ଆଜି ଆମେ ୧୭୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କୁ ନେଇ ଗଠିତ ପରିର ଅନନ୍ୟ ଅନୁବାଦ ଟିମ୍ର ବିସ୍ମୟକର ଉପଲବ୍ଧିଗୁଡ଼ିକର ଉତ୍ସବ ମନାଉଛୁ । ଏହି ଅନୁବାଦକମାନଙ୍କ ମଧ୍ୟରୁ ଅତି କମ୍ରେ ୪୫ ଜଣ ପ୍ରତି ମାସରେ ସକ୍ରିୟ । ଏବଂ ଏହା କରିବା ଦ୍ୱାରା ଆମେ ସୁ-ଉଦାହରଣ ପାଳନ କରି ସୁ-ସାହଚର୍ଯ୍ୟରେ ରହୁଛୁ । ଜାତିସଂଘ ସେପ୍ଟେମ୍ବର ୩୦କୁ ଆନ୍ତର୍ଜାତୀୟ ଅନୁବାଦ ଦିବସ ଭାବରେ ପାଳନ କରିଥାଏ।
ଜାତିସଂଘ କହିଥାଏ, ଏହି ଦିନ ହେଉଛି ‘‘ଭାଷା ବୃତ୍ତିଧାରୀମାନଙ୍କ କାର୍ଯ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରିବାର ଏକ ସୁଯୋଗ ଯେଉଁମାନେ କି ଦେଶଗୁଡ଼ିକୁ ନିକଟତର କରି, ବାର୍ତ୍ତାଳାପ, ବୁଝାମଣା ଓ ସହଯୋଗକୁ ଅଧିକ ସହଜ କରି ବିକାଶରେ ଯୋଗଦାନ ଦେଇଥା’ନ୍ତି...’’ ଏବଂ ଏହାଠାରୁ ଅଧିକ ମଧ୍ୟ କରିଥା’ନ୍ତି । ଏବଂ ତେଣୁ ଆଜି, ଆମେ ଏକ ଅନୁବାଦ ଟିମ୍କୁ ସମ୍ମାନ ପ୍ରଦର୍ଶନ କରୁଛୁ, ଯାହାର ସମକକ୍ଷ ଅନ୍ୟ କୌଣସି ସାମ୍ବାଦିକତା ୱେବ୍ସାଇଟ୍ ନିକଟରେ ନାହିଁ ବୋଲି ଆମେ ଦୃଢ଼ତାର ସହ କହିପାରୁ ।
ଆମ ଅନୁବାଦକମାନଙ୍କ ମଧ୍ୟରେ ଡାକ୍ତର, ଚିକିତ୍ସକ, ଭାଷାବିତ୍, କବି, ଗୃହିଣୀ, ଶିକ୍ଷକ, କଳାକାର, ସାମ୍ବାଦିକ, ଲେଖକ, ଇଞ୍ଜିନିୟର୍, ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକମାନେ ସାମିଲ୍ । ବୟୋଜ୍ୟେଷ୍ଠ ହେଉଛନ୍ତି ୮୪ ଏବଂ ସର୍ବକନିଷ୍ଠ ହେଉଛନ୍ତି ୨୨ ବର୍ଷ ବୟସ୍କ । କେତେ ଜଣ ଭାରତ ବାହାରେ ଅବସ୍ଥାନ କରୁଛନ୍ତି । ଅନ୍ୟମାନେ ଦେଶ ଭିତରେ ଖୁବ୍ ଦୁର୍ବଳ ସଂଯୋଜ୍ୟତା ବିଶିଷ୍ଟ ଅଗମ୍ୟ ଦୂରନ୍ତ ସ୍ଥାନଗୁଡ଼ିକରେ ବାସ କରୁଛନ୍ତି ।
ପରିର ବିଶାଳ ଅନୁବାଦ କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଆମର ସୀମା ଓ ସ୍ତର ମଧ୍ୟରେ ଏହାର ଭାଷାଗୁଡ଼ିକ ପ୍ରତି ସମ୍ମାନ ଓ ସମାନ ଆଚରଣ ଦୃଷ୍ଟିରୁ ଏହି ଦେଶକୁ ନିକଟତର କରିବାର ଲକ୍ଷ୍ୟ ରଖିଛି । ପରି ସାଇଟ୍ରେ ପ୍ରତ୍ୟେକ ନିବନ୍ଧ ୧୩ଟି ଭାଷା ପର୍ଯ୍ୟନ୍ତ ଉପଲବ୍ଧ – କିମ୍ବା ଖୁବ୍ ଶୀଘ୍ର ଉପଲବ୍ଧ ହେବ । ଏଠାରେ ୧୩ଟି ଭାଷାରେ ପରି କୃତିର ଏକ ନମୁନା ରହିଛି: ଆମର ସ୍ୱାଧୀନତା ପାଇଁ ଭଗତ ସିଂହ ଝୁଗିଆନ୍ଙ୍କର ସଂଗ୍ରାମ । ଆମର ଟିମ୍ ମଧ୍ୟ ୬,୦୦୦ ପାଖାପାଖି ପାଇଁ ତାହା କରିସାରିଛନ୍ତି, ସେଗୁଡ଼ିକ ମଧ୍ୟରୁ ଅନେକ ମଲ୍ଟିମିଡିଆ ।



