ଘଞ୍ଚ ଭାବେ ଲଗାଯାଇଥିବା କଣ୍ଟାଳିଆ ଚା’ ବୁଦା ମଧ୍ୟରେ ଥିବା ଏକ ଅତି ଛୋଟ ବ୍ୟବଧାନ ଆଡକୁ ଇଙ୍ଗିତ କରି ଦିୟା ଟୋପ୍ପୋ(ନାମ ପରିବର୍ତ୍ତିତ) କହିଲେ, ‘‘ଜରୁରୀକାଳୀନ ସ୍ଥିତିରେ ମୁଁ ଏଠାରେ ଶୌଚ ହୋଇଥାଏ।’’ ସେ ଚିନ୍ତିତ ହୋଇ ଯୋଗ କଲେ, ‘‘ଆଜି ସକାଳେ ମୋତେ ଏକ ମହୁମାଛି କାମୁଡ଼ିଥିଲା; ଆପଣଙ୍କୁ ଏଠାରେ ସାପ ବି କାମୁଡିପାରେ।’’

ଦିନ ମଜୁରିଆମାନଙ୍କ ଲାଗି ନିୟମିତ ଭାବେ କାମ କରିବାର ପରିସ୍ଥିତି କଠିନ, କିନ୍ତୁ ଯଦି ଆପଣ ଏକ ଚା ବଗିଚାରେ କାମ କରୁଥିବା ମହିଳା ହୋଇଥାନ୍ତି ତା’ ହେଲେ ଶୌଚ ହେବା ଲାଗି ଏକ ବିରତି ନେବା ବି ଅଜଣା ବିପଦ ହୋଇପାରେ।

ସେହି ୫୩ ବର୍ଷୀୟ ଶ୍ରମିକ ଜଣକ ମନେ ପକାଇଲେ, ‘‘ଯେତେବେଳେ ମୁଁ ସାନ ଥିଲି, ସେତେବେଳେ ଜରୁରୀକାଳୀନ ସ୍ଥିତିରେ ଶୌଚାଳୟର ବ୍ୟବହାର କରିବା ଲାଗି କ୍ୱାଟର୍ସକୁ ସାଇକେଲରେ ଫେରି ଯିବାକୁ ସମୟ ସମୟରେ ଚିନ୍ତା କରୁଥିଲି।’’ କିନ୍ତୁ ସେହି ଯାତ୍ରା ଯୋଗୁ ଚା’ ପତ୍ର ତୋଳିବା ଲାଗି ସେ ଦେଉଥିବା ସମୟ କମିଯାଇଥାନ୍ତା: ‘‘ମୋତେ ପ୍ରତିଦିନର ଲକ୍ଷ୍ୟ [ପତ୍ରର ] ପୂରା କରିବାର ଆବଶ୍ୟକତା ରହିଛି। ମୁଁ ରିସ୍କ ନେଇ ପାରିବି ନାହିଁ [ପାରିଶ୍ରମିକ ହରାଇବାର]’’।

ତାଙ୍କର ସହକର୍ମୀ, ସୁନୀତା କିସ୍କୁ (ନାମ ପରିବର୍ତ୍ତିତ) ସହମତି ପ୍ରକାଶ କଲେ: ‘‘କେବଳ ଦୁଇଟି ବିକଳ୍ପ ରହିଛି-ପୂରା ଦିନ ଲାଗି ନିୟନ୍ତ୍ରଣ କରିବା [ପରିସ୍ରା କରିବାର ଇଚ୍ଛାକୁ] କିମ୍ବା ଏଠାରେ ପରିସ୍ରା କରିବା [ଖୋଲାରେ]। କିନ୍ତୁ ଏଠାରେ ପୋକ ଏବଂ ଜୋକଙ୍କ ସଂଖ୍ୟାକୁ ଦେଖିଲେ ତାହା ଅତି ବିପଦପୂର୍ଣ୍ଣ।’’

