ପ୍ରତିବର୍ଷ, ‘ପରୀ’ ସହିତ ଇଣ୍ଟର୍ନ ଭାବରେ କାମ କରିବା ଲାଗି ଅନେକ ଯୁବକଯୁବତୀ ଆମକୁ ଲେଖି ଜଣାନ୍ତି । ଏ ବର୍ଷ ଆମେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନ ଭାବରେ ପାଇଥିଲୁ – ସମଗ୍ର ଦେଶର ବିଭିନ୍ନ ଭାଗରୁ ଏବଂ ବିଭିନ୍ନ ବିଷୟରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନେ ଆମ ସହିତ କାମ କରିବା ଲାଗି ଯୋଗାଯୋଗ କରିଥିଲେ । ସେମାନେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନସେସ୍, ବାଙ୍ଗାଲୋରର ଅଜୀମ ପ୍ରେମଜୀ ବିଶ୍ୱବିଦ୍ୟାଳଯ, ସୋନିପତର ଅଶୋକା ବିଶ୍ୱବିଦ୍ୟାଳୟ, ପୁଣେର ‘ଫ୍ଲେମ୍’ ବିଶ୍ୱବିଦ୍ୟାଳୟ, ରାଜସ୍ଥାନର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ସମଗ୍ର ଦେଶର ଅନେକ ଶିକ୍ଷାନୁଷ୍ଠାନରୁ ସେମାନେ ଆସିଥିଲେ ।
ଗତ କେଇ ବର୍ଷ ଭିତରେ ଆମର ଏହି ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମର ରୂପରେଖ ବଦଳି ଯାଇଛି – ଉଭୟ ଏହାର ପରିଧି ଓ ପରିସର ବୃଦ୍ଧି ପାଇଛି, ନୂଆ ନୂଆ ପ୍ରଶ୍ନ ଓ କାର୍ଯ୍ୟଭାରକୁ ଏଥିରେ ସାମିଲ କରାଯାଇଛି । ହେଲେ ଅପରିବର୍ତ୍ତିତ ରହିଛି ଏହାର ଲକ୍ଷ୍ୟ – ଅସମାନତା, ଅନ୍ୟାୟ ଏବଂ ସାମାଜିକ ଉତ୍ପୀଡ଼ନ ଭଳି ଆମ ସମୟର ବିଭିନ୍ନ ସମସ୍ୟା ସହିତ ଯୁବ ପିଢ଼ିକୁ ପରିଚିତ କରାଇବା ସହିତ କାରଣ ଓ ନିରାକରଣ ବାଟ ଖୋଜିବା ଦିଗରେ ସେମାନଙ୍କୁ ଉତ୍ସାହିତ କରିବା ।
‘ପରୀ’ର ଇଣ୍ଟର୍ନମାନଙ୍କୁ ଅବିଳମ୍ବେ ବାସ୍ତବ କ୍ଷେତ୍ରରେ କାମ କରିବାକୁ ପଡ଼େ - ଗ୍ରାମାଞ୍ଚଳ ଏବଂ ନିଷ୍ପେଷିତ ସଂପ୍ରଦାୟ ଉପରେ ଲେଖା ପ୍ରସ୍ତୁତି ନିମନ୍ତେ ଗବେଷଣା, ସାକ୍ଷାତକାର, ଲିଖନ, ତଥ୍ୟ ଯାଞ୍ଚ, ଫଟୋ ଉତ୍ତୋଳନ, ଚଳଚ୍ଚିତ୍ର ପାଇଁ ଚିତ୍ର ଉତ୍ତୋଳନ ଏବଂ ଲେଖା ପାଇଁ ଚିତ୍ରସଜ୍ଜା କରିବା ଭଳି ସମସ୍ତ କାମ ସେମାନେ କରନ୍ତି । ଏବଂ ଏହି କାର୍ଯ୍ୟରେ ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ଗୁଜରାଟ, ଅରୁଣାଚଳ ପ୍ରଦେଶ, ତାମିଲନାଡୁ, ଓଡ଼ିଶା, ମହାରାଷ୍ଟ୍ର, କେରଳ ଏବଂ ଜାମ୍ମୁ ଓ କାଶ୍ମୀରରୁ ସେମାନେ ରିପୋର୍ଟ ପଠାଇ ସାରିଛନ୍ତି ।
ସେମାନେ ମଧ୍ୟ ଲାଇବ୍ରେରୀ ରିପୋର୍ଟ, ଚଳଚ୍ଚିତ୍ର ଓ ଭିଡିଓ, ସାମାଜିକ ଗଣମାଧ୍ୟମ ପୋଷ୍ଟ କରିବା ଉପରେ କାମ କରନ୍ତି ଏବଂ ଦରକାର ପଡ଼ିଲେ ଅନୁବାଦ ବି କରନ୍ତି ।
ଅନେକ ଛାତ୍ରଛାତ୍ରୀ ଲିଙ୍ଗଭେଦରେ ଅନ୍ୟାୟ ଭଳି ବିଷୟ ଉପରେ ଅନୁସନ୍ଧାନ କରି ସେମାନଙ୍କ ରିପୋର୍ଟ ମାଧ୍ୟମରେ ଏହାକୁ ଲୋକଲୋଚନକୁ ଆଣିବା ଲାଗି ଚାହିଁଲେ, ଏବଂ ସେମାନେ ଯାହା କଲେ ତାହା ଏମିତି :
ଏକ ଶୌଚାଳୟ ବିରତି ବିନା ପରିଶ୍ରମ କରିବା ଶୀର୍ଷକ ରିପୋର୍ଟରେ ପଶ୍ଚିମବଙ୍ଗର ଚା’ ବଗିଚାରେ କାମ କରୁଥିବା ମହିଳାମାନଙ୍କ ଜୀବନଧାରା ଏବଂ ଲିଙ୍ଗଭେଦ କାରଣରୁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ଉନ୍ମୋଚନ କରିଥିଲେ ଇଣ୍ଟର୍ନ ଆଧ୍ୟେତା ମିଶ୍ରା । ସେତେବେଳେ, ଆଧ୍ୟେତା ଯାଦବପୁର ବିଶ୍ୱବିଦ୍ୟାଳୟରେ ତୁଳନାତ୍ମକ ସାହିତ୍ୟର ଜଣେ ଛାତ୍ରୀ ଥିଲେ ଏବଂ ମହିଳା ଶ୍ରମିକମାନଙ୍କ ଚାକିରି ପ୍ରତି ବିପଦ ଆଶଙ୍କା ଥିବାରୁ ସେମାନଙ୍କର ଏବଂ ସେମାନେ କାର୍ଯ୍ୟ କରୁଥିବା ବଗିଚାର ପରିଚୟ ଗୋପନ ରଖିବା ଦିଗରେ ତାଙ୍କୁ ଖୁବ୍ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥିଲା।






