କୁର୍ଜାଦି, ୱର୍ଧା
କଠିନ ପରିସ୍ଥିତିରେ କିଭଳି ଭାବେ ନିଜର ଅସ୍ତିତ୍ୱ ବଜାୟ ରଖିବାକୁ ସମର୍ଥ ହୋଇପାରିଲେ, ପଛର ସେହି କଥା ଚିନ୍ତା କରି ଉଜ୍ଜ୍ୱଳା ପେଠ୍କର୍ଆଶ୍ଚର୍ଯ୍ୟ ହେଉଛନ୍ତି!
ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚାଷୀ ଆତ୍ମହତ୍ୟାର ତାଲିକାରେ ନିଜ ନାମ ଯୋଡିବା ପାଇଁ ତାଙ୍କର କୃଷକ-ସ୍ୱାମୀ ନିଜ ଜୀବନ ହାରିବାର ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ, ୪୦ବର୍ଷରୁ ଟିକିଏ ଅଧିକ ବୟସ୍କ ବିଧବା ତାଙ୍କ ନିଜ ଜୀବନ ଓ ପରିବାରକୁ ପୁଣି ଥରେ ସଜାଡିବାକୁ ଲାଗିଛନ୍ତି ।
କିଛି ଗୋଟିଏ ତାଙ୍କୁ ସକ୍ରିୟ କରି ରଖିଛି । "ହୋଇପାରେ," କିଛି ସମୟ ଚୁପ୍ରହିବା ପରେ ସେ କୁହନ୍ତି, "ମୋର ପିଲାମାନେ"।
ଉଜ୍ଜ୍ୱଳାଙ୍କ ପାଖରେ ଶୋକ କରିବାକୁ ସମୟ ନାହିଁ, ବିଶ୍ରାମ ତାଙ୍କ ପାଇଁ ବିଳାସ ନୁହେଁ ଓ ଆବଶ୍ୟକ ସମୟରେ ତାଙ୍କୁ ସହାୟତା କରିବାକୁ ମଧ୍ୟ କେହି ନାହନ୍ତି । ତାଙ୍କ ବୟସ ୩୦ ରୁ ଟିକିଏ ଅଧିକ ହୋଇଥିବ, ଯେତେବେଳେ ପ୍ରଭାକର କୀଟନାଶକ ପିଇ ନିଜ ଜୀବନ ହାରିଥିଲେ । ସେତେବେଳେ ତାଙ୍କୁ ସମସ୍ତ ଦାୟିତ୍ୱ ମୁଣ୍ଡେଇବାକୁ ପଡିଲା : କୃଷି କାମ କରିବାଠାରୁ ଆରମ୍ଭ କରି ଋଣ ଶୁଝିବା ଓ ନିଜର ଦୁଇ ପିଲାଙ୍କ ଲାଳନ ପାଳନ କରିବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ।
ଗତ ଦଶନ୍ଧି କଥା ମନେ ପକେଇ, ଉଜ୍ଜ୍ୱଳା ତାଙ୍କର ମୁଗ ଫସଲ କାଟିବା ବେଳେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି । ଏହା ହେଉଛି ତାଙ୍କର ଜମି – ୱର୍ଧା ଠାରୁ ୨୦କିମି ଦୂରରେ ଅବସ୍ଥିତ ୨୦୦୦ ଜନସଂଖ୍ୟା ବିଶିଷ୍ଟ କୁର୍ଜାଦି ଗ୍ରାମରେ ଥିବା ଏକ ୫ -ଏକରର ପ୍ଲଟ୍। ସୂର୍ଯ୍ୟର ପ୍ରଚଣ୍ଡ କିରଣ ଏବେ ଏବେ ବସନ୍ତ ଆଗମନର ସୂଚନା ଦେଇଛି, କିନ୍ତୁ ତାହା ମଧ୍ୟ ଉଜ୍ଜ୍ୱଳାଙ୍କୁ ତାଙ୍କ ଜମିରେ କାମ କରିବାଠାରୁ ନିବୃତ୍ତ କରିବାରେ ସଫଳ ହୋଇପାରିନାହିଁ । "ଯଦି ମୁଁ କାମ କରିବିନି, ତେବେ ମୋର ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ – ମୁଁ ସେମାନଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପ୍ରସ୍ତୁତ ଅଛି ।"
ସଙ୍ଗହୀନ ଉଜ୍ଜ୍ୱଳା ହେଉଛନ୍ତି ନିରନ୍ତର ସଂଘର୍ଷ କରୁଥିବା ଦୃଢପ୍ରତିଜ୍ଞ ବିଧବା ଚାଷୀମାନଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ । ସେ ଜଣେ ସ୍ଥିର ମହିଳା-ଚାଷୀର ପ୍ରତିକୃତି, ଶତାଧିକ ବିଧବା ଚାଷୀଙ୍କ ପ୍ରତିଛବି, ଯିଏ ପରିବାରର ସମସ୍ତ ବୋଝ ନିଜ କାନ୍ଧରେ ଉଠାଉଛନ୍ତି ଓ ଅସରନ୍ତି ମନେ ହେଉଥିବା କୃଷି ସଂକଟର ମୁକାବିଲା କରୁଛନ୍ତି । ନାସ୍ନାଲ୍କ୍ରାଇମ୍ରେକର୍ଡ ବ୍ୟୁରୋ ମୁତାବକ ୧୯୯୫ ରୁ ୨୦୧୩ ମଧ୍ୟରେ ଭାରତରେ ପ୍ରାୟ ୩ ୦୦,୦୦୦ କ୍ଷୁଦ୍ର ଚାଷୀ – କୃଷକ ଆତ୍ମହତ୍ୟା କରିଛନ୍ତି । ଉଜ୍ଜ୍ୱଳାଙ୍କ ସ୍ୱାମୀ ୨୦୦୩ ରେ ନଜ ଜୀବନ ହାରିଥିଲେ, ଯେତେବେଳେ ବିଦର୍ଭରେ କାର୍ପାସ୍ସଂକଟ ଦିନକୁ ଦିନ ଗମ୍ଭୀର ହେଉଥିଲା ।







