ତାଙ୍କର ବିବାହ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା, ଏହା ରେଖା ବୁଝିପାରିବାର ୧୦ ଦିନ ପୂର୍ବର କଥା। ଜଣେ ୧୫ ବର୍ଷ ବୟସ୍କ ଝିଅ ଯେତିକି ବିରୋଧ କରିପାରିବ ସେ ସେତିକି କରିଥିଲେ କିନ୍ତୁ ତାଙ୍କ ପିତାମାତା ଏ ମଧ୍ୟରୁ କୌଣସିଟିକୁ ଗୁରୁତ୍ୱର ସହ ଗ୍ରହଣ କଲେ ନାହିଁ । ତା’ର ମାଆ ଭାଗ୍ୟଶ୍ରୀ କୁହନ୍ତି, ‘‘ସେ କାନ୍ଦିଲା ଏବଂ କହିଲା ସେ ଆଉ ପଢ଼ିବାକୁ ଚାହେଁ ।’’
ବୟସର ବିଳମ୍ବିତ ୩୦ ଦଶକରେ ଥିବା ଭାଗ୍ୟଶ୍ରୀ ଏବଂ ତାଙ୍କ ସ୍ୱାମୀ ଅମର ତାଙ୍କ ପିଲାମାନଙ୍କ ସହ ମହାରାଷ୍ଟ୍ରର ବିଡ୍ ଜିଲ୍ଲାର ଏକ ଦରିଦ୍ର ଗ୍ରାମରେ ବାସ କରନ୍ତି । ପ୍ରତିବର୍ଷ ନଭେମ୍ବର ବେଳକୁ ସେମାନେ ଦକ୍ଷିଣ ମହାରାଷ୍ଟ୍ର କିମ୍ବା କର୍ଣ୍ଣାଟକକୁ ଆଖୁ କାଟିବା ପାଇଁ ଯାଆନ୍ତି । କ୍ଷେତରେ ଛଅ ମାସର କଠିନ ପରିଶ୍ରମ ପରେ ସେମାନେ ଟ. ୮୦,୦୦୦ ଆୟ କରନ୍ତି । ସେମାନଙ୍କ ନାମରେ କୌଣସି ଜମି ନଥିବାରୁ ଆଖୁ କାଟିବା ହେଉଛି ପରିବାର ପାଇଁ ଆୟର ଏକମାତ୍ର ଉତ୍ସ । ସେମାନେ ଦଳିତ ସମୂହ ମାତଙ୍ଗ ଜାତିର ।
ପ୍ରତ୍ୟେକ ଥର ତାଙ୍କ ପିତାମାତା ଯିବା ପରେ, ରେଖା ଏବଂ ତା’ର ୧୨ ଓ ୮ ବର୍ଷ ବୟସର ଭାଇଭଉଣୀ ସେମାନଙ୍କ ଜେଜେମାଆ (ସେ ଗତବର୍ଷ ମେ’ ମାସରେ ମୃତ୍ୟୁବରଣ କରିଥିଲେ)ଙ୍କ ଦାୟିତ୍ୱରେ ରୁହନ୍ତି । ସେମାନେ ଗାଁ ବାହାରେ ଥିବା ଏକ ସରକାରୀ ସ୍କୁଲ୍ରେ ପାଠ ପଢ଼ନ୍ତି । କିନ୍ତୁ ଯେତେବେଳେ ଏହି ମହାମାରୀ ମାର୍ଚ୍ଚ ୨୦୨୦ରେ ସ୍କୁଲ୍ଗୁଡ଼ିକ ବନ୍ଦ କରିବାକୁ ବାଧ୍ୟ କଲା, ୯ମ ଶ୍ରେଣୀରେ ପଢ଼ୁଥିବା ରେଖାଙ୍କୁ ଘରେ ରହିବାକୁ ହେଲା । ୫୦୦ ଦିନରୁ ଅଧିକ ଦିନ ହେବ ବିଡ୍ର ସ୍କୁଲ୍ଗୁଡ଼ିକ ବନ୍ଦ ହେବା ଜାରି ରହିଛି ।
