ ତୁଳନାରେ ତୁମେ କିଏ ବୋଲି ଲୋକେ ପରଖି ଦେଖନ୍ତି। ଆମେ ଯେତେ ଭଲ କାମ କଲେ ବି କିଛି ହୁଏନି। ଆମେ ଯାହା ବି କରୁ, ସେଥିରୁ ମୁକୁଳିବାର ଉପାୟ ନଥାଏ।”

କେତେକ ବିଷୟରେ ଆମେ ସେମାନଙ୍କୁ ପ୍ରଶିକ୍ଷଣ ଦେଉ। ଯେମିତି କି ସାକ୍ଷାତକାର ନେବାର କୌଶଳ, ସାକ୍ଷାତକାର ପ୍ରଦାନକାରୀଙ୍କୁ ପୂର୍ବରୁ ସୂଚନା ଦେଇ ତାଙ୍କ ସ୍ୱୀକୃତି ନେବା ଏବଂ ପାଠକଙ୍କୁ ବାନ୍ଧି ରଖିବା ଲାଗି ଭିନ୍ନ ଭିନ୍ନ କ୍ଷେତ୍ରରୁ ବିସ୍ତୃତ ତଥ୍ୟ ହାସଲର ଆବଶ୍ୟକତା। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସବୁ ଲେଖାକୁ କିଭଳି ଢାଞ୍ଚାରେ ଲେଖିଲେ ତାହା ବ୍ୟକ୍ତିଗତ ବ୍ଲଗ୍ ବୋଲି ମନେ ନହୋଇ ବସ୍ତୁନିଷ୍ଠ ରିପୋର୍ଟରେ ପରିଣତ ହେବ, ସେ କୌଶଳ ବି ଛାତ୍ରଛାତ୍ରୀମାନେ ଶିଖିଯାଆନ୍ତି।

ସାଧାରଣତଃ ସାମ୍ବାଦିକତାକୁ ଏକ ଦୀର୍ଘକାଳୀନ ତଦନ୍ତରୁ ନିଃସୃତ ନିଷ୍କର୍ଷ ସହିତ ବହୁବିଧ ସୂତ୍ରରୁ ହାସଲ ତଥ୍ୟାବଳୀର ସମାହାର ବୋଲି ବିବେଚନା କରାଯାଉଥିବା ବେଳେ ଆମେ ଲୋକମାନଙ୍କର ଜୀବନ କାହାଣୀକୁ ସରଳ ଭାବରେ ଲେଖିବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥାଉ। ଏହି ଜୀବନ କାହାଣୀରେ ରହିଥାଏ ନିତିଦିନିଆ ବ୍ୟକ୍ତିଗତ ଅନୁଭୂତି, ସେମାନଙ୍କ କାର୍ଯ୍ୟ ପ୍ରଣାଳୀ, କାର୍ଯ୍ୟ ସମୟ, ସେଥିରୁ ମିଳୁଥିବା ଖୁସି, ସେମାନେ ସମ୍ମୁଖୀନ ହେଉଥିବା ସଂଘର୍ଷପୂର୍ଣ୍ଣ ସ୍ଥିତି, ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ସ୍ଥିତିସ୍ଥାପକତା, ସେମାନଙ୍କ ଜୀବନର ଅର୍ଥନୀତି ଏବଂ ନିଜ ପିଲାମାନଙ୍କ ପାଇଁ ସେମାନେ ଦେଖିଥିବା ସ୍ୱପ୍ନ।

ସଚ୍ଚୋଟ ସାମ୍ବାଦିକତାର ମାପକାଠି ଉପଯୋଗ କରି ସମାଜର ବିଭିନ୍ନ ସମସ୍ୟାକୁ ପରଖି ଦେଖିବା ଲାଗି ଯୁବ ପିଢ଼ିକୁ ଉତ୍ସାହିତ କରିବା ଦିଗରେ ‘ପରୀ ଏଜୁକେସନ’ ପ୍ରୟାସରତ। ଛାତ୍ରଛାତ୍ରୀମାନେ ବିଭିନ୍ନ ବର୍ଗର ଲୋକ ଏବଂ ସେମାନଙ୍କ ଜୀବନ କାହାଣୀକୁ ଲୋକଲୋଚନକୁ ଆଣିବା ସହିତ ମାନବିକତାକୁ ସାମ୍ବାଦିକତାରେ ସ୍ଥାନ ଦିଅନ୍ତି ଏବଂ ସେମାନଙ୍କ ଶ୍ରେଣୀକକ୍ଷରେ ମଧ୍ୟ।

ଆପଣଙ୍କ ଶିକ୍ଷାନୁଷ୍ଠାନ ସହିତ ପରୀ କାର୍ଯ୍ୟ କରୁ ବୋଲି ଆପଣ ଯଦି ଚାହୁଁଛନ୍ତି, ତେବେ ଦୟାକରି [email protected] କୁ ଲେଖନ୍ତୁ

ଏହି ଲେଖାରେ ପ୍ରକାଶିତ ଚିତ୍ରଗୁଡ଼ିକୁ ଉତ୍ତୋଳନ କରିଛନ୍ତି  ‘ପରୀ’ର ଫଟୋ ସଂପାଦିକା ବିନାଇଫର ଭରୁଚା

ଅନୁବାଦ : ଓଡ଼ିଶାଲାଇଭ୍‍

Vishaka George

ବିଶାଖା ଜର୍ଜ ପରୀର ଜଣେ ବରିଷ୍ଠ ସମ୍ପାଦିକା। ସେ ଜୀବନଜୀବିକା ଓ ପରିବେଶ ପ୍ରସଙ୍ଗରେ ରିପୋର୍ଟ ଲେଖିଥାନ୍ତି। ବିଶାଖା ପରୀର ସାମାଜିକ ଗଣମାଧ୍ୟମ ପରିଚାଳନା ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ପରୀର କାହାଣୀଗୁଡ଼ିକୁ ଶ୍ରେଣୀଗୃହକୁ ଆଣିବା ଲାଗି ସେ ପରୀ ଏଜୁକେସନ ଟିମ୍‌ ସହିତ କାର୍ଯ୍ୟ କରିଥାନ୍ତି ଏବଂ ନିଜ ଆଖପାଖର ପ୍ରସଙ୍ଗ ବିଷୟରେ ଲେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ବିଶାଖା ଜର୍ଜ
Editor : PARI Desk

ପରୀ ସମ୍ପାଦକୀୟ ବିଭାଗ ଆମ ସମ୍ପାଦନା କାର୍ଯ୍ୟର ପ୍ରମୁଖ କେନ୍ଦ୍ର। ସାରା ଦେଶରେ ଥିବା ଖବରଦାତା, ଗବେଷକ, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା ଓ ଅନୁବାଦକଙ୍କ ସହିତ ସମ୍ପାଦକୀୟ ଦଳ କାର୍ଯ୍ୟ କରିଥାଏ। ସମ୍ପାଦକୀୟ ବିଭାଗ ପରୀ ଦ୍ୱାରା ପ୍ରକାଶିତ ଲେଖା, ଭିଡିଓ, ଅଡିଓ ଏବଂ ଗବେଷଣା ରିପୋର୍ଟର ପ୍ରଯୋଜନା ଓ ପ୍ରକାଶନକୁ ପରିଚାଳନା କରିଥାଏ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ PARI Desk
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE