ମଧ୍ୟପ୍ରଦେଶ ପନ୍ନାରେ ବ୍ୟାଘ୍ର ଅଭୟାରଣ୍ୟ ଓ ପାର୍ଶ୍ୱବର୍ତ୍ତୀ ଜଙ୍ଗଲ ଭିତରେ ଥିବା ବେଆଇନ, ଖୋଲା ଖଣି ଭିତରେ ଏବଂ ଆଖପାଖରେ, ଯୁବ ଓ ବୟସ୍କ ଲୋକମାନେ ଏପରି ଏକ ପଥର ସନ୍ଧାନରେ ଥାଆନ୍ତି ଯାହା ସେମାନଙ୍କ ଭାଗ୍ୟ ବଦଳାଇ ପାରିବ।
ବାପା ମା’ ଏଠାକାର ହୀରା ଖଣିରେ କାମ କରୁଥିବା ବେଳେ ପିଲାମାନେ ବାଲି ଓ କାଦୁଅ ଖୋଳିବାରେ ଲାଗି ପଡ଼ିଥାନ୍ତି, ଏମାନଙ୍କ ମଧ୍ୟରୁ ଅଧିକାଂଶ ଗୋଣ୍ଡ ସମ୍ପ୍ରଦାୟ (ରାଜ୍ୟରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ)ର ପ୍ରତିନିଧିତ୍ୱ କରିଥାନ୍ତି।
ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, “ଯଦି ମୁଁ ହୀରା ପାଇବି, ତେବେ ମୁଁ ଏହାକୁ ଆଗକୁ ପଢ଼ିବା ପାଇଁ ବ୍ୟବହାର କରିପାରିବି।
ଶିଶୁ ଶ୍ରମିକ (ନିଷିଦ୍ଧ ଏବଂ ନିୟମ) ସଂଶୋଧନ ଆଇନ (୨୦୧୬) ଶିଶୁମାନଙ୍କୁ (୧୪ ବର୍ଷରୁ କମ୍) ଏବଂ କିଶୋର କିଶୋରୀମାନଙ୍କୁ (୧୮ ବର୍ଷ ବୟସରୁ କମ୍) ଖଣି ଖନନ ଶିଳ୍ପରେ ନିଯୁକ୍ତି ଦେବାକୁ ନିଷିଦ୍ଧ କରେ, ଏହି ଆଇନ୍ ଅଧୀନରେ ଏକ ବିପଦଜନକ ବୃତ୍ତି ଭାବରେ ତାଲିକାଭୁକ୍ତ କରାଯାଇଛି।
ପ୍ରାୟ ୩୦୦ କିଲୋମିଟର ଦୂରରେ, ଉତ୍ତରପ୍ରଦେଶର, ମିର୍ଜାପୁରର ପିଲାମାନେ ମଧ୍ୟ ସେମାନଙ୍କ ବାପା ମା’ଙ୍କ ସହ କାମକୁ ଯାଆନ୍ତି। ଏଠି, ବେଆଇନ ପଥର ଖଣି କଥା କୁହାଯାଉଛି । ବଞ୍ଚିତ ଜନ ସମୁଦାୟର ଏସବୁ ପରିବାର ମଧ୍ୟରୁ ଅଧିକାଂଶ ବିପଦପୂର୍ଣ୍ଣ ଭାବେ ଖଣି ପାଖରେ ମଧ୍ୟ ରୁହନ୍ତି।
‘‘ମୋ ଘର ଏ ଖଣି ପଛରେ ରହିଛି,’’ ସେମାନଙ୍କ ମଧ୍ୟରୁ ଜଣେ ଝିଅ କହିଥାଏ, ‘‘ଦିନକୁ ୫ଥର ବିସ୍ଫୋରଣ ହୁଏ। (ଥରେ) ଗୋଟିଏ ବଡ଼ ପଥର ଖସିପଡ଼ିଲା ଏବଂ ଆମ (ଘର) ଚାରି କାନ୍ଥ ଫଟେଇ ଦେଲା।’’
ଏ ଚଳଚ୍ଚିତ୍ରରେ ଏପରି ଅଗଣିତ ଶିଶୁଙ୍କ କାହାଣୀ ରହିଛି ଯେଉଁମାନେ ଅସଂଗଠିତ ଖଣି ଶ୍ରମିକ ଭାବେ କାମ କରନ୍ତି, ବିଦ୍ୟାଳୟଠାରୁ ଦୂରରେ ରହି ସେମାନେ ନିଜ ଶିକ୍ଷା ଅଧିକାରରୁ ବଞ୍ଚିତ ରହିଛନ୍ତି।