କିଛି ଚା କଂପାନି ଏକ ଛତା, ଏକ ଚପଲ (ସ୍ୟାଣ୍ଡଲ), ଏକ ଟ୍ରିପୋଲ(ତାରପୋଲିନ) ଏବଂ ଏକ ଝୁରି (ବ୍ୟାଗ) ଦେଇଥିାନ୍ତି। ଦିୟା କହିଲେ, ‘‘ସେହି ଟ୍ରିପୋଲ ଆମର ପୋଷାକକୁ ଗଛରେ ଥିବା ପାଣି ଦ୍ୱାରା ଓଦା ହେବାରୁ ରକ୍ଷା କରିଥାଏ। ଅନ୍ୟ ଜିନିଷପତ୍ର [ବୁଟ୍ ଭଳି ଉପକରଣ]କୁ ଆମକୁ ନିଜକୁ କିଣିବାକୁ ହୁଏ।’’

୨୬ ବର୍ଷୀୟା ସୁନୀତା (ନାମ ପରିବର୍ତ୍ତିତ) କରି କହିଲେ, ‘‘ଆମଠାରୁ ଲଗାତର ୧୦ ଘଣ୍ଟା ଧରି କାମ କରିବାକୁ ଆଶା କରାଯାଏ। ଯଦି ସେ ଏକ ଶୌଚାଳୟର ବ୍ୟବହାର କରିବାକୁ ଘରକୁ ଫେରି ଯାଆନ୍ତି - ସେ ଯେଉଁଠାରେ କାମ କରନ୍ତି ସେହି ବଗିଚାଠାରୁ ୨ କିମି ଦୂର-ତା’ ହେଲେ ସେ କିଛି ଘଣ୍ଟାର ପାରିଶ୍ରମିକ ହରାଇବେ। ଦୁଇଟି ପିଲାର ମା’ ସୁନୀତା ତାକୁ ସହ୍ୟ କରିପାରିବେ ନାହିଁ ବୋଲି କହନ୍ତି।

PHOTO • Adhyeta Mishra
PHOTO • Adhyeta Mishra

ବାମ: ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ଏକ ଇଷ୍ଟେଟ। ଡାହାଣ: ସୂର୍ଯ୍ୟକିରଣରୁ ରକ୍ଷା ପାଇବା ଲାଗି ଶ୍ରମିକମାନେ ଏକ ଛତାର ବ୍ୟବହାର କରୁଛନ୍ତି

ଦିୟା ଏବଂ ସୁନୀତା ସେହି ହଜାର ହଜାର ଦିନ ମଜୁରିଆମାନଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ଏଠାରେ ପଶ୍ଚିମବଙ୍ଗର ଡୁଆର୍ସ ଅଞ୍ଚଳରେ ଏକ ଇଷ୍ଟେଟରେ କାମ କରିଥାନ୍ତି-ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା। ନାମ ଗୋପନ ରଖିବା ସର୍ତ୍ତରେ ଅନେକ ମହିଳା ପରୀକୁ କହିଲେ ଯେ କାମ କରିବା ସମୟରେ ଏକ ଶୌଚାଳୟ ଯାଏ ପହଞ୍ଚିବା ଅସମ୍ଭବ ଥିଲା।

ଏବଂ ଏଥିପାଇଁ ଯେତେବେଳେ ସେମାନେ ପରିସ୍ରା କରିବା ସମୟରେ ଜ୍ୱଳନକୁ ସହ୍ୟ କରି ପାରନ୍ତି ନାହିଁ, ସେମାନେ ଜଣେ ବରିଷ୍ଠ ଏଏନଏମ (ଅକ୍ସିଲିଆରୀ ନର୍ସ ମିଡୱାଇଫ) ଚମ୍ପା ଦେ (ନାମ ପରିବର୍ତ୍ତିତ) ଙ୍କ ନିକଟକୁ ଯାଇଥାନ୍ତି। ଦେ କହନ୍ତି ତାହା ଏବଂ ସେମାନଙ୍କ ପରିସ୍ରାରେ ରକ୍ତ ପଡିବା ଏକ ପରିସ୍ରା ନଳୀ ସଂକ୍ରମଣ (ୟୁଟିଆଇ) ଆଡ଼କୁ ଇଙ୍ଗିତ କରିଥାଏ। ଅଦ୍ୟାବଧି ୩୪ ବର୍ଷ ଧରି ଚା’ ଶ୍ରମିକମାନଙ୍କ ସହିତ କାମ କରି ଆସୁଥିବା ସ୍ୱାସ୍ଥ୍ୟକର୍ମୀ ଜଣକ କହିଲେ, ‘‘ଏହା ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବାର ଅଭାବ ଯୋଗୁ ହୋଇଥାଏ।’’

