ୱାର୍ଦ୍ଧା ଜିଲ୍ଲାର ୨୩ ବର୍ଷୀୟ ଦୁଗ୍ଧ ଚାଷୀ ପ୍ରଫୁଲ୍ଲ କାଲୋକର କୁହନ୍ତି, ‘‘କରୋନା ଭାଇରସ୍ ମୋ ଗାଁରେ ପହଞ୍ଚିବ କି ନାହିଁ ମୁଁ ଜାଣିନି, କିନ୍ତୁ ଏହାର ଅର୍ଥନୈତିକ ପ୍ରଭାବ ଏଠାରେ ପହଞ୍ଚିଯାଇଛି।”
ମାର୍ଚ୍ଚ ୨୫ ରେ କୋଭିଡ -୧୯ ଲକଡାଉନ୍ ଆରମ୍ଭ ହେବା ଦିନଠାରୁ ପ୍ରଫୁଲ୍ଲାଙ୍କ ଗାଁ ଚନ୍ଦାନୀରେ ଦୈନିକ ୫୦୦ ଲିଟର ଦୁଗ୍ଧ ସଂଗ୍ରହ ଶୂନକୁ ଖସି ଆସିଛି ବୋଲି ସେ କୁହନ୍ତି .. ଅରବି ତାଲୁକାରେ ଅବସ୍ଥିତ ଏହି ଗାଁରେ ପ୍ରାୟ ୫୨୦ ଲୋକ ବାସ କରନ୍ତି ଏବଂ ଅଧିକାଂଶ ପରିବାର ନନ୍ଦା ଗାଓଲି ସମ୍ପ୍ରଦାୟର ।
ନନ୍ଦା ଗାଓଲିମାନେ ଏକ ଅର୍ଦ୍ଧ-ପଶୁପାଳକ ସମ୍ପ୍ରଦାୟ, ଯେଉଁମାନେ ଓ୍ୱାର୍ଦ୍ଧା ଜିଲ୍ଲାର ବୋର ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ଚାରିପାଖରେ ଥିବା ୪୦-୫୦ଟି ଗାଁରେ ରୁହନ୍ତି । ସେମାନେ ଗାୱାଲିସ୍ ନାମରେ ମଧ୍ୟ ଜଣାଶୁଣା । ସେମାନେ ପାରମ୍ପରିକ ଭାବରେ ଗାଓଲା ନାମକ ଏକ ଦେଶୀ ପ୍ରଜାତିର ଗାଈ ପାଳନ୍ତି ଏବଂ ୱାର୍ଦ୍ଧାରେ ଗାଈ ଦୁଗ୍ଧ, ଦହି, ଲହୁଣୀ, ଘିଅ ଏବଂ ଖୁଆର ପ୍ରମୁଖ ଯୋଗାଣକାରୀ ଅଟନ୍ତି । ଲକଡାଉନର ପ୍ରଥମ ୧୫ ଦିନ ମଧ୍ୟରେ ୱାର୍ଦ୍ଧାରେ ସମୂହର ହୋଇଥିବା କ୍ଷୟକ୍ଷତିର ଆକଳନ କରି କାଲୋକର କୁହନ୍ତି, “ନନ୍ଦା ଗାଓଲିମାନେ ଦୁଗ୍ଧ ବିକ୍ରିରେ ଅତି କମରେ ୨୫,୦୦୦ ଲିଟର ହ୍ରାସକୁ ସାମ୍ନା କରିଛନ୍ତି’’।
ଏ ସମସ୍ତ ନଷ୍ଟ ହୋଇଯାଉଥିବା ଦ୍ରବ୍ୟ - ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଚାହିଦାରେ ଏକ ବୃହତ ହ୍ରାସ- ଦୁଗ୍ଧ କ୍ଷେତ୍ରକୁ ଅତ୍ୟନ୍ତ ଆଘାତ ଦେଇଛି । କେବଳ ପରିବାରଗୁଡ଼ିକ କମ୍ ଦୁଗ୍ଧ ଖାଉ ନାହାଁନ୍ତି, ହୋଟେଲ, ଭୋଜନାଳୟ ଏବଂ ମିଠା ଦୋକାନ ମଧ୍ୟ ବନ୍ଦ ହୋଇଥିବାରୁ ଦୁଗ୍ଧଜାତ ଦ୍ରବ୍ୟର ଚାହିଦା ଆହୁରି ହ୍ରାସ ପାଇଛି। ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ସହାୟକ କମ୍ପାନୀ ମଦର ଡେଏରି ସମେତ ବଡ ଡେଏରିଗୁଡ଼ିକ ମଧ୍ୟ ଦୁଗ୍ଧ କ୍ରୟ ବନ୍ଦ କରି ଦେଇଛନ୍ତି।
କାଲୋକର କହିଛନ୍ତି ଯେ ଆର୍ଥିକ କ୍ଷତି ବୋଧହୁଏ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ - ଏହା କ୍ଷେତ୍ରର ଦୀର୍ଘ ବିତରଣ ଶୃଙ୍ଖଳରେ ଜଡିତ ସମସ୍ତଙ୍କ ପାଇଁ ଦୈନିକ କେଇ ହଜାର ଟଙ୍କା ଆୟ କରେ ବୋଲି ସେ ଆକଳନ କରିଛନ୍ତି ।ପ୍ରଫୁଲ୍ଲ ତାଙ୍କ ନନ୍ଦ ଗାଓଲି ସମ୍ପ୍ରଦାୟର ଏକମାତ୍ର ପିଏଚଡି ଧାରକ । ସେ ନାଗପୁର ବିଶ୍ୱବିଦ୍ୟାଳୟରେ ତାଙ୍କର ଗବେଷଣା ଡିଗ୍ରୀ ପାଇଁ ୱାର୍ଦ୍ଧାର କପା ଅର୍ଥନୀତି ଅଧ୍ୟୟନ କରିଥିଲେ।






