“ସୁନ୍ଦରବନରେ ବଞ୍ଚିବା ପାଇଁ ଆମେ ପ୍ରତିଦିନ ସଂଘର୍ଷ କରିଥାଉ। ଯଦିଓ କରୋନାଭୂତାଣୁ ପାଇଁ ସାମୟିକ ଅଚଳ ଅବସ୍ଥା ସୃଷ୍ଟି ହୋଇଛି, ଏ ବିପଦରୁ ମଧ୍ୟ ଆମେ ବର୍ତ୍ତିଯିବୁ, ଏକଥା ଆମେ ଜାଣିଛୁ । ଆମର କ୍ଷେତରେ ଆଳୁ, ପିଆଜ, କଲରା, ଛଚିନ୍ଦ୍ରା ଓ ମୁନିଗା ଛୁଇଁ ଭର୍ତ୍ତି ହୋଇରହିଛି । ଧାନର ମଧ୍ୟ କୌଣସି ଅଭାବ ନାହିଁ । ଆମ ପୋଖରୀଗୁଡିକରେ ମଧ୍ୟ ମାଛ ଭର୍ତ୍ତି ହୋଇ ରହିଛି । ଏଣୁ ଭୋକଉପାସରେ ମରିବାର କୌଣସି ଆଶଙ୍କା ନାହିଁ,” ବୋଲି ସରଳ ଦାସ, ମୌସନିରୁ ଫୋନ୍ ମାଧ୍ୟମରେ ଜଣାଇଛନ୍ତି ।
ଦେଶବ୍ୟାପୀ ତାଲାବନ୍ଦ ଯୋଗୁଁ ସମଗ୍ର ଦେଶରେ ଖାଦ୍ୟ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ଭାରତୀୟ ସୁନ୍ଦରବନର ପଶ୍ଚିମ ପାର୍ଶ୍ୱରେ ୨୪ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଥିବା ଏକ ଛୋଟ ଦ୍ୱୀପ - ମୌସନିରେ ଏନେଇ କେହି ଚିନ୍ତିତ ନୁହନ୍ତି । “ତାଲାବନ୍ଦ ଯୋଗୁଁ ପନିପରିବା ଓ ଉତ୍ପାଦ ଯାହା ଏଠାରୁ ନମ୍ଖାନା ବା କାକ୍ଦ୍ୱୀପ୍ ବଜାରକୁ ପ୍ରତିଦିନ ଡଙ୍ଗାରେ ପଠା ଯାଉଥିଲା, ତାହା ବର୍ତ୍ତମାନ ପଠା ଯାଇପାରୁନାହିଁ,” ବୋଲି ଦାସ୍ କୁହନ୍ତି ।
ଜରୁରୀକାଳୀନ ପରିସ୍ଥିତ ପାଇଁ ରହିଥିବା କେତେକ ‘ସ୍ୱତନ୍ତ୍ର ଡଙ୍ଗା’ ଏବେ ମଧ୍ୟ ମୌସନିରୁ ୨୦ରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ନମ୍ଖାନା ଓ କାକଦ୍ୱୀପର ପାଇକାରୀ ବଜାରରେ ପରିବା ପହଞ୍ଚାଉଛନ୍ତି । ଡଙ୍ଗାରେ ଯାତ୍ରା କଲେ ୩୦ ମିନିଟ୍ ସମୟ ଲାଗେ କିନ୍ତୁ ସେଠାରୁ ସାଧାରଣତଃ ଯେଉଁ ଟ୍ରେନ୍ ବା ଟ୍ରକ୍ରେ ଉତ୍ପାଦଗୁଡିକୁ କୋଲ୍କାତାକୁ ନିଆଯାଏ ତାହା ଏବେ ପ୍ରାୟତଃ ଉପଲବ୍ଧ ହେଉନାହିଁ ।
