ସେମାନେ ଲୟ ଏବଂ କୁଶଳତା ସହିତ ଆଗକୁ ବଢ଼ୁଥିଲେ-“ରେ ରେଲା ରେ ରେଲା ରେ ରେଲା ରେ”- ଯୁବତୀମାନଙ୍କର ଏକ ଦଳ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥିବା ଧଳା ଶାଢ଼ି ଓ ମୁଣ୍ଡରେ ଚମକୁ ଥିବା ଟୋପି ପିନ୍ଧି, ଏକାବେଳେ ତିନି ଥର ଘୁରୁଥିଲେ, ପରସ୍ପରର ହାତକୁ ଧରି, ରେଲା ଗୀତ ଗାଉଥିଲେ ଯାହାକି ଗୋଣ୍ଡ ସମ୍ପ୍ରଦାୟ ମଧ୍ୟରେ ବେଶ ଲୋକପ୍ରିୟ।
କିଛି ସମୟ ପରେ, ଯୁବକମାନଙ୍କର ଏକ ଦଳ ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇଥିଲା, ସେମାନେ ମଧ୍ୟ ଧଳା ପୋଷାକ ପିନ୍ଧି ଥିଲେ। ସେମାନଙ୍କର ମୁଣ୍ଡରେ ରଙ୍ଗୀନ ପରରେ ସଜ୍ଜା ହୋଇଥିବା ପଗଡ଼ି ଥିଲା। ସେମାନଙ୍କ ପାଦରେ ବନ୍ଧା ହୋଇଥିବା ଘୁଙ୍ଗୁର ପାଦର ଜଟିଳ ତାଳ ସହିତ ଲୟରେ ବାଜୁଥିଲା,ଏଥିସହିତ ସେମାନେ ନିଜ ହାତରେ ଧରିଥିବା ଛୋଟ ଢୋଲ (ମାଣ୍ଡରି) ବଜାଉଥିଲେ ଏବଂ ରେଲା ଗୀତା ଗାଉଥିଲେ। ପରସ୍ପରର ବାହୁକୁ ଛନ୍ଦି, ଯୁବତୀମାନେ ଯୁବକମାନଙ୍କ ଦଳକୁ ଘେରି ଏକ ଶୃଙ୍ଖଳ ତିଆରି କଲେ। ସେମାନେ ସମସ୍ତେ ନାଚି ଗାଇ ଚାଲିଲେ।
ଗୋଣ୍ଡ ଆଦିବାସୀ ସମ୍ପ୍ରଦାୟର ୪୩ ଜଣ ପୁରୁଷ ଏବଂ ମହିଳାମାନଙ୍କୁ ନେଇ ଏକ ମଣ୍ଡଳୀ ଥିଲା, ଏମାନଙ୍କର ବୟସ ୧୬ରୁ ୩୦ ବର୍ଷ ମଧ୍ୟରେ ଥିଲା, ସମସ୍ତେ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲା କେଶକାଲ ବ୍ଲକର ବେଦମାରୀ ଗ୍ରାମରୁ ଆସିଥିଲେ।
ସେମାନେ ରାଜ୍ୟର ରାଜଧାନୀ ରାୟପୁର ଠାରୁ ପାଖାପାଖି ୧୦୦କିମି ଦୂର (ବସ୍ତର କ୍ଷେତ୍ରରେ) ରାୟପୁର-ଜଗଦଲପୁର ରାଜପଥ ନିକଟସ୍ଥ ଏହି ସ୍ଥଳରେ ପହଞ୍ଚିବା ଲାଗି ଏକ ଗାଡ଼ିରେ ୩୦୦ କିମିରୁ ଅଧିକ ରାସ୍ତା ଯାତ୍ରା କରିସାରିଥିଲେ। ଛତିଶଗଡ଼ର ବଲୌଦାବାଜାର-ଭାଟପାରା ଜିଲ୍ଲା ସୋନାଖାନର ଆଦିବାସୀ ରାଜା, ବୀର ନାରାୟଣ ସିଂଙ୍କ ବଳିଦାନର ସ୍ମୃତିରେ, ୨୦୧୫ଠାରୁ ୧୦-୧୨ଡିସେମ୍ବର ପର୍ଯ୍ୟନ୍ତ ପାଳନ କରାଯାଉଥିବା ଏହି ତିନି ଦିନିଆ ବୀର ମେଳା ପାଇଁ ମଧ୍ୟ ଭାରତର ଆଦିବାସୀ ସମ୍ପ୍ରଦାୟ ଏବଂ ବିଶେଷ କରି ଛତିଶଗଡ଼ର ଅନ୍ୟ ନର୍ତ୍ତକ ମଧ୍ୟ ଏଠାକୁ ଆସିଥିଲେ। ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହ କରିଥିବା ରାଜାଙ୍କୁ ଡିସେମ୍ବର ୧୮୫୭ରେ ଉପନିବେଶବାଦୀ ଶାସକମାନେ ଧରି ନେଇଥିଲେ ଏବଂ ତାଙ୍କୁ ରାୟପୁର ଜିଲ୍ଲାର ଜୟସ୍ତମ୍ଭ ଚୌକରେ ଫାଶୀରେ ଝୁଲାଇ ଦେଇଥିଲେ। ସ୍ଥାନୀୟ ଲୋକକଥା ଅନୁଯାୟୀ, ଇଂରେଜମାନେ ତାଙ୍କୁ ଫାଶୀରେ ଝୁଲାଇ ଦେବା ପରେ ତାଙ୍କ ଶରୀରକୁ ଗୁଳିରେ ଉଡ଼ାଇ ଦେଇଥିଲେ।