ଚମ୍ପା ଯୋଗ କଲେ ଯଦିଓ ଚା’ କଂପାନିଗୁଡ଼ିକ ବଗିଚାଗୁଡ଼ିକର କିଛି ସ୍ଥାନରେ ପିଇବା ପାଣିର ଟ୍ୟାଙ୍କ ଯୋଗାଇଥାନ୍ତି ତେବେ ‘‘ସେମାନଙ୍କ ମଧ୍ୟରୁ ଅଧିକାଂଶ [ମହିଳା ଶ୍ରମିକମାନେ] ପରିସ୍ରା କରିବାକୁ ଏଡ଼ାଇ ଯିବା ଲାଗି [ଖୋଲାସ୍ଥାନରେ] ସେଗୁଡ଼ିକର ବ୍ୟବହାର କରିନଥାନ୍ତି।’’

ଯଦି ଶୌଚାଳୟଗୁଡିକ ବହୁ ଦୂରରେ ଥାଏ, ତା’ହେଲେ ସେମାନେ ଚା’ ପତ୍ର ତୋଳିବା ଲାଗି ଦେଉଥିବା ସମୟ ମଧ୍ୟ କମି ଯାଇଥାଏ ଏବଂ ସେମାନେ ମଜୁରୀ ହରାଇଥାନ୍ତି। ଜଣେ ଶ୍ରମିକଙ୍କୁ ଦୈନିକ ୨୩୨ ଟଙ୍କାର ମଜୁରୀ ପାଇବା ଲାଗି ୨୦ କିଲୋ ପତ୍ର ସଂଗ୍ରହ କରିବାକୁ ହୋଇଥାଏ। ଅର୍ଥାତ୍ ଯଦି ସେମାନେ ବିନା କୌଣସି ବିରତିରେ ୧୦ ଘଣ୍ଟା ଧରି କାମ କରନ୍ତି ତା’ ହେଲେ ଘଣ୍ଟା ପ୍ରତି ପ୍ରାୟ ୨ କିଲୋ ପତ୍ର ସଂଗ୍ରହ କରିବାକୁ ହୋଇଥାଏ

PHOTO • Adhyeta Mishra

ଏକ ଶୌଚାଳୟ ଯିବା ଦ୍ୱାରା ଚା’ ପତ୍ର ତୋଳିବା ଲାଗି ସେମାନେ ଦେଉଥିବା ସମୟ କମି ଯାଇଥାଏ ଏବଂ ପାରିଶ୍ରମିକ ହାନି ହୁଏ

ପୁଷ୍ପା ଲାକ୍ରା (ନାମ ପରିବର୍ତ୍ତିତ) କହିଲେ, ‘‘ଖରା ଯୋଗୁଁ ୨ ଘଣ୍ଟାରେ ମୁଁ ମାତ୍ର ୨ କିଲୋଗ୍ରାମ ପତ୍ତା (ପତ୍ର) ସଂଗ୍ରହ କରିବାରେ ସକ୍ଷମ ହୋଇଛି।’’ ୨୬ ବର୍ଷୀୟ ପୁଷ୍ପା ସକାଳ ୭.୩୦ରେ ପହଞ୍ଚିଲେ ଏବଂ ସନ୍ଧ୍ୟା ୫ଟାରେ ପଳାଇବେ। ଦେଶର ଏହି ପୂର୍ବ ଭାଗର ତଳେ ସୂର୍ଯ୍ୟାସ୍ତ ହେବାର ଠିକ୍ ପୂର୍ବରୁ। ବିଗତ ୮ ବର୍ଷ ହେଲା ଏହା ତାଙ୍କର ରୁଟିନ୍ ରହିଛି। ସେ ତୋଳିଥିବା ଗାଢ ସବୁଜ ରଙ୍ଗର ପତ୍ର ଏକ ବୁଣାଯାଇଥିବା ଝୁଡି ରେ ରହିଛି ଯାହାକି ତାଙ୍କର ମୁଣ୍ଡ ସହ ବନ୍ଧା ହୋଇଛି।

