“କରୋନା କାରଣରୁ ଏ ପର୍ଯ୍ୟନ୍ତ ମୁଁ ଦୁର୍ଗା ମୂର୍ତ୍ତି ପାଇଁ କୌଣସି ଅର୍ଡର ପାଇନାହିଁ । କିନ୍ତୁ ମୁଁ ନିଜ ଇଚ୍ଛାରେ କେତେକ ମୂର୍ତ୍ତି ଗଢ଼ିଛି । ଆଶା କରୁଛି, ସେଗୁଡ଼ିକ ବିକ୍ରି ହୋଇଯିବ,” ଏହା କହିଲେ କୁମ୍ଭକାର ଓ ମୂର୍ତ୍ତି କାରିଗରମାନଙ୍କ ଅଞ୍ଚଳ ରୂପେ ଖ୍ୟାତିପ୍ରାପ୍ତ, ଉତ୍ତର କୋଲକାତାର କୁମାରଟୁଲିରେ ଥିବା କ୍ରିଷ୍ଣା ଷ୍ଟୁଡିଓର ତାପସ ପାଲ । କଥା ଯୋଡ଼ି ସେ କହିଲେ, “ଆପଣ ମୋତେ ଆଠ ବର୍ଷରୁ ଅଧିକ ସମୟ ହେଲା ଜାଣିଛନ୍ତି । ଜୁନ୍ ମାସ ଅଧାରେ ମୋ ଷ୍ଟୁଡିଓ କେବେହେଲେ ବିନା ମୂର୍ତ୍ତିରେ ଥିବା ଦେଖିଛନ୍ତି କି ?”
ଏତେ ବେଳକୁ କୁମାରଟୁଲିରେ ଥିବା ମୋଟାମୋଟି ୪୫୦ଟି ଷ୍ଟୁଡିଓ (ସ୍ଥାନୀୟ କାରିଗର ସଂଘରେ ସଦସ୍ୟ ଭାବେ ପଞ୍ଜୀକୃତ) ବାଉଁଶ ଆଉ କୁଟାରେ ତିଆରି ଛାଞ୍ଚରେ ଭରି ଯାଇଥାଆନ୍ତା ଏବଂ ପରେ ଏହି ଛାଞ୍ଚ ଉପରେ ମାଟି ଦେଇ ମୂର୍ତ୍ତି ଗଢ଼ା ହୋଇଥାଆନ୍ତା । ଅକ୍ଟୋବର ମାସରେ ଦୁର୍ଗା ପୂଜା ଉତ୍ସବ ପାଳନର କେଇ ସପ୍ତାହ ପୂର୍ବରୁ ଏହି ମୂର୍ତ୍ତିଗୁଡ଼ିକୁ ରଙ୍ଗ ଓ ଅଳଙ୍କାରରେ ସଜେଇ ଦିଆଯାଇଥାଏ । (ପଢ଼ନ୍ତୁ ଯାତ୍ରାପଥରେ କୁମାରତୁଲି)
ପ୍ରତି ବର୍ଷ ମାର୍ଚ୍ଚ/ଏପ୍ରିଲ ମାସ ସୁଦ୍ଧା ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । କିନ୍ତୁ ଏଥର କୋଭିଡ୍-୧୯ ସର୍ବବ୍ୟାପୀ ମହାମାରୀ ଯୋଗୁଁ କୁମାରଟୁଲିର ଏହି କାର୍ଯ୍ୟ ନିର୍ଘଣ୍ଟ ଅଟକି ଯାଇଛି । ଗତ ୨୦ ବର୍ଷ ହେଲା ଏଠାରେ ମୂର୍ତ୍ତି ଗଢ଼ିଆସୁଥିବା ମୃତ୍ୟୁଞ୍ଜୟ ମିତ୍ର କହିଲେ, “ଏହା ଆମ ପାଇଁ ଏକ ଭୟଙ୍କର ବର୍ଷ । ଏପ୍ରିଲ ମାସରୁ ହିଁ ଆମର କ୍ଷତି ବଢ଼ିବାରେ ଲାଗିଲା । ପ୍ରଥମେ ବଙ୍ଗଳା ନୂଆ ବର୍ଷ (ପଇଲା ବୈଶାଖ, ଏ ବର୍ଷ ଏପ୍ରିଲ ୧୫ରେ ) ଅବସରରେ ଘରେ ସ୍ଥାପନ କରିବା ପାଇଁ ଗଢ଼ା ହୋଇଥିବା ଦେବୀ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ବିକ୍ରି ହେଲା ନାହିଁ । ପୂରା କଲୋନିରେ ପ୍ରାୟ ୧୦୦ଟି ମୂର୍ତ୍ତି ଗଢ଼ା ହୋଇଥିଲା । ହେଲେ ମାତ୍ର ୮-୧୦ଟି ବିକ୍ରି ହେଲା । ଏଥିରେ ଲାଗିଥିବା ସବୁ ଟଙ୍କା ପାଣିରେ ପଡ଼ିଲା । ଏବେ ଦୁର୍ଗା ମୂର୍ତ୍ତି ଗଢ଼ିବାକୁ ମୋତେ ଏ ପର୍ଯ୍ୟନ୍ତ କୌଣସି ଅର୍ଡର ମିଳିନାହିଁ ।”
