ଦିଲୀପ କୋଲିଙ୍କ ପାଇଁ ବିଗତ କେତେଟା ବର୍ଷ ଅନେକ ଝଡ଼ଝଞ୍ଜା ଭିତରେ ବିତିଛି – ଝଡ଼ବାତ୍ୟା, ମାଛଧରା ହ୍ରାସ, ବିକ୍ରି କମ୍ ହୋଇଛି । ହେଲେ, ୨୦୨୦ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଲକ୍ଡାଉନ ହିଁ ସବୁଠାରୁ କଷ୍ଟଦାୟକ ସାବ୍ୟସ୍ତ ହୋଇଛି ।
ଦକ୍ଷିଣ ମୁମ୍ବାଇର କୋଲାବା ଅଞ୍ଚଳରେ ଅବସ୍ଥିତ କୋଲିୱାଡ଼ାର ଏହି ୫୦ ବର୍ଷୀୟ ମତ୍ସ୍ୟଜୀବୀ ଦିଲୀପ କହନ୍ତି, “ଅତୀତରେ ଆମେ ଯେତେ ସବୁ ସମସ୍ୟାର ସମ୍ମୁଖୀନ ହୋଇଥିଲୁ, ସେସବୁ ଗତ ବର୍ଷ ତୁଳନାରେ ଅଧା ବି ନୁହେଁ । ଲୋକଙ୍କର ମାଛ ଧରିବାକୁ ଇଚ୍ଛା ଥିଲା ଏବଂ ମାଛ ଖାଇବାକୁ ବି ଲୋକେ ପ୍ରସ୍ତୁତ ଥିଲେ, କିନ୍ତୁ (ଲକ୍ଡାଉନ୍ ଯୋଗୁଁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ) ମାଛ ବିକ୍ରି ହେଉ ନଥିଲା । ସବୁ ବଜାର ବନ୍ଦ ହୋଇଯାଇଥିଲା ଏବଂ ଆମେ ଧରିଥିବା ମାଛକୁ ପୁଣି ସମୁଦ୍ରରେ ଫିଙ୍ଗି ଦେବାକୁ ବାଧ୍ୟ ହେଉଥିଲୁ ।”
ପ୍ରାୟ ୩୫ ବର୍ଷ ହେଲା ଦକ୍ଷିଣ ମୁମ୍ବାଇର ସାସନ୍ ଡକ୍ରେ କାମ କରିଆସୁଛନ୍ତି ଦିଲୀପ । ସେ ତିନିଟି ଡଙ୍ଗାର ମାଲିକ ଏବଂ ଏଥିରେ ୮-୧୦ ଜଣ ମତ୍ସ୍ୟଜୀବୀଙ୍କୁ ନିଯୁକ୍ତି ଦେଇଛନ୍ତି । ସେ କହନ୍ତି, “ଲକ୍ଡାଉନ୍ ସମୟରେ ଆମେ ଅନ୍ତତଃ ଆମ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିନେଲୁ । କିନ୍ତୁ କୋଲି ସଂପ୍ରଦାୟର ଅନ୍ୟ ଗରିବ ଲୋକଙ୍କ ପାଖରେ ଖାଦ୍ୟ ନଥିଲା କି ପଇସା ନଥିଲା ।”
ମତ୍ସ୍ୟଜୀବୀମାନେ ଭୋର ପ୍ରାୟ ୪ଟାରୁ କାମ ଆରମ୍ଭ କରନ୍ତି ଏବଂ ବର୍ଷା ମାସରେ କୂଳରୁ ବେଶୀ ଦୂର ଯାଏ ନ ଯାଇ ୪୦ ମିନିଟ୍ ଲେଖାଏଁ ସମୟ ପାଇଁ ବହୁ ଥର ସମୁଦ୍ର ଭିତରକୁ ଯାଆନ୍ତି । ସମୁଦ୍ର ଜୁଆରରେ ପରିବର୍ତ୍ତନ ଆରମ୍ଭ ହେଲେ ସେମାନେ ପ୍ରାୟ ଘଣ୍ଟାଏ ପାଇଁ ବିଶ୍ରାମ ନେବା ପରେ ପୁଣି ସମୁଦ୍ର ଭିତରକୁ ଯାଇଥାଆନ୍ତି । ଦିଲୀପ କହନ୍ତି, “ଆମେ ବଡ଼ି ଭୋରରୁ କାମ ଆରମ୍ଭ କରୁ ଏବଂ ଅପରାହ୍ଣ ୨ଟା କି ୩ଟା ବେଳକୁ କାମ ସାରିଦେଉ । ଜହ୍ନକୁ ଦେଖି ଆମେ ସମୁଦ୍ରରେ ଜୁଆର ସଂପର୍କରେ ଜାଣିପାରୁ । କେବଳ ଅତି କମ୍ କିମ୍ବା ଅତି ବେଶୀ ଜୁଆର ଥିବା ସମୟରେ ହିଁ ଆମେ ମାଛ ଧରିବାକୁ ଯାଉନାହିଁ ।”
ତାଙ୍କ ଡଙ୍ଗାରେ କାମ କରୁଥିବା କେତେକ କୋଲି ସଂପ୍ରଦାୟର ମତ୍ସ୍ୟଜୀବୀ, ଟ୍ରେନ୍ରେ କିମ୍ବା ଭଡ଼ାରେ ନେଇଥିବା ଗାଡ଼ିରେ ପ୍ରାୟ ୧୫୦ କିଲୋମିଟର ଯାତ୍ରା କରି ରାୟଗଡ଼ ଜିଲ୍ଲାର ତାଲା ତାଲୁକା ଅନ୍ତର୍ଗତ ୧୦୪୦ ଜଣ ଲୋକସଂଖ୍ୟା (୨୦୧୧ ଜନଗଣନା) ବିଶିଷ୍ଟ ୱାଶି ହାବେଲି ନାମକ ଗାଁରୁ ଦକ୍ଷିଣ ମୁମ୍ବାଇର ସାସନ ଡକ୍କୁ ଆସିଥାଆନ୍ତି । ସେଠାରେ ସେମାନେ ପାଖାପାଖି ଜୁନ୍ରୁ ଅଗଷ୍ଟ ଯାଏ, ଗଣପତି ଉତ୍ସବ ଆରମ୍ଭ ହେବାର ପୂର୍ବ ସମୟ ଯାଏ, କାମ କରନ୍ତି । ବର୍ଷର ଅବଶିଷ୍ଟ ସମୟରେ ସେମାନେ ମହାରାଷ୍ଟ୍ରର ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳକୁ- ମୁଖ୍ୟତଃ ରତ୍ନାଗିରି ଏବଂ ରାୟଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନକୁ- ଯାଇଥାଆନ୍ତି ଏବଂ ସେଠାରେ ଅନ୍ୟ ଲୋକଙ୍କ ଡଙ୍ଗାରେ କାମ କରି ମାସକୁ ୧୦,୦୦୦- ୧୨,୦୦୦ ଟଙ୍କା ରୋଜଗାର କରନ୍ତି ।























