କେବଳ ଗୋଟିଏ ଗାଇ ଓ ଗୋଟିଏ ମଇଁଷି ପାଇଁ ଅରୁଣ ଯାଦବଙ୍କର ଗୁହାଳଘର ନିଶ୍ଚିତଭାବେ ବଡ଼ ଅଟେ । ସେଠାରେ ଗୋଟିଏ ଖୁଣ୍ଟିରେ ବନ୍ଧା ହୋଇଥିବା ପଶୁସମ୍ପଦ ଅସୁଖୀ ଦେଖାଯାଉଛନ୍ତି । “ଏହା ପଛରେ ମୋର ଆଉ ଏକ ଗୁହାଳଘର ଅଛି,” ବୋଲି ଅରୁଣ କୁହନ୍ତି । “ମୋର ଯେତିକି ଗୁହାଳଘର ଅଛି ତାହା ପଶୁମାନଙ୍କ ସଂଖ୍ୟା ସହିତ ସମାନ ହେବ । ଅତିଶୀଘ୍ର ମୋର ଗୁହାଳଘର ସଂଖ୍ୟା ବୋଧହୁଏ ପଶୁସଂଖ୍ୟାଠାରୁ ଅଧିକ ହୋଇଯିବ ।
ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ୩୯ବର୍ଷ ବୟସ୍କ ଆଖୁଚାଷୀ ଅରୁଣ ଏକଦା ତାଙ୍କ ଗ୍ରାମ ଅଲ୍ସୁନ୍ଦରେ ସାତଟି ଗାଈ ଓ ଚାରିଟି ମଇଁଷିଙ୍କ ଲାଳନପାଳନ କରୁଥିଲେ । “ଗତ ୧୫ବର୍ଷରେ ମୁଁ ସେମାନଙ୍କୁ ଗୋଟିଏ ପରେ ଗୋଟିଏ ବିକ୍ରି କରିଦେଲି,” ବୋଲି ସେ କୁହନ୍ତି । “ମୋର ୧୦ଏକରର ଆଖୁ କିଆରି ଅଛି । ପୂର୍ବେ ଦୁଗ୍ଧ ଉତ୍ପାଦନ ଏକ ସୁବିଧାଜନକ ପାର୍ଶ୍ୱ ବ୍ୟବସାୟ ଥିଲା, ହେଲେ ବର୍ତ୍ତମାନ ଏହା ମୋର ବେକରେ ଫାଶି ଦଉଡ଼ିଟିଏ ଗୁଡ଼ାଇ ହୋଇ ରହିଥିବା ପରି ମନେ ହେଉଛି ।
ପଶ୍ଚିମ ମହାରାଷ୍ଟ୍ରରେ ସ୍ଥିତ ସାଙ୍ଗଲି ହେଉଛି ଡେରୀ ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ଯେଉଁଠି ରାଜ୍ୟର ମୋଟ ଦୁଗ୍ଧ ଉତ୍ପାଦନର ୪୨ ପ୍ରତିଶତରୁ ଅଧିକ ଦୁଗ୍ଧ ଉତ୍ପାଦନ ହୋଇଥାଏ । ଏଠାରେ ପ୍ରାୟ ସମସ୍ତ ଚାଷୀ ଗାଈ ଓ ମଇଁଷି ପାଳନ କରନ୍ତି । ଅରୁଣଙ୍କ ପରି ଚାଷୀମାନଙ୍କ ପାଇଁ ଦୁଗ୍ଧ ହେଉଛି ଆୟର ଏକ ଅତିରିକ୍ତ ଉତ୍ସ । ଅନ୍ୟମାନଙ୍କ ପାଇଁ ଏହା ପ୍ରଧାନ ଅବଲମ୍ବନ ଅଟେ । ହେଲେ, ଦୁଗ୍ଧ ଚାଷୀମାନେ ବର୍ତ୍ତମାନ ଏହାକୁ ଆନୁପାତିକ ଭାବେ କ୍ଷୁଦ୍ରାକାର କରିଚାଲିଛନ୍ତି – ଆର୍ଥିକ ଉନ୍ନତି ହେଉନି ବୋଲି ସେମାନେ କହୁଛନ୍ତି ।
