ଏ ବର୍ଷ ମୌସୁମୀ ଭଲ ଥିଲା, ଜଳବାୟୁ ଠିକ୍ ଥିଲା ଏବଂ ଅମଳ ଖୁବ୍ ଅଧିକ। ୨୮ବର୍ଷ ବୟସ୍କ ସନ୍ଦୀପ ଥାବକର ଚିନ୍ତା କଲେ ତାଙ୍କ ଟମାଟୋ ତାଙ୍କୁ ଭଲ ଆୟ ଦେବ।
ପାରମ୍ପରିକ ଭାବରେ ସୋୟାବିନ୍ କିମ୍ବା କପା ଚାଷରେ ଅଭ୍ୟସ୍ତ ସେ ଗତବର୍ଷ ନାଗପୁରରୁ ୬୫ କିଲୋମିଟର ଦୂରରେ ଥିବା ଭୀରଖାନ୍ଦିରେ ତାଙ୍କ ପଡ଼ୋଶୀମାନଙ୍କର ଟମାଟୋରୁ ଭଲ ଲାଭ ଦେଖି ଚାରି ଏକର ଚାଷ ଜମି ମଧ୍ୟରୁ ଦେଢ଼ ଏକର ଜମିରେ ଟମାଟୋ ଚାଷ କରିଥିଲେ।
କିନ୍ତୁ ଡିସେମ୍ବର ମାସର ମଧ୍ୟ ଭାଗରେ ସେ ନିଜର ସ୍ଥାନୀୟ ପ୍ରଜାତିର ଟମାଟୋ ଅମଳ ଆରମ୍ଭ କରିବା ପୂର୍ବରୁ ଦର ଖସିଥିଲା। ଜାନୁଆରୀ ମାସର ପ୍ରଥମ ସପ୍ତାହରେ ତାଙ୍କର ୨୫ କ୍ରେଟ୍ ଟମାଟୋ, ଯେଉଁଥିରେ କି ୨୫ କେଜି ଲେଖାଏଁ ପରିବା ଥିଲା, କେଜି ପିଛା ମାତ୍ର ଟ. ୧.୨୦ ଦେଇଥିଲା।
ସେ କୁହନ୍ତି, ସେହି ଦରରେ ସେ ଶ୍ରମିକ ପାଉଣା ମଧ୍ୟ ଫେରିପାଇବେ ନାହିଁ, ଏହାଛଡ଼ା ପରିବହନ ଏବଂ ବୋଝେଇ ଓ ବଜାର ଦଲାଲଙ୍କ କମିଶନ ଅଛି। ସେ ତାଙ୍କର ଚାଷର ଖର୍ଚ୍ଚ ଏବଂ ପରିବାରର ଶ୍ରମ ବିଷୟରେ ଉଲ୍ଲେଖ କରିନାହାଁନ୍ତି।
ଡିସେମ୍ବର ୨୭ ତାରିଖରେ ଘରକୁ ଫେରିବା ପରେ ସନ୍ଦିପ ତାଙ୍କ ସମ୍ପର୍କୀୟ ଭାଇ ସଚ୍ଚିନଙ୍କ ଟ୍ରାକ୍ଟର ଭଡ଼ାରେ ଆଣିଲେ। ସେ ଏହାକୁ ତାଙ୍କ କ୍ଷେତରେ ଥିବା ଟମାଟୋ ଫସଲ ଉପରେ ମଡ଼ାଇ ଦେଲେ। ଏହି ଫସଲ ପାଇଁ ସେ ସାରାଦିନ ତାଙ୍କ ପତ୍ନୀ, ଜଣେ ବଡ଼ ଭଉଣୀ ଏବଂ ଜଣେ ଖୁଡ଼ୀଙ୍କ ସହ ଚାରିମାସ ଝାଳ ବୁହାଇଥିଲେ - ଗଛ ଲଗାଇବା, ଅନାବନା ବାଛିବା, ପାଣି ମଡ଼ାଇବା ଏବଂ ପୋକଜୋକ ବାଛିବା ଆଦି ପାଇଁ।