କୁମାରଟୁଲିରେ ତାଙ୍କ ଭଳି କୁମ୍ଭକାରମାନେ ୧୮ଶ ଶତାବ୍ଦୀରୁ ହିଁ ମାଟିରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଗଢ଼ି ଆସୁଛନ୍ତି । ସେ ସମୟରେ କୋଲକାତାର ଧନୀ ଜମିଦାର ଓ ବ୍ୟବସାୟୀମାନେ, ନିଜ ନିଜ ପରିବାରରେ ବାର୍ଷିକ ଦୁର୍ଗା ପୂଜା ଉତ୍ସବ ପାଳନ ନିମନ୍ତେ ସେମାନଙ୍କୁ ମୂର୍ତ୍ତି ଗଢ଼ିବା କାମରେ ନିୟୋଜନ କରିବା ଆରମ୍ଭ କରିଥିଲେ । ଏହି କାରିଗରମାନଙ୍କ ମଧ୍ୟରୁ ଅଧିକାଂଶ ନଦିୟା ଜିଲ୍ଲାର କ୍ରିଷ୍ଣନଗର ସହରରୁ ଆସିଥିଲେ । କୋଲକାତା ନଗରୀରେ ସେମାନଙ୍କ କଳାକୃତିର ଚାହିଦା ବଢ଼ିବାରେ ଲାଗିବାରୁ ଉତ୍ତର କୋଲକାତାର ହୁଗୁଳି ନଦୀ ତଟରେ ସେମାନେ ବସବାସ କରିଥିଲେ ।
ଜୁନ୍ ୧୮ ତାରିଖ ଦିନ ମୁଁ ଯେତେବେଳେ ଏହି ବିଖ୍ୟାତ କୁମ୍ଭକାର ବସତିରେ ପହଞ୍ଚିଲି, କୋଲକାତା ପୌର ନିଗମର କର୍ମଚାରୀମାନେ ମେ ୨୦ରେ ସହରରେ ଖଣ୍ଡପ୍ରଳୟ ସୃଷ୍ଟି କରିଥିବା ଆମ୍ଫାନ ଝଡ଼ବାତ୍ୟାରେ ଉପୁଡ଼ି ପଡ଼ିଥିବା ଗୋଟିଏ ଗଛକୁ ସଫା କରୁଥିଲେ । ଅନ୍ୟ ସମୟରେ ଗହଳଚହଳ ଲାଗି ରହୁଥିବା ଏହି ଅଞ୍ଚଳରେ ନିରବତା ରାଜୁତି କରୁଥିଲା ଏବଂ ଅଧିକାଂଶ କାରିଗରଙ୍କ ଷ୍ଟୁଡିଓ ବନ୍ଦ ରହିଥିଲା । ଯେଉଁ କେତେକ ଖୋଲିଥିଲା, ସେଠାରେ ବି କାମ କରିବା ଲାଗି କୌଣସି ମୂର୍ତ୍ତି ନଥିଲା । ରାସ୍ତା ଉପରେ ଭଙ୍ଗା ଓ ଅଧାଗଢ଼ା ଦେବଦେବୀଙ୍କ ମୂର୍ତ୍ତି ସବୁ ପଡ଼ି ରହିଥିଲା । ଅତୀତରେ କୌଣସି ବର୍ଷର ଜୁନ୍ ମାସ ଭଳି ଏ ମାସଟି ଆଦୌ ନଥିଲା । ମୂର୍ତ୍ତିରେ ଲାଗିବା ପାଇଁ ଅଳଙ୍କାର ବିକ୍ରି କରିବାକୁ ଦୋକାନ ଖୋଲିଥିଲା କିନ୍ତୁ, ସେଠାରେ କୌଣସି ଗ୍ରାହକ ନଥିଲେ ।
କୁମାରଟୁଲିରେ ମୁଁ ସାକ୍ଷାତ କରିଥିବା କାରିଗରମାନେ ମୋତେ କହିଲେ ଯେ ୨୦୧୯ରେ ସାମୂହିକ ଭାବେ ସେମାନେ ୪୦ କୋଟି ଟଙ୍କାର କାରବାର କରିଥିଲେ । ଏହାର ଏକ ବଡ଼ ଭାଗ ଦୁର୍ଗା ମୂର୍ତ୍ତି ବିକ୍ରିରୁ ହିଁ ଆସିଥିଲା । ସେମାନେ ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି ମଧ୍ୟ ଗଢ଼ନ୍ତି । ବେଳେବେଳେ ସିନେମା ପାଇଁ ମାଟିର ମୂର୍ତ୍ତି ଗଢ଼ିବା କାମରେ ସେମାନେ ନିୟୋଜିତ ହୁଅନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ମାଟି ପାତ୍ର ଏବଂ ବାସନକୁସନ ମଧ୍ୟ ତିଆରି କରନ୍ତି । ଏ ବର୍ଷ ବିକ୍ରି ବଢ଼ିବ ବୋଲି ସେମାନେ ଆଶା ରଖିଥିଲେ, କିନ୍ତୁ ତା ଥିଲା, କୋଭିଡ୍-୧୯ ଯୋଗୁଁ ସବୁକିଛି ଅଚଳ ହୋଇଯିବା ପୂର୍ବର କଥା ।














