ମହେନ୍ଦ୍ର ଫୁଟାଣେ ମଇ ୫ ତାରିଖ ସକାଳେ ନିଜ ଘରୁ କୋଭିଡ-୧୯ ଟିକାର ପ୍ରଥମ ଡୋଜ୍ ନେବା ଲାଗି ବାହାରିଥିଲେ, ଏବଂ ୧୨ ଦିନ ପରେ ଘରକୁ ଫେରିଲେ। ମହେନ୍ଦ୍ର କୁହନ୍ତି, “ତାଙ୍କ ପାଇଁ ଏହା ଏକ ଉତ୍ସାହପୂର୍ଣ୍ଣ ଦିନ ହେବାର ଥିଲା, ହେଲେ ତାହା ଏକ ଦୁଃସ୍ୱପ୍ନରେ ପରିଣତ ହୋଇଗଲା।”
ମହେନ୍ଦ୍ର ଟିକାକରଣ କେନ୍ଦ୍ରରେ ଟିକା ନେବା ପୂର୍ବରୁ, ପୁଲିସ ତାଙ୍କୁ ଗିରଫ କରି ନେଲା।
ମହାରାଷ୍ଟ୍ରର ବିଡ୍ ଜିଲ୍ଲା ଅନ୍ତର୍ଗତ ନେକନୁର ଗ୍ରାମର ବାସିନ୍ଦା ୪୩ ବର୍ଷୀୟ ମହେନ୍ଦ୍ର ଅନେକ ପ୍ରୟାସ କରିବା ପରେ, କୋୱିନ୍ ପ୍ଲାଟଫର୍ମରେ ନିଜର ଆପଏଣ୍ଟମେଣ୍ଟ ବୁକ୍ କରାଇଥିଲେ। ସେ କୁହନ୍ତି, “ମୋତେ ଏହି ସୂଚନାର ମେସେଜ ମିଳିଥିଲା ଯେ ସକାଳ ୯ଟାରୁ ୧୧ଟା ମଧ୍ୟରେ (୫ ମେ ଦିନ) ଆପଏଣ୍ଟମେଣ୍ଟ ମିଳିଛି।” ତାଙ୍କୁ ନିଜର ଓ ନିଜ ପରିବାରର କେତେକ ସଦସ୍ୟଙ୍କ ଲାଗି ଟିକାକରଣର ସ୍ଲଟ୍ ମିଳିଥିଲା ଯେଉଁମାନଙ୍କର ବୟସ ୪୫ ବର୍ଷରୁ କମ୍। ମହେନ୍ଦ୍ର କୁହନ୍ତି, “ଆମେ ନିଜର ପ୍ରଥମ ଡୋଜ୍ ପାଇବା ଲାଗି ପ୍ରସ୍ତୁତ ଥିଲୁ। କୋଭିଡ-୧୯ର ଦ୍ୱିତୀୟ ଲହରୀ ଅତ୍ୟନ୍ତ ଭୟାନକ ହୋଇଛି।”
ନେକନୁର ଠାରୁ ୨୫ କିଲୋମିଟର ଦୂର ବିଡ୍ ସହରରେ ଥିବା ଟିକାକରଣ କେନ୍ଦ୍ରରେ ଯେତେବେଳେ ତାଙ୍କ ପରିବାର ପହଞ୍ଚିଥିଲା, ସେମାନଙ୍କର ସବୁ ଆଶା ପାଣି ଫୋଟକା ଭଳି ମିଳେଇ ଯାଇଥିଲା। ଟିକାକରଣ କେନ୍ଦ୍ରରେ ଟିକା ଅଭାବ କାରଣରୁ ୧୮-୪୪ ବର୍ଷ ବୟସ୍କଙ୍କର ଟିକାକରଣ ବନ୍ଦ ହୋଇଯାଇଥିଲା। ମହେନ୍ଦ୍ର କହିଥିଲେ ଯେ “ସେଠାରେ ପୁଲିସ ମୁତୟନ ଥିଲେ। ଆମେ ସେମାନଙ୍କୁ ଆପଏଣ୍ଟମେଣ୍ଟ ସୁନିଶ୍ଚିତ କରୁଥିବା ମେସେଜ ଦେଖାଇଲୁ, କିନ୍ତୁ ସେମାନେ ଆମେ ସହିତ ଦୁର୍ବ୍ୟବହାର କଲା ଭଳି କଥାବାର୍ତ୍ତା କଲେ।”
ଧାଡ଼ିରେ ଛିଡ଼ା ହୋଇଥିବା ଲୋକ ଓ ପୁଲିସଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା। ଗଣ୍ଡଗୋଳ ଶେଷରେ ଲାଠିଚାର୍ଜ ହେଲା ଓ ଛଅଜଣ ଲୋକଙ୍କୁ ଗିରଫ କରିନିଆଗଲା, ଯେଉଁଥିରେ ମହେନ୍ଦ୍ର, ତାଙ୍କ ପୁଅ ପାର୍ଥ, ଭାଇ ନୀତିନ ଓ କକା ପୁଅ ଭାଇ ବିବେକ ମଧ୍ୟ ସାମିଲ ଥିଲେ।
କେନ୍ଦ୍ରରେ ଉପସ୍ଥିତ ଥିବା କନଷ୍ଟେବଳ ଅନୁରାଧା ଗୌହାଣେ ଏହି ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ (ଏଫଆଇଆର) ଦାୟର କଲେ, ଯେଉଁଥିରେ ଛଅ ଜଣ ଲୋକଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ଯେ ସେମାନେ ଟିକାକରଣ ଥିବା ଧାଡ଼ି ଭାଙ୍ଗିଛନ୍ତି ଏବଂ ପୁଲିସ କର୍ମଚାରୀଙ୍କ ସହିତ ମାରପିଟ୍ କରିଛନ୍ତି। ଏଫଆଇଆରରେ କୁହାଯାଇଥିଲା ଯେ ସେମାନେ କନଷ୍ଟେବଳମାନଙ୍କୁ ଗାଳି ଦେଇଥିଲେ, ଅପମାନିତ କରିଥିଲେ ଏବଂ ସେମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ। ସମସ୍ତଙ୍କ ବିରୋଧରେ ୧୧ଟି ମାମଲା ଦାଏର କରାଗଲା, ଯେଉଁଥିରେ ବେଆଇନ ଭାବେ ଭିଡ଼ କରିବା, ଦଙ୍ଗା କରିବା, ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଏବଂ ଶାନ୍ତି ଭଙ୍ଗ କରିବା ଆଦି ସାମିଲ ରହିଛି।