ବିଗତ ୫ ବର୍ଷ ଧରି ଚା ଶ୍ରମିକ ଭାବେ କାମ କରୁଥିବା ଦୀପା ଓରାନ୍ (ନାମ ପରିବର୍ତ୍ତିତ) କହିଲେ, ‘‘ଅଧିକାଂଶ ଦିନରେ ବିଶେଷ କରି ଖରା ଏବଂ ବର୍ଷା ଦିନରେ ଆମ ପାଇଁ ଲକ୍ଷ୍ୟ ପୂରଣ କରିବା କଷ୍ଟକର ହୋଇଥାଏ ଏବଂ ଆମେ ଆମର ଦୈନିକ ହାଜରା (ମଜୁରୀରୁ) ୩୦ ଟଙ୍କା ହରାଇଥାଉ।’’

ଋତୁସ୍ରାବ ହେଉଥିବା ମହିଳାଙ୍କ ଲାଗି ଶୌଚାଳୟ ପାଇବାର ଅଭାବ ଏକ ଦୁଃସ୍ୱପ୍ନ ଜଣେ ୨୮ ବର୍ଷୀୟ ଶ୍ରମିକ ମ୍ୟାରୀ କିସ୍କୁ(ନାମ ପରିବର୍ତ୍ତିତ) କହିଲେ, ‘‘ଆପଣଙ୍କର ସାନିଟାରୀ ପ୍ୟାଡ୍ ବଦଳାଇବା ଲାଗି କୌଣସି ପ୍ରାବଧାନ ନାହିଁ।’’ ସେ ବିଗତ ୧୦ ବର୍ଷ ହେଲା କାମ କରି ଆସୁଛନ୍ତି। ମ୍ୟାରୀ ମନେ ପକାଇଲେ, ‘‘ଚା ବଗିଚାରେ କାମ କରିବା ସମୟରେ ଥରେ ମୋର ଋତୁସ୍ରାବ ଆରମ୍ଭ ହୋଇଗଲା କିନ୍ତୁ ମୁଁ ଘରକୁ ଯାଇପାରିଲି ନାହିଁ କାରଣ ମୋର ଲକ୍ଷ୍ୟ ପୂରଣ କରିବାର ଥିଲା। ସେଦିନ ମୁଁ ରକ୍ତଭିଜା ପୋଷାକରେ ଘରକୁ ଫେରିଥିଲି।’’

ରାଣୀ ହୋରୋ ଜଣେ ସ୍ଥାନୀୟ ଆଶାକର୍ମୀ ଯିଏକି ତାଙ୍କର ରୋଗୀମାନଙ୍କ ମଧ୍ୟରେ ଋତୁସ୍ରାବ ସ୍ୱଚ୍ଛତା ସଂପର୍କରେ ସଚେତନତା ସୃଷ୍ଟି ଲାଗି ଉଦ୍ୟମ କରୁଛନ୍ତି। ଶ୍ରମିକମାନଙ୍କ ସହିତ ବିଗତ ୧୦ ବର୍ଷ ହେଲା କାମ କରିଆସୁଥିବା ରାଣୀ କହିଲେ, ‘‘ଅସ୍ୱାସ୍ଥ୍ୟକର ଶୌଚାଳୟ, ନିୟମିତ ଜଳଯୋଗାଣର ଅଭାବ ଏବଂ ଋତୁସ୍ରାବ ସମୟରେ ଅପରିଷ୍କାର କପଡ଼ାର ବ୍ୟବହାର ଯୋଗୁଁ ଗର୍ଭାବସ୍ଥା ସମୟରେ ଗୁରୁତର ବିପଦ ସମେତ ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ଜଟିଳତା ହୋଇଥାଏ।’’

ଚା ବଗିଚାରେ କାମ କରୁଥିବା ଅଧିକାଂଶ ମହିଳା ମଧ୍ୟ ନିମ୍ନ ରକ୍ତଚାପରେ ପୀଡିତ ହୋଇଥାନ୍ତି ଯାହାକି ଏକ ଅତିରିକ୍ତ ଜଟିଳତା, ଚମ୍ପା କହିଲେ। ସେ ଆହୁରି ଯୋଗ କଲେ, ‘‘ଯେଉଁ ମହିଳାମାନେ ଟ୍ୟୁବରକୁଲୋସିସ ଏବଂ ରକ୍ତହୀନତାରେ ପୀଡିତ ହୋଇଥାନ୍ତି ସେମାନଙ୍କୁ ସନ୍ତାନ ଜନ୍ମ ସମୟରେ ଅଧିକ ବିପଦ ରହିଥାଏ।’’