ଭାଗ୍ୟଶ୍ରୀ କୁହନ୍ତି, ‘‘ଆମେ ବୁଝିଲୁ ଯେ ସ୍କୁଲ୍ଗୁଡ଼ିକ ଶୀଘ୍ର ଯେ କୌଣସି ସମୟରେ ଖୋଲିବ ନାହିଁ ।’’ ‘‘ଯେତେବେଳେ ସ୍କୁଲ୍ ଖୋଲା ଥିଲା, ଶିକ୍ଷକ ଓ ପିଲାମାନେ ଆଖପାଖରେ ଥିଲେ। ଗାଁରେ ଗହଳି ଚହଳି ଥିଲା। ସ୍କୁଲ୍ ବନ୍ଦ ହୋଇଯିବାରୁ ଆମେ ନିରାପତ୍ତା କାରଣରୁ ତା’କୁ ଛାଡ଼ି ଯାଇପାରିବୁ ନାହିଁ ।’’
ତେଣୁ ଭାଗ୍ୟଶ୍ରୀ ଏବଂ ଅମର ରେଖାଙ୍କୁ ୨୨ ବର୍ଷ ବୟସ୍କ ଆଦିତ୍ୟଙ୍କ ସହ ଗତ ବର୍ଷ ଜୁନ୍ ମାସରେ ବିବାହ କରାଇଦେଲେ । ତାଙ୍କ ପରିବାର ୩୦ କିଲୋମିଟର ଦୂରରେ ଥିବା ଏକ ଗ୍ରାମରେ ବାସ କରୁଥିଲେ । ଏବଂ ସେମାନେ ମଧ୍ୟ ଋତୁକାଳୀନ ପ୍ରବାସୀ ଶ୍ରମିକ ଥିଲେ । ନଭେମ୍ବର ୨୦୨୦ରେ, ଯେତେବେଳେ ଆଖୁ କଟା ଋତୁ ଆରମ୍ଭ ହେବାକୁ ଥିଲା, ରେଖା ଏବଂ ଆଦିତ୍ୟ ଦକ୍ଷିଣ ମହାରାଷ୍ଟ୍ରକୁ ଚାଲିଗଲେ – କେବଳ ତା’ର ନାମ ସ୍କୁଲ୍ ରେଜିଷ୍ଟରରେ ରହିଥିଲା।
ରେଖା ଏବଂ ତାଙ୍କଠାରୁ କମ୍ ବୟସର କିଶୋରୀ ଝିଅମାନଙ୍କୁ ଏହି ମହାମାରୀ କାରଣରୁ ବିବାହ ଆଡ଼କୁ ଠେଲି ଦିଆଯାଉଛି । ମାର୍ଚ୍ଚ ୨୦୨୧ରେ ପ୍ରକାଶିତ ହୋଇଥିବା ଭୋଭିଡ୍-୧୯ ଶିଶୁ ବିବାହ ବିପକ୍ଷରେ ଏକ ଅଗ୍ରଗତି ପ୍ରତି ବିପଦ ଶୀର୍ଷକ ଏକ ୟୁନିସେଫ୍ ରିପୋର୍ଟ ସତର୍କ କରାଇ ଦେଇଛି ଯେ ଏହି ଦଶକ ଶେଷ ସୁଦ୍ଧା ସାରା ବିଶ୍ୱରେ ଆଉ ୧୦ ନିୟୁତ ଝିଅ ବାଳିକାବଧୂ ହେବାର ବିପଦରେ ଥିବେ । ସ୍କୁଲ୍ ବନ୍ଦ ହେବା, ଦାରିଦ୍ର୍ୟ ବଢ଼ିବା, ପିତାମାତାଙ୍କ ମୃତ୍ୟୁ ଏବଂ କୋଭିଡ୍-୧୯ରୁ ସୃଷ୍ଟି ହୋଇଥିବା ଅନ୍ୟ କାରଣଗୁଡ଼ିକ ‘‘ପୂର୍ବରୁ ମଧ୍ୟ କଷ୍ଟକର ହୋଇଥିବା ନିୟୁତ ନିୟୁତ ଝିଅଙ୍କର ଅବସ୍ଥାକୁ ଆହୁରି ଖରାପ କରିଦେଉଛି’’ ।
ଗତ ୧୦ ବର୍ଷରେ, କମ୍ ବୟସରେ ବିବାହ କରିଥିବା ମହିଳାଙ୍କ ସଂଖ୍ୟା ୧୫ ପ୍ରତିଶତ ହ୍ରାସ ପାଇଥିଲା ଏବଂ ସାରା ବିଶ୍ୱରେ ୨୫ ନିୟୁତ ଶିଶୁ ବିଭାଗକୁ ଏଡ଼ାଇ ଦିଆଯାଇଥିଲା ବୋଲି ୟୁନିସେଫ୍ ସୂଚନା ଦେଇଛି । ଏହି ମହାମାରୀ ନିକଟ ବର୍ଷଗୁଡ଼ିକରେ ହୋଇଥିବା ଅଗ୍ରଗତିଗୁଡ଼ିକ ପାଇଁ ଏକ ବିପଦ ହୋଇଛି, ଏପରିକି ମହାରାଷ୍ଟ୍ରରେ ।








