‘‘ସେଦିନ ଅପରାହ୍ଣରେ ମୁଁ ଓ ମୋର ଶିଶୁ ଜୀବିତ ରହିବୁ କି ନାହିଁ ସେ ନେଇ ମୁଁ ନିଶ୍ଚିତ ନଥିଲି। ମୋ ଗର୍ଭରୁ ପାଣି ବାହାରି ଯାଇଥିଲା। ପାଖରେ କୌଣସି ଡାକ୍ତରଖାନା ନଥିଲା, କେହି ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଦେଖାଯାଉନଥିଲେ। ମୋତେ ଶିମଲାରେ ଥିବା ଏକ ଡାକ୍ତରଖାନାକୁ ନିଆଗଲା, ଗାଡ଼ିର ପଛ ସିଟ୍ରେ ମୁଁ ଗର୍ଭଯନ୍ତ୍ରଣାରେ ଅତିଷ୍ଠ ହୋଇପଡ଼ୁଥିଲି। ଅପେକ୍ଷା କରିବା ଛଡ଼ା ମୋ ପାଖରେ ଅନ୍ୟ କୌଣସି ରାସ୍ତା ନଥିଲା। ସେଇଠି ହିଁ ମୁଁ ପିଲାଟିଏ ଜନ୍ମ ଦେଲି – ବୋଲେରୋ ଭିତରେ।’’ ଏହି ଘଟଣାର ଛଅ ମାସ ପରେ, ଏହି ରିପୋର୍ଟର ଯେତେବେଳେ ୨୦୨୨ ଏପ୍ରିଲ ମାସରେ, ଅନୁରାଧା ମହତୋ (ଛଦ୍ମ ନାମ)ଙ୍କୁ ଭେଟିଲେ, ସେ ତାଙ୍କ କୋଳରେ ପିଲାକୁ ଧରି ବସିଥିଲେ, ସେହି ଦିନ କଥା ମନେ ପକାଉଥିଲେ।
‘‘ସମୟ ଅପରାହ୍ଣ ୩ଟା ବାଜିଥିଲା। ମୋ ଗର୍ଭରୁ ପାଣି ବାହାରିଯିବା କ୍ଷଣି ମୋର ସ୍ୱାମୀ ଆଶା ଦିଦି ଙ୍କୁ ଜଣାଇଥିଲେ। ସେ ୧୫ କିମ୍ବା ୨୦ ମିନିଟ୍ ମଧ୍ୟରେ ପହଞ୍ଚିଗଲେ। ମୋର ମନେ ଅଛି ସେ ତୁରନ୍ତ ଏକ ଆମ୍ବୁଲାନ୍ସକୁ ଫୋନ୍ କଲେ। ସେଦିନ ବର୍ଷା ହେଉଥିଲା। ଆମ୍ବୁଲାନ୍ସ କର୍ମଚାରୀ କହିଲେ ଯେ ସେମାନେ ୧୦ ମିନିଟ୍ ମଧ୍ୟରେ ବାହାରିଯିବେ, କିନ୍ତୁ ଆମ ଘର ପାଖରେ ପହଞ୍ଚିବା ଲାଗି ସାଧାରଣ ଦିନ ଅପେକ୍ଷା ସେମାନଙ୍କୁ ଅତି କମ୍ରେ ୧ ଘଣ୍ଟା ଲାଗିପାରେ,’’ ୨୦ ବର୍ଷ ପାଖାପାଖି ବୟସରେ ପହଞ୍ଚି ସାରିଥିବା ଅନୁରାଧା ଆମକୁ କହିଥିଲେ। ବର୍ଷା ହେଲେ ରାସ୍ତା କିଭଳି ବିପଜ୍ଜନକ ହୋଇଥାଏ ତାହା ସେ ଆମ ଆଗରେ ବର୍ଣ୍ଣନା କରିଥିଲେ।
ହିମାଚଳ ପ୍ରଦେଶର, କୋଟି ଗ୍ରାମରେ ଥିବା ଏକ ପାର୍ବତ୍ୟ ଅଞ୍ଚଳରେ ଛୋଟିଆ ଅସ୍ଥାୟୀ ଘରଟିଏ କରି ସେ ରହିଥାନ୍ତି। ତାଙ୍କ ପରିବାରରେ ତିନି ପିଲା ଏବଂ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିବା ସ୍ୱାମୀ ଅଛନ୍ତି। ଏମାନଙ୍କ ଘର ମୂଳତଃ ବିହାର ଭାଗଲପୁର ଜିଲ୍ଲାର ଗୋପାଳପୁର ଗ୍ରାମରେ।
୨୦୨୦ ପରଠାରୁ ଶିମଲା ଜିଲ୍ଲାର ମାଶୋର୍ବା ବ୍ଲକ ଅନ୍ତର୍ଗତ କୋଟି ଗ୍ରାମରେ ନିଜ ସ୍ୱାମୀଙ୍କ ସହ ଅନୁରାଧା ରହି ଆସୁଛନ୍ତି। ସେ କୁହନ୍ତି, ‘‘ଆର୍ଥିକ ସମସ୍ୟା କାରଣରୁ ଆମ ଗାଁ (ବିହାର) ଛାଡ଼ି ଆମେ ଏଠାକୁ ଚାଲିଆସିବାକୁ ବାଧ୍ୟ ହୋଇଥିଲୁ। ଦୁଇଟି ସ୍ଥାନରେ ଭଡ଼ା ଦେବା କଷ୍ଟକର ଥିଲା।’’ ତାଙ୍କର ୩୮ ବର୍ଷୀୟ ସ୍ୱାମୀ, ରାମ ମହତୋ (ଛଦ୍ମନାମ), ନିର୍ମାଣସ୍ଥଳୀରେ ରାଜମିସ୍ତ୍ରୀ ଭାବେ କାମ କରିଥାନ୍ତି। ଯେଉଁଠି କାମ ମିଳେ ସେଠାକୁ ସେ ଯାଇଥାନ୍ତି। ବର୍ତ୍ତମାନ, ତାଙ୍କ ଛୋଟିଆ କୁଡ଼ିଆ ଆଗରେ ଥିବା ଏକ ନିର୍ମାଣସ୍ଥଳୀରେ ସେ କାମ କରୁଛନ୍ତି।
ସାଧାରଣ ଦିନରେ ମଧ୍ୟ ସେମାନଙ୍କ ଘର ପାଖରେ ଆମ୍ବୁଲାନ୍ସ ପହଞ୍ଚିବା ସହଜ ନୁହେଁ। ଆହୁରି ଯଦି ୩୦ କିଲୋମିଟର ଦୂର, ଶିମଲା, ଜିଲ୍ଲା ମୁଖ୍ୟାଳୟରେ ଥିବା କମଳା ନେହରୁ ହସ୍ପିଟାଲରୁ, ଆମ୍ବୁଲାନ୍ସ ଆସିବାର ଥାଏ, ତା’ହେଲେ କୋଟିରେ ପହଞ୍ଚିବା ଲାଗି ଦେଢ଼ରୁ ୨ ଘଣ୍ଟା ସମୟ ଲାଗିଥାଏ। କିନ୍ତୁ ବର୍ଷା ଏବଂ ବରଫପାତ ହେଲେ ଦୁଇ ଗୁଣା ଅଧିକ ସମୟ ଲାଗେ।