ମୌସନିର ତିନୋଟି ମୂଖ୍ୟ ଫସଲ – ଧାନ, କଲରା ଓ ପାନ ପତ୍ର – ର କୋଲ୍କାତା ବଜାରରେ ବହୁତ ଚାହିଦା ରହିଛି । “ଏଣୁ କେଉଁଠାରୁ ଏହି ସବୁ ଖାଦ୍ୟ ସହରକୁ ଉପଲବ୍ଧ ହୋଇପାରିବ ତାହା ଏବେ ଏହି ସହର ପାଇଁ ଚିନ୍ତାର ବିଷୟ ପାଲଟିଛି” ବୋଲି ମୌସନି ଦ୍ୱୀପରେ ବଗଦଙ୍ଗା ସମବାୟ ବିଦ୍ୟାଳୟରେ କିରାଣୀ ଭାବେ କାମ କରୁଥିବା ଦାସ, ୫୧, କୁହନ୍ତି । ତାଙ୍କର ପାଞ୍ଚ ଏକର ଜମି ଅଛି ଯାହା ସେ ବଗଦଙ୍ଗା ଗ୍ରାମର ନାମମାତ୍ର ଚାଷୀମାନଙ୍କୁ ଭଡାରେ ଦେଇଛନ୍ତି ।
ନଦୀ ଓ ସମୂଦ୍ର ଦ୍ଵାରା ପରିବେଷ୍ଟିତ ପଶ୍ଚିମବଙ୍ଗରେ ଅବସ୍ଥିତ ସୁନ୍ଦରବନର ଏହି ୧୦୦ଟି ଦ୍ୱୀପ ସମୂହ ଭାରତୀୟ ମୂଖ୍ୟ ଭୂଭାଗ ଠାରୁ ପ୍ରାୟତଃ ବିଚ୍ଛିନ୍ନ ହୋଇ ରହିଛି । ମୌସନିରେ ମୁରୀଗଙ୍ଗା ନଦୀ (ଯାହାକୁ ବରତଳା ମଧ୍ୟ କୁହାଯାଏ) ପଶ୍ଚିମ ଦିଗକୁ ପ୍ରବାହିତ ହେଉଛି ଓ ଚିନାଇ ନଦୀ ପୂର୍ବ ଦିଗରେ ଅଛି । ବଗଦଙ୍ଗା, ବଳିଅରା, କୁସୁମତଲା ଓ ମୌସାନି ଆଦି ଦ୍ୱୀପର ଚାରିଟି ମୌଜା(ଗ୍ରାମଗୁ୍ଡ଼ିକ)ରେ ବାସ କରୁଥିବା ପ୍ରାୟ ୨୨,୦୦୦ ଲୋକ (ସେନ୍ସସ୍ ୨୦୦୧) ମୂଖ୍ୟ ଭୂଭାଗ ସହିତ ଡଙ୍ଗା ଓ ଲଞ୍ଚ ମାଧ୍ୟମରେ ଏହି ଜଳପଥ ସହାୟତାରେ ଯୋଗାଯୋଗ ସ୍ଥାପନ କରନ୍ତି ।
ନମ୍ଖାନା ବ୍ଲକ୍ର ଦକ୍ଷିଣ ୨୪ ପ୍ରଗଣାର ଅନ୍ତର୍ଗତ ଏହି ଦ୍ୱୀପର ନିବାସୀମାନେ ଆଜିକାଲି ପ୍ରାୟତଃ ଘର ଭିତରେ ରହୁଛନ୍ତି ବୋଲି ଦାସ୍ କୁହନ୍ତି । ସେମାନେ ସପ୍ତାହରେ ଦୁଇଦିନ – ସୋମବାର ଓ ଶୁକ୍ରବାର ଦିନ ବଦଙ୍ଗା ବଜାର ପାଖରେ ବସୁଥିବା ହାଟକୁ ଆଉ ଯାଉନାହାନ୍ତି । ସ୍ଥାନୀୟ ପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରାଯାଉଥିବା ବଜାର ପ୍ରତିଦିନ ପୂର୍ବାହ୍ନ ୬ ଟା ରୁ ୯ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ଅନୁମତି ଦେଇଛନ୍ତି । ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡିକ ସମୂର୍ଣ୍ଣ ଦ୍ୱୀପରେ ବନ୍ଦ ରହିଛି। ତାଲାବନ୍ଦ କାର୍ଯ୍ୟାନ୍ୱିତ କରିବା ପାଇଁ ପ୍ରଶାସନକୁ ସାହାଯ୍ୟ କରିବାକୁ ପଡୋଶୀ ଫ୍ରାଜେର୍ଗଞ୍ଜ ଦ୍ୱୀପର ଫ୍ରାଜେର୍ଗଞ୍ଜ କୋଷ୍ଟାଲ୍ ପୋଲିସ୍ ଷ୍ଟେସନ୍ରୁ କନେଷ୍ଟବଲ୍ ଓ କେତେଜଣ ସମାଜ କର୍ମୀ ସହାୟତା କରୁଛନ୍ତି ।
ମୌସନିରେ ପର୍ଯ୍ୟାପ୍ତ ପରିମାଣର ଫସଲ ଉତ୍ପାଦନ ହେଉଛି ବୋଲି କୁସୁମତଲା ଗ୍ରାମର ଜୟଦେବ ମଣ୍ଡଳ, ୩୨, ଫୋନ୍ ମାଧ୍ୟମରେ ଜଣାଇଛନ୍ତି । “ଆମେ ବଜାରରେ ଛଚିନ୍ଦ୍ରା କେଜି ପିଛା ୭-୮ ଟଙ୍କାରେ ବିକ୍ରି କରୁଛୁ ଯାହା ଆପଣମାନେ କୋଲ୍କାତାରେ କେଜିକୁ ୫୦ଟଙ୍କା ଦେଇ କିଣୁଛନ୍ତି,” ବୋଲି ସେ କୁହନ୍ତି । ଏହି ଦ୍ୱୀପର ପ୍ରତ୍ୟେକ ଘରେ ପରିବା ଉତ୍ପାଦନ କରାଯାଏ ବୋଲି ମଣ୍ଡଳ କୁହନ୍ତି। ଏଣୁ ଲୋକମାନେ କେବେ କେମିତି ଏଗୁଡିକୁ କିଣିଥାନ୍ତି, କେବଳ ଆବଶ୍ୟକତା ଅନୁଭବ ହେଲେ କିଛି କିଣନ୍ତି ।
“ଉଦାହରଣ ସ୍ୱରୂପ, ମୋ ପାଖରେ ୨୦କେଜି ପିଆଜ ଓ ପ୍ରଚୁର ପରିମାଣର ଆଳୁ ମହଜୁଦ ଅଛି । ଆମର ପୋଖରୀରେ ଆବଶ୍ୟକତା ଠାରୁ ଅଧିକ ମାଛ ଅଛି । ବଜାରକୁ କିଣିବା ପାଇଁ ଅଧିକ ଲୋକ ଆସୁନଥିବାରୁ ଏଠାରେ ମାଛ ପଚି ଯାଉଛି । ଆଜି ଠାରୁ କିଛି ଦିନ ପରେ, ଆମେମାନେ ସୂର୍ଯ୍ୟମୂଖୀ ଚାଷ କରିବୁ। ତାହାର ମଞ୍ଜିକୁ ପେଡି ସେଥିରୁ ତେଲ ମଧ୍ୟ ବାହାର କରିବୁ,” ବୋଲି ମଣ୍ଡଳ କୁହନ୍ତି । ମଣ୍ଡଳ ନିଜେ ଜଣେ ଶିକ୍ଷକ ଓ ତାଙ୍କର ତିନି ଏକର ଜମି ଅଛି ଯେଉଁଥିରେ ସେ ଆଳୁ, ପିଆଜ ଓ ପାନ ପତ୍ର ଉତ୍ପାଦନ କରନ୍ତି ।
ସେ ଯାହାହେଉ, କୁସୁମତାଲା ଓ ବଳିଅରା ଗ୍ରାମରେ, ଯାହା ମୌସନିର ଦକ୍ଷିଣ ଉପକୂଳରେ ଅବସ୍ଥିତ, ୨୦୦୯ ମେ ମାସରେ ବାତ୍ୟା ଆଲିଆ ସୁନ୍ଦରବନରେ ତାଣ୍ଡବଲୀଳା ରଚିବା ପରେ କୃଷି କାମ ପ୍ରାୟତଃ ବନ୍ଦ ହୋଇଯାଇଛି । ଏହା ଯୋଗୁଁ ଦ୍ୱୀପର ପ୍ରାୟ ୩୦ – ୩୫ ପ୍ରତିଶତ ଅଞ୍ଚଳ ଛାରଖାର ହୋଇଯାଇଛି ଓ ମୃତ୍ତିକାର ଲବଣତା ବୃଦ୍ଧି ପାଇଛି । ଚାଷଜମିରେ ଉତ୍ପାଦନ ହାର ହ୍ରାସ ପାଇବା କାରଣରୁ ଅନେକ ଲୋକ କାର୍ଯ୍ୟ ଅନ୍ୱେଷଣରେ ସେମାନଙ୍କ ଘର ଛାଡି ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି ।
ପ୍ରବାସୀମାନେ ମୁଖ୍ୟତଃ ନିର୍ମାଣ ସ୍ଥଳଗୁଡିକରେ ଶ୍ରମିକ ଭାବେ କାମ କରିବାକୁ ଗୁଜରାଟ ଓ କେରଳ ସମେତ ଦେଶର ଅନ୍ୟ ସ୍ଥାନକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ବିଦେଶକୁ ଯାଉଛନ୍ତି, ପଶ୍ଚିମ ଏସିଆ ଦେଶଗୁଡିକୁ । “ତାଲାବନ୍ଦ କାରଣରୁ ସେମାନେ ପ୍ରାୟତଃ ରୋଜଗାର ଶୂନ୍ୟ ହୋଇପଡିଛନ୍ତି । ଯଦି କାଲି ସେମାନଙ୍କ ଚାକିରି ଚାଲିଯାଏ, ତାହାହେଲେ ସମାନେ କ’ଣ ଖାଇ ବଞ୍ଚିବେ?” ଦ୍ୱାଦଶ ପର୍ଯ୍ୟନ୍ତ ପଢିଥିବା ଓ ନିଜ ଗ୍ରାମର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ୍ କରୁଥିବା ମଣ୍ଡଳ ଚିନ୍ତା କରୁଛନ୍ତି ।
ଗତ କିଛି ସପ୍ତାହ ଧରି ଅହମଦାବାଦ, ସୁରତ, ମୁମ୍ବାଇ, ପୋର୍ଟ ବ୍ଲେୟାର୍ ଓ ଅନ୍ୟ ସ୍ଥାନରେ ରହୁଥିବା ପ୍ରବାସୀମାନେ ଘରକୁ ବାହୁଡିବା ଆରମ୍ଭ କରିଛନ୍ତି ବୋଲି ମଣ୍ଡଳ କୁହନ୍ତି । ସେମାନଙ୍କ ମଧ୍ୟରୁ ଅନେକ ବଳିଅରାର, ଯେଉଁମାନେ ୟୁନାଇଟେଡ୍ ଆରବ ଏମିରେଟ୍ସ, କତାର ଓ ଓମାନରେ ବିଭିନ୍ନ ନିର୍ମାଣ ସ୍ଥଳରେ କାମ କରୁଛନ୍ତି, ସେମାନେ ମଧ୍ୟ ଫେରିଗଲେଣି, ବାଙ୍ଗାଲୁରୁରେ ନର୍ସ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଯୁବତୀମାନେ ମଧ୍ୟ ପ୍ରତ୍ୟାବର୍ତ୍ତନ କଲେଣି ।
ସମୟ ଅତିବାହିତ ହେବା ସହିତ ସୁନ୍ଦରବନରେ ବୃଦ୍ଧି ପାଉଥିବା ସମୂଦ୍ରର ସ୍ତର ଓ ଜମିଗୁଡିକରେ ଲୁଣ ପାଣି ମାଡିଯିବା ଯୋଗୁଁ କେବଳ ଚାଷକାମ ପ୍ରଭାବିତ ହୋଇଛି ତାହା ନୁହେଁ ବରଂ ଦକ୍ଷିଣରେ ଥିବା ଗ୍ରାମଗୁଡିକରେ ବାସସ୍ଥାନ ମଧ୍ୟ ପ୍ରଭାବିତ ହୋଇଛି । ଗରିବ ପରିବାରଗୁଡିକରେ କେବଳ ଗୋଟିଏ ବଖରାରେ ୫-୧୦ ଜଣ ଲୋକ ରୁହନ୍ତି । ସେମାନଙ୍କ ଦୈନନ୍ଦିନ ଜୀବନ ଘର ବାହାରେ ବିତିଥାଏ, ରାସ୍ତାରେ, ଜମିରେ କାମକରି ବା ନଦୀ ଓ ଝରଣାରେ ମାଛ ଧରି । ସେମାନଙ୍କ ମଧ୍ୟରୁ ଅନେକ ରାତିରେ ବାହାରେ ଶୁଅନ୍ତି । ତାଲାବନ୍ଦ ସମୟରେ ସେମାନେ ଘର ଭିତରେ ରହିବା ପ୍ରାୟତଃ ଅସମ୍ଭବ ଅଟେ ।
ଦ୍ୱୀପାଞ୍ଚଳ ବାସୀମାନେ କିନ୍ତୁ କରୋନାଭୂତାଣୁ ଜନିତ ସମ୍ଭାବ୍ୟ ବିପଦ ବିଷୟରେ ସଚେତନ ଅଛନ୍ତି । ଦାସ କୁହନ୍ତି ଯେ ଏହି ସମୟରେ ଦ୍ୱୀପରେ କଠୋର ପ୍ରୋଟୋକଲ୍ର ଅନୁପାଳନ କରାଯାଉଛି । ସ୍ଥାନୀୟ ଅଧିକାରୀମାନଙ୍କୁ ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରବାସୀଙ୍କ ବିଷୟରେ ସୂଚୀତ କରାଯାଉଛି ଓ ପଡୋଶୀମାନେ ଦ୍ୱାର ଦ୍ୱାର ବୁଲି ଏ ବିଷୟରେ ଅନ୍ୱେଷଣ କରୁଛନ୍ତି । କାକଦ୍ୱୀପ ସବ୍ – ଡିଭିଜନାଲ୍ ଡାକ୍ତରଖାନା ପକ୍ଷରୁ ବାଧ୍ୟତାମୂଳକ ୧୪ଦିନର ସଂଗରୋଧ ପାଇଁ ନିର୍ଦ୍ଦେଶ ଦିଆଯାଉଛି ଓ ଗ୍ରାମବାସୀମାନେ ଏହାର ସଠିକ୍ ଅନୁପାଳନ ହେବା ଉପରେ ନଜର ରଖୁଛନ୍ତି । ଯେଉଁମାନେ ଯାଞ୍ଚ ପାଇଁ ଡାକ୍ତରଖାନାକୁ ଯାଉନାହାନ୍ତି, ସେମାନଙ୍କୁ ଏଥିପାଇଁ ବାଧ୍ୟ କରାଯାଉଛି ବୋଲି ସେ କୁହନ୍ତି ।
ଦୁବାଇରୁ ଫେରିଥିବା ଜଣେ ଯୁବକ ଯାହାକୁ ଜ୍ୱର ହୋଇଥିଲା ତାଙ୍କୁ କୋଲ୍କାତା ସ୍ଥିତ ବେଲିଆଘାଟ ଆଇଡି ଓ ଏଚ୍ଡି ଡାକ୍ତରଖାନାକୁ ପଠାଗଲା । କରୋନାଭୂତାଣୁ ପାଇଁ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିବା ପରେ ଯାଇ ଗ୍ରାମବାସୀମାନେ ଆଶ୍ୱସ୍ତି ଲାଭ କଲେ । କିନ୍ତୁ ଡାକ୍ତରଖାନାରେ ତାଙ୍କୁ ଘରେ ସଂଗରୋଧରେ ରହିବାକୁ କୁହାଗଲା । ଏକ ନବ ଦମ୍ପତ୍ତି ଯେଉଁମାନେ ୟୁଏଇରୁ କିଛି ଦିନ ପୂର୍ବେ ଫେରିଛନ୍ତି, ସେମାନେ ମଧ୍ୟ ସଂଗରୋଧରେ ରହିଛନ୍ତି । ଯଦି କେହି ଏହି ପ୍ରୋଟୋକଲ୍ ଭାଙ୍ଗୁଛନ୍ତି ତାହାହେଲେ ତତ୍କ୍ଷଣାତ୍ ବ୍ଲକ୍ ଉନ୍ନୟନ ଅଧିକାରୀ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଫୋନ୍ ଦ୍ୱାରା ସୂଚୀତ କରାଯାଉଛି ।
ଯଦି ବଳିଅରା ଓ କୁସୁମତଲାର ଲୋକମାନେ କିଛି ଉପାର୍ଜନ କରିବାକୁ ସମର୍ଥ ହେବେ ନାହିଁ ତାହାହେଲେ ତାଙ୍କ ପରିବାରକୁ ଖୂବ୍ ଶୀଘ୍ର ଖାଇବାକୁ ଖାଦ୍ୟ ମିଳିବ ନାହିଁ । ଏହି ପରିବାରଗୁଡିକ ଖାଇବା ପାଇଁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ୱାରା କିଲୋ ପ୍ରତି ୨ଟଙ୍କା ଦରରେ ଦିଆଯାଉଥିବା ରାସନ ଚାଉଳ ଉପରେ ନିର୍ଭର କରୁଛନ୍ତି । କୋଭିଡ୍ - ୧୯ ସଙ୍କଟ ପାର ହେବା ପାଇଁ ସାଧାରଣ ବିତରଣ ସେବା ଅଧିନରେ ସେପ୍ଟେମ୍ବର ପର୍ଯ୍ୟନ୍ତ ମାସକୁ ପାଞ୍ଚ କେଜି ଚାଉଳ ମାଗଣାରେ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି ।
ମୌସନି ଦ୍ୱୀପ ନିବାସୀମାନେ ଏହି ସଙ୍କଟର ସଫଳ ମୁକାବିଲା କରିପାରିବେ ବୋଲି ସରଳ ଦାସ ବିଶ୍ୱାସ କରନ୍ତି । “ଆମେ ସୁନ୍ଦରବନର ଲୋକମାନେ, ଭୌଗୋଳିକ ଦୃଷ୍ଟିକୋଣରୁ ମୂଖ୍ୟ ଭୂଭାଗଠାରୁ ବିଚ୍ଛିନ୍ନ ହୋଇ ରହିଛୁ । ଆମେ ସହିଥିବା ଅସଂଖ୍ୟ ବିପର୍ଯ୍ୟୟଜନିତ ଯନ୍ତ୍ରଣାରୁ ଆମେ ଏତିକି ଶିଖି ପାରିଛୁ ଯେ ବିପଦ ବେଳେ ଆମକୁ ଆମ ନିଜର ଯତ୍ନ ନେବାକୁ ହେବ । ଆମେ ସାଧାରଣତଃ ମୁଖ୍ୟ ଭୂଭାଗରୁ ଆସୁଥିବା ସହାୟତା ଉପରେ ନିର୍ଭର କରୁନାହୁଁ ଯାହା ସମୟ କ୍ରମେ ଆସି ପହଞ୍ଚିଥାଏ । ଯେପରି ମୁଁ ମୋ ଘରେ ଥିବା ଦୁଇଟି ଅଧିକ ଛଚିନ୍ଦ୍ରାକୁ ମୋର ପଡୋଶୀକୁ ଦେଇଥାଏ, ମୁଁ ଜାଣିଛି ଯେ ଯଦି ମୋର ପଡୋଶୀଙ୍କ ପାଖରେ ମଧ୍ୟ ଅଧିକ ଦୁଇଟି କାକୁଡି ଅଛି, ତାହାହେଲେ ତାହା ମୋର ଘରକୁ ଆସିବ । ଆମେ ମିଳିମିଶି ପରିସ୍ଥିତିର ମୁକାବିଲା କରୁ ଓ ଏହି ଥର ମଧ୍ୟ ଆମେ ମିଳିମିଶି ମୁକାବିଲା କରିବୁ” ବୋଲି ସେ ସହସ ବଦନରେ କୁହନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