PHOTO • Adhyeta Mishra
PHOTO • Adhyeta Mishra

ଅନେକ ମହିଳା ସେମାନଙ୍କ ସହିତ ସେମାନଙ୍କର କୁନି ପିଲାଙ୍କୁ ଆଣିଥାନ୍ତି କାରଣ ସେମାନଙ୍କର ଦେଖାଶୁଣା କରିବାକୁ ଅନ୍ୟ କେହି ନଥାନ୍ତି ନବଜାତ ପିଲାମାନେ ଝୁଲିବା ଏବଂ ଶୋଇବା ଲାଗି ଛାଇଥିବା ଅଞ୍ଚଳରେ (ଡାହାଣ) ଓଢଣୀଗୁଡ଼ିକ ଝୁଲାଯାଇଥାଏ

PHOTO • Adhyeta Mishra
PHOTO • Adhyeta Mishra

ବାମ: ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀମାନେ ଚା’ ବଗିଚାର ମହିଳା ଶ୍ରମିକଙ୍କ ସହ କଥା ହେଉଛନ୍ତି ଡାହାଣ: ଜଳପାଇଗୁଡ଼ିରେ ଏକ ଚା ବଗିଚାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର

ପୁଷ୍ପା, ଦୀପା ଏବଂ ସୁନୀତାଙ୍କ ଭଳି ଶ୍ରମିକମାନେ ସେମାନଙ୍କର ଘର କାମ ସାରିବା ପରେ ସକାଳ ୬.୩୦ ମିନିଟ୍ ସୁଦ୍ଧା ଘରୁ ବାହାରି ଆସନ୍ତି। ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ ରଞ୍ଜନା ଦତ୍ତ (ନାମ ପରିବର୍ତ୍ତିତ) କହିଲେ, ‘‘ଚା ବଗିଚାରେ ଠିକ୍ ସମୟରେ ପହଞ୍ଚିବା ଲାଗି ଅନେକ ମହିଳା ସେମାନଙ୍କର ସକାଳ ଜଳଖିଆ ଖାଆନ୍ତି ନାହି ଏବଂ ତୁରନ୍ତ କାମ ଆରମ୍ଭ କରି ଦିଅନ୍ତି।’’ ସେମାନଙ୍କୁ ଉଚିତ ମଧ୍ୟାହ୍ନଭୋଜନ ବିରତି ମିଳେ ନାହିଁ ଏବଂ ତେଣୁ ଭଲ ଭାବେ ଏକ ମଧ୍ୟାହ୍ନଭୋଜନ ଖାଇବାକୁ ସେମାନେ ସମୟ ପାଆନ୍ତି ନାହିଁ। ରଞ୍ଜନା ଯୋଗ କଲେ, ‘‘ଏଥିଯୋଗୁ ଏଠାରେ ଅନେକ ମହିଳା ଶ୍ରମିକ ଉତ୍କଟ ରକ୍ତହୀନତାର ଶିକାର ହୋଇଛନ୍ତି।’’

ମ୍ୟାରୀ କହିଲେ, ‘‘ଆମେ ସ୍ୱାସ୍ଥ୍ୟକେନ୍ଦ୍ରରେ [କିଛି ଚା ବଗିଚାରେ ଥିବା ଏକ ସୁବିଧାରେ] ଦେହଖରାପ ଲାଗି ଛୁଟି ଆବେଦନ କରିପାରୁ, କିନ୍ତୁ ସେପରି ହେଲେ ଆମେ ଆମର ମଜୁରୀର ଏକ ଚତୁର୍ଥାଂଶ ହରାଇଥାଉ। ଆମେ ତାହା ସହ୍ୟ କରିପାରିବୁ ନାହିଁ।’’ ଅଧିକାଂଶ ଶ୍ରମିକ ତାଙ୍କ ସହ ଏକମତ ହେଲେ। ଯଦି ଅସ୍ଥାୟୀ କର୍ମଚାରୀ କିଛି ଘଣ୍ଟା ଧରି କାମ କରନ୍ତି ନାହିଁ ତା’ ହେଲେ ସେମାନଙ୍କୁ ବିଲକୁଲ ମଜୁରୀ ଦିଆଯାଏ ନାହିଁ।