ଦଶବର୍ଷରୁ ଅଧିକ ସମୟ ହେବ, ପଶ୍ଚିମ ମହାରାଷ୍ଟ୍ରର ଡେରୀ ଚାଷୀମାନେ ଦୁଗ୍ଧ ମୂଲ୍ୟ ନିୟମିତ ଭାବେ ହ୍ରାସ ବୃଦ୍ଧି ହେଉଥିବା ବିରୋଧରେ ବାରମ୍ବାର ଆନ୍ଦୋଳନ କରିଆସୁଛନ୍ତି । ସେମାନେ ବିରୋଧ ପ୍ରଦର୍ଶନ କରିବାକୁ ଯାଇ ସେମାନଙ୍କର ଦୁଗ୍ଧ ଢାଳୁଛନ୍ତି, ନଷ୍ଟ କରୁଛନ୍ତି ଓ ବାଣ୍ଟି ଦେଉଛନ୍ତି । ଅଜିତ୍ ନଭ୍ଲେ, ଅଖିଳ ଭାରତୀୟ କିସାନ ସଭାର ସାଧାରଣ ସମ୍ପାଦକ, ଯିଏ ଏହିପରି ଅନେକ ପ୍ରଦର୍ଶନର ନେତୃତ୍ୱ ନେଇଛନ୍ତି, କୁହନ୍ତି ଯେ ଯେତେବେଳେ ଉତ୍ପାଦିତ ଦୁଗ୍ଧ ଏକ ବଡ ଅଂଶ ସମବାୟ ଓ ରାଜ୍ୟ ଦ୍ୱାରା ସଂଗ୍ରହଣ କରାଯାଉଥିଲା, ସେତେବେଳେ ଦୁଗ୍ଧର ମୂଲ୍ୟ ଅପେକ୍ଷାକୃତ ସ୍ଥିର ରହୁଥିଲା । ସେ ଆହୁରି କୁହନ୍ତି ଯେ: “ବଜାରରେ ଘରୋଇ ଉଦ୍ୟୋଗୀମାନଙ୍କ ପ୍ରବେଶ ପରେ ସରକାରଙ୍କ ଭୂମିକା ହ୍ରାସ ପାଇଛି ଓ କମ୍ ପ୍ରଭାବୀ ହୋଇପଡ଼ିଛି । ସେମାନଙ୍କ ଇଚ୍ଛା ମୁତାବକ ମୂଲ୍ୟ ହ୍ରାସ – ବୃଦ୍ଧି ହେଉଛି ।’’
“ଘରୋଇ ଉଦ୍ୟୋଗୀମାନେ ମୂଲ୍ୟ ନିୟନ୍ତ୍ରଣ କରି ଲାଭବାନ ହୋଇଛନ୍ତି । କୃଷି ଆଇନ ସମ୍ବନ୍ଧରେ ଆମେ ଏହା ହିଁ କହି ଆସୁଛୁ,” ବୋଲି ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ସେପ୍ଟେମ୍ବର ୨୦୨୦ରେ ପ୍ରଚଳନ କରାଯାଇଥିବା ତିନିଟି କୃଷି ଆଇନ୍ ବିଷୟରେ ଉଲ୍ଲେଖ କରି ନାଭ୍ଲେ କହିଛନ୍ତି । ଗତ ବର୍ଷ ଚାଷୀମାନଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ (ପରୀର ସମ୍ପୂର୍ଣ୍ଣ କଭରେଜ ଦେଖନ୍ତୁ) କରାଯିବା କାରଣରୁ ନଭେମ୍ବର ୨୯,୨୦୨୧ରେ ସଂସଦରେ ଏହି ଆଇନକୁ ଖାରଜ କରାଯାଇଥିଲା ।