ଚା’ ଗଛ ରୋପଣ ଲାଗି କାମ କରୁଥିବା ଅନେକ ମହିଳା ମଧ୍ୟ ସେମାନଙ୍କର ପିଲାମାନଙ୍କ ଲାଗି ପ୍ରାଥମିକ ଦେଖାଶୁଣାକାରୀ। ଜଣେ ସ୍ଥାୟୀ ଶ୍ରମିକ ପମ୍ପା ଓରାନ୍(ନାମ ପରିବର୍ତ୍ତିତ) କହିଲେ ‘‘ଆଜି ମୁଁ ଚା ବଗିଚାକୁ ଯାଇ ପାରିଲି ନାହିଁ କାରଣ ମୋତେ ମୋ ପିଲାକୁ ହସ୍ପିଟାଲ ନେବାର ଥିଲା। ମୋତେ ଆଜିର ମଜୁରୀର ଏକ ଚତୁର୍ଥାଂଶ ମିଳିବ ନାହିଁ।’’

ମୀନା ମୁଣ୍ଡାଙ୍କ ଭଳି ଅନେକ ମହିଳା(ନାମ ପରିବର୍ତ୍ତିତ)ଙ୍କୁ ଆସିବା ସମୟରେ ସେମାନଙ୍କର କୁନି ପିଲାଙ୍କୁ କର୍ମସ୍ଥଳୀକୁ ଆଣିବାକୁ ପଡିଥାଏ କାରଣ ପିଲାମାନଙ୍କୁ ପାଖରେ ଛାଡିବା ଲାଗି କେହି ଲୋକ ନାହାନ୍ତି। ଏହା ସେମାନଙ୍କର କାମକୁ ପ୍ରଭାବିତ କରିଥାଏ। ଦୁଇଟି ଛୋଟ ପିଲାଙ୍କର ମା’ ମୀନା କହିଲେ, ‘‘ମୁଁ କାମ ଉପରେ ସେତେ ବେଶୀ ଗୁରୁତ୍ୱ ଦେଇପାରୁନାହିଁ।’’

ଅନେକ ମହିଳାଙ୍କ ଲାଗି କମ୍ ମଜୁରୀ ସେମାନଙ୍କର ପିଲାଙ୍କ ଶିକ୍ଷା ପାଇଁ ଖର୍ଚ୍ଚ କରିବାକୁ ପର୍ଯ୍ୟାପ୍ତ ନୁହେଁ। ଜଣେ ୨୦ ବର୍ଷୀୟ ଶ୍ରମିକ ମୋମ୍ପି ହାଁସଦା ତାଙ୍କର ୭ ମାସର ପୁଅ ବିଷୟରେ କହିଲେ, ‘‘ଏ ମୋର ପ୍ରଥମ ପିଲା। ଆମେ ତା’ର ଶିକ୍ଷା ପାଇଁ ଟଙ୍କା ଖର୍ଚ୍ଚ କରିବାରେ ସମର୍ଥ ହେବୁ କି ନାହିଁ ତାହା ମୁଁ ଜାଣିନାହିଁ।’’

ଏହି କାହାଣୀରେ ଅନେକ ମହିଳା ନାମ ଗୋପନ ରଖିବା ସୂତ୍ରରେ ସେମାନଙ୍କର ଅଭିଜ୍ଞତାକୁ ବର୍ଣ୍ଣନା କରିଛନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Student Reporter : Adhyeta Mishra

Adhyeta Mishra is a post-graduate student of comparative literature at Jadavpur University, Kolkata. She is also interested in gender studies and journalism.

Other stories by Adhyeta Mishra
Editor : Sanviti Iyer

Sanviti Iyer is Assistant Editor at the People's Archive of Rural India. She also works with students to help them document and report issues on rural India.

Other stories by Sanviti Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE